Latest Odisha News

BREAKING NEWS

୫୦ ବର୍ଷକୁ ହ୍ରାସ କରାଯାଇଛି ସରକାରୀ କର୍ମଚାରୀଙ୍କ ଅବସର ବୟସସୀମା: ଗୁଜବ ନା ସତ, ଜାଣନ୍ତୁ

ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ଅବସର ବୟସସୀମା ୬୦ ବର୍ଷରୁ ହ୍ରାସ କରି ୫୦ବର୍ଷ କରିବା ଲାଗି କେନ୍ଦ୍ର ସରକାର ଯୋଜନା କରୁଥିବା ସମ୍ପର୍କରେ କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଯାହାର ସ୍ପଷ୍ଟୀକରଣ ରଖିଛନ୍ତି ସରକାର । ପ୍ରକାଶ ପାଇଥିବା ଏହି ଖବରକୁ ସରକାରଙ୍କ ପକ୍ଷରୁ ଦୃଢ଼ ଭାବେ ଖଣ୍ଡନ କରାଯାଇଛି ।

ଅବସର ବୟସସୀମା ହ୍ରାସ କରିବା ଲାଗି କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ତଥା କୌଣସି ସରକାରୀ ସ୍ତରରେ ଏଭଳି ପ୍ରସ୍ତାବ ଉପସ୍ଥାପନ କିମ୍ବା ଆଲୋଚନା କରାଯାଇ ନାହିଁ ବୋଲି ବିଶେଷ ଜୋର ଦେଇ କହିଛନ୍ତି କେନ୍ଦ୍ର ଉତ୍ତର ପୂର୍ବାଂଚଳ ବିକାଶ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କାର୍ମିକ, ସାଧାରଣ ଅଭିଯୋଗ, ପେନସନ ପ୍ରଶାସନ, ଆଣବିକ ଶକ୍ତି ଓ ମହାକାଶ ରାଷ୍ଟ୍ର ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ ।

ଡ. ଜିତେନ୍ଦ୍ର ସିଂ କହିଛନ୍ତି ଯେ, କେତେକ ମନ୍ଦ ଉଦ୍ଦେଶ୍ୟ ସମ୍ପନ୍ନ ବ୍ୟକ୍ତିବିଶେଷ ସରକାରୀ ସୂତ୍ର କିମ୍ବା କାର୍ମିକ ଓ ତାଲିମ ବିଭାଗରୁ ସୂଚନା ପାଇଥିବା ଦର୍ଶାଇ କିଛି ଗଣମାଧ୍ୟମ ଜରିଆରେ ଏଭଳି ମିଥ୍ୟା ଓ ବିଭ୍ରାନ୍ତିକର ସୂଚନାର ପ୍ରସାର କରୁଛନ୍ତି ।

ବାରମ୍ବାର ଅଂଶୀଦାରଙ୍କ ମନରେ ସୃଷ୍ଟି ହେଉଥିବା ଦ୍ୱନ୍ଦ୍ୱକୁ ଦୂର କରିବା ଲାଗି ସରକାରଙ୍କ ପକ୍ଷରୁ ପ୍ରୟାସ କରାଯାଉଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ “ବର୍ତମାନ ଦେଶ କରୋନା ମହାମାରୀ ଜନିତ ସଙ୍କଟଜନକ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛି ।

ମହାମାରୀ ମୁକାବିଲା ନିମନ୍ତେ ସକ୍ରିୟ ପଦକ୍ଷେପ ନିମନ୍ତେ ସାରା ବିଶ୍ୱ ଆଜି ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରୁଛି । କିନ୍ତୁ କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଗଣମାଧ୍ୟମରେ ଏଭଳି ବିଭ୍ରାନ୍ତିକର ଖବର ଛାପି ସରକାରଙ୍କ ଭଲ କାମକୁ ନିନ୍ଦିତ କରିବାର ଅପଚେଷ୍ଟା କରୁଛନ୍ତି ।
ଏହାର ବିପରୀତ, କରୋନା ସଂକଟ ଆରମ୍ଭ ହେବା ପରଠାରୁ କର୍ମଚାରୀଙ୍କ ସ୍ୱାର୍ଥ ସୁରକ୍ଷା ନିମନ୍ତେ ସରକାର ଏବଂ କାର୍ମିକ ଓ ତାଲିମ ବିଭାଗ କର୍ମଚାରୀଙ୍କ ସ୍ୱାର୍ଥ ସୁରକ୍ଷା ନିମନ୍ତେ ନିରନ୍ତର ପ୍ରୟାସ କରିଆସୁଛନ୍ତି” ।

ଜିତେନ୍ଦ୍ର ସିଂ ଆହୁରି କହିଛନ୍ତି ଯେ, “ଗତ ସପ୍ତାହରେ ମଧ୍ୟ ଏକ ମିଥ୍ୟା ଖବର କେତେକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ଏଥିରେ ଅପପ୍ରଚାର କରାଯାଇଥିଲା ଯେ ସରକାର ୩୦% ପେନସନ ହ୍ରାସ କରିବା ଲାଗି ନିଷ୍ପତି ନେଇଛନ୍ତି ଏବଂ ଯେଉଁମାନଙ୍କର ବୟସ ୮୦ ବର୍ଷରୁ ଊର୍ଦ୍ଧ୍ୱ ହୋଇଯାଇଛି ସେମାନଙ୍କ ପେନସନ ବନ୍ଦ କରି ଦିଆଯିବ ।

ମାତ୍ର ଏହାର ବିପରୀତ, ୩୧ ମାର୍ଚ୍ଚ ଦିନ ଏମିତି ଜଣେ ହେଲେ ପେନସନଭୋଗୀ ନଥିବେ ଯାହାଙ୍କ ଆକାଉଂଟରେ ପେନସନ ଟଙ୍କା ଜମା ହୋଇନଥିବ । ଖାଲି ସେତିକି ନୁହେଁ, ଯେଉଁଠି ଆବଶ୍ୟକ ଡାକ କର୍ମଚାରୀମାନେ ପେନସନଭୋଗୀମାନଙ୍କୁ ସେମାନଙ୍କ ଘରେ ପେନସନ ଯୋଗାଇ ଦେଇଥିଲେ” ।

Leave A Reply

Your email address will not be published.