Latest Odisha News

ଦେଢଘଣ୍ଟିଆ କ୍ଲାସ

ଦେଢଘଣ୍ଟିଆ କ୍ଲାସ

ଜ୍ୟୋତିପ୍ରକାଶ ମହାପାତ୍ର

ଅଚାନକ ନୂଆ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଗଣଶିକ୍ଷା ବିଭାଗ ପକ୍ଷରୁ ନୂଆ ଏକ ଆଶ୍ଚର୍ଯ୍ୟଜନକ ଘୋଷଣା ହୋଇଛି । ଯେଉଁଠି କୁହାଯାଇଛି- ଏଣିକି ଗଣିତ, ଇଂରାଜୀ ଓ ବିଜ୍ଞାନ ଉପରେ ଗୁରୁତ୍ୱ ଦିଆଯିବ । ଏହିସବୁ କ୍ଲାସ୍‍ ଏକାଥରେ ଦେଢ ଘଣ୍ଟା ହେବ । ୪୫ ମିନିଟ କ୍ଲାସର ସଂଜ୍ଞା ବଦଳିଯିବ ।

ଏମିତି କହିବା ପୂର୍ବରୁ ଗଣଶିକ୍ଷା ବିଭାଗ କେବେ ଚିନ୍ତା କରିଛି କି- ଏହାର ପ୍ରଭାବ କଣ ରହିବ ? ସ୍କୁଲ ୧୦ଟାରୁ ଆରମ୍ଭ ହୋଇ ଚାରିଟା ପର୍ଯ୍ୟନ୍ତ ଚାଲେ । ମୋଟ ଛଅ ଘଣ୍ଟାର ସମୟ । ସେଥିରୁ ତିନୋଟି ବିଷୟ କେବଳ ସାଢେ ଚାରି ଘଣ୍ଟା ପଢାଯିବ । ତା’ପରେ ଲଞ୍ଚ ବ୍ରେକ ବା ଖାଇଛୁଟି ଅଛି । ସବୁ ମିଶିଗେଲେ ପାଞ୍ଚ ଘଣ୍ଟାରୁ ଅଧିକ ସମୟ ଚାଲିଗଲା । ଭୂଗୋଳ, ଇତିହାସ, ଓଡ଼ିଆ, ସଂସ୍କୃତ, ହିନ୍ଦୀ, କମ୍ପୁଟର ବୋଧେ ଆଉ ପିଲାମାନେ ପଢିବେ ନାହିଁ? ନା ସେସବୁ ବିଷୟରେ ପିଲାମାନେ ପରୀକ୍ଷାରେ ବେଶ ଭଲ ଫଳ କରୁଛନ୍ତି? ତେଣୁ ଶିକ୍ଷକ ତାହା ଆଦୌ ପଢାଇବା ଦରକାର ନାହିଁ କି? ନା ସେସବୁ ବିଷୟ ପାଠରେ ଗଣା ନୁହେଁ ? ପଢିଲେ ଚଳିବ, ନ ପଢିଲେ ଚଳିବ ବୋଲି ଗଣଶିକ୍ଷା ବିଭାଗ ଧରି ନେଇଛି କି?

ଏହାବାଦ୍‍ ପୁଣି ଖେଳ ପିରିୟଡ଼ ଅଛି । ଯୋଉଦିନ ଖେଳ ପିରିୟଡ଼ ରହିଲା, ସେଦିନ ଅଲଗା ବିଷୟ ପଢା ହେବାର ସୁଯୋଗ ତ ଆଦୌ ନାହିଁ । ସବୁ ସ୍କୁଲ ଗୁଡ଼ିକରେ ଖେଳ ପଡ଼ିଆ ଅଛି କି ନାହିଁ, ତାହା କେହି ଦେଖୁ ନାହାନ୍ତି । ଅନେକ ନୂଆ ସ୍କୁଲରେ ପଡ଼ିଆ ନାହିଁ । ପିଲା କେଉଁଠି ଖେଳିବେ, ସେ ସଂପର୍କରେ କେହି ଚିନ୍ତା କରୁ ନାହାନ୍ତି । କି କାହା ମୁଣ୍ଡରେ ସେକଥା ପଶୁନି । ଏନସିସି ପରି ହଜାରେ କଥାରେ ସ୍କୁଲର ପିଇଟି ସାରମାନେ ମାତୁଥିବା ବେଳେ ପିଲା ଯାଇ ପଡ଼ିଆରେ ଖେଳୁଛନ୍ତି କି ନାହିଁ- ତାହା ସେ ବି ଦେଖୁ ନାହାନ୍ତି । ଦେଖିବେ କେମିତି ପଡ଼ିଆ ଥିଲେ ତ !

ଏଥର ପୁଣି ମୁଖ୍ୟ ପ୍ରସଙ୍ଗକୁ ଫେରିବା । ପିଲାଙ୍କ ଦେଢ ଘଣ୍ଟିଆ କ୍ଲାସକୁ । ଗଣଶିକ୍ଷା ବିଭାଗ କେବେ ଭାବିଛି କି- କାହା ପାଇଁ ଏହି ନୂଆ ନିୟମ ହୋଇଛି? ସ୍କୁଲ ପିଲାମାନେ କେବେ ଏକାଥରେ ଦେଢ ଘଣ୍ଟା ଧରି ବସି ପାରିବେ କି? ଗୋଟାଏ କ୍ଲାସରେ ଏକାଥରେ ଦେଢ ଘଣ୍ଟା ବସିବା ସତରେ ସମ୍ଭବ କି? ଧେର୍ଯ୍ୟ ରହିବ କି କେବେ? ସେମାନେ ସ୍କୁଲ ପିଲା, ତେଣୁ ଡରରେ ବସିବେ । କିଛି କହିବେ ନାହିଁ । କଲେଜ ପିଲା ହୋଇଥିଲେ- ଅଧା କ୍ଲାସରୁ ଖାତା ଧରି ବାହାରି ଯାଆନ୍ତେ । କିମ୍ବା ମୋବାଇଲରେ ବ୍ୟସ୍ତ ରହନ୍ତେ । ସ୍କୁଲ ପିଲାଙ୍କର ସେ ସ୍ୱାଧୀନତା ନାହିଁ । ସେଇଆକୁ ଦୃଷ୍ଟିରେ ରଖି ସରକାର ବୋଧେ ଏମିତି ପଦକ୍ଷେପ ନେଲେ ! କଲେଜରେ ପିଜି କ୍ଲାସର ପିଲାମାନଙ୍କ ସହ ଶିକ୍ଷକ ଆଲୋଚନା କଲା ବେଳେ ଏତେ ଲମ୍ବା କ୍ଲାସ୍‍ ହେଲେ ହୁଏତ ତାକୁ କିଛି ମାତ୍ରାରେ ଗ୍ରହଣ କରିହେବ । କିନ୍ତୁ ଏଇ ୧୦ କି ୧୨ ବର୍ଷର ପିଲାଙ୍କ ଉପରେ ଏତେ ଅତ୍ୟାଚାର କାହିଁକି?

ପିଲାମାନେ ତ ସ୍କୁଲ ବସ୍ତାନି ବୋଝ ବୋହି ବୋହି ନୟାନ୍ତ ହୋଇ ସାରିଛନ୍ତି । ଏବେ କେଇ ଦିନ ତଳେ ନୂଆ ଘୋଷଣା ହେବା ପରେ ବସ୍ତାନି ଓଜନ ଟିକେ କମିଛି । ଯେତିକି ବୟସ ସେତିକି କିଲୋଗ୍ରାମ ଓଜନର ବସ୍ତାନି ପିଲା ବୋହି ନେଇ ଯାଉଥିଲେ । ତାଙ୍କ ମେରୁଦଣ୍ଡକୁ ମୂଳରୁ ବଙ୍କା କରି ଦିଆଯାଇଛି । ଅନେକ ପାଟିତୁଣ୍ଡ, ପ୍ରତିବାଦ ପରେ ସରକାର ଏମିତି ପଦକ୍ଷେପ ନେଲେ । କିନ୍ତୁ ଘରୋଇ ସ୍କୁଲ ଗୁଡ଼ିକ ତାହାକୁ ମାନୁଛନ୍ତି କି ତା ଉପରେ ନଜର ଦିଆଯିବା କଥା । ଘରୋଇ ବିଦ୍ୟାଳୟ ପ୍ରତି କଣ ପାଇଁ ଅହେତୁକ ଅନୁକଂପା ତାହା ବେଶ ସନ୍ଦେହରେ ରହିଛି । ବହୁ ପ୍ରତିବାଦ ପରେ ବି ସରକାର ଘରୋଇ ବିଦ୍ୟାଳୟର ଫି’ ନିର୍ଦ୍ଧାରଣ ସଂପର୍କରେ ଦୃଢ କିଛି କରୁ ନାହାନ୍ତି ।

ଏହାପରେ ସ୍କୁଲ ବିଭାଗରେ କୋଟିଏ ସମସ୍ୟା ରହିଛି । ବେତନରେ ହଜାରେ ତାରତମ୍ୟ ରହିଛି । କାହାକୁ ମେଞ୍ଚାଏ ଅଜାଡ଼ି ଦିଆଯାଉଛି । କିଏ ସାରା ଜୀବନ ଖଟି ଖଟି ପାଞ୍ଚ/ସାତ ହଜାର ଟଙ୍କାରେ ଜୀବନ ବିତେଇ ଦେଉଛି । ସେକଥା ଓ ଶିକ୍ଷକମାନଙ୍କ ସମସ୍ୟା ପ୍ରସଙ୍ଗକୁ ମୁଁ ଆଦୌ ଯାଉନି । ତାହା ଗୋଟିଏ ଲେଖାରେ କେବେ ବି ସରିବ ନାହିଁ ।

ପ୍ରସଙ୍ଗ ହେଉଛି- ପିଲାମାନଙ୍କୁ ନେଇ ସରକାର ଚଳାଇ ଥିବା ଗବେଷଣା ବନ୍ଦ କରିବା ଦରକାର । ଯୋଉଠି ଗବେଷଣା କରୁଛନ୍ତି କରନ୍ତୁ । ପିଲାଙ୍କୁ ଛାଡ଼ନ୍ତୁ । ପିଲା ଓଡ଼ିଆ ପଢିବେ ନାହିଁ । ଓଡ଼ିଆ ଜାଣିବେ ନାହିଁ । ପିଲା ଭୂଗୋଳ ଜାଣିବେ ନାହିଁ । ପିଲା ନିଜ ପାଖରେ ଥିବା ବ୍ଲକ ସଂପର୍କରେ ଦି ଧାଡ଼ି ଶୁଦ୍ଧ ଓଡ଼ିଆରେ ଲେଖି ପାରିବେ ନାହିଁ । ତେବେ ସେ କଣଟା ଜାଣିବ ଓ ପଢିବ ?

ତା’ପରେ ପିଲାଙ୍କୁ ନୀତିଶିକ୍ଷା ଦିଆଯାଉ । ତାଙ୍କୁ ଆମ ପୂର୍ବ ମହାପୁରୁଷଙ୍କ ସଂପର୍କରେ ପଢାଯାଉ । ଏବେ ଶିକ୍ଷକ ହୋଇଥିବା ଅନେକ ପିଲାଙ୍କର ସେ ସଂପର୍କରେ ଧାରଣା ନାହିଁ । କି ସେମାନେ କିଛି ବି ଜାଣନ୍ତି ନାହିଁ । ଏହା ମୋର ନିଜର ବ୍ୟକ୍ତିଗତ ଅନୁଭୂତି । ଗୋପବନ୍ଧୁ, ମଧୁ ବାବୁ, ନବ ବାବୁ, ରମା ଦେବୀ, ସରଳା ଦେବୀ, ଗୋପୀ ମହାନ୍ତି କି ସଚ୍ଚି ରାଉତରାୟଙ୍କ ବିଷୟରେ ଆଜିକାଲି ପୀଢିର ଅନେକ ଶିକ୍ଷକ ପାଞ୍ଚ ଧାଡ଼ି ବି ଭଲ କି କହି ପାରିବେ ନାହିଁ । ଯେଉଁ ଶିକ୍ଷକ ନିଜେ ସେମାନଙ୍କ ସଂପର୍କରେ ନ ଜାଣିଛି, ପିଲାଙ୍କୁ ସେ ମହାପୁରୁଷଙ୍କ ଜୀବନୀ ବିଷୟରେ କଣ ପଢାଇବେ? ଫଳରେ ଆଗାମୀ ପୀଢି ଧୀରେ ଧୀରେ ଏମାନଙ୍କୁ ଭୁଲି ଯିବେ । ସେମାନେ ଜାଣିବେ ନାହିଁ ନବ ବାବୁ ବୋଲି ଲୋକଟେ ଓଡ଼ିଶାରେ ବଂଚିଥିଲା । ଶିକ୍ଷକ ତ ତାଙ୍କୁ ଜାଣି ନାହାନ୍ତି । ପିଲା ଜାଣିବେ କୁଆଡ଼ୁ? ଫଳରେ ନବ ବାବୁ ଜଣେ ପରଦେଶୀ ଅଚିହ୍ନା ମଣିଷ ଆମ ଓଡ଼ିଶାରେ ହୋଇ ସାରିଲେଣି । ଏହାର ଅଧିକାଂଶ ଶ୍ରେୟ ଶିକ୍ଷକମାନଙ୍କୁ ସତରେ ଯାଏ । ନ ମାନିଲେ ବି ଏହା ହିଁ ସତ । ଶିକ୍ଷକମାନେ ମୋ ଉପରେ ଅଶାନ୍ତି ହୋଇ ପାରନ୍ତି । ବିରକ୍ତ ହୋଇ ପାରନ୍ତି । କିନ୍ତୁ ତାହା ହିଁ ନିର୍ମମ ବାସ୍ତବତା । ଶିକ୍ଷକମାନଙ୍କ ପାଇଁ

ଏ ସଂପର୍କରେ ସରକାର କିଛି ଚିନ୍ତା କରନ୍ତୁ (ପରେ ଆଉ ଥରେ ଶିକ୍ଷକମାନଙ୍କ ଏ ସମସ୍ୟା ବିଷୟରେ ବିସ୍ତୃତରେ ଲେଖିବି) । କିଛି କରନ୍ତୁ ।
ପିଲାଙ୍କୁ ଛାଡ଼ନ୍ତୁ ସରକାର । ଦେଢ ଘଣ୍ଟାରେ ଛନ୍ଦି ଦେଇ ସେମାନଙ୍କୁ ମୂର୍ଖ କରିବାର ପ୍ରକ୍ରିୟା ବନ୍ଦ ହେଉ । ବନ୍ଦ ହେଉ- ନିର୍ଦ୍ଧିଷ୍ଟ ବିଷୟ ଗୁରୁତ୍ୱପୂର୍ଣ୍ଣ ବୋଲି ପିଲାମାନଙ୍କୁ ମୂଳରୁ ଜଣାଇ ଦେବା ।

Comments are closed.