Latest Odisha News

BREAKING NEWS

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳି ବାମନ ବେଶ

“ଛଳୟସି ବିକ୍ରମଣେ ବଳିମଦଭୁତବାମନ,
ପଦନଖନୀରଜନିତଜନପାବନ ।
କେଶବ ! ଧୃତ ବାମନ ରୂପ, ଜୟ ଜଗଦୀଶ ହରେ । “

ଶ୍ରୀମନ୍ଦିରରେ ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ତିଥିରେ ଭଗବାନ ବାମନଙ୍କର ଜନ୍ମୋତ୍ସବ ଓ ଶ୍ରୀଜୀଉଙ୍କ ବଳି ବାମନ ବେଶ ଅନୁଷ୍ଠିତ ହୋଇଥାଏ । ଶ୍ରୀଜଗନ୍ନାଥ ହେଉଛନ୍ତି ସ୍ୱୟଂ ମହାବିଷ୍ଣୁ । ଏହି ବିଷ୍ଣୁ ତାହାଙ୍କର ପଞ୍ଚମ ଅବତାରରେ ବାମନ ରୂପେ ଆବିର୍ଭୂତ ହୋଇଥିଲେ । ପୌରାଣିକ ଉପାଖ୍ୟାନ ଅନୁସାରେ ଏହି ଦିନ ଏକ ଶୁଭ ମୂହୁର୍ତ୍ତରେ ଭଗବାନ ବିଷ୍ଣୁ ଏକ ଦିବ୍ୟ, ଜ୍ୟୋତିର୍ମୟ ବାମନ ବାଳକ ରୂପରେ ଧରିତ୍ରୀରେ ଅବତରଣ କରିଥିଲେ । ଏଣୁ ନୃସିଂହ ଚତୁର୍ଦ୍ଦଶୀ, ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପରି ଶ୍ରୀଜଗନ୍ନାଥ ମନ୍ଦିରରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ଦିନ ବାମନ ଜନ୍ମ ମହାସମାରୋହରେ ପାଳିତ ହେବା ସଙ୍ଗେ ସଙ୍ଗେ ଏହି ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଏକ ମନୋମୁଗ୍ଧକର ବାମନ ରୂପୀ ବାଳକ ବେଶରେ ସଜ୍ଜିତ କରାଯାଇଥାଏ । ଆଜି ଦେବୀ ସୁଭଦ୍ରା ଓ ବଡ଼ଠାକୁର ବଳଭଦ୍ର ସ୍ୱର୍ଣ୍ଣ ବେଶରେ ସଜ୍ଜିତ ହୋଇଥାନ୍ତି । ବଡ଼ଠାକୁର ବଳଭଦ୍ର ଶ୍ରୀ ହସ୍ତରେ ଧନୁ ଓ ଶର ଧାରଣ କରିଥାନ୍ତି ।

ଶ୍ରୀମନ୍ଦିରରେ ବାମନଙ୍କ ଜନ୍ମୋତ୍ସବ ନୀତି ଓ ଦ୍ୱିପ୍ରହର ଧୂପ ଶେଷ ହେବା ପରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବଳି ବାମନ ବେଶ ଧାରଣ କରିଥାନ୍ତି। ଏହି ଦିନ ମହାପ୍ରଭୁଙ୍କୁ ସ୍ବର୍ଣ୍ଣ ଶ୍ରୀଭୁଜ, ଶ୍ରୀ ପୟର ଓ ସ୍ୱର୍ଣ୍ଣ କିରୀଟରେ ଆଭୂଷିତ ହୋଇଥାନ୍ତି । ମଥାରେ ଜୁଡା ଯୁକ୍ତ କେଶର ରୂପ ସୃଷ୍ଟି ପାଇଁ ଦରଜି ଦେଇଥିବା କଳା କନାର ଗୋଟିଏ ମଥା ବରଣ ବ୍ୟବହୃତ ହୁଏ । ସେହି କଳା କନାର ସମ୍ମୁଖ ପଟେ ଧଳା କନା ସିଲେଇ କିଛି ଧଳା ଗାର ସୃଷ୍ଟି ହୋଇଥାଏ । ଏହା ଭସ୍ମରେଖା ବା ତିଳକର ପ୍ରତୀକ ରୂପେ ଗୃହୀତ ହୁଏ । ଏକ କିରୀଟ ମସ୍ତକ ଉପରେ ଶୋଭା ପାଇ ଥାଏ ।

ଏହି ବେଶରେ ମହାପ୍ରଭୁଙ୍କ ଶ୍ରୀଭୁଜର ବାମ ହସ୍ତରେ ଏକ ଛତ୍ରୀ ଓ ଡାହାଣ ହସ୍ତରେ କୁଶଯୁକ୍ତ ରୂପାର ଗଡୁ ଧରାଯାଇ ଏକ ବାମନରୂପୀ ନୈଷ୍ଠିକ ବ୍ରାହ୍ମଣ ବେଶରେ ମହାପ୍ରଭୁଙ୍କୁ ଭୂଷିତ କରାଯାଇଥାଏ । ପୁଷ୍ପାଳକ ସେବକ ମହାପ୍ରଭୁଙ୍କୁ ଏହିପରି ବେଶ କରିଥାନ୍ତି ଯେପରି ଜଣାଯାଏ, ଜଗନ୍ନାଥ ମହାପ୍ରଭୁ ରତ୍ନସିଂହାସନ ଉପରେ ସ୍ୱୟଂ ଏକ ବାମନ ବା କ୍ଷୁଦ୍ରକାୟ ବିପ୍ର । ବାମନ ବେଶରେ ଶ୍ରୀଜୀଉଙ୍କୁ ଲାଗି କରାଯାଉଥିବା ସ୍ୱର୍ଣ୍ଣ ଅଳଙ୍କାର ଇତ୍ୟାଦି ବେଶ ଦିନ ପୂର୍ବରୁ ରତ୍ନଭଣ୍ଡାରରୁ କଢାଯାଇ ଭଣ୍ଡାର ମେକାପ ସେବକଙ୍କ ତତ୍ତ୍ଵବଧାନରେ ରହିଥାଏ ।

“ରଥେତ୍ୱଂ ବାମନଂ ଦୃଷ୍ଟ୍ଵା ପୁନର୍ଜନ୍ମ ନ ବିଦ୍ୟତେ “

ଶ୍ରୀଜଗନ୍ନାଥ ବାମନ ଭାବେ ପରିଚିତ । ଜଗନ୍ନାଥଙ୍କର ହସ୍ତପଦ ବିହୀନ ଅବୟବକୁ ଦର୍ଶନ କଲେ ସେ ସ୍ୱତଃ ବାମନ ଭଳି ଦେଖାଯାନ୍ତି । ବିଶେଷ କରି ରଥ ଯାତ୍ରା ସମୟରେ ତାଙ୍କୁ ବାମନ ଭାବରେ ବର୍ଣ୍ଣନା କରାଯାଇ କୁହାଯାଇଛି ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳି ବାମନ ବେଶକୁ ଦେଖି ତତ୍କାଳୀନ ଗଜପତି ଶ୍ରୀ ବୀର କିଶୋର ଦେବ ଲେଖିଥିଲେ :
” ଜଗତ ଯାହାର ଚରଣ ତଳରେ
ହାତ ପତାଇଣ ମଗାନ୍ତି ଭିକ
ଗଡୁ, ଛତା, କୁଶବଟୁ ଘେନି ହସ୍ତେ
ଭିକ୍ଷା ମାଗିବାକୁ ଯାଆନ୍ତି ଦେଖ ।”
ବଟୁକୁଶଧରି ବଟୁବେଶେ ହରି
ବଳି ବାଲିଙ୍ଗି ଭାଙ୍ଗିଲ
ବଳବନ୍ତ ବୋଲି ବଟୁକ ବ୍ରାହ୍ମଣ
ବିକ୍ରମିକି ଭଣ୍ଡାଇଲ
ବାମନ ବେଶରେ ଗଲ
ବଳିଆର ଭୂଜ ବଳିକି ଛଳରେ
ବଳେ ପାଦେ ଚାପିଦେଲ ।।

(ଲେଖକ ଜଣେ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ସ୍ତମ୍ଭକାର)

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Leave A Reply

Your email address will not be published.