Latest Odisha News

ଚିଲିକା ଉପକୂଳବାସୀଙ୍କ ଜୀବନୀ ଉପରେ ସର୍ଭେ ପାଇଁ ଦେଶରେ ପ୍ରଥମ ହେଲା ବ୍ରହ୍ମପୁର ମେଡିକାଲ କ୍ୟାମ୍ପସ ହାଇସ୍କୁଲ

ବ୍ରହ୍ମପୁର: ଚିଲିକା କୂଳରେ ବସବାସ କରୁଥିବା ଗ୍ରାମବାସୀଙ୍କ ବୃତ୍ତିକୁ ନେଇ ଜିଓ ଟ୍ୟାଗିଂ ତଥା ସେମାନଙ୍କ ବୃତ୍ତିଗତ ଉନ୍ନତି ସମ୍ପର୍କିତ ସର୍ଭେ ରିପୋର୍ଟ ପାଇଁ ବ୍ରହ୍ମପୁର ସ୍ଥିତ ମେଡିକାଲ କ୍ୟାମ୍ପସ ହାଇସ୍କୁଲ ଦେଶରେ ପ୍ରଥମ ପୁରସ୍କାର ପାଇଛି। ହାଇଦ୍ରାବାଦଠାରେ ଅନୁଷ୍ଠିତ ଦ୍ବିତୀୟ ମିଳିତ ଜାତିସଂଘ ବିଶ୍ବ ଭୌଗଳିକ ସୂଚନା କଂଗ୍ରେସ(United Nations World Geospatial Information Congress- (UNWGIC))ରେ ଏହି ପୁରସ୍କାର ପ୍ରଦାନ କରାଯାଇଛି।
ବିଦ୍ୟାଳୟସ୍ତରରେ ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ(ଏସଡିଜି)ଗୁଡିକର ସ୍ଥାନୀୟକରଣ କରାଇବା ଉଦ୍ଦେଶ୍ୟ ନେଇ ଦେଶର ୧୮ଟି ବିଦ୍ୟାଳୟ କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରତ୍ୟେକ ବିଦ୍ୟାଳୟରୁ ଦୁଇ ଜଣ ଲେଖାଏଁ ଛାତ୍ର ଟିମ ଗଠନ କରି ନିଜ ବିଷୟରେ ସର୍ଭେ କରି ରିପୋର୍ଟ ଦାଖଲ କରିବା ସହ ଅଧିବେଶନରେ ଉପସ୍ଥାପନ କରିଥିଲେ। ଭାରତ ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗର ସହଯୋଗରେ ପୁଣେ ସ୍ଥିତ ଭାରତୀ ବିଦ୍ୟାପୀଠ ପରିବେଶ ଶିକ୍ଷା ଓ ଗବେଷଣା ସଂସ୍ଥାନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ା ସେହିକ୍ରମରେ ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ(ବିଇଓ) ତଥା ମେଡିକାଲ କ୍ୟାମ୍ପସ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଡ. ପ୍ରଭାତୀ କୁମାରୀ ମହାପାତ୍ରଙ୍କ ତତ୍ତ୍ବାବଧାନରେ ନବମ ଶ୍ରେଣୀ ଛାତ୍ର ନିଗମ ଦାସ ଓ ବ୍ରହ୍ମପୁର କେନ୍ଦ୍ରୀୟ ବିଦ୍ୟାଳୟର ଦ୍ବାଦଶ ଶ୍ରେଣୀ ଛାତ୍ର ଆଦିତ୍ୟ ରଥ ରୂଚିସଂପନ୍ନ କାର୍ଯ୍ୟ ଓ ଅର୍ଥନୈତିକ ବିକାଶ ଏବଂ ଲିଙ୍ଗଗତ ସମାନତା ଭଳି ଦୁଇଟି ବିଷୟରେ ସର୍ଭେ କରିଥିଲେ। ଚିଲିକା କୂଳରେ ଥିବା ପାଞ୍ଚଟି ଗ୍ରାମ ଯଥା ଲଙ୍ଗଳେଶ୍ବର, ପଥରା, କେଶପୁର, ସବୁଳିଆ ଓ ରମ୍ଭାରେ ସର୍ଭେ ହୋଇଥିଲା। ଯେଉଁ ଗ୍ରାମବାସୀ ଚିଲିକା ଉପରେ ନିର୍ଭରଶୀଳ, ସେହି ଲୋକଙ୍କ ଘର ପଏଣ୍ଟଗୁଡ଼ିକୁ ଗୁଗଲ ଆର୍ଥରେ ମ୍ୟାପିଂ କରିଥିଲେ। ଲୋକଙ୍କ ଆର୍ଥିକ ସ୍ଥିତିର ମ୍ୟାପିଂ କରିବା ସହ ମହିଳାମାନେ ଚିଲକା ସହିତ କିପରି ଜଡ଼ିତ, କିପରି ଅଧିକ ମହିଳା ଚିଲିକାରେ ନିର୍ଭର କରି ନିୟୋଜିତ ହୋଇପାରିବେ, ସେହି ଅଞ୍ଚଳର ଲୋକଙ୍କ ସମସ୍ୟା କ’ଣ, ଆର୍ଥିକ ଅବସ୍ଥା କିଭଳି ସ୍ୱଚ୍ଛଳ ହେବ ସେ ଦିଗରେ ସର୍ଭେ କରି ନିଜ ରିପୋର୍ଟ ପ୍ରସ୍ତୁତ କରିଥିଲେ।

 

 

ଚଳିତମାସ ୧୦ ରୁ ୧୪ ତାରିଖ ଯାଏଁ ହାଇଦ୍ରାବାଦ ଠାରେ ବିଶ୍ବ ଭୌଗଳିକ ସୂଚନା କଂଗ୍ରେସ ଅନୁଷ୍ଠିତ ହୋଇଥିବା ବେଳେ ସେଥିରେ ଦେଶର ୧୮ଟି ବିଦ୍ୟାଳୟ ନିଜ ରିପୋର୍ଟ ଉପସ୍ଥାପନ କରିଥିଲେ। ମେଡିକାଲ କ୍ୟାମ୍ପସ ହାଇସ୍କୁଲ ସମସ୍ତ ସ୍କୁଲକୁ ପଛରେ ପକାଇ ଦେଶରେ ପ୍ରଥମ ହୋଇଥିଲା। ଏହି ଅଧିବେଶନରେ ବିଶ୍ବର ୧୬୦ଟି ଦେଶରୁ ଛାତ୍ରଛାତ୍ରୀ ଓ ପ୍ରତିନିଧି ଯୋଗଦେଇଥିଲେ। ଏଥିରେ ଉଚ୍ଚକୋଟିର ବକ୍ତୃତା ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ଆଦିତ୍ୟଙ୍କୁ ଶ୍ରେଷ୍ଠ ବକ୍ତା ଭାବେ ମଧ୍ୟ ପୁରସ୍କୃତ କରାଯାଇଥିଲା ା ଅଧିବେଶନରେ ତେଲେଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରାଜନ, କେନ୍ଦ୍ରମନ୍ତ୍ରୀ ଜି. କିସନ ରେଡ୍ଡିଙ୍କ ସମେତ ଜାତିସଂଘ ପରିସଂଖ୍ୟାନ ବିଭାଗର ନିର୍ଦ୍ଦେଶକ ଡକ୍ଟର ଷ୍ଟେଫାନ୍ ସ୍ବନଫେଷ୍ଟ, ଭାରତ ସରକାରଙ୍କ ଡିଏସଟି ଉପଦେଷ୍ଟା ଡକ୍ଟର ଦେବପ୍ରିୟା ଦତ୍ତା, ଭାରତୀ ବିଦ୍ୟାପୀଠର ଉପାଧ୍ୟକ୍ଷ ଡକ୍ଟର ଶମିତା କୁମାର, ଜର୍ମାନୀର ପ୍ରୋଜେକ୍ଟ ଲିଡର ପୁଖରାଜ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.