ନୂଆଦିଲ୍ଲୀ : ଦିଲ୍ଲୀରେ ନିର୍ବାଚନ ବିଗୁଲ ବାଜି ସାରିଛି। ଏବେ ଆହୁରି ଜୋରଦାର ହେଉଛି ନିର୍ବାଚନ ପ୍ରଚାର। କଂଗ୍ରେସ ସମେତ ଆପ ଓ ବିଜେପି ନିଜ ନିଜର ରଣନୀତି ନେଇ ମୈଦାନକୁ ଓହ୍ଲାଇଛନ୍ତି। ହେଲେ ଏହାରି ଭିତରେ ଦିଲ୍ଲୀ ରାଜନୀତିକୁ ରୋଚକ କରାଉଛି ଇଣ୍ଡାଆ ମେଣ୍ଟରେ ଥିବା ନେତାଙ୍କ ବୟାନ। ଇଣ୍ଡିଆ ମେଣ୍ଟରେ କଂଗ୍ରେସ ଓ ଆପ ରହିଥିଲେ ମଧ୍ୟ ଏହି ଦୁଇ ଦଳ ଏବେ ଅଲଗା ହୋଇ ନିର୍ବାଚନ ଲଢୁଛନ୍ତି। ଇଣ୍ଡିଆ ମେଣ୍ଟରେ ରହିଥିବା ଅନ୍ୟ ଦଳଗୁଡ଼ିକ କଂଗ୍ରେସର ହାତ ଛାଡୁଥିବା ଦେଖିବାକୁ ମିଳିଛି। ସମାଜବାଦୀ ପାର୍ଟି ଓ ଟିଏମସି ଆପକୁ ଖୋଲାଖୋଲି ସମର୍ଥନ ଜଣାଇଛନ୍ତି। ଏମିତିକି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ସିଂହ ଯାଦବ ଆପ୍ ପାଇଁ ନିର୍ବାଚନ ପ୍ରଚାର କରୁଥିବାର ମଧ୍ୟ ଦେଖିବାକୁ ମିଳିଛି। ସେ କହିଛନ୍ତି ଦିଲ୍ଲୀରେ ଯଦି ବିଜେପିକୁ କେହି ହରାଇ ପାରିବ ସେ ହେଉଛି ଆପ। କଂଗ୍ରେସ ଏବେ ବିଜେପିକୁ ହରାଇବା ସ୍ଥିତିରେ ନାହିଁ। ଆଗକୁ ଆହୁରି ଆପ ପାଇଁ ନିର୍ବାଚନ ପ୍ରଚାର କରିବି ବୋଲି ଅଖିଳେଶ କହିଛନ୍ତି।
ଅନ୍ୟପଟେ ମମତାଙ୍କ ଦଳର ନେତା କୁର୍ଣ୍ଣାଲ ଘୋଷ ମଧ୍ୟ ଆପକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଆମେ ଚାହୁଁଛୁ ଆପ ପୁଣି ଥରେ ଦିଲ୍ଲୀରେ ସରକାର କରୁ। ଏଠାରେ ବିଜେପିକୁ ହରାଇବା ପାଇଁ ଆମ ଆଦମୀ ପାର୍ଟିକୁ ମଜବୁତ ହେବାକୁ ପଡ଼ିବ। ଆମେ ଚାହୁଁଛୁ ଦିଲ୍ଲୀରେ ପୁଣି ଥରେ କେଜ୍ରିୱାଲଙ୍କ ଦଳ କ୍ଷମତାକୁ ଆସୁ। ଏହାପୂର୍ବରୁ ପିଶ୍ଚମବଙ୍ଗରେ ମଧ୍ୟ ବିଜେପି ଓ ଟିମଏମସି ଭିତରେ ବୁଝାମଣା ହୋଇପାରି ନଥିଲା। ଫଳରେ ଲୋକସଭା ନିର୍ବାଚନରେ ଏହି ଦୁଇ ଦଳ ଅଲଗା ହୋଇ ନିର୍ବାଚନ ଲଢ଼ିଥିଲେ। ରାଜ୍ୟ କଂଗ୍ରେସର ବଡ଼ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ଟିଏମସିର ନେତା ହିଁ ହରାଇଥିଲେ।
ଏବେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଟିଏମସି ଆପକୁ ସମର୍ଥ କରିଛି। ଫଳରେ ଇଣ୍ଡିଆ ମେଣ୍ଟରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି। କେବଳ ଟିଏମସି ନୁହେଁ ମହାରାଷ୍ଟ ବିଧାନସଭା ନିର୍ବାଚନରେ କଂଗ୍ରେସ ସହ ଏକାଠି ନିର୍ବାଚନ ଲଢ଼ିଥିବା ଉଦ୍ଧବ ଗୋଷ୍ଠୀ ଶିବ ସେନା ମଧ୍ୟ ଆପକୁ ସମର୍ଥନ ଜଣାଇଛି। ଶିବ ସେନା ନେତା ସଞ୍ଜୟ ରାଉତ କହିଛନ୍ତି, ଦିଲ୍ଲୀରେ ଆପ ଓ କଂଗ୍ରେସ ଏକାଠି ନିର୍ବାଚନ ଲଢ଼ିବା ଆବଶ୍ୟକ ରହିଛି। କଂଗ୍ରେସ ଆପ ସହ ଫାଇଟ ନକରି ସିଧା ବିଜେପି ସହ ଫାଇଟ କରୁ ବୋଲି ସଞ୍ଜୟ ରାଉତ କହଛନ୍ତି। ସେ ଆହୁରି କହିଛନ୍ତି ଯେ ନିଜ ନିଜ ଭିତରେ ଏମିତି ହେଲେ କିଛି ଲାଭ ହେବ ନାହିଁ ଆମର ଅସଲ ଲଢେ଼ଇ ଉଉଛି ବିଜେପି ସହ।
ସୂଚନାଥାଉକି, ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ଫେବୃଆରୀ ୫ରେ ଏକା ଥରକେ ସରିବ ସମସ୍ତ ୭୦ ବିଧାନସଭା ଆସନରେ ଭୋଟିଂ । ସେହିପରି ୮ ତାରିଖରେ ଗଣତି ସହ ସ୍ପଷ୍ଟ ହୋଇଯିବ, ଆଗାମୀ ୫ ବର୍ଷ ପାଇଁ ଦିଲ୍ଲୀ କାହାର ହେବ । ଆସନ୍ତା ଜାନୁଆରୀ ୧୦ ତାରିଖରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ୧୭ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ହୋଇଥିବା ବେଳେ ୧୮ ତାରିଖରେ ହେବ ପ୍ରାର୍ଥିପତ୍ର ଯାଞ୍ଚ । ୨୦ ତାରିଖ ରହିଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ।