ସରପ୍ରାଇଜ
ସୋନାଲି ସ୍ୱାଇଁ
ସକାଳୁ ଉଠି ମୋବାଇଲ ଫୋନ ଅନଲକ କରିବା ମାତ୍ରେ ସ୍କ୍ରିନ ଉପରେ ଶୁଭ୍ରା ଦେଖିବାକୁ ପାଇଲା ଏକାଥରେ ଦଶ ବାରଟା ମେସେଜ… ତାହା ପୁଣି ଗୋଟିଏ ଅଜଣା ନମ୍ବରରୁ। ଚଟାପଟ ମେସେଜସବୁକୁ ପଢିବାକୁ ଲାଗିଲା ଶୁଭ୍ରା |
ଲେଖା ଥିଲା: ହେଲୋ ମାଡାମ… କେମତି ଅଛ? କ’ଣ ଜାଣି ପାରୁଛ ନା ନାହିଁ ? ଆଉ ଆଜିକାଲି କଣ ଗାଢ ଲିପଷ୍ଟିକ ଲଗେଇଲଣି ? କାଜଲ ବି ଗାଢ କରି ଲଗାଉଛ ଯେ?
ହଁ… ଅବଶ୍ୟ… ଖୁବ ମାନୁଛି ତୁମକୁ…
ଆଉ ସେମିତି ଜିଦଖୋର ଅଛ ନା, ସେ ପ୍ରକୃତିକୁ ବିଦାୟ ଦେଲଣି? ଆଉ ମାଡାମ, ନାକ ଉପରେ ରାଗ ରଖୁଛ କି ନାହିଁ ଯେ?
କ’ଣ ମାଡାମ… ମନେ ଥିବ ତ ନିଶ୍ଚେ, ଆଜି ହଉଚି ଅନନ୍ତ ବ୍ରତ, ମାନେ ତିଥି ଅନୁସାରେ ତୁମ ଜନ୍ମ ଦିନ ବୋଲି ? ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା ତୁମକୁ। ଠାକୁରେ ତୁମକୁ ଖୁସିରେ ରଖନ୍ତୁ। ତୁମ ଓଠରେ ସବୁବେଳେ ହସ ଖେଳୁଥାଉ…
ଜୟ ଜଗନ୍ନାଥ…
ଶୁଭ୍ରା ମେସେଜସବୁ ପଢି ଆଶ୍ଚର୍ଯ୍ୟ ହେଇଗଲା। ତିଥି ଅନୁସାରେ ଜନ୍ମଦିନ ଖୁବ କମ ଲୋକ ମନେ ରଖନ୍ତି। ଆଉ ଯେଉଁମାନେ ମନେ ରଖନ୍ତି, ସେ ସେଭଳି ଆପଣାର ଆଉ ଆତ୍ମୀୟ ହେଇଥାନ୍ତି। ମନେମନେ ଭାବୁଥିଲା ଶୁଭ୍ରା। କିଏ ଏଇ ଲୋକ ! ପୁଣି ଏକାବେଳେ ଏତେସାରା ଅନ୍ତରଙ୍ଗ ମେସେଜ… ଶବ୍ଦସଜା ଆଉ ଜନ୍ମଦିନର ଶୁଭେଚ୍ଛାରୁ ଶୁଭ୍ରା ଏତିକି ଜାଣିପାରୁଥିଲା ଯେ ମେସେଜ କରିଥିବା ଲୋକଟି ସହ ସେ ଯେମିତି ଆଗରୁ କେବେ କଥା ହେଇଚି। ଜାଣିଚି, ଚିହ୍ନିଛି ସେ ଲୋକକୁ। କିନ୍ତୁ କିଏ ସେ ଲୋକ ?
ଶୁଭ୍ରା କେବେଳ ରିପ୍ଲାଇ କଲା: କ୍ଷମା କରିବେ… ଆପଣ କିଏ ଜାଣି ପାରିଲିନି ?
ସଂଗେସଂଗେ ଉତ୍ତର ଆସିଲା ସେପଟୁ: କଣ ସତରେ ଜାଣି ପାରୁନ? ନା ଜାଣିକି ବି ନଜାଣିବାର ନାଟକ କରୁଛ ?
ଶୁଭ୍ରାର ଉତ୍ତର: ନାଟକ କାଇଁ କରିବି? ଆପଣ କମସେକମ ନାଁଟା କହିଲେ ହୁଏତ ଜାଣି ପାରିବି।
ଉତ୍ତର ଆସିଲା: ଇସ୍ରୋ ଜୁନିଅର ସାଇଣ୍ଟିଷ୍ଟ ସୀତେଶ କୁମାର ରାଉତ।
ଉତ୍ତର ଦେଖୁଦେଖୁ ଶୁଭ୍ରା ଆଖି ଆଗରେ ମୁହୂର୍ତ୍ତକ ଭିତରେ ଝଲସିଉଠିଲା ଅତୀତର ଅନେକ ଅଭୁଲା ସ୍ମୃତି।
ଅତୀତର ସ୍ମୃତିକୁ ସାଉଁଟିଲେ ଢେରସାରା ଯନ୍ତ୍ରଣା ମିଳେ, ଏକଥା ଖୁବ ଭଲ ଭାବେ ଜାଣିଥିଲା ଶୁଭ୍ରା। କେବଳ ସେଥିପାଇଁ ଦୀର୍ଘ ସାତ ବର୍ଷ ହେଲାଣି ଏକାଏକା ବାଟ ଚାଲୁଥିଲା ସେ। ତା ମାନେ ନୁହେଁ ଯେ ସେ ଅତୀତକୁ ସମ୍ପୂର୍ଣ୍ଣ ରୂପେ ଭୁଲି ସାରିଥିଲା। କେବଳ ନିଜ ଯନ୍ତ୍ରଣାର ଉପଶମ ପାଇଁ ଜାଣିଶୁଣି ସମାଧି ଦେଇଥିଲା ନିଜ ଅତୀତକୁ।
ଆଜି ଅତୀତକୁ ବୁଲି ଚାହିଁ…ସୀତେଶକୁ ମନେ ପକାଉ ପକାଉ ଆଖି ଆଗରେ ପ୍ରଥମେ ଭାସି ଆସିଲା ଗୋଟିଏ ଶବ୍ଦ ‘ଖଡୁସ’। ଖଡୁସ ବୋଲି ସୀତେଶକୁ ଡ଼ାକିବା ଠିକ। କାହିଁକିନା କଲେଜରେ ପଢ଼ୁଥିବା ବେଳେ ସ୍ନେହ, ପ୍ରେମ, ଭଲପାଇବାର ଦୁନିଆକୁ ଭୁଲି ଖଡୁସ ସୀତେଶ ନିଜକୁ ହଜାଇ ଦେଉଥିଲା ମୋଟାମୋଟା ପଦାର୍ଥ ବିଜ୍ଞାନ ବହିର ଶହଶହ ପୃଷ୍ଠା ଭିତରେ। ଦେଖିଲେ ହିଁ ଲାଗୁଥିଲା ସୀତେଶ ଯେମିତି ନିଜେ ଗୋଟେ ପଦାର୍ଥ ପାଲଟି ଯାଇଥିଲା।
ସେଇ ସମୟରେ କୋଉ ଏକ ମୋଡ଼ରେ ଦୁଇଜଣଙ୍କ ଭିତରେ ପ୍ରଥମେ ବନ୍ଧୁତ୍ୱ। ତାପରେ ପ୍ରେମ। ଶୁଭ୍ରା ଥିଲା ମନ ଖୋଲି କଥା ହଉଥିବା ଚୁଲବୁଲି ପ୍ରଜାପତି ଆଉ ସୀତେଶ ଥିଲା ବେଶୀ ଗପୁ ନଥିବା, ଖାଲି ହୁଁ ହାଁରେ ଉତ୍ତର ଦେଉଥିବା ଖଡୁସ। ହେଲେ ଖଡୁସମାନଙ୍କର ପ୍ରେମ କରିବାର ତରିକା ଟିକେ ନିଆରା। ଅସାଧାରଣ ସ୍ମୃତିଶକ୍ତି ପାଇଥିବା ଖଡୁସ ସୀତେଶ କେବେ ବି ଶୁଭ୍ରାର ଜନ୍ମଦିନକୁ ଭୁଲୁନଥିଲା ସିନା, ଶୁଭ୍ରା ଜନ୍ମଦିନର ତିଥି ବାର ନକ୍ଷତ୍ର ସବୁ ମନେ ରଖିଥିଲା ସିନା… କିନ୍ତୁ, ଶୁଭ୍ରା ତାଠାରୁ ଯାହା ଆଶା କରୁଥିଲା ସେଇଟା ସେ ଦେଇପାରୁନଥିଲା।
ସବୁ ଝିଅଙ୍କ ପରି ଶୁଭ୍ରା ବି ଚାହିଁଥିଲା ସୀତେଶ ତାକୁ ଟିକେ ସରପ୍ରାଇଜ ଦିଅନ୍ତା, ତାକୁ ନଜଣାଇ ତା ସାମ୍ନାରେ ପହଞ୍ଚି ଟିକେ ଅଲଗା ଖୁସିର ଅନୁଭବ ଦିଅନ୍ତା… ହେଲେ ସୀତେଶକୁ ସରପ୍ରାଇଜ ଶବ୍ଦର ମାନେ କ’ଣ ଜଣାନଥିଲା କି କଣ ! ସକାଳୁ ସକାଳୁ କିଛି ଶୁଖିଲା ଉଇସ ଛଡା ଶୁଭ୍ରାକୁ ଆଉ କିଛି ମିଳେନି ସୀତେଶ ପାଖରୁ। କୁହେ କଣ ନା, ସରି ଶୁଭ୍ରା, ଆଜି କଲେଜରେ ପ୍ରାକଟିକାଲ ଅଛି। ଇମ୍ପୋରଟାଣ୍ଟ କ୍ଲାସ ଅଛି। ଆଜି ଦେଖା କରିହବନି…
ମନେମନେ ଖୁବ ଦୁଃଖୀ ହେଉଥିଲା ଶୁଭ୍ରା। କେମିତିକା ଲୋକକୁ କେଜାଣି ସେ ଭଲ ପାଇଲା… ମନେମନେ ଗୁଣୁଗୁଣୁ ହୁଏ… ଏତେ ଖଡୁସ?…ସବୁବେଳେ ଖାଲି ପାଠ… ପ୍ରେମିକାର ଜନ୍ମଦିନରେ ବି ଟିକେ ସମୟ ନାହିଁ ?
ଏହି କାରଣରୁ ସୀତେଶ ଆଉ ଶୁଭ୍ରାଙ୍କ ମଧ୍ୟରେ ମନୋମାଳିନ୍ୟ ସୃଷ୍ଟି ହେଇଥିଲା। ସୀତେଶର ପାଠପଢା ଆଉ ବୈଜ୍ଞାନିକ ହେବାର ସ୍ୱପ୍ନ ଥିଲା ଶୁଭ୍ରାଠୁ ବେଶୀ ଜରୁରୀ। ସତେ ଯେମିତି ଶୁଭ୍ରା ତା ସ୍ୱପ୍ନର ସଉତୁଣୀ! ଦିନେ ଦୁଇଜଣଙ୍କ ଭିତରେ ହେଇଥିବା ମନୋମାଳିନ୍ୟ ତାଙ୍କ ବିଚ୍ଛେଦର କାରଣ ପାଲଟି ଗଲା। ପରସ୍ପରଠୁ ଦୂରେଇଗଲେ ଦୁଇଜଣଯାକ…
ହେଲେ ଆଜି ଦୀର୍ଘ ପାଞ୍ଚ ବର୍ଷ ପରେ ସୀତେଶ ନମ୍ବରରୁ ମେସେଜ… ଏଇ କଥାକୁ ସହଜ ଭାବରେ ଗ୍ରହଣ କରି ପାରୁନଥିଲା ଶୁଭ୍ରା।
ଦୀର୍ଘ ପନ୍ଦର ମିନିଟ ବିତି ଯାଇଥିଲା, ହେଲେ କୌଣସି ଉତ୍ତର ଫେରାଇ ପାରୁନଥିଲା ଶୁଭ୍ରା। ହଠାତ ଆଉ ଏକ ମେସେଜ ଆସିବା ଶବ୍ଦରେ ସେ ଅତୀତରୁ ବର୍ତ୍ତମାନକୁ ଫେରିଆସିଲା…
ଆଜି ସନ୍ଧ୍ୟାରେ ମୋତେ ଦେଖା କରିବ ତ ପ୍ଲିଜ଼… ହୋଟେଲ କେଶରୀ…ସନ୍ଧ୍ୟା ସାତଟା। ଭୁଲିବନି ଯେମିତି… ଲେଖିଥିଲା ସୀତେଶ।
ଶୁଭ୍ରା କଣ ଉତ୍ତର ଦେବ ବୁଝିପାରୁନଥିଲେ ବି କେତେବେଳେ ହଁ ବୋଲି ଟାଇପ କରି ସେଣ୍ଡ ମାରି ସାରିଥିଲା। ଆଉ ସେପଟୁ ଉତ୍ତର ଆସିଲା… ଥାଙ୍କ ଇଉ… ତା ସହିତ ଦୁଇଟି ଇମୋଜି।
ହୋଟେଲରେ ପଶୁପଶୁ ସାଜସଜ୍ଜା ଦେଖି ଆଶ୍ଚର୍ଯ୍ୟ ହେଇଗଲା ଶୁଭ୍ରା। ଏତେ ସୁନ୍ଦର ସାଜସଜ୍ଜା! ଭାବିଲା, କାହାର ବୋଧେ ଜନ୍ମଦିନ ପାଳନ ହେଉଥିବ ହୋଟେଲରେ ! ଆଗରେ ନାଲି ନେଳି ଆଲୋକରେ ଲେଖାହେଇଥିଲା Surprise to My would be Wife…। ଶୁଭ୍ରା ମନେମନେ ଭାବିଲା, ଯାହାହେଉ କିଏ ତ କାହାକୁ ସରପ୍ରାଇଜ ଦେଉଛି!
ହେଲେ ସୀତେଶର ଦେଖା ନାହିଁ ! ସନ୍ଧ୍ୟା ସାତଟା ତା କହିଥିଲା! …ମନେମନେ ଗୁଣୁଗୁଣୁ ହେଉଥିଲା ଶୁଭ୍ରା। ହଠାତ ପଛଆଡୁ କିଏ ତା ଆଖି ବୁଜିଦେବାରୁ ଶୁଭ୍ରା ଚମକି ପଡିଲା। ଆଉ ଭାବିଲା, ସୀତେଶ ଭଳି ଖଡୁସ କଣ ପଛଆଡୁ ଆଖିବୁଜି ସରପ୍ରାଇଜ ଦେଇପାରେ? ନା କେବେ ନୁହେଁ।
ତାର ଭାବନା ବି ସତ ଥିଲା। ଯେଉଁ ହାତ ଦୁଇଟି ଶୁଭ୍ରାର ଆଖି ବୁଜିଥିଲା, ସେ ହାତ ଦୁଇଟି ସୀତେଶର ନୁହେଁ ସୀତେଶର ଭଉଣୀର ଥିଲା। ଆଖି ସାମ୍ନାରେ ଖାଲି ସୀତେଶର ନୁହେଁ, ଶୁଭ୍ରାର ପରିବାର ଲୋକେ ମଧ୍ୟ ଉପସ୍ଥିତ ଥିଲେ… ଆଉ ହସିହସି କହୁଥିଲେ Many many happy returns of the day… Happy birthday to you ଶୁଭ୍ରା..
ଶୁଭ୍ରା କିଛି ବି ବୁଝି ପାରୁନଥିଲା। କ’ଣ ହେଉଛି ତା’ ଆଖି ସାମନାରେ ! ଟିକେ ଆଖି ବୁଲାଇ ଚାହିଁବାରୁ ଦେଖିଲା ଆଗରୁ ଆସୁଛି ସୀତେଶ। କଳା ଜ୍ୟାକେଟରେ ହିରୋ ଭଳି ଦିଶୁଥିଲା। ଖଡୁସର ଏଭଳି ରୂପ ଦେଖି ଶୁଭ୍ରା ଆଶ୍ଚର୍ଯ୍ୟ ହେଇଗଲା। ବେଶୀ ଆଶ୍ଚର୍ଯ୍ୟ ହେଲା ଯେତେବଳେ ନାଟକୀୟ ଢଙ୍ଗରେ ତା ସାମ୍ନାରେ ଆଣ୍ଠେଇ ପଡି ପକେଟରୁ ମୁଦି କାଢ଼ି ଛଳଛଳ ଆଖିରେ ସୀତେଶ ପଚାରିଲା Will you marry me?
ସମସ୍ତେ ଏକ ସ୍ୱରରେ ଚିଲାଉ ଥିଲେ- କେମତି ଲାଗିଲା ସରପ୍ରାଇଜରେ ଶୁଭ୍ରା…?
ଆଖି ଲୁହକୁ ପୋଛୁପୋଛୁ ଶୁଭ୍ରା ଭାବୁଥିଲା, ସୀତେଶଠାରୁ ସେ ସବୁବେଳେ ସରପ୍ରାଇଜ ଆଶା କରିଥିଲା ସତ, କିନ୍ତୁ ସେ ଖଡୁସ ଯେ ଏତେବଡ ସରପ୍ରାଇଜ ଦେବ, କେବେ ସ୍ଵପ୍ନରେ ବି ଭାବି ନଥିଲା !
……………………
ବାରିଲୋ, ବୋରିକିନା, ଜଗତସିଂହପୁର
ପିନ -754103
Comments are closed.