Latest Odisha News

BREAKING NEWS

ଲାଲ ଗ୍ରହର ଅଜବ ରହସ୍ୟ ! ହଠାତ ମଙ୍ଗଳରେ ଦେଖା ଗଲା ପୃଥିବୀ ଭଳି ଆକାଶ, ବୈଜ୍ଞାନ ତାଜୁବ

ଭୁବନେଶ୍ୱର: ପ୍ରଥମ ଦୃଷ୍ଟିରେ ଏହି ଛବିକୁ ଦେଖି ଯେ କେହି ଭାବିପାରେ ଏହା ପୃଥିବୀର କୌଣସି ସ୍ଥାନରୁ ଆକାଶର ଦୃଶ୍ୟ। କିନ୍ତୁ ବାସ୍ତାବତା ହେଉଛି, ଏହା ଲାଲ ଗ୍ରହ ମଙ୍ଗଳର ଏକ ଅବିଶ୍ୱାସନୀୟ ଦୃଶ୍ୟ। ନାସାର ପର୍ସିଭିଅରାନ୍ସ ରୋଭର ଦ୍ୱାରା ଉଠା ଯାଇଥିବା ଏହି ଆଶ୍ଚର୍ଯ୍ୟଜନକ ଛବିଗୁଡ଼ିକ ବୈଜ୍ଞାନିକ ଓ ସାଧାରଣ ଲୋକଙ୍କୁ ଏକାସାଙ୍ଗରେ ରୋମାଞ୍ଚିତ କରିଛି। ନାସାର ଜେଟ ପ୍ରୋପଲସନ ଲାବୋରେଟୋରୀ (JPL) ନିକଟରେ ଏକ ପାନୋରାମା ଛବି ପ୍ରକାଶ କରିଛି, ଯାହା ୯୬ଟି ଭିନ୍ନ ଛବିକୁ ଯୋଡ଼ି ପ୍ରସ୍ତୁତ କରାଯାଇଛି। ଏହି ଛବିଗୁଡ଼ିକ ୨୦୨୫ ମସିହା ମେ ୨୬ରେ ମଙ୍ଗଳର “ଫାଲବ୍ରିନ” ନାମକ ଅଞ୍ଚଳରୁ ନିଆଯାଇଥିଲା। ଏହି ଅଞ୍ଚଳ ମଙ୍ଗଳର ସବୁଠାରୁ ପୁରାତନ ଭୂ-ସଂରଚନାକୁ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳମାନଙ୍କ ମଧ୍ୟରୁ ଅନ୍ୟତମ। ଏହି ପାନୋରାମା ଛବି ୩୬୦ ଡିଗ୍ରୀ ଦୃଶ୍ୟ ପ୍ରଦାନ କରୁଛି, ଯେଉଁଥିରେ ରୋଭର ନିକଟରେ ଥିବା ତରଙ୍ଗାୟିତ ଏବଂ ପ୍ରାୟ ୬୫ କିଲୋମିଟର ଦୂର ପର୍ଯ୍ୟନ୍ତ ଦେଖାଯାଉଥିବା ପାହାଡ଼ଗୁଡ଼ିକ ସ୍ପଷ୍ଟ ଦୃଶ୍ୟମାନ ହୋଇଛି।

ସ୍ପଷ୍ଟ ଆକାଶ, ନୀଳ ରଙ୍ଗ ଓ ରହସ୍ୟ
ଏହି ଦିନ ମଙ୍ଗଳର ଆକାଶରେ ଧୂଳିକଣା ବହୁତ କମ୍ ଥିଲା, ଯାହା ପର୍ସିଭିଅରାନ୍ସକୁ ଏପର୍ଯ୍ୟନ୍ତ ସବୁଠାରୁ ସ୍ପଷ୍ଟ ଓ ତୀକ୍ଷ୍ଣ ଛବି ଗ୍ରହଣ କରିବାର ସୁଯୋଗ ଦେଇଥିଲା। ଏହି ପାନୋରାମା ଛବିର ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଏଥିରେ ଦେଖାଯାଉଥିବା ନୀଳ ଆକାଶ। କିନ୍ତୁ ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି ଯେ ମଙ୍ଗଳର ଆକାଶ ପୃଥିବୀ ଭଳି ନୀଳ ଦେଖାଯାଏ ନାହିଁ। ସାଧାରଣତଃ ଦିନ ସମୟରେ ମଙ୍ଗଳର ଆକାଶ ଲାଲ-ନାରଙ୍ଗୀ ରଙ୍ଗରେ ଦେଖାଯାଏ, ଯାହାର କାରଣ ହେଉଛି ତା’ର ବାୟୁମଣ୍ଡଳରେ ଥିବା ଧୂଳିକଣା। ଏହି ପାନୋରାମା ଛବିରେ ନୀଳ ରଙ୍ଗ କେବଳ ରଙ୍ଗ ପ୍ରୋସେସିଂ ଓ କଣ୍ଟ୍ରାଷ୍ଟ ବଢ଼ାଇବା ଯୋଗୁ ଦୃଶ୍ୟମାନ ହୋଇଛି। ଏରିଜୋନା ଷ୍ଟେଟ ୟୁନିଭରସିଟିର ମାଷ୍ଟକାମ-ଜେଡ ମୁଖ୍ୟ ବୈଜ୍ଞାନିକ ଜିମ ବେଲ କହିଛନ୍ତି, “ଧୂଳିମୁକ୍ତ ଆକାଶ ଆଖପାଖର ଭୂ-ସଂରଚନାର ଏକ ଅତି ସ୍ପଷ୍ଟ ଦୃଶ୍ୟ ପ୍ରଦାନ କରିଛି। ଆମେ ଅଞ୍ଚଳ ଓ ଆକାଶରେ ରଙ୍ଗର ପାର୍ଥକ୍ୟକୁ ଉଜାଗର କରିବା ପାଇଁ ରଙ୍ଗର କଣ୍ଟ୍ରାଷ୍ଟ ବଢ଼ାଇଛୁ, ଯାହା ଦୃଶ୍ୟକୁ ଆହୁରି ସ୍ପଷ୍ଟ କରିଛି।”

“ଫ୍ଲୋଟ ରକ୍”ର ରହସ୍ୟ
ଛବିଗୁଡ଼ିକରେ ଆଉ ଏକ ଆକର୍ଷଣୀୟ ବସ୍ତୁ ଦେଖାଯାଇଛି—ଏକ ବଡ଼ ପଥର, ଯାହାକୁ ବୈଜ୍ଞାନିକମାନେ “ଫ୍ଲୋଟ ରକ୍” ବୋଲି କହୁଛନ୍ତି। ଏହାର ଅର୍ଥ ଏହି ପଥର ନିଜର ବର୍ତ୍ତମାନର ସ୍ଥାନକୁ ପାଣି, ପବନ ବା ଭୂସ୍ଖଳନ ଯୋଗୁ ଆସିଛି। ଏହି ପଥର ଏକ ଅର୍ଧଚନ୍ଦ୍ରାକାର ବାଲୁକାମୟ ତରଙ୍ଗ ଉପରେ ରହିଥିବା ଦେଖାଯାଉଛି। ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ଯେ ଏହି ପଥର ସେହି ସ୍ଥାନରେ ବାଲି ତିଆରି ହେବା ପୂର୍ବରୁ ପହଞ୍ଚି ଥାଇପାରେ।

 

Comments are closed.