ସାଧନାର ସତ୍ୟବାନ
ସମରେନ୍ଦ୍ର ବଳିଆରସିଂହ
ଢେର ସମୟ କଟିଥିଲା ସେଦିନ ସାଧନା ପାଖରେ । ତା’ ଜୀବନର ସବୁ ଦୁଃଖ ଆଉ ଯଂତ୍ରଣାକୁ ସେ ଯେମିତି ମୋ ପାଖରେ ଅଜାଡ଼ି ଦେଉଥିଲା । ମୋ ଖୁସି ପାଇଁ ସେ ତା’ ସର୍ବସ୍ୱ ମଧ୍ୟ ଅଜାଡ଼ି ଦେଉଥିଲା । ମୋ ପାଖରେ ତା’ ସର୍ବସ୍ୱର ଯାହା ମୂଲ, ସେଇଥିରୁ ସିଏ ପଠେଇବ ତା’ ମା’ ପାଖକୁ, ଗାଁକୁ । ଗାଁରେ କେବଳ ତା’ ବୁଢ଼ୀ ମା’ ଆଉ ସାନ ଭଉଣୀ । ବାପା କଥା ପଚାରୁଛନ୍ତି?..ଗଲା ୯୯ ମହାବାତ୍ୟାରେ ସିଏ ତା’ ବାପାକୁ ହରେଇଥିଲା । ଭାଇ ଗୋଟେ ଥିଲା, ତାକୁ ବାତ୍ୟା କୁଆଡେ଼ ଉଡେ଼ଇନେଲା ଯେ କିଛି ଜଣାପଡ଼ିଲାନି । ସେଇଠୁ ସିଏ ଏଇଠି..ଏଇ ବସ୍ତିରେ । ସହରରେ କ’ଣ କିଛି କାମ ଧନ୍ଦା କରିବ କି ଛୋଟମୋଟ ଚାକିରି ଖଣ୍ଡେ କାଳେ ମିଳିଯିବ, ସେଇ ଆଶାରେ ସିଏ ସହରମୁହାଁ ହେଇଥିଲା । ହେଲେ ପରିସ୍ଥିତିର ଚକ୍ରରେ ସହର ତାକୁ ମୁହାଁଇଦେଲା ଏଇଭଳି ପେସାରେ ।
ମୋ ଭଳି ସହରର ଯେତେ ‘କାମ ଲୋଲୁପ ମଣିଷ’ ତାକୁ ହରଦମ ଗିଳୁଥିଲେ, ଜାଳୁଥିଲେ । ପହିଲେ ପହିଲେ ତାକୁ ଢେର କାମ ମିଳୁଥିଲା । ସେତେବେଳେ ତା’ ଯୌବନଟା ଭାରି ତତଲା ଥିଲା, ପୂରା ଜାଳିଦଉଥିଲା ।..ତା’ ଜାଳରେ ଆମ ଭଳି ଲୋଲୁପ ମଣିଷଗୁଡ଼ାକ ପୂରା ଥଂଡ଼ାପଡ଼ିଯାଉଥିଲେ । ତା’ ‘କାମକଳା’ରେ ଭାରି ଆନ୍ତରିକତା ଥିଲା । ତା’ ହିସାବରେ କେବଳ ଦେହ ସାଂଗରେ ଦେହର ମିଳନରେ ସୁଖ ମିଳେନା, ତୃପ୍ତି ମିଳେନା; ସେଥିପାଇଁ ଲୋଡ଼ା ମନର ମିଳନ । ସେଇଲାଗି ସିଏ ଅନ୍ୟମାନଙ୍କଠୁ ଭିନ୍ନ ଥିଲା । ଆମ ଭଳି ‘ମନୁଆ ମଣିଷ, ଆବେଗର ମଣିଷ’ମାନଙ୍କ ପାଇଁ ସିଏ ଭାରି ଖାପ ଖାଉଥିଲା । ହୋଇପାରେ ସେଇ ସଂପର୍କ କିଛି ସମୟର, କିନ୍ତୁ ସେଇ ସଂପର୍କ ଭାରି ଗାଢ଼ା ଥିଲା ।
ପହିଲେ ପହିଲେ ତାକୁ ଢେର ଗରାଖ ମିଳୁଥିଲେ । ଏବେ କିଂତୁ ଜୋର କଂପିଟିସନ । ତା’ଭଳି ଆହୁରି ବହୁତ ଝିଅ ଏବେ ଏଇ ଲାଇନରେ । ଅବଶ୍ୟ ସିଏ ଆଉ ଝିଅ ହେଇକି ନାହିଁ, ବୟସ ତିରିଶ ଉତୁରିଗଲେ ତାକୁ କ’ଣ ଝିଅ କୁହାଯିବ କି?..ଏବେ ଯୋଉ ଝିଅମାନେ ଆସୁଛନ୍ତି ସେମାନେ ତା’ ଭଳି ମହାବାତ୍ୟାରେ ସର୍ବସ୍ୱାନ୍ତ ହୋଇନାହାନ୍ତି! ସେମାନଙ୍କ ଭିତରୁ ଅନେକ ତ କଲେଜ ପଢୁଆ ଝିଅ । ସେମାନେ ପାର୍ଟ ଟାଇମ କରୁଛନ୍ତି କଲେଜ ସରିଲା ପରେ ।..କେହି କେହି କଲେଜ ନଯାଇ ଫୁଲଟାଇମ ବି କରୁଛନ୍ତି ।
ହଁ, ସେଦିନ ତା’ ପାଖରୁ ଫେରିଲାବେଳକୁ ମତେ ତା’ ହାତ ତିଆରି ଚା’ ପିଆଇଲା । ଆଉ କିଛି ସମୟ ଅଟକିବା ପାଇଁ କହୁଥିଲା । ଟୁରରେ ଯାଇ ବାହାରେ ଖାଇ ଖାଇ ଭଲ ଲାଗୁନଥିବ, ରୋଷେଇ କରିଦଉଚି, ଖାଇଦେଇକି ଯିବେ । ମୁଁ କହିଲି, ନାଇଁ ଥାଉ…ଅନ୍ୟ ଗରାଖ ପୁଣି ଆସିବେ, ତମର ଲସ ହବନି?…କହିଲା, ସବୁକଥାରେ ଲାଭ-କ୍ଷତି ଦେଖିଲେ ହବନି…ଭାବର ଗୋଟେ ଅଲଗା ମୂଲ..ଆପଣ ଜଣେ ଭଲ ମଣିଷ, ଭାବର ମଣିଷ । ଆପଣଂକ ସହ କିଛି ସମୟ ବିତେଇଲେ ଭଲ ଲାଗେ । ଶେଷକୁ ପଚାରିିଲା, ଆପଣ ଆଉ କେବେ ଆସିବେ?…ମୁଁ ଫୋନ କରିବିକି?…ମୁଁ କହିଲି ନାଇଁ, ମତେ ଫୋନ କରିବା ଦରକାର ନାହିଁ, ମୁଁ ମୋ ଫ୍ରିଟାଇମରେ ଫୋନ କରିବି ।…ସବୁବେଳେ ମିଟିଙ୍ଗ ରହୁଚି, ପୁଣି ଟୁର ପଡ଼ୁଚି, ତେଣୁ ସୁବିଧା ଦେଖିକି ଫୋନ କରିବି ।…ସେଠୁ ସିଏ କହିଲା, ହଉ ଫୋନ ସିଓର କରିବେ, ମୁଁ ଅପେକ୍ଷା କରିବି ।
ସେଦିନ ଟୁରରୁ ଫେରି ବେଶ କିଛି ସମୟ କଟିଥିଲା ତା’ ପାଖରେ । ଘରକୁ ନଆସି ସିଧା ତା’ କତିକି ପଳେଇଥିଲି । ତା’ ପାଖରେ ଭାରି ଆରାମ ଲାଗେ । କ୍ଷୁଧା ମେଂଟିଯାଏ…ଉଭୟ ଦେହ ଆଉ ମନର । ମେଟି୍ରକ ଯାଏଁ ପାଠ ପଢ଼ିଚି ସିଏ, କିନ୍ତୁ ବେଶ ଜ୍ଞାନ…କଥାଭାଷା, ଚାଲିଚଳଣ ଭାରି ମାର୍ଜିତ । ଅନ୍ୟ ଦେହଜୀବୀଙ୍କ ଭଳି ତା’ର ଛଳନା ଥିଲାଭଳି କାଇଁ ଲାଗେନି । ବହୁଦିନ ପରେ ତା’ ପାଖକୁ ଯାଇଥିଲି, ଦେଢ଼ ହଜାର ଟଂକା ତା’ ହାତକୁ ବଢେ଼ଇଲି । ମନାକଲା, କହିଲା…ଏତେ ଟଂକା କାହିଁକି ଦଉଛନ୍ତି? ମୁଁ କହିଲି, ରଖ, ମନା କରନି । ଆଗରୁ ସିଏ ହଜାରେ ଟଂକା ନଉଥିଲା, ଏବେ ତା’ ଦର କମିଯାଇଚି…ସିଏ ଏବେ ୫ଶହ ଟଂକା ନଉଚି । ମୁଁ କିନ୍ତୁ ତା’ ଦର କମେଇନି, ବହୁତ ଦିନ ପରେ ଯାଇଥିଲି ତ, ତେଣୁ ଅଧିକା ଦେଲି । ତା’ ଗରାଖ ବି କମିଗଲେଣି ନା, ରୋଜଗାର କମିଯିବଣି! ହଁ, ତା’ ପାଇଁ ଶାଢ଼ିଟେ ନେଇକି ଯାଇଥିଲି, ଭାରି ଖୁସି ହେଇଗଲା । ମୁଁ ଭାବିଥିଲି, ମୋରି ଆଗରେ ବୋଧେ ନୂଆ ଶାଢିଟାକୁ ପାଲଟିଦବ! ସିଏ କିଂତୁ କହିଲା, ‘ଏଇଟା ପିନ୍ଧିକି ସାବିତ୍ରୀ କରିବି । ଆପଣଂକୁ ବହୁତ ଧନ୍ୟବାଦ । ଆପଣଂକ ଚଏସ ଭାରି ବଢ଼ିିଆ’ । ତା’ କଥା ଶୁଣି ଆଶ୍ଚର୍ଯ୍ୟ ହେଇଗଲି । ଇଏ ପୁଣି ସାବିତ୍ରୀ ବ୍ରତ କରୁଛି? ହେଲେ କାହାପାଇଁ? ଏମିତି ତ ଦେଖିବାକୁ ଗଲେ ହଜାର, ହଜାର, ଲକ୍ଷ ଲକ୍ଷ ସତ୍ୟବାନ ତା’ ଜୀବନରେ ଆସିଥିବେ! ସାଧନାର ସତ୍ୟବାନ କ’ଣ ଏକ ନା ଏକାଧିକ? ମୋ ମନକୁ ଆନେ୍ଦାଳିତ କଲା ଅନେକ ପ୍ରଶ୍ନ । ସାଧନା ତ ତା’ ଜୀବନର ସବୁକଥା ମତେ କହିଛି, ଏକଥା ବି କହିଥାନ୍ତା! ୟା ଭିତରେ ସେ କାହାକୁ ବାହା ହେଇପଡ଼ିଲା କି? ହେଲେ ଜଣେ ଦେହଜୀବୀକୁ କିଏ ବାହା ହବ? କିଏ ସେଇ ମହାତ୍ମା! ପଚାରିବସିଲି, ଆଲୋ କିଏ ତୋ ସତ୍ୟବାନ? କାହା ପାଇଁ କରିଚୁ ସାବିତ୍ରୀ ଓଷା? ସେଠୁ ଟିକେ ଚୁପ ହେଇ ସେ କହିଲା, କିଏ ମୋ ସତ୍ୟବାନ? ଏକଥା ଆପଣ ପଚାରୁଛନ୍ତି? ସେ ଭାବପ୍ରବଣ ହେଇଯାଇଥିଲା, କିଛି କହିଲାନି, ଆଖି ତା’ର ଜକେଇଆସିଥିଲା । ମୁଁ ବୁଝିଗଲି ଯେ, ସେ ମତେ ହିଁ ସତ୍ୟବାନ ଭାବେ ବରଣ କରିଆସିଛି ।
ପାଖାପାଖି ତିନି-ଚାରି ଘଂଟା କଟେଇଲି ସେଦିନ ତା’ପାଖେ, ଆଉ କେତେ ସମୟ ବା ରହିଥାନ୍ତି! ଅବଶ୍ୟ ଘରୁ ସ୍ତ୍ରୀଙ୍କର ଫୋନ ଆସିନଥିଲା ସେଯାଏ, ଯଦିଓ ସେ ଜାଣିଥିଲେ ମୁଁ ଫେରୁଚି ବୋଲି । ହଁ, ୟା ପର କାମଟା ଥିଲା ଘରକୁ ଫେରିବା । ଘରକୁ ଫେରିିଲି ।
ଟୁରରୁ ଗୁଡ଼ାଏ ଜିନିଷ କିଣିକି ଆଣିଥିଲି । ସ୍ତ୍ରୀଙ୍କ ପାଇଁ ଦାମୀ ଡ୍ରେସଟେ ଆଣିଥିଲି । ଦେଖିକି ଭାରି ଖୁସି ହେଲେ । କହିଲେ, ପଡ଼ିଶାଘର ଭାଉଜଙ୍କ ସାଂଗରେ ବଜାର ଯାଇଥଲି, ଭଲ ଶାଢ଼ିଟେ ଦେଖିଥିଲି, ହେଲେ ପାଖରେ ଟଂକା ନଥିବାରୁ କିଣିପାରିଲିନି..ତେଣୁ କାଲି ଯାଇ ସେଇଟା କିଣିଆସିବା । ଏଥର ସାବିତ୍ରୀରେ ଆମେ କଲୋନୀ ସ୍ତ୍ରୀ ଲୋକମାନେ ଗୋଟେ କିଟି ପାର୍ଟି କରୁଛୁ, ସେଇ ପାର୍ଟିରେ ଶାଢୀଟା ପିନ୍ଧିବି । ମୁଁ ମୁଣ୍ଡ ହଲେଇ ହଁ କଲି । …ସେଠୁ କହିଲେ, କୋଉ ଗୋଟେ ଜୁଏଲର୍ସ ଭଲ ସ୍କିମଟେ କରିଚି । ମାସକୁ ହଜାରେ ଟଂକା ଲେଖା ଦବ, ଦି’ ବର୍ଷ ଦବ…ଦି’ ବର୍ଷ ସରିଆସିଲାବେଳକୁ ଶେଷମାସରେ ହଜାରେ ଟଂକା ଜୁଏଲର୍ସ ସେଇ ଟଂକାରେ ମିଶେଇ ସେତିକି ଟଂକାର ଗହଣା ଦବ । ଇଚ୍ଛା ଥାଉ କି ନଥାଉ, କହିଲି ଭଲ ସ୍କିମ । ସେଠୁ କହିଲେ, ପଡ଼ିଶାଘର ଭାଉଜଙ୍କଠୁ ହଜାରେ ଟଂକା ଧାରନେଇକି ସ୍କିମଟା ଆରଂଭ କରିଦେଇଚି, ସେଇଟା ତାଂକୁ ଫେରେଇବାକୁ ପଡ଼ିବ…ଆସନ୍ତା ମାସଠୁ ସେଥିପାଇଁ ହଜାରେ ଟଂକା ଲେଖା ଦବାକୁ ପଡ଼ିବ । ଇଚ୍ଛା ଥାଉ କି ନଥାଉ, ମୁଁ କହିଲି ହଉ ।
ଶାଢ଼ି, ଗହଣା, ବିଉଟି ପାର୍ଲର..ଏସବୁ ବାବଦରେ ଗପିଚାଲିଥିଲେ ଧର୍ମପତ୍ନୀ । ମତେ ଭାରି ହାଲିଆ ଲାଗୁଥିଲା, କିନ୍ତୁ ଚା’ କପଟେ ବି ମିଳିନଥିଲା ସେ ପର୍ଯ୍ୟନ୍ତ । ତାଂକୁ ବି ଫୁରୁସତ କୋଉଠି ଥିଲା ଚା’ କରିବାକୁ! ସେଠୁ ଧର୍ମପତ୍ନୀଙ୍କ ଫରମାଇସ ଥିଲା, ରାତିରେ ରେଷ୍ଟୁରାଂଟକୁ ଖାଇବାକୁ ଯିବା…ବହୁତ ଦିନ ହେଲା, ଘରେ ଖାଇ ଖାଇ ଚିଡ଼ା ଲାଗିଲାଣି ।…ମୁଁ କହିବାକୁ ଯାଉଥିଲି ଓଲଟା କଥାଟା…ବହୁତ ଦିନ ହେଲା ବାହାରେ ଖାଇ ଖାଇ ଚିଡ଼ା ଲାଗିଲାଣି, ଆଜି ଟିକେ ଘରେ ଖାଇବା ।…ନାଇଁ କହିପାରିଲିନି । ସବୁକଥା କହିହୁଏନା ।
ସ୍ତ୍ରୀଙ୍କ କଥା ସରିନଥିଲା, ଦାବିର ତାଲିକାରେ ପୂର୍ଣ୍ଣଚ୍ଛେଦ ପଡ଼ିନଥିଲା । କହିଲେ, ଗୋଟେ ଗୁଡ ନିଉଜ ଶୁଣିବ?…ମୁଁ ବିରକ୍ତିଆ ହେଇକି କହିଲି, କୁହ..ଗୁଡ ନିଉଜ, ବ୍ୟାଡ ନିଉଜ ସବୁ ଶୁଣିବି । କହିଲେ, ସରିତାର ବାହାଘର ଆର ମାସରେ..ତା’ ପାଇଁ ମାର୍କେଟିଙ୍ଗ କରିବାକୁ ପଡ଼ିବ ।
ସରିତା ମୋ ଶାଳୀ । ମୁଁ କହିଲି, ହଉ, କରିବା । ସେଠୁ କହିଲେ, ଖାଲି ସେତିକି ନୁହଁ, ତା’ ବାହାଘର ପାଇଁ ତମକୁ ୫ଲକ୍ଷ ଟଂକା ଦବାକୁ ପଡ଼ିବ । ପୁଅଘର ଟିକେ ଅଧିକା ଡିମାଣ୍ଡ କରୁଛନ୍ତି, ବାପାଙ୍କ ପାଖରେ ଏତେ ଟଂକା ନାହିଁ ।…ମତେ ରାଗ ଲାଗୁଥିଲା, ହେଲେ ରାଗରେ ପାଣି ଟିକେ ପକେଇ କହିଲି, ମୋ ପାଖରେ ଏତେ ଟଂକା ନାହିଁ, ହାର୍ଡଲି ପଚାଶ ହଜାର ଟଂକା ଦେଇପାରିବି । ମୋ କଥା ଶୁଣି ସ୍ତ୍ରୀ ମୁହଁ ଛିଂଚାଡ଼ି ପଳେଇଲେ । ରାଗିକି ଯାଇ ସିରିଏଲ ଦେଖିଲେ । ସେଦିନ ରୋଷେଇ ବନ୍ଦ ।
ମତେ ବି ସେମିତି ଭୋକ ଲାଗୁନଥିଲା, ଚା’ ଟିକେ ପିଇବାକୁ ଇଚ୍ଛା ହଉଥିଲା, ପାଣିରେ କାମ ଚଳେଇଦେଲି । ଭାରି ହାଲିଆ ଲାଗୁଥିଲା, ଶୋଇପଡ଼ିଲି । ପାହାନ୍ତାରୁ ନିଦ ଭାଂଗିଗଲା, ମର୍ଣ୍ଣିଙ୍ଗ ୱାକରେ ବାହାରିଲି । ଗୋଟେ ପଟେ ସୂର୍ଯ୍ୟ ଉଉଁଥିଲେ ଆଉ ଗୋଟେପଟେ ଚନ୍ଦ୍ର ଅସ୍ତ ହେଉଥିଲେ । ଉଭୟ ସୂର୍ଯ୍ୟ ଆଉ ଚନ୍ଦ୍ର ଆକାଶରେ ଥିଲେ ସେଦିନ । ଭାବୁଥିଲି, ଏ ସୂର୍ଯ୍ୟ ଆଉ କିଛିି ଘଂଟା ପରେ ମୁଣ୍ଡ ଉପରକୁ ଆସିଯିବ, ତା’ ତାପରେ ଜାଳିବ । ପୁଣି ରାତିକି ଚନ୍ଦ୍ର ଆସିବ, ତା’ ଶୀତଳତାରେ ଆମକୁ ମୁଗ୍ଧ କରିବ, ଆହ୍ଲାଦିତ କରିବ । କିନ୍ତୁ କାହାକୁ ତ ଛାଡ଼ିହବନି । ଆମ ସ୍ଥିତି ପାଇଁ ସୂର୍ଯ୍ୟ, ଚନ୍ଦ୍ର ଉଭୟ ଲୋଡ଼ା । କିଛି ଦିନ ପାଇଁ ଚନ୍ଦ୍ରର ଅନୁପସ୍ଥିତି ଚଳିଯାଇପାରେ, କିନ୍ତୁ ସୂର୍ଯ୍ୟର ଅନୁପସ୍ଥିତିରେ ତ ସବୁ ଅଚଳ ହେଇଯିବ! ମୁଁ ସୂର୍ଯ୍ୟ ଆଉ ଚନ୍ଦ୍ରଙ୍କ ସହ ତୁଳନା କରୁଥିଲି ସ୍ତ୍ରୀ ଆଉ ସାଧନାକୁ । ସଂପର୍କର ଦୁଇଟି ଧାରରେ ଚାଲୁଥିଲି ମୁଁ…ଭାବୁଥିଲି, କିଛି ଭୁଲ କରୁନିତ, କିଛି ପାପ କରୁନିତ!
……………..
ବିଶ୍ୱାତ୍ମା, ଏମ-୨୩,
ବକ୍ସି ଜଗବଂଧୁ ନଗର, ଖୋର୍ଦ୍ଧା
Comments are closed.