Latest Odisha News

BREAKING NEWS

ଶ୍ରୀକ୍ଷେତ୍ର ପଞ୍ଚମହାଦେବଙ୍କ ପାରମ୍ପରିକ ନୀତିରେ ପାଳିତ ହେଲା ‘ଶୀତଳ ଷଷ୍ଠୀ’, ଗୁଆଲି ଉତ୍ସବ

ପୁରୀ: ପୁରୀରେ ପଞ୍ଚମହାଦେବଙ୍କ ପାରମ୍ପରିକ ନୀତିରେ ପାଳିତ ହୋଇଯାଇଛି ‘ଶୀତଳ ଷଷ୍ଠୀ’, ଗୁଆଲି ଉତ୍ସବ ।

“ଐହେହି ଦେବେଶ ପିନାକପାଣେ ଶଶାଙ୍କ ମୌଳି ବୃଷାଭାଧିରୂଢ ।
ଦେବାଧିଦେବେଶ ମହେଶ ନିତ୍ୟଂ ଗୃହାଣ ପୂଜା ଭଗବନ୍ ନମସ୍ତେ ।।”

ଜ୍ୟେଷ୍ଠ କୃଷ୍ଣ ପଞ୍ଚମୀରେ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ ସମେତ ସାହିମାନଙ୍କରେ ଥିବା ସମସ୍ତ ଶୈବ ପୀଠରେ ଶିବ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥାଏ ।

ଏହାର ତତ୍ପର ଦିନ ଅର୍ଥାତ ଜ୍ୟେଷ୍ଠ କୃଷ୍ଣ ଷଷ୍ଠୀ ରେ ଯାହା କି ଶୀତଳ ଷଷ୍ଠୀ ନାମରେ ପରିଚିତ ଏହି ଦିନରେ ମହାଦେବଙ୍କ ଗୁଆଲି ଯାତ୍ରା ହୋଇଥାଏ ।

ଅଧିକ ପଢନ୍ତୁ – ଦ୍ରୁତଗତିରେ ଚାଲିଛି ରଥ ନିର୍ମାଣ; ଚୂଡ଼ାନ୍ତ ପର୍ଯ୍ୟାୟରେ ରୂପକାର ସେବକଙ୍କ ଖୋଦେଇ କାର୍ଯ୍ୟ

ଏହି ଦିନ ପଞ୍ଚ ମହାଦେବଙ୍କ ସ୍ୱ ସ୍ୱ ମନ୍ଦିରରେ ପଞ୍ଚ ମହାଦେବଙ୍କ ଚଳନ୍ତି ବିଗ୍ରହ ଏବଂ ପାର୍ବତୀଙ୍କ ଚଳନ୍ତି ବିଗ୍ରହମାନ ମାଜଣା ହୋଇ ବନକ ଲାଗି ହୋଇଥାନ୍ତି । ତତ୍ପରେ ବେଶ ହୋଇ ମାଳ ଫୁଲ ଆଦି ଲାଗି ହୋଇଥାଏ । ବିଭିନ୍ନ ପୂଷ୍ପ ଅଳଙ୍କାର ରେ ସଜ୍ଜିତ ହେବା ପରେ, ପଣା ଓ ଭୋଗ ଅର୍ପଣ ହୋଇଥାଏ । ତତ୍ପରେ ଶ୍ରୀଲୋକନାଥ , ଶ୍ରୀମାର୍କଣ୍ଡେଶ୍ୱର, ଶ୍ରୀକପାଳମୋଚନ , ଶ୍ରୀନୀଳକଣ୍ଠ ନିଜ ନିଜ ପାର୍ବତୀଙ୍କ ସହ କାଷ୍ଠରେ ନିର୍ମିତ ହୋଇଥିବା ଏକ ବିଶାଳ ବୃଷଭ ଉପରେ ବିଜେ କରିଥାନ୍ତି ।

ଅଧିକ ପଢନ୍ତୁ: ଦିଅଁକୁ ଜ୍ୱର !

ଶ୍ରୀ ଜମେଶ୍ୱର ମହାଦେବ ଓ ଦେବୀ ପାର୍ବତୀଙ୍କ ସହ ଦିବ୍ୟ ବେଶ ହୋଇ ରଥାକୃତି ବିମାନରେ ବିଜେ କରିଥାନ୍ତି । ଶ୍ରୀ ଜମ୍ବେଶ୍ୱର ମହାଦେବ ଙ୍କ ଶୀତଳଷଷ୍ଠୀ ଯାତ୍ରା ଅବସରରେ ରଥ ବିମାନରେ ବାବା ଜମ୍ବେଶ୍ୱର ଓ ମା ପାର୍ବତୀ ଙ୍କ ଅପୂର୍ବ ଦୋହଳ । ପଞ୍ଚୁପାଣ୍ଡବଙ୍କ ମଧ୍ୟରୁ ଶ୍ରୀ ଜମ୍ବେଶ୍ୱର ଯୁଧିଷ୍ଠିର ଅଟନ୍ତି ।

ଅଧିକ ପଢନ୍ତୁ: ପୁରୀର ସାତ ଲହଡ଼ି ମଠ କଥା…

ଶ୍ରୀ ଜମ୍ବେଶ୍ୱର ଅଧା ବିଷ୍ଣୁ ଓ ଅଧା ଶିବ ଅର୍ଥାତ୍ ହରିହର ରୂପରେ ପୂଜିତ । ପୁରୀ ସହରର ଗୌଡ଼ବାଡ଼ ସାହିର ଶେଷ ମୁଣ୍ଡରେ ବଡ଼ଦେଉଳର ନୈଋତ ଦିଗରେ ଶ୍ରୀ ଜମ୍ବେଶ୍ୱରଙ୍କ ଦେଉଳ ଅବସ୍ଥିତ, କଥିତ ଅଛି ଯେ, ଥରେ ଯମ ଶିବଙ୍କ ସମାଧି ଭଙ୍ଗ କରିବାକୁ ଚେଷ୍ଟା କରିବାକୁ ଶିବ ତାଙ୍କ ସଙ୍ଗେ ଯୁଦ୍ଧ କରି ପରାଜିତ କରନ୍ତି । ଯମ ଉପରେ ବିଜୟ ପ୍ରାପ୍ତ କରିଥିବାରୁ ଶିବ ଯମେଶ୍ୱର ରୂପେ ପରିଚିତ । ଏହାଙ୍କ ପ୍ରଭାବରୁ ପୁରୀ କ୍ଷେତ୍ରରେ ଯମଙ୍କ ଭୟ ନ ଥାଏ ।

“ ପଶୂନାଂ ପତିଂ ପାପନାଶଂ ପରେଶଂ
ଗଜେନ୍ଦ୍ରସ୍ୟ କୃତ୍ତଂ ବସାନଂ ବରେଣ୍ୟଂ ।
ଜଟାଜୂଟମଧ୍ୟେ ସ୍ପୁରଦ୍ ଗାଙ୍ଗବାରିଂ
ମହାଦେବ ମେକଂ ସ୍ମରାମି ସ୍ମରାମି।।
“ମହେଶଂ ସୁରେଶଂ ସୁରାରାତିନାଶଂ
ବିଭୁଂ ବିଶ୍ୱନାଥଂ ବିଭୂତ୍ୟଙ୍ଗ ଭୂଷଂ ।
ପିରୁପାକ୍ଷ ମିନ୍ଦ୍ୱର୍କ ବହ୍ନି ତ୍ରିନେତ୍ରଂ
ସଦାନନ୍ଦ ମିଢେ ପ୍ରଭୁଂ ପଞ୍ଚବକ୍ତ୍ରଂ।।

ଶ୍ରୀ ଜମେଶ୍ୱର ଙ୍କୁ ବାଦ ଦେଇ ବାକି ୪ ବୃଷଭ ଆରୋହିତ ମହାଦେବଙ୍କୁ ସେବକ ମାନେ କାନ୍ଧରେ ନେଇ ସାହି ପରିକ୍ରମା କରିଥାନ୍ତି ଏବଂ ଏହି ସାହି ପରିକ୍ରମା ସମୟରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପନ୍ତି ଭୋଗ ହୋଇଥାଏ ।

ଶ୍ରୀ ଜମେଶ୍ୱର ମହାଦେବ ଆରୋହିତ ହୋଇଥିବା ରଥାକୃତି ବିମାନକୁ ସେବାୟତ ମାନେ ଏକ ସ୍ୱତନ୍ତ୍ର ପ୍ରକ୍ରିୟାରେ ଆଗ ପଛ କରି ନେଇ ଥାନ୍ତି। ଏହାକୁ “ଦୋହଲ” କୁହାଯାଏ। ଏହି ସମୟରେ ଏକ ପାରମ୍ପରିକ ଦୋହଲ ଗୀତ ମଧ୍ୟ ଗାନ କରାଯାଇଥାଏ। ଏହା ସହ ଶ୍ରୀ ଜମେଶ୍ୱର ମହାଦେବଙ୍କୁ ହରଚଣ୍ଡୀ ସାହି, ଗୌଡ଼ବାଡ଼ ସାହି, ମଣିକର୍ଣ୍ଣିକା ସାହିରେ ପନ୍ତି ଅର୍ପଣ ହୋଇଥାଏ । ତତ୍ପରେ ସମସ୍ତ ପଞ୍ଚ ମହାଦେବ ସିଂହଦ୍ୱାର ସମ୍ମୁଖରେ ଆସି ପହଞ୍ଚନ୍ତି ଏବଂ ଜଣେ ଜଣେ କରି ଶ୍ରୀମନ୍ଦିରକୁ ପ୍ରବେଶ କରି ନାଟମଣ୍ଡପ ଗରୁଡ଼ ସମ୍ମୁଖରେ ମହାପ୍ରଭୁଙ୍କ ଆଗରେ ବିଜେ କରିଥାନ୍ତି । ଶ୍ରୀ ଜମେଶ୍ୱର ମହାଦେବ ଓ ଦେବୀ ପାର୍ବତୀ ଙ୍କ ଦିବ୍ୟ ବେଶ

ତତ୍ପରେ ଜଣେ ଜଣେ ଆସି ପାଟଅଗଣାରେ ବିଜେ ହୁଅନ୍ତି । ଏଠାରେ ସେବକମାନେ ରଥ ଏବଂ ବୃଷଭ ରୁ ରୁନ୍ଧା ଫିଟାଇ ଲକ୍ଷ୍ମୀ ଙ୍କ ଜଗମୋହନକୁ ପଞ୍ଚ ମହାଦେବ ଙ୍କୁ ବିଜେ କରାଇଥାନ୍ତି। ତତ୍ପରେ ଶ୍ରୀଦୋଳଗୋବିନ୍ଦ ଆଜ୍ଞାମାଳ ପାଇ ମହାଲକ୍ଷ୍ମୀ ମନ୍ଦିରର ଜଗମୋହନଙ୍କୁ ବିଜେ କରିବା ଉତ୍ତରା ରେ ସେଠାରେ ପାଣି ପଡ଼ି ଧୋ ପଖାଳ ହୋଇଥାଏ ଏବଂ ଷୋଡଶ ଉପଚାର ଭୋଗ ଲାଗି ହୁଏ । ଏହାପରେ ଶ୍ରୀଦୋଳଗୋବିନ୍ଦଙ୍କ ସମେତ ନବଦମ୍ପତି ଙ୍କୁ ଭିତ୍ତରଛ ମହାପାତ୍ର ବନ୍ଦାପନା କରିଥାନ୍ତି ।

“ବହଳରଜସେ ବିଶ୍ବୋତ୍ପତ୍ତୈା ଭବାୟ ନମୋନମଃ ।
ପ୍ରବଳତମସେ ତତ୍ସଂହାରେ ହରାୟ ନମୋନମଃ ।
ଜନସୁଖକୃତେ ସତ୍ବୋଦ୍ରିକ୍ତୈା ମୃଡାୟ ନମୋନମଃ ।
ପ୍ରମହସିପଦେ ନିସ୍ତ୍ରୈଗୁଣ୍ୟେ ଶିବାୟ ନମୋନମଃ । “

ଆଡମ୍ବର ହେଉ ବା ନିରାଡମ୍ବର ହେଉ,ସମସ୍ତଙ୍କ ମନରେ ଭକ୍ତିଭାବର ଅଭାବ ନ ହେଉ କ୍ଷ ସେଇ ମଙ୍ଗଳମୟ ଭଗବାନ୍ ସାରା ବିଶ୍ୱର ମଙ୍ଗଳ କରନ୍ତୁ। ଓଁ ନମଃ ଶିବାୟ ।

Leave A Reply

Your email address will not be published.