Latest Odisha News

ଶୁଖିଲା ପଡିଛି କେନାଲ; ଚାଷ କରିବାକୁ ହନ୍ତସନ୍ତ ହେଉଛନ୍ତି ଚାଷୀ

ଯାଜପୁର: ଶୁଖିଲା ପଡିଛି କେନାଲ । ମାଟି ଓ ପଙ୍କରେ ପୋତି ହେବାକୁ ବସିଲାଣି । କେନାଲରେ ଏବେ ଅନବନା ଗଛ ଉଠି ଜଙ୍ଗଲର ଭ୍ରମ ସୃଷ୍ଟି କଲାଣି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଜାରକା ଜଳସେଚନ ଡିଭିଜନ୍ ଅଧିନରେ ଥିବା ହାଇଲେଭଲ କେନାଲର । ଏହି କେନାଲଟି କଟକ ଜଗତପୁର ନିକଟ ମହାନଦୀର ଶାଖା ନଦୀ ବିରୂପାରୁ ବାହାରି ଧର୍ମଶାଳା ବ୍ଲକ ଜେନାପୁର ନିକଟ ବ୍ରାହ୍ମଣୀ ନଦୀ ପର୍ଯ୍ୟନ୍ତ ଲମ୍ବିଛି । କେନାଲର ପୁନରୁଦ୍ଧାର ପାଇଁ ସମ୍ପୃକ୍ତ ବିଭିଗ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଇଛି ।

ଜଳସେଚନ ବିଭାଗ ଅଧିନରେ ଥିବା ୪୩ କିଲୋମିଟର ଏହି ହାଇଲେଭଲ କେନାଲ ମଧ୍ୟରୁ ବହୁ ପୂର୍ବରୁ ୩୧ କିଲୋମିଟର ପୁନରୁଦ୍ଧାର କରାଯାଇ ଅବଶିଷ୍ଟ ୧୨କିଲୋମିଟର କେନାଲକୁ ବାଦ ଦିଆଯାଇଛି । ଏହାର ପୁନରଉଦ୍ଧାର ପାଇଁ ବିଭିନ୍ନ ପାଣି ପଂଚାୟତ ଓ ଚାଷୀମାନେ ବିଭାଗୀୟ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ହେଁ କୌଣସି ସୁଫଳ ମିଳୁନାହିଁ । ପ୍ରତିବର୍ଷ ଜଳ କର ଦେଉଥିଲେ ମଧ୍ୟ ଚାଷ ଜମିକୁ ପାଣି ପାଉନାହାଁନ୍ତି ଚାଷୀ । ଫଳରେ ସ୍ଥାନୀୟ ଅଂଚଳର ଚାଷୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ନୌବାଣିଜ୍ୟ ନିମନ୍ତେ ବ୍ରିଟିଶ ଶାସନ ସମୟରେ ଏହି କେନଲା ନିର୍ମାଣ କରାଯାଇଥିଲା । ପରବର୍ତି ସମୟରେ ରାଜ୍ୟ ସରକାର କୃଷି ଓ କୃଷକର ଉନ୍ନତି ପାଇଁ ଏହାକୁ ଜଳସେଚନ ନିମନ୍ତେ ବ୍ୟବହାର କରିଥିଲେ । ଏହି ହାଇଲେଭଲ କେନାଲରୁ ଶାଖା କେନାଲ ମାଧ୍ୟମରେ ଚାଷ ଜମିକୁ ଜଳସେଚନ କରାଯିବାର ଲକ୍ଷ୍ୟ ରଖାଯାଇଥିଲା । ଦୀର୍ଘ ବର୍ଷ ହେଲା କେନାଲ ଟିର ମରାମତି କିମ୍ବା ପୁନରୁଦ୍ଧାର କରାଯାଉ ନଥିବାରୁ ଏହା କ୍ରମଶଃ ପୋତି ହୋଇଗଲାଣି । ଏହି କେନାଲ ଉପରେ ନିର୍ଭର କରୁଥିବା ଶତାଧିକ ଚାଷୀ ନିଜ କ୍ଷେତକୁ ପାଣି ପାଇବାରୁ ବଂଚିତ ହେଉଛନ୍ତି । କେବଳ ବର୍ଷାଦିନ ଛାଡିଦେଲେ ଅନ୍ୟ ସମୟରେ ଚାଷ କାର୍ଯ୍ୟ ହୋଇପାରୁନି । ଫଳରେ ହଜାର ହଜାର ହେକ୍ଟର ଚାଷ ଜମି ପଡିଆ ପଡି ରହୁଛି । ତେବେ ଯଥାଶିଘ୍ର ଏହି କେନାଲକୁ ମରାମତି ସହ ପୁନରୁଦ୍ଧାର କରିବାକୁ ସ୍ଥାନୀୟ ଅଂଚଳର ଚାଷୀମାନେ ଦାବି କରିଛନ୍ତି । ସେପଟେ ଖୁବ୍‌ଶୀଘ୍ର ଏହି ହାଇଲେଭଲ କେନାଲର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ବିଭାଗୀୟ ନିର୍ବାହୀଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

କୃଷି ଓ କୃଷକର ସ୍ୱାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ଏହି କେନାଲର ପୁନରୁଦ୍ଧାର କରାଯାଇ ଏହାକୁ ଜଳସେଚନ ଉପଯୋଗୀ କରିବା ଆବଶ୍ୟକ ହୋଇପଡିଛି ।

Comments are closed.