Latest Odisha News

ବିଶ୍ୱ ମାତୃ ଦିବସ; ମା’ ପାଇଁ ଦିନଟିଏ

ଭୁବନେଶ୍ୱର: ମା’ …ଦୁନିଆର ସବୁଠୁ ମଧୁର ଶବ୍ଦ । ଏହି ଗୋଟିଏ ଶବ୍ଦରେ ଭରି ରହିଥାଏ ସ୍ନେହ, ପ୍ରେମ, ମମତାର ଗଭୀର ସମୁଦ୍ରଟିଏ । ଯାହାର ଆକଳନ ବାସ୍ତବରେ ଅସମ୍ଭବ ।

ଅୟୁତ ବ୍ରହ୍ମାଣ୍ଡ ବିଲୀନ ହୋଇଯାଏ ଏଇ ମା’ ଶବ୍ଦର ଗଭୀରତାରେ। ମାଆର ପଣତକାନି ସବୁଠାରୁ ଶେଷ୍ଠ ଆଶ୍ରୟ ସ୍ଥଳ । ଆଉ ତା’ର କୋଳ ଠାରୁ ଆରାମଦାୟକ, ନିରାପଦ ସ୍ଥାନ ସଂସାରରେ ମଧ୍ୟ ମିଳିବ ନାହିଁ।

ଦୁନିଆର ସୃଷ୍ଟିକର୍ତ୍ତା ହେଉଛି ମାଆ । ଯିଏ ସବୁଠାରୁ ନିଜର । ତ୍ୟାଗ ଓ ତପସ୍ୟାର ପ୍ରତୀକ ମାଆ। ଏହା କେବଳ ଏକ ଡାକ ନୁହେଁ ଏଥିରେ ସୀମିତ ସାରା ବିଶ୍ୱ। ଯିଏ ନିଜର ଔରସରୁ ଜନ୍ମ କଲାପରେ ତା ଶିଶୁକୁ ହାତଧରି ବାଟ ଚଲାଇବା ଶିଖାଇଥାଏ। ସେଇ ମାଆ ଯିଏ ନିଜେ ଜଳି ମଧ୍ୟ ତାର ସନ୍ତାନକୁ ଆଲୋକ ଦେଖାଇଥାଏ। ଶାସ୍ତ୍ରରେ ମଧ୍ୟ କୁହାଯାଇଛି ” ଜନନୀଜନ୍ମଭୂମିଶ୍ଚ ସ୍ୱର୍ଗାଦପିଗରୀୟସୀ” ଅର୍ଥାତ୍ ମାଆ ଏବଂ ମାତୃଭୂମି ସ୍ୱର୍ଗଠାରୁ ବଡ। ଏ ଧରା ପୃଷ୍ଠରେ ଜୀବନକୁ ମାଆର ଭୂମିକା ଗୁରୁତ୍ୱପୂର୍ଣ୍ଣ। କେବଳ ଜନ୍ମ ନୁହେଁ, ବାତ୍ସଲ୍ୟ ମମତା , ତ୍ୟାଗ , ବଳିଦାନ ଢାଳିଦେଇଥାଏ ମାଆ।

ସୃଷ୍ଟିର ଶ୍ରଦ୍ଧା- ମା’ଠୁ ଆରମ୍ଭ, ମା’ରେ ଶେଷ । ଶାସ୍ତ୍ର ମଧ୍ୟ କହେ- ପୁତ୍ର ପଛେ କୁପୁତ୍ର ହୋଇପାରେ, ମାତା କୁମାତା ହେବା ଅସମ୍ଭବ। ଆଜି ମାତୃ ଦିବସ । ଏହି ମମତାମୟୀ ମା’ ପାଇଁ ସ୍ୱତନ୍ତ୍ର ଦିନଟିଏ । ମାତୃ ଦିବସ ଅବସରରେ ସଂସାରର ସବୁ ମାଆମାନଙ୍କୁ ଓଡିଶା ସମ୍ବାଦ ପରିବାର ପକ୍ଷରୁ କୋଟି କୋଟି ପ୍ରଣାମ।

Comments are closed.