(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ ନିନା ବାରିକଙ୍କ ଭକ୍ତି ଅର୍ଘ୍ୟ )
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରଧାନ ଦ୍ୱାଦଶ ଯାତ୍ରା ମଧ୍ୟରେ ଅନ୍ୟତମ ହେଉଛି ସ୍ନାନ ଯାତ୍ରା । ଯାହା ଦେବସ୍ନାନ ପୂର୍ଣ୍ଣିମା ନାମରେ ଖ୍ୟାତ ଏବଂ ପରିଚିତ । ଜ୍ୟେଷ୍ଠ ପୂର୍ଣ୍ଣିମା ଭଲି ଏକ ଦୁର୍ଲଭ ଦିନରେ ସ୍ୱୟଂ ମହାପ୍ରଭୁ ଜନ୍ମଗ୍ରହଣ କରିଥିଲେ ବୋଲି ନିଳାଦ୍ରି ମହୋଦୟ ପୁସ୍ତକରେ ଉଲ୍ଲେଖ ରହିଛି ।
ଶ୍ରୀମନ୍ଦିର ପରିସରରରେ ଅନୁଷ୍ଠିତ ହୁଏ ଏଇ ସ୍ନାନ ଉତ୍ସବ । ଏଥିପାଇଁ ସ୍ନାନମଣ୍ଡପରେ ଏକ ସୁଦୃଶ୍ୟ ଓ ସୁଉଚ୍ଚ ମଣ୍ଡପ ରହିଛି । ଯାହାର ଦୈର୍ଘ୍ୟ ଓ ପ୍ରସ୍ଥ ୭୫ ଫୁଟ । ଏହି ମଣ୍ଡପରେ ତିନି ଠାକୁରଙ୍କ ପାଇଁ ରହିଛି ତିନିଟି ସିଂହାସନ । ଏହି ସିଂହାସନକୁ ଯିବା ପାଇଁ ପୃଥକ୍ ପୃଥକ୍ ପାହାଚମାନ ରହିଛି । ସେହିପରି ମଣ୍ଡପ ଉପରକୁ ଆନନ୍ଦ ବଜାରରୁ ଯିବାକୁ ଉତ୍ତର ଏବଂ ଦକ୍ଷିଣ ଦିଗରେ ରହିଛି ପାହାଚମାନ । ବଡଦାଣ୍ଡରୁ ସ୍ପଷ୍ଟ ଦିଶେ ସ୍ନାନମଣ୍ଡପ ଏବଂ ପ୍ରଭୁଙ୍କ ସ୍ନାନଲୀଳା । ଯେଉଁ ଲୀଥାର ତତ୍ତ୍ୱ ଓ ତାତ୍ପର୍ଯ୍ୟ ଅନେକ ।
ବିଶ୍ୱାସ ରହିଛି, ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ଦଶମୀ ଠାରୁ ଭାରତ ଭୂଖଣ୍ଡର ସମସ୍ତ ତୀର୍ଥ ସମାଗତ ହୁଅନ୍ତି ଶ୍ରୀମନ୍ଦିରରେ ଥିବା ସୁନା କୂଅରେ । ସ୍ନାନ ଯାତ୍ରାରେ ଶ୍ରୀଜୀଉମାନଙ୍କ ସ୍ନାନ ପାଇଁ ସ୍ନାନଜଳ ଅଣାଯାଇଥାଏ ଶ୍ରୀମନ୍ଦିରର ଉତ୍ତରଦ୍ୱାର ନିକଟରେ ଥିବା ଶୀତଳା ମନ୍ଦିର ପାଖରେ ଥିବା ଏଇ କୂଅରୁ । ପୂର୍ଣ୍ଣିମାର ପୂର୍ବଦିନ ସୁନା ଗୋସେଇଁ ଓ ମୁଦିରସ୍ତ ସେବକ, ୧୦୮ ଗରା ବା କୁମ୍ଭରେ ଗରାବଡୁ ସେବକଙ୍କ ଦ୍ୱାରା ସେହି ପବିତ୍ର ଜଳ ଅଣାଇ ଭୋଗ ମଣ୍ଡପରେ ଅଧିବାସ କରିରଖନ୍ତି । ଘଟୁଆରୀ ସେବକ ଚନ୍ଦନ ଘୋରି, କର୍ପୁର, କେଶର ଓ ଚୁଆ, ଚନ୍ଦନ ଇତ୍ୟାଦିକୁ ଏହି ଜଳରେ ମିଶାଇ ଏହାକୁ ସୁବାସିତ କରିରଖନ୍ତି ।
ପୂର୍ଣ୍ଣିମା ପୂର୍ବଦିନ ରାତିରେ ବଡସିଂହାର ପରେ ଶ୍ରୀଜୀଉମାନଙ୍କର ପହୁଡ ନୀତି ସଂପର୍ଣ୍ଣ ହୋଇନଥାଏ । ଚତୁର୍ଦ୍ଦଶୀ ରାତିରେ କୋଠ ସୁଆଁସିଆଁ ସେବକମାନେ ଠାକୁର ବିଜେ କରିବା ପାଇଁ ଚାରମାଳ ବାନ୍ଧିଥାଆନ୍ତି । ପୂର୍ଣ୍ଣିମା ଦିନ ସକାଳୁ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରଥ ସେବକ, ତିନିଠାକୁରଙ୍କ ବାଡରେ ମଙ୍ଗଳାର୍ପଣ କରିବା ପରେ ଦଇତାପତିମାନେ ଠାକୁରଙ୍କ ଶ୍ରୀଅଙ୍ଗରେ ଡୋରି ଲାଗି କରାନ୍ତି । ଏହା ପରେ ଧାଡି ପହଣ୍ଡିରେ ସ୍ନାନବେଦୀକୁ ଆସିଥାଆନ୍ତି ଚତୁର୍ଦ୍ଧାମୂର୍ତ୍ତି ।
ପ୍ରଥମେ ଚକ୍ରରାଜ ସୁଦର୍ଶନ, ତାପରେ ବଳଭଦ୍ର, ପରେ ସୁଭଦ୍ରା ଓ ଜଗନ୍ନାଥ ଶେଷରେ ମଦନମୋହନ ବିଜେ ହୁଅନ୍ତି । ଏହି ସମୟରେ ଛାମୁଖୁଣ୍ଟିଆ ମଣିମା ସମ୍ବୋଧନରେ ଶ୍ରୀଜୀଉମାନଙ୍କୁ ସ୍ୱାଗତ କରିଥାଆନ୍ତି । ସାତପାହାଚରେ ଠାକୁରମାନେ ପିନ୍ଧନ୍ତି ଟାହିଆ । ଏହି ଟାହିଆ ଆସିଥାଏ ଦକ୍ଷିଣଦ୍ୱାର ସମ୍ମୁଖସ୍ଥ ରାଘବ ଦାସ ମଠରୁ ।
ବିଗ୍ରହମାନେ ସ୍ନାନବେଦୀ ଉପରକୁ ଆସିବା ପରେ ରୁନ୍ଧା ହୁଅନ୍ତି । ଏହାପରେ ଦୈନିକ ରୀତିନୀତି କରାଯାଇଥାଏ । ପତ୍ରିବଡୁ ଜଳଛେକ ପାଇଁ ପୂଜାପାଠ କରନ୍ତି । ପ୍ରତିହାରୀମାନେ ଜଳ ଆଣିବାକୁ ଡାକିଯାଆନ୍ତି ଅଧିବାସ ସ୍ଥାନକୁ । ଗରାବଡୁମାନେ ଏହି ଜଳ ବୋହିବା ସମୟରେ ମୁହଁରେ ତୁଣ୍ଡି ବାନ୍ଧନ୍ତି । ଏହାକୁ ବାଘମୁହାଁ କୁହାଯାଏ । ଚତୁର୍ଦ୍ଧାମୂର୍ତ୍ତିଙ୍କ ପାଇଁ ପଟୁଆରରେ ସ୍ନାନବେଦୀରେ ପହଞ୍ଚେ ଜଳଛେକ । ପୂଜାପଣ୍ଡା ତିନିଜଣ ଷୋଡଶ ଉପଚାରରେ ପୂଜା କରି ପରେ ଆରମ୍ଭ ହୁଏ ସ୍ନାନପର୍ବ ।
ଶ୍ରୀଜଗନ୍ନାଥଙ୍କୁ ୩୫ ଗରା, ଶ୍ରୀବଳଭଦ୍ରଙ୍କୁ ୩୩ଗରା, ଦେବୀ ସୁଭଦ୍ରାଙ୍କୁ ୨୨ ଗରା ଏବଂ ଚକ୍ରରାଜ ସୁଦର୍ଶନଙ୍କୁ ୧୮ଗରା ଜଳ ଲାଗି ହୁଏ ।
ପରେ ଆରମ୍ଭ ହୁଏ ଗଜାନନ ବେଶର ପ୍ରସ୍ତୁତି । ଏକ ଶୋଭାଯାତ୍ରାରେ ଆସିଥାଏ ତିନି ଠାକୁରଙ୍କ ହାତୀ ବେଶ ସରଞ୍ଜାମ । ବଡ ଠାକୁରଙ୍କ ପାଇଁ ଗୋପାଳତୀର୍ଥ ମଠ ଏବଂ ଦେବୀ ସୁଭଦ୍ରା ଓ ଜଗନ୍ନାଥଙ୍କ ପାଇଁ ରାଘବ ଦାସ ମଠରେ ପ୍ରସ୍ତୁତ ହୋଇଥାଏ ଏହି ବେଶ ।
ଠାକୁରଙ୍କର ସ୍ନାନଯାତ୍ରା ଓ ହାତୀବେଶ ପଛରେ ରହିଛି ଦିଇଟି କିମ୍ବଦନ୍ତୀ । ଗୋଟିଏ ହେଉଛି ମାଧବ ଦାସ ନାମରେ ଶ୍ରୀଜୀଉଙ୍କର ଜଣେ ପରମ ଭକ୍ତ ଜ୍ୱରରେ ପୀଡିତ ହୋଇ ବଂଚିବାର ଆଶା ହରାଇ ବସିଥିବା ବେଳେ ଚତୁର୍ଦ୍ଧମୂର୍ତ୍ତି ମଣିଷ ରୂପରେ ତାଙ୍କ ପାଖରେ ଉଭା ହଇ ସେବା କରିବାକୁ ଆଗଭର ହୋଇଥିଲେ ଏବଂ ମାଧବ ଦାସଙ୍କ ଜ୍ୱରକୁ ନିଜ ଦେହକୁ ଘେନି ନେଇଥିଲେ । ଯାହା ପ୍ରମାଣିତ କରେ ଭକ୍ତବତ୍ସଳ ମହାପ୍ରଭୁଙ୍କ ମହାନାତା । ସେହିପରି ମହାରାଷ୍ଟ୍ରର ଗଣପତି ଭଟ୍ଟ ନାମକ ଜଣେ ଗଜାନନ ଉପାସକଙ୍କ ଭକ୍ତିରେ ପ୍ରସନ୍ନ ହୋଇ ମହାପ୍ରଭୁ ଗଜାନନ ବେଶ ଧାରଣ କରିଥିଲେ ।
ସତରେ ଲୀଳାମୟଙ୍କ ଲୀଳା ଯେତିକି ମହିମାମଣ୍ଡିତ, ସେତିକି ଅପାର ତାଙ୍କର ମହିମା । ଭକ୍ତଙ୍କ ପାଇଁ ମହାପ୍ରଭୁଙ୍କ ସମସ୍ତ ଲୀଳାଖେଳା । ସେଇଥିପାଇଁ ତ ବିଶ୍ୱନିୟନ୍ତାଙ୍କ ଲୀଳାଖେଳା ମାନବୀୟ ମୂଲ୍ୟବୋଧରେ ପରିପୂର୍ଣ୍ଣ ।
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।
Comments are closed.