ନୂଆଦିଲ୍ଲୀ: ତାଲିମ ସମୟରେ ଘଟିଲା ଦୁର୍ଘଟଣା । କାଲିଫର୍ନିଆରେ ଏକ F-16 ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆମେରିକା ବାୟୁସେନାର ଏଲିଟ୍ ଥଣ୍ଡରବର୍ଡସ୍ ସ୍କ୍ୱାର୍ଡର ଏକ F-16 ଲଢ଼ୁଆ ବିମାନ କାଲିଫର୍ନିଆର ଟ୍ରୋନା ବିମାନବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କେହି ଆହାତ ହୋଇନାହାନ୍ତି, ପାଇଲଟ ସଫଳତାର ସହ ନିଜ ଜୀବନ ବଞ୍ଚାଇଛନ୍ତି । ତେବେ ଏହି ବଡ଼ ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ ଚାଲିଛି। ଡେଥ୍ ଭ୍ୟାଲିର ଦକ୍ଷିଣରେ ଏକ ଦୁର୍ଗମ ମରୁଭୂମି ଅଞ୍ଚଳରେ ଏହି ଘଟଣା ଘଟିଛି।
ଯୁଦ୍ଧ ବିମାନ ଦୁର୍ଘଟଣାର ଅନେକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓଗୁଡ଼ିକରେ ଦେଖାଯାଉଛି ଯେ ବିମାନଟି ଭୂମିରେ ଖସିପଡ଼ିଛି, ପାଇଲଟ୍ ପାରାସୁଟ୍ ବ୍ୟବହାର କରି ସୁରକ୍ଷିତ ଭାବରେ ବାହାରକୁ ବାହାରିଆସିଛନ୍ତି। ଧକ୍କା ହେବା ମାତ୍ରେ ଜେଟ୍ ବିସ୍ଫୋରଣ ହୋଇଥିଲା, ଯାହା ଫଳରେ ପୂରା ଅଞ୍ଚଳ ଧୂଆଁ ହୋଇଯାଇଥିଲା । ଅଧିକାରୀମାନେ କହିଛନ୍ତି ଯେ ଦିନ ପୂର୍ବରୁ ଛଅଟି ଥଣ୍ଡରବର୍ଡସ ଜେଟ୍ ଏକ ତାଲିମ ଉଡ଼ାଣ ପାଇଁ ଉଡ଼ାଣ କରିଥିଲେ, କିନ୍ତୁ କେବଳ ପାଞ୍ଚଟି ଫେରି ଆସିଥିଲେ।