Latest Odisha News

ଭୁଲରେ ପାଇଲଟ ପଠାଇ ଦେଲେ ହାଇଜାକ ସିଙ୍ଗନାଲ, ତଦନ୍ତ ଆରମ୍ଭ କରିଦେଲେ ସୁରକ୍ଷାକର୍ମୀ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନ ହାଇଜାକ ହୋଇଯାଇଛି ବୋଲି ବିମାନରୁ ଆସିଲା ସିଙ୍ଗନାଲ । ଆଉ ଏହାପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସୁରକ୍ଷାକର୍ମୀ। ଏମିତିକି ସୁରକ୍ଷାକର୍ମୀ ଏହି ସିଙ୍ଗନାଲ ପାଇବାପରେ ତୁରନ୍ତ ତଦନ୍ତ ଆରମ୍ଭ କରିଦେଇଥିଲେ । ରାଜଧାନୀ ଦିଲ୍ଲୀରୁ ମୁମ୍ୱାଇ ଯାଉଥିବା ଏୟାର ବିମାନରୁ ଆସିଥିଲା ଏପରି ସିଙ୍ଗନାଲ । ଘଟିଣାଟି ଜନୁଆରୀ ୨୭ରେ ଘଟିଥିଲା । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏନେଇ ଏୟାର ଇଣ୍ଡିଆ କୌଣସି ସ୍ପଷ୍ଟି କରଣ ଦେଇନାହିଁ ।

ସୂତ୍ରରୁ ଜଣାପଡ଼ିଛି ଯେ ହାଇଜାକ ଆଲର୍ଟ ପଠାଇବା ପରେ ତୁରନ୍ତ ସୁରକ୍ଷା ପ୍ରୋଟୋକଲ ଲାଗୁ କରାଯାଇଥିଲା। ଏହା ପରେ ବିମାନଟି ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିବା ପରେ ଯାତ୍ରୀଙ୍କୁ ନିରାପଦ ସ୍ଥାନକୁ ନିଆଯାଇଥିଲା । ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ବିମାନ AI 2957 ସ୍କ୍ୱାକ୍ କୋଡ୍ ‘୭୫୦୦’ ସହିତ ଏକ ସଙ୍କେତ କଣ୍ଟ୍ରୋଲ ରୁମକୁ ପଠାଇଥିଲା । ଏହି କୋଡ୍ ଅପହରଣ ନେଇ ସତର୍କ କରିବା ପାଇଁ ବ୍ୟବହୃତ ହୁଏ । ସ୍କ୍ୱାକ୍ କୋଡ୍ ପ୍ରାୟ ତିନି ମିନିଟ୍ ପାଇଁ ଦବାଯାାଇଥିଲା। କୋଡ୍ ଜାରି ହେବା ପରେ ପାଇଲଟ୍ ଇନ୍ କମାଣ୍ଡ (PIC) ସଂପୃକ୍ତ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର୍ (ଏଟିସି) କୁ ସୂଚନା ଦେଇଥିଲେ । ହେଲେ ପରେ ଜଣା ପଡ଼ିଥିଲା ଯେ ଏହା ଅଜାଣତରେ ଏହି କୋଡ୍ ଦବାଯାଇଥିଲା।

ଏହି କୋଡ ଏକ ଜରୁରୀକାଳୀନ ସଂକେତ ହୋଇଥିବାରୁ ତୁରନ୍ତ ସୁରକ୍ଷା ପ୍ରୋଟୋକଲ ଆରମ୍ଭ କରାଯାଇଥିଲା। ତେବେ ଏହି ଜରୁରୀକାଳୀନ ସଙ୍କେତ ଥିବା ବଟମକୁ କୌଣସି ପାଇଲଟ ଦବାଇ ନଥାଇପାରନ୍ତି ବୋଲି କୁହାଯାଉଛି । ଏହା କୌଣସି ବୈଷୟିକ ତ୍ରୁଟି ହୋଇପାରେ । ତେବେ ଏନେଇ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି ବୋଲି ଏୟାରଲାଇନ୍ସ ସୁତ୍ରରୁ ଜଣାପଡ଼ିଛି ।

Comments are closed.