ନୂଆଦିଲ୍ଲୀ : ଇଣ୍ଡିଆ ମେଣ୍ଟର ଦୁଇ ସଦସ୍ୟ ଦଳ- ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ମୁହାଁମୁହିଁ । ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଭୟଙ୍କର ଭାବେ ମୁହାଁମୁହିଁ ହୋଇଛନ୍ତି ଦୁଇ ଦଳ । କେଜ୍ରିୱାଲଙ୍କୁ ଘେରିବା ପରେ ଉପରାଜ୍ୟପାଳଙ୍କୁ ଭେଟି ମହିଳା ସମ୍ମାନ ଯୋଜନା ବିରୋଧରେ ଫେରାଦ ହୋଇଛି କଂଗ୍ରେସ । ସେପଟେ ଇଣ୍ଡିଆ ମେଣ୍ଟରୁ କଂଗ୍ରେସକୁ ବିଦା କରିବାକୁ ଆପ୍, ଅନ୍ୟ ସଦସ୍ୟ ଦଳଙ୍କୁ ଅନୁରୋଧ କରିବ ବୋଲି କହିଛି । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଇଣ୍ଡିଆ ମେଣ୍ଟର ଦୁଇ ସଦସ୍ୟ ଆପ୍ ଓ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଯାଇଛି ଖୋଲା ଯୁଦ୍ଧ । ବୁଧବାର ସାମ୍ବାଦିକ ସମ୍ମିଳନୀ କରି ଆମ୍ ଆଦମୀ ପାର୍ଟି ଓ ଏହାର ପ୍ରତିଷ୍ଠାତା ଅରବିନ୍ଦ କେଜ୍ରିୱାଲଙ୍କୁ ଘେରିଥିଲେ କଂଗ୍ରେସ ନେତା ଅଜୟ ମାକନ୍ । ୨୦୧୩ରେ କଂଗ୍ରେସ, ଆପ୍କୁ କରିଥିବା ସମର୍ଥନ ଭୁଲ ନିଷ୍ପତ୍ତି ବୋଲି ସେ କହିବା ସହ ଧାରା ୩୭୦ ଉଚ୍ଛେଦ, ୟୁନିଫର୍ମ ସିଭିଲ୍ କୋଡ୍ ଏବଂ ସମାନ ନାଗରିକତା ପ୍ରସଙ୍ଗରେ କେନ୍ଦ୍ରର ବିଜେପି ସରକାରକୁ ସମର୍ଥନ କରିଥିଲା ଆପ୍ । ଯାହାକୁ ନେଇ କେଜ୍ରିୱାଲଙ୍କୁ ଅଜୟ ମାକନ୍ ଦେଶ ବିରୋଧୀ ଅଭିହିତ କରିଥିଲେ । ଯେଉଁଥି ପାଇଁ କଂଗ୍ରେସ ବିରୋଧରେ ଗର୍ଜିଛି ଆପ୍ ।
ଇଣ୍ଡିଆ ମେଣ୍ଟରେ ଥିବା ଏହି ଦୁଇ ଦଳ ଗତ ଲୋକସଭା ନିର୍ବାଚନ ସାଥୀ ହୋଇ ଲଢ଼ିଥିଲେ । କଂଗ୍ରେସ ୪ଟି ଓ ଆପ୍ ୩ଟି ଆସନ ଲଢ଼ିଥିଲେ । କିନ୍ତୁ ୭ଟି ଯାକ ବିଜେପି ଖାତାକୁ ଗଲା । ନିକଟରେ ଶେଷ ହୋଇଥିବା ହରିୟାଣା ବିଧାନସଭା ନିର୍ବାଚନରେ ମଧ୍ୟ ଦୁଇ ଦଳ ମଧ୍ୟରେ ଆସନ ବୁଝାମଣା ହୋଇପାରି ନଥିଲା । ଆଉ ଏବେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସମସ୍ତ ୬୭ ଆସନରେ ପ୍ରାର୍ଥୀ ଛିଡ଼ା କରାଇଛି ଆପ୍ । କଂଗ୍ରେସ ମଧ୍ୟ ପାଖାପାଖି ୬୦ ପ୍ରତିଶତ ଆସନରେ ପ୍ରାର୍ଥୀ ଦେଇ ସାରିଲାଣି । କେଜ୍ରିୱାଲଙ୍କ ବିରୋଧରେ ସନ୍ଦୀପ ଦୀକ୍ଷିତଙ୍କୁ ପ୍ରାର୍ଥୀ କରିଛି । ଯାହା ସ୍ପଷ୍ଟ କରି ଦେଉଛି ଆପ୍ ଓ କଂଗ୍ରେସ ମଧ୍ୟରେ କଳି-କଜିଆର କାରଣ । ଏଭଳି ସ୍ଥିତିରେ କେଜ୍ରିୱାଲଙ୍କ ପେଟ୍ ସ୍କିମ୍ ମହିଲା ସମ୍ମାନ ଯୋଜନାକୁ ନେଇ ଉପରାଜ୍ୟପାଳ ଭି. କେ. ସକ୍ସେନାଙ୍କ ନିକଟରେ ଫେରାଦ ହୋଇଛି କଂଗ୍ରେସ ।
ସୂଚନା ଥାଉକି, ଜେଡିୟୁ ମୁଖ୍ୟ ନୀତୀଶ କୁମାରଙ୍କ ଉଦ୍ୟମରେ ଇଣ୍ଡିଆ ମେଣ୍ଟର ପ୍ରଥମ ବୈଠକ ପାଟନାରେ ବସିଥିଲା । ବୈଠକରେ କଂଗ୍ରେସ ଟିକେ ବିଳମ୍ବରେ ପହଞ୍ଚିଥିଲା । ଆଉ କଂଗ୍ରେସ ପହଞ୍ଚିବା ପରେ ବୈଠକ ଆରମ୍ଭ ପୂର୍ବରୁ ପାଟନା ଛାଡ଼ିଥିଲେ କେଜ୍ରିୱାଲ୍ । ଗୋଟିଏ ମେଣ୍ଟରେ ଦୁଇ ଦଳ ରହିଥିଲେ ବି ଏମାନଙ୍କ ଭିତରେ ଠିକଠାକ ନଥିବା ସମସ୍ତେ ଜାଣନ୍ତି । କଂଗ୍ରେସ ବିରୋଧରେ ଦୁର୍ନୀତିର ଅଭିଯୋଗ ଆଣି ବିଜେପି ପ୍ରାୟୋଜିତ ଆନ୍ନା ହଜାରେ ଆନ୍ଦୋଳନରୁ ଆମ୍ ଆଦମୀ ପାର୍ଟିର ସୃଷ୍ଟି । କଂଗ୍ରେସ ଭୋଟରେ ହିଁ ଆପ୍, ଦିଲ୍ଲୀରେ ହୋଇଛି ବଳୀୟାନ । ଆଉ ଏବେ ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ଦୁଇ ଦଳ ହୋଇଛନ୍ତି ମୁହାଁମୁହିଁ ।