Latest Odisha News

ବିଜେପି ବିରୋଧରେ ଅପରେସନ୍ ଲୋଟସ୍, ଆପ ଆଣିଲା ନୂଆ ଅଭିଯୋଗ

ନୂଆଦିଲ୍ଲୀ : ତାରିଖ ଘୋଷଣା ହୋଇନି, ହେଲେ ବଦଳି ଗଲାଣି ଦିଲ୍ଲୀର ରାଜନୈତିକ ମାହୋଲ। ଖାଲି ମାହୋଲ ବଦଳିନି ବରଂ ଉଗ୍ର ହେଲାଣି ଆରୋପ-ପ୍ରତ୍ୟାରୋପ । ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀର ରାଜନୈତିକ ମୈଦାନ ହେଲାଣି ଦୁଲ୍ ଦୁଲ୍ । ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଏବଂ ସଞ୍ଜୀବନୀ ଯୋଜନାକୁ ନେଇ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ଅକଳରେ ଫସିଥିବା ଆମ୍ ଆଦମୀ ପାର୍ଟି, ଏବେ ବିଜେପି ବିରୋଧରେ ଆଣିଛି ଅପରେସନ୍ ଲୋଟସ୍ ଅଭିଯୋଗ । ଆଉ ବିଜେପି ବି ଦେଇଛି ମୁହଁତୋଡ଼ ଜବାବ ।

ଏବେ ବଡ଼ କଥା ହେଉଛି କ’ଣ ଦିଲ୍ଲୀରେ ଚାଲିଛି କି ଭୟଙ୍କର ଖେଳ ? ଭୋଟର ତାଲିକାକୁ ନେଇ ବିଜେପି ଓ ଆପ୍ ମଧ୍ୟରେ ଟଣା-ଓଟରା ଜାରି ରହିଥିବା ବେଳେ କେଜ୍ରିୱାଲ କରିଛନ୍ତି ବଡ଼ ଖୁଲାସା । ଯେନତେନ ପ୍ରକାରେ ବିଜେପି ଦିଲ୍ଲୀ ନିର୍ବାଚନ ଜିତିବାକୁ ଚେଷ୍ଟା କରୁଛି । ହରିୟାଣା ଓ ମହାରାଷ୍ଟ୍ର କଥା ଉଠାଇ ବିଜେପିକୁ ଟାର୍ଗେଟ୍ କରିଛନ୍ତି କେଜ୍ରିୱାଲ । ବିଜେପି କିନ୍ତୁ କହୁଛି ଆମ୍ ଆଦମୀ ପାର୍ଟି ହିଁ ଦିଲ୍ଲୀରେ ଅବୈଧ ଭୋଟରଙ୍କ ସଂଖ୍ୟା ବଢ଼ାଉଛି । ପ୍ରତିଥର ନିର୍ବାଚନ ପୂର୍ବରୁ ଏଭଳି କରାଯାଉଥିବା କହିଛନ୍ତି ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବା ।

ଭୋଟର ତାଲିକାକୁ ନେଇ ଆପ୍ ଓ ବିଜେପି ମଧ୍ୟରେ ଲଢ଼େଇ ତୀବ୍ର ହେଲାଣି । ବିଜେପି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଥିବା ବେଳେ ଆମ୍ ଆଦମୀ ପାର୍ଟ ମଧ୍ୟ ନୂଆଦିଲ୍ଲୀ ଜିଲ୍ଲାର ନିର୍ବାଚନ ଅଧିକାରୀଙ୍କୁ ପତ୍ର ଲେଖିଛି । ସେପଟେ କଂଗ୍ରେସ ମଧ୍ୟ ଅନେକ ପ୍ରସଙ୍ଗରେ ଆପକୁ ପୂରା ଦମ ଲଗାଇ ଘେରୁଛି । ଯାହା ଆପ ଅଧିକ ଅଡୁଆରେ ପକାଉଛି ।

Comments are closed.