ନୂଆଦିଲ୍ଲୀ: ରାତିର ମହଫିଲ ଶେଷ ହେବା ପରେ ଟେବୁଲ୍ ଉପରେ ରହିଯାଇଥିବା ଅଧା ଭର୍ତ୍ତି ହୋଇଥିବା ମଦ ବୋତଲ… ସକାଳ ସୁଦ୍ଧା ତା’ର ସ୍ୱାଦ କେତେ ବଦଳି ଯାଇଥାଏ? ସେ ପୂର୍ବ ଭଳି ଜୋର୍ରେ ରହେ ନା ତା’ର ନଶା ମଧ୍ୟ କମି ଯାଏ? ଏହା ପ୍ରତ୍ୟେକ ମଦ୍ୟପାନକାରୀଙ୍କ ମନରେ କେବେ ନା କେବେ ନିଶ୍ଚୟ ଆସିଥାଏ। ସବୁଠାରୁ ରୋଚକ କଥା ଏହା ଯେ, ବୋତଲ୍ରେ ରହିଯାଇଥିବା ମଦ କେବଳ ଖୋଲା ରହିବା କାରଣରୁ ନୁହେଁ, ବରଂ ତା’ର ପାତ୍ର, ତାପମାତ୍ରା ଓ ଆଲୋକ ଦ୍ୱାରା ମଧ୍ୟ ପ୍ରଭାବିତ ହୋଇଥାଏ। ଆସଲ ସତ୍ୟ କ’ଣ? ଆସନ୍ତୁ ପୂରା କାହାଣୀ ଜାଣିବା।
ମଦର ଗୁଣବତ୍ତା କେବଳ ତା’ର ମୂଲ୍ୟ କିମ୍ବା ବ୍ରାଣ୍ଡ ଉପରେ ନିର୍ଭର କରେ ନାହିଁ, ବରଂ ତାକୁ କିପରି ଓ କେତେ ସମୟ ପର୍ଯ୍ୟନ୍ତ ଷ୍ଟୋର କରାଯାଇଛି, ସେଥିରେ ମଧ୍ୟ ନିର୍ଭର କରିଥାଏ। ଅନେକ ଲୋକ ଭାବନ୍ତି ଯେ ମଦ କେବେ ବି ଖରାପ ହୋଇନଥାଏ, କିନ୍ତୁ ଏହା ଅଧା ସତ୍ୟ ମାତ୍ର। ବାସ୍ତବରେ ମଦର ପ୍ରତ୍ୟେକ ପ୍ରକାର – ବିୟର, ୱାଇନ, ହ୍ୱିସ୍କି, ରମ, ବ୍ରାଣ୍ଡି କିମ୍ବା ଟକିଲା – ନିଜର ଅଲଗା ଶେଲ୍ଫ ଲାଇଫ୍ ଓ ଅଲଗା ରିଆକ୍ସନ ପ୍ରକ୍ରିୟା ରଖିଥାଏ। ବିଶେଷକରି ବୋତଲ୍ ଖୋଲା ହେବା ପରେ ତା’ ଭିତରେ ହେଉଥିବା ପରିବର୍ତ୍ତନ ଧୀରେ ଧୀରେ ତାକୁ ବେସ୍ୱାଦ ଓ ନିଶାହୀନ କରିଦିଏ।
ବୋତଲ୍ ଖୋଲା ହେଲା ସାଙ୍ଗେ ସାଙ୍ଗେ ମଦ ବାୟୁର ସମ୍ପର୍କରେ ଆସିଯାଏ। ଏହି ଅକ୍ସିଡେସନ୍ ପ୍ରକ୍ରିୟା ଯୋଗୁ ତା’ର ଫ୍ଲେଭର କମ୍ପାଉଣ୍ଡଗୁଡ଼ିକ ଭାଙ୍ଗିବାକୁ ଲାଗନ୍ତି। ୱାଇନ୍ରେ ଏହି ପ୍ରକ୍ରିୟା ସବୁଠାରୁ ଦ୍ରୁତ ହୋଇଥାଏ। କେବଳ କେତେକ ଘଣ୍ଟା ଭିତରେ ତା’ର ସ୍ୱାଦ ଫିକା, ଟକ୍ ଓ ବିଲକୁଲ୍ ଅଲଗା ହୋଇଯାଇଥାଏ। ହ୍ୱିସ୍କି ଓ ରମ ଭଳି ସ୍ପିରିଟ୍ସରେ ଏହି ପରିବର୍ତ୍ତନ ଧୀରେ ଧୀରେ ହୋଇଥାଏ, କିନ୍ତୁ ଦୀର୍ଘଦିନ ଧରି ଏଗୁଡ଼ିକର ଅସଲ ସ୍ୱାଦ ଦୁର୍ବଳ ହୋଇଯାଇଥାଏ।
ଖୋଲା ବୋତଲ୍ରେ ଆଲ୍କୋହଲ୍ ଧୀରେ ଧୀରେ ଉଡ଼ିଯିବାକୁ ଲାଗେ, ଫଳରେ ନିଶା କମିଯାଏ। ବିଶେଷକରି ୱାଇନ୍ ଓ ବିୟରରେ ଏହି ପ୍ରକ୍ରିୟା ଅତି ଦ୍ରୁତ ହୋଇଥାଏ, କାରଣ ଏଗୁଡ଼ିକରେ ଆଲ୍କୋହଲ୍ ପରିମାଣ କମ୍ ଥାଏ। କାଚ ବୋତଲ୍ ମଦ ପାଇଁ ସବୁଠାରୁ ନିରାପଦ ବୋଲି କୁହାଯାଏ, କିନ୍ତୁ ଯଦି ମଦକୁ ପ୍ଲାଷ୍ଟିକ୍ କିମ୍ବା ଧାତୁ ପାତ୍ରକୁ ବଦଳାଇ ଦିଆଯାଏ, ତେବେ ତା’ର ସ୍ୱାଦ ଓ ସୁଗନ୍ଧରେ ଅପ୍ରାକୃତିକ ପରିବର୍ତ୍ତନ ଆସିପାରେ।
ୱାଇନ୍ ଖୋଲା ହେବା ପରେ ମାତ୍ର ୨-୩ ଦିନ ଭିତରେ ସ୍ୱାଦ ବଦଳିବାକୁ ଲାଗେ। ରେଡ୍ ୱାଇନ୍ ଅଳ୍ପ ଅଧିକ ସମୟ ରହିଥାଏ, କିନ୍ତୁ ୱାଇଟ୍ ୱାଇନ୍ ଖୁବ୍ ଶୀଘ୍ର ଖରାପ ହୋଇଯାଏ। ଅନ୍ୟପଟେ ବିୟର ଖୋଲା ହେବାର କେତେକ ଘଣ୍ଟା ଭିତରେ ନିଜର ଗ୍ୟାସ୍ ଓ ଫ୍ଲେଭର ହରାଇ ଦେଇଥାଏ। ପରଦିନ ସୁଦ୍ଧା ଏହା ପ୍ରାୟ ବେସ୍ୱାଦ ହୋଇଯାଇଥାଏ।
ହ୍ୱିସ୍କି, ରମ, ଭୋଡ୍କା, ଜିନ୍, ଟକିଲା ଆଦିରେ ଆଲ୍କୋହଲ୍ ପରିମାଣ ଅଧିକ ଥିବାରୁ ଏଗୁଡ଼ିକ ଶୀଘ୍ର ଖରାପ ହୋଇନଥାନ୍ତି, କିନ୍ତୁ ଏଗୁଡ଼ିକର ଫ୍ଲେଭର କମ୍ପାଉଣ୍ଡଗୁଡ଼ିକ ବାୟୁ, ଆଲୋକ ଓ ତାପମାତ୍ରା ଦ୍ୱାରା ଧୀରେ ଧୀରେ ଦୁର୍ବଳ ହୋଇଥାଏ। ୧୦ରୁ୧୨ ମାସ ଭିତରେ ଏଗୁଡ଼ିକର ଟେଷ୍ଟ ହାଲୁକା ଓ ସୁଗନ୍ଧ କମିଯାଇପାରେ। ତେଣୁ ପରବର୍ତ୍ତୀ ଥର ମହଫିଲରେ ଅଧା ବୋତଲ୍ ଛାଡ଼ିବା ଆଗରୁ ଥରେ ଭାବିବେ ନିଶ୍ଚୟ!
Comments are closed.