ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ମୁମ୍ବାଇ ଅଭିମୁଖେ ନିର୍ଦ୍ଧାରିତ ସୂଚୀ ଅନୁସାରେ ଇଣ୍ଡିଆନ୍ ଏୟାରଲାଇନ୍ସର ଏକ ବିମାନ ଉଡ଼ାଣ ଭରିଥିଲା। ଏହି ବିମାନରେ ମୋଟ ୮୩ ଜଣ ଯାତ୍ରୀ ଏବଂ କେବିନ୍ କ୍ରୁ ଉପସ୍ଥିତ ଥିଲେ। ଯାତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶ ଅଫିସ୍ କାମ କିମ୍ବା ପାରିବାରିକ କାରଣରୁ ମୁମ୍ବାଇ ଯାଉଥିଲେ। କିନ୍ତୁ କାହାକୁ ଆଦୌ ଜଣା ନଥିଲା ଯେ ଏହି ଯାତ୍ରା ସେମାନଙ୍କ ଜୀବନର ସବୁଠାରୁ ଭୟଙ୍କର ଯାତ୍ରା ହେବାକୁ ଯାଉଛି। ମୁମ୍ବାଇ ବଦଳରେ ସେମାନେ ଏକ ଶତ୍ରୁ ଦେଶର ବିମାନବନ୍ଦରରେ ଅବତରଣ କରିବେ, ଯେଉଁଠାରେ ସେମାନଙ୍କ ଜୀବନ ଉପରେ ବିପଦ ହିଁ ବିପଦ।
୧୦ ସେପ୍ଟେମ୍ବର ୧୯୭୬ରେ ଘଟିଥିବା ଏହି ଘଟଣାରେ ଇଣ୍ଡିଆନ୍ ଏୟାରଲାଇନ୍ସର ବିମାନ ଆକାଶରେ ନିଜର ସର୍ବୋଚ୍ଚ ଉଚ୍ଚତାରେ ପହଞ୍ଚି ସାରିଥିଲା। ହଠାତ୍ ଛଅ ଜଣ ଯୁବକ ନିଜ ନିଜ ଆସନରୁ ଉଠିପଡ଼ିଲେ। ସେମାନେ ଇଶାରାରେ ପରସ୍ପର ସହ କଥା ହେଲେ ଏବଂ ଅଲଗା ଅଲଗା ଦିଗରେ ଚାଲିଗଲେ। ଦୁଇ ଯୁବକ ଦ୍ରୁତ ଗତିରେ କକ୍ପିଟ୍ ଆଡ଼କୁ ଗଲେ, ଆଉ ବାକି ଚାରିଜଣ ବିମାନର ବିଭିନ୍ନ ସ୍ଥାନରେ ଛିଡ଼ା ହେଲେ। କେହି କିଛି ବୁଝିବା ଆଗରୁ ଦୁଇ ଯୁବକ କକ୍ପିଟ୍ରେ ପଶି ଯାଇଥିଲେ। କକ୍ପିଟ୍ରେ ଥିବା କ୍ୟାପଟେନ୍ ବି.ଏନ୍. ରେଡ୍ଡୀ ଓ କୋ-ପାଇଲଟ୍ ଆର୍.ଏସ୍. ଯାଦବ କିଛି କହିବା ଆଗରୁ ସେହି ଦୁଇ ଯୁବକ ପିସ୍ତଲ ଉଭୟ ପାଇଲଟଙ୍କ ମୁଣ୍ଡରେ ଲଗାଇ ଦେଇଥିଲେ।
କିଛି ସମୟ ଅପେକ୍ଷା କରିବା ପରେ ବାହାରେ ଛିଡ଼ା ଥିବା ଯୁବକମାନେ ମଧ୍ୟ ନିଜ ଅସ୍ତ୍ରଶସ୍ତ୍ର ବାହାର କରି ହାଇଜାକ୍-ହାଇଜାକ୍ ଚିତ୍କାର କରିବାକୁ ଲାଗିଲେ। ସମଗ୍ର ବିମାନରେ ଆତଙ୍କ ଖେଳିଗଲା। ବିମାନ ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିବା ପରେ ହାଇଜାକର୍ସମାନେ ପାଇଲଟଙ୍କୁ ବିମାନକୁ ଲିବିୟା ନେବାକୁ ବାଧ୍ୟ କରାଇଥିଲେ। କ୍ୟାପଟେନ୍ ରେଡ୍ଡୀ ଧୈର୍ଯ୍ୟ ରଖି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କଲେ। ସେ ହାଇଜାକର୍ସଙ୍କୁ ବୁଝାଇବାକୁ ଚେଷ୍ଟା କଲେ ଯେ ଏହି ଫ୍ଲାଇଟ୍ କେବଳ ଦିଲ୍ଲୀରୁ ମୁମ୍ବାଇ ପାଇଁ ନିର୍ଦ୍ଧାରିତ ଥିଲା ଏବଂ ଇନ୍ଧନ ମଧ୍ୟ ସେହି ଅନୁସାରେ ରହିଛି। ବିମାନ ବହୁତ ସମୟ ଧରି ଗୋଟିଏ ଦିଗରେ ଘୁରି ଚାଲିଛି, ତେଣୁ ଏବେ ମୁମ୍ବାଇ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ମଧ୍ୟ ପର୍ଯ୍ୟାପ୍ତ ଇନ୍ଧନ ବାକି ନାହିଁ।
କ୍ୟାପଟେନ୍ ରେଡ୍ଡୀ ହାଇଜାକର୍ସଙ୍କୁ ଜଣାଇଲେ ଯେ ବିମାନରେ କେବଳ ଦିଲ୍ଲୀ କିମ୍ବା ଜୟପୁର ପର୍ଯ୍ୟନ୍ତ ଉଡ଼ିବା ପାଇଁ ଇନ୍ଧନ ଅଛି। କିନ୍ତୁ ହାଇଜାକର୍ସମାନେ କୌଣସି ପରିସ୍ଥିତିରେ ବିମାନକୁ ଭାରତୀୟ ଭୂମିରେ ଅବତରଣ କରାଇବାକୁ ଚାହୁଁ ନଥିଲେ। କିଛି ସମୟ ପରସ୍ପର ମଧ୍ୟରେ ଆଲୋଚନା କରିବା ପରେ ସେମାନେ ବିମାନକୁ ପାକିସ୍ତାନ ନେବାର ନିର୍ଦ୍ଦେଶ ଦେଲେ। କ୍ୟାପଟେନ୍ ରେଡ୍ଡୀ କୌଶଳରେ ସୁଯୋଗ ବାହାର କରି ଦିଲ୍ଲୀ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ଏଟିସି)କୁ ସନ୍ଦେଶ ପଠାଇ ଜଣାଇଲେ ଯେ ବିମାନ ହାଇଜାକ୍ ହୋଇଛି ଏବଂ ଏବେ ପାକିସ୍ତାନ ଆଡ଼େ ଅଗ୍ରସର ହେଉଛି। ଏହି ସନ୍ଦେଶ ମିଳିବା ମାତ୍ରେ ଭାରତର ସୁରକ୍ଷା ବ୍ୟବସ୍ଥାରେ ହଟଚମଟ ଦେଖାଦେଇଖିଲା। ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ବୈଦେଶିକ ମନ୍ତ୍ରଣାଳୟ ତୁରନ୍ତ ସକ୍ରିୟ ହେଲେ।
କିଛି ସମୟ ପରେ ଇଣ୍ଡିଆନ୍ ଏୟାରଲାଇନ୍ସର ଏହି ବିମାନ କରାଚୀ ବିମାନବନ୍ଦରରେ ଅବତରଣ କଲା। ଅବତରଣ ପରେ ବିମାନକୁ ଏକ ନିର୍ଜନ ଅଞ୍ଚଳକୁ ନିଆଯାଇ ରଖାଗଲା। ବିମାନର ଦ୍ୱାର ତଥାପି ବନ୍ଦ ଥିଲା ଏବଂ ପାକିସ୍ତାନୀ ସେନା ଏହାକୁ ଚାରିପଟୁ ଘେରି ରହିଥିଲେ। ହାଇଜାକର୍ସମାନେ କରାଚୀରେ ଅବତରଣ ପରେ କୌଣସି ଆଲୋଚନା ଆରମ୍ଭ କରି ନଥିଲେ। ଏହି ସମୟରେ ନୂଆଦିଲ୍ଲୀରୁ ଭାରତ ସରକାର ଇସଲାମାବାଦକୁ ଏହି ଘଟଣା ନେଇ କଡ଼ା ସନ୍ଦେଶ ପଠାଇଲେ। ସନ୍ଦେଶରେ କୁହାଗଲା ଯେ ଯଦି ଜଣେ ମାତ୍ର ଭାରତୀୟ ଯାତ୍ରୀ କିମ୍ବା କ୍ରୁ ସଦସ୍ୟଙ୍କୁ କିଛି କ୍ଷତି ପହଞ୍ଚେ, ତେବେ ଏହାର ଭୟଙ୍କର ପରିଣାମ ହେବ। ଭାରତର ଚେତାବନୀର ପ୍ରଭାବ ପଡ଼ିଲା। ପାକିସ୍ତାନ ତୁରନ୍ତ ନିଜର ସୈନ୍ୟ ଅଧିକାରୀଙ୍କୁ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ ଦେଲା।
ପାକିସ୍ତାନୀ ସେନା ପ୍ରଥମେ ଅତ୍ୟନ୍ତ ନରମ ଆଭିମୁଖ୍ୟ ଗ୍ରହଣ କଲେ। ସେମାନେ ହାଇଜାକର୍ସଙ୍କୁ ଆଶ୍ୱାସନା ଦେଲେ ଯେ ସେମାନଙ୍କ ଦାବି ଉପରେ ବିଚାର କରାଯାଉଛି। ଏହା ପରେ ସେମାନେ ହାଇଜାକର୍ସଙ୍କୁ ବିରିୟାନୀ, ଜୁସ୍ ଏବଂ କୋଲ୍ଡ ଡ୍ରିଙ୍କ୍ସ ଭଳି ଖାଦ୍ୟ ଓ ପେୟ ପଠାଇବା ଆରମ୍ଭ କଲେ। ହାଇଜାକର୍ସମାନେ ଆଶ୍ୱସ୍ତ ହେଲେ ଏବଂ ଭାବିଲେ ଯେ ସବୁ କିଛି ଏବେ ସେମାନଙ୍କ ନିୟନ୍ତ୍ରଣରେ ଅଛି। କିନ୍ତୁ ବାସ୍ତବରେ, ପାକିସ୍ତାନୀ ସେନା ଏହି ଏଥିରେ ଏକ ରଣନୀତି ଲୁଚାଇ ରଖିଥିଲେ। କିଛି ସମୟ ମଧ୍ୟରେ ହାଇଜାକର୍ସଙ୍କୁ ମୁଣ୍ଡ ବୁଲାଇବା ଆରମ୍ଭ ହେଲା। ସେମାନଙ୍କ ହାତରେ ଥିବା ବନ୍ଧୁକଗୁଡ଼ିକ ଧୀରେ ଧୀରେ ତଳକୁ ଖସିବାକୁ ଲାଗିଲା। ସେମାନେ ଖୁସି ଖୁସିରେ ଖାଉଥିବା ଖାଦ୍ୟ ଓ ପେୟରେ ନିଦ୍ରା ଓ ବେହୋସ ଔଷଧ ମିଶା ଯାଇଥିଲା।
ହାଇଜାକର୍ସମାନେ ବେହୋସ ହେବା ମାତ୍ରେ ପାକିସ୍ତାନୀ କମାଣ୍ଡୋ ଇଉନିଟ୍ ବିମାନକୁ ଚାରିପଟୁ ଘେରି ନେଲେ। କିଛି ମୁହୂର୍ତ୍ତ ମଧ୍ୟରେ କମାଣ୍ଡୋମାନେ ବିମାନ ଭିତରେ ପଶି ଛଅ ଜଣ ହାଇଜାକର୍ସଙ୍କୁ ବିନା ଗୁଳିଚାଳନାରେ ନିୟନ୍ତ୍ରଣକୁ ଆଣିଲେ। ଧରାପଡ଼ିଥିବା ଆତଙ୍କବାଦୀଙ୍କ ପରିଚୟ ଏମ୍. ଅହସାନ, ସୈୟଦ ଅବଦୁଲ ହାମିଦ ଦିୱାନୀ, ଅବଦୁଲ ରସିଦ ମଲିକ, ସୈୟଦ ଏମ. ରଫିକ, ଖ୍ୱାଜା ଗୁଲାମ ଓ ଗୁଲାମ ରସୁଲ ବୋଲି ଜଣାପଡ଼ିଲା। ଅପରେସନ୍ ଶେଷ ହେବା ପରେ ପାକିସ୍ତାନ ବିମାନକୁ ସମସ୍ତ ଯାତ୍ରୀଙ୍କ ସହ ଭାରତ ପଠାଇଥିଲେ।
Comments are closed.