Latest Odisha News

ଅସହାୟା ନାବାଳିକାଙ୍କ ସାହାରା କନ୍ଧମାଳର ବିଷ୍ଣୁପ୍ରିୟା; ବାଲ୍ୟବିବାହ ରୋକି ସଫଳ ହେଲେ

ଭୁବନେଶ୍ୱର: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଗ୍ରେସିଙ୍ଗିଆ ଗାଁର ଝିଅ ବିଷ୍ଣୁପ୍ରିୟା ପ୍ରଧାନ । ବୟସ କମ୍ କିନ୍ତୁ ସମାଜ ପ୍ରତି ବେଶ୍ ଦାୟିତ୍ୱବାନ ।

ସ୍ଥାନୀୟ ଅଂଚଳରେ ବାଲ୍ୟବିବାହ ରୋକିବା ତଥା ଲୋକଙ୍କୁ ସଚେତନ କରିବା ନେଇ ସେ ଉଦ୍ୟମ କରିଆସୁଛନ୍ତି ।
ବାଲ୍ୟବିବାହ ରୋକିବା ଦିଗରେ କାମ କରିବା ପଛରେ ବିଷ୍ଣୁପ୍ରିୟାଙ୍କ କାହାଣୀ କିଛି ଏପରି ।

ମାତ୍ର ୧୮ ବର୍ଷ ବୟସରେ ତାଙ୍କର ବିବାହ ସ୍ଥିର ହୁଏ । କିନ୍ତୁ ପାଠ ପଢି କିଛି କରିବାର ଲକ୍ଷ୍ୟରେ ଥିବା ଝିଅ ବିବାହ ପାଇଁ ରାଜି ହୁଏନି । ପରିବାର ଲୋକଙ୍କ ଜିଦ୍ ସେଇଠି ହିଁ ବିବାହ ହେବ ।

ବିଷ୍ଣୁପ୍ରିୟା ଏହାକୁ ରୋକିବା ପାଇଁ ନିଜ ସ୍ତରରେ ଉଦ୍ୟମ କରନ୍ତି । ଅଙ୍ଗନବାଡି ଓ ଆଶା କର୍ମୀଙ୍କୁ ଅନୁରୋଧ କରି ବାପା ମାଆଙ୍କୁ କମ ବୟସରେ ବିବାହ କଲେ କଣ ସବୁ ଅସୁବିଧା ସମ୍ପର୍କରେ ଅବଗତ କରାଇଥିଲେ । କିନ୍ତୁ କିଛି ଲାଭ ହେଲାନି ।

ଶେଷରେ ନିରୁପାୟ ହୋଇ ସେ ପୋଲିସର ସହାୟତାରେ ବିବାହକୁ ବନ୍ଦ କରିବାରେ ସଫଳ ହେଲେ । ବିିବାହ ସିନା ଅଟକି ଗଲା, କିନ୍ତୁ ବିଷ୍ଣୁପ୍ରିୟାଙ୍କ ପାଇଁ ସୃଷ୍ଟି ହେଲା ବହୁ ବାଧାବିଘ୍ନ । ସମାଜରୁ ବାସନ୍ଦ ହେଲେ । ଏପରିକି ବେଶ୍ କିଛି ଦିନ ପାଇଁ ତାଙ୍କୁ ଘରଠାରୁ ଦୂରରେ ରହିବାକୁ ପଡିଲା ।

ତେବେ ପରିସ୍ଥିତିରେ କିଛିଟା ସୁଧାର ଆସିବା ପରେ ସେ ଘରକୁ ଫେରିଲେ । କିନ୍ତୁ ଏସବୁ ଭିତରେ ସେ ମନକୁ ଦୃଢ କରି ନିଜର
ଆଗାମୀ ପଦକ୍ଷେପ ସ୍ଥିର କରିନେଇଥିଲେ । ବହୁ ସଂଖ୍ୟାରେ ବାଲ୍ୟବିବାହ ହେଉଥିବା ତାଙ୍କ ଅଂଚଳରେ ପରିବର୍ତନ ଆଣିବା ପାଇଁ ସେ ଅ । ଭିଡିଲେ ।

ଏ ଦିଗରେ ପ୍ରୟାସ କରି ଏ ଯାଏଁ ସେ ୧୭ରୁ ଅଧିକ ବାଲ୍ୟବିବାହକୁ ରୋକିବାରେ କରିବାରେ ସଫଳ ହୋଇଥିବା ବେଳେ ଅନେକ ବାପା ମାଆଙ୍କୁ ଏହା ନ କରିବା ପାଇଁ ସଚେତନ କରାଉଛନ୍ତି । ବିଷ୍ଣୁପ୍ରିୟାଙ୍କୁ ଏ ନେଇ ତାଲିମ ଦେଇଛି କନ୍ଧମାଳର ଅନ୍ତରଙ୍ଗ ଯୁବ ସଂଗଠନ ।

ନିଜେ ସମ୍ମୁଖୀନ ହୋଇଥିବା ପରିସ୍ଥିତିରେ କିପରି ଆଉ କେହି କମ ବୟସର ଝିଅ ନ ପଡନ୍ତି ତାହା ସୁନିଶ୍ଚିିତ କରିବା ପାଇଁ ସେ ପ୍ରତିଦିନ ସେ ଗାଁରୁ ଗାଁ ବୁଲି କମ ବସୟର ପିଲାମାନଙ୍କୁ ବିବାହ ନ କରାଇବା ପାଇଁ ପ୍ରବର୍ତାଇବା ସହ ଏହା ଯୋଗୁଁ ହେଉଥିବା ଝିଅମାନଙ୍କ ସ୍ୱାସ୍ଥ୍ୟଜନିତ ସମସ୍ୟା ସମ୍ପର୍କରେ ବୁଝାଉଛନ୍ତି ।

ଏପରିକି ୧୮ବର୍ଷରୁ କମ ବୟସରେ ବିବାହ ନ କରିବା ପାଇଁ କଣ ସବୁ ଆଇନଗତ ପ୍ରାବଧାନ ରହିଛି ସେ ସମ୍ପର୍କରେ ଲୋକଙ୍କୁ ଅବଗତ କରାଉଛନ୍ତି । ଖାଲି ଅଭିଭାବକ କି ପରିବାର ଲୋକେ ନୁହଁନ୍ତି ପିଲାମାନଙ୍କୁ ମଧ୍ୟ ଏ ନେଇ ସେ
ସଚେତନ କରିବାରେ ସେ ପ୍ରମୁଖ ଭୂମିକା ନେଇଛନ୍ତି ।

ବାଲ୍ୟବିବାହ ଭଳି ଏକ ସାମାଜିକ ସମସ୍ୟାକୁ ସମାଜରୁ ଦୂର କରିବା ଦିଗରେ ବିଷ୍ଣୁପ୍ରିୟାଙ୍କ ଉଦ୍ୟମ ପ୍ରଶଂସାଯୋଗ୍ୟ । ଏହି ନିରନ୍ତର ପ୍ରୟାସର ସ୍ୱୀକୃତି ସ୍ୱରୂପ ତାଙ୍କୁ ଚଳିତ ବର୍ଷ ‘ବିବେକାନନ୍ଦ ଯୁବ ପୁରସ୍କାର’ ମିଳିଛି ।

 

Leave A Reply

Your email address will not be published.