ଜୁବିନ ପାଇଁ
ଏଥର ପୁରା ଲେଖିଲି
ମିଡ଼ିଆ କହୁଚି ସିଙ୍ଗାପୁରରେ ଆସାମ ର ରସକୁମାରଙ୍କ ରହସ୍ୟମୟ ମୃତ୍ୟୁ |
ଆଉ କିଏ କହୁଚି ଆଜି ତାରକା ମେଳରେ ଯୁବଭାବର ତାରକା ଜୁବିନ ଗାର୍ଗ |
ସେ କହିଥିଲେ ମୁଁ ଗଲାପରେ କାନ୍ଦିବ ନାହିଁ, ମୋ ଗୀତ ଗାଇ ଗାଇ ମୋତେ ବିଦାୟ ଦେବ |
ମୋର ଗାନ ରେ ମୋର ମନର ପ୍ରେମ, ମୋର ଗାନରେ ମୋର ଜୀବନ | ସନ୍ଧ୍ୟା ତାରା ସମୂହରେ ଖୋଜିଲେ ପାଇବ, ଗାଁ ପାଖ ପାହାଡ଼ରେ ପାଇବ, ଲୋହିତର ଧାରାରେ ପାଇବ, ଏଇ ଦେଶର ପାଣିରେ ପାଇବ, ପବନରେ ପାଇବ, କୋଉଠି ନହେଲେ ତମ ବୁକୁର ସ୍ପନ୍ଦନ ଭିତରେ ରେ ପାଇବ | ଏ ଦେଶର ମାଟିର କଣ ଅନୁକଣରେ ମୋତେ ପାଇବ | ତୁମରି ସାଙ୍ଗରେ ମୁଁ | ଅରୂପ ର ଅନନ୍ତର ହେଲେବି ତୁମରି ସାଙ୍ଗରେ ମୁଁ |
ଜୁବିନଙ୍କୁ ଖୋଜିବା ସହଜ | ଜୁବିନ ମାନେ ଜୀବନର ତେଜ | ଜୀବନର ସଂଙ୍ଗୀତ ଯେଉଁଠି ଜୁବିନ ସେଇଠି | ମଣିଷର ଅନ୍ତରଙ୍ଗ ସ୍ନେହରେ, ଲୁହରେ, କୋହରେ, ଅନ୍ତହୀନ ଦରଦର ଧାଡିରେ ଚିରସ୍ନେହୀ ଗଣଶିଳ୍ପୀ ଜୀବନ ଆଉ ଆଲୋକର ଉତ୍ତେଜନା ହିଁ ଜୁବିନ | ଜୁବିନ ମାନେ ତ ଜୀବନର ଆଦ୍ୟ ମଧ୍ୟ ଓ ଅନ୍ତିମ ପର୍ବର ମୂର୍ଚ୍ଛନା | ଜୀବନର ଆଦ୍ୟ ଓ ଅନ୍ତିମ ଗାନ |
ଜଣେ ଶିଳ୍ପୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ଆଜି ଗୌହାଟି ସହିତ ଯୁଆଡେ ଦେଖ (ଆସାମ ର ରାଜରାସ୍ତା, ଗାଁ ଗଣ୍ଡା, ଗଳି କନ୍ଦି ରେ) ଲକ୍ଷ ଲକ୍ଷ ଲୋକଙ୍କ ଜୁଆର ମାଡ଼ିଯାଉଚି | ଆଖିରେ ଲୁହ, ମନରେ ବିଭିନ୍ନ ପ୍ରଶ୍ନବାଚୀ, ଆଉ ଅନେକ ଅକୁହା କଥା, ଯାହା କେବଳ ସେଇ ନିଜର ମଣିଷ କୁ ହିଁ କହିହେବ |
ମନୁଆ ମଣିଷ ଟିଏ | କିନ୍ତୁ ମୋର ତୁମର ଆପଣଙ୍କର ନିଜର ଜୁବିନ, ଯୁବା ପିଢ଼ିର ଜୁବିନ ଦା‘ |
ସମସ୍ତଙ୍କ ଲକ୍ଷ୍ୟସ୍ଥଳ ସରୁସଜାଇ କ୍ରିକେଟ ଷ୍ଟାଡିଅମ | କ୍ରିକେଟ ଷ୍ଟାଡିଅମ ରେ ଏଥର ଖେଳ ନାହିଁ, ଉତ୍ତେଜନା ନାହିଁ, ଅଛି ବିଶ୍ରାମ ର ନୀରବ ଛାଇ | ଏଇ ବିଶ୍ରାମ ର ଅନ୍ତ ନାହିଁ |
ସାଗର ଭଳି ବିଶାଳ ବ୍ୟକ୍ତିତ୍ୱ ଜୁବିନ ନୀରବ ନିଦ୍ରାରେ କାଚ ବାକ୍ସର କଫିନରେ | ସମସ୍ତେ କିଛିନା କିଛି କହୁଛନ୍ତି | ଜୁବିନ ନୀରବରେ ସବୁ ଯେମିତି ଶୁଣୁଛନ୍ତି |
ଭୂପେନ ହଜାରିକାଙ୍କ ପରେ ଲୋକେ ଆଉଜଣେ କଳାକାରଙ୍କୁ ଏମିତି ଆପଣାଇ ନେବେ ନଦେଖିଲେ ଭାବିବା ଅସମ୍ଭବ | ଯେତେ କାମ ଗୋଟିଏ ଜନ୍ମରେ ଜୁବିନ କରିଯାଇଛନ୍ତି ଅନ୍ୟ ଅସାଧାରଣ ପ୍ରତିଭାବାନ ମଣିଷଟିଏ ବି ହୁଏତ ତିନି ବା ଚାରୋଟି ଜୀବନ ନେଇଥାନ୍ତେ | ଚାଳିଶ ରୁ ବେଶୀ ଭାଷାରେ ଚାଳିଶ ହଜାର ପାଖାପାଖି ଗୀତ, ଛଅଟି ଚଳଚିତ୍ର, ଭାରତୀୟଓ ପାଶ୍ଚାତ୍ୟ ପରମ୍ପରା ର ବାରଟି ବାଦ୍ୟଯନ୍ତ୍ର ରେ ଦକ୍ଷତା, ରକ, ରାପ, ପପ, ପାରମ୍ପରିକ ଗୀତ, ଲୋକଗୀତ, ଅର୍ଦ୍ଧ ଶାସ୍ତ୍ରୀୟ ଓ ଶାସ୍ତ୍ରୀୟ ଗୀତ, ସେପଟେ ପୁଣି ହିନ୍ଦୀ ଚଳଚ୍ଚିତ୍ରର ହିଟ ପରେ ହିଟ ଗୀତ |
ଭାରତୀୟ ସଙ୍ଗୀତର ଏମିତି ଜନର (ଧାରା ବା ଶ୍ରେଣୀ) ନାହିଁ ଯୋଉଠି ଜୁବିନ ଙ୍କ ଗଳା ବା ଗିଟାର ବା ଏକତାରା ର ଯାଦୁ ଛାଇ ଯାଇ ନଥିବ | ମୋ ସୀମିତ ଜ୍ଞାନରେ ଅନ୍ତତଃ ଆସାମ ରେ ନାହିଁ | ଶ୍ରୀମନ୍ତ ଶଙ୍କରଦେବ ଓ ମାଧବଦେବ ଙ୍କ ରଚିତ ବଡଗୀତ, ମହାପୁରୁଷ ଶଙ୍କରଦେବଙ୍କ ରଚିତ ଭକ୍ତି ନିବେଦନର କାଳଜୟୀ ଗ୍ରନ୍ଥ ନାମଘୋଷା ଓ କୀର୍ତ୍ତନ ର ସୁନିର୍ବାଚିତ ଅଂଶ ର ଭାବପୂର୍ଣ୍ଣ ଗାନ, ଆସାମର ଜାତୀୟ ଜୀବନରେ ବସନ୍ତ ମିଳନର ମୃତ୍ୟୁଞ୍ଜୟୀ ଜୀବାଙ୍ଗ ବିହୁ, ଉତ୍ତର ପୂର୍ବ ଭାରତର ପ୍ରତେକ ଜନଜାତୀୟ ଗୀତ |
ଅନ୍ୟ ପକ୍ଷରେ ମଧ୍ୟ ଯୁଗୀୟ ପାର୍ସୀ ସୁଫି ସନ୍ଥ ଆଜାନ ଫକୀର ଙ୍କ ଜିକିର ଓ ଜାଡି ଗାନ, ଅସଂଖ୍ୟ ଜଣା ଅଜଣା କବିଙ୍କ କବିତାର ସଙ୍ଗୀତ ରୂପ, ଯୁବା ପିଢ଼ି ପାଇଁ ଉଦିଷ୍ଟ ରକ, ରାପ, ପପ ମତୁଆଲା ପ୍ରେମର ଗୀତ, ବିରହର ଗୀତ, ବିବାହର ଗୀତ, ଜୀବନ ପ୍ରବହାରେ ହେଉ କି ମୃତ୍ୟୁ ପରେ ହେଉ କିଛି ବି ଗୀତ ବାଦ ପଡି ନାହିଁ | ସବୁଠି ଜୁବିନ ଆଉ ଜୀବନର ପ୍ରକାଶ ରେ ସାହିତ୍ୟ ସଂସ୍କୃତି ଓ ମାନବତା ର ଆକୃତ୍ରିମ ସ୍ୱର, କ୍ଷଣିକ ହେଉ କି ଚିରସ୍ଥାୟୀ ହେଉ ପ୍ରଭେଦ ନାହିଁ | ଜୀବନର ଗୀତରେ ତ ସମୟ ଏବଂ ଅନନ୍ତର ଶାରୀରିକ ମିଳନ | ସେଥିପାଇଁ ଜୁବିନ କୁ ଖୋଜୁଛି ଆସାମ
ଆହୁରି ବେଳେ ବେଳେ ନିଜର ସଙ୍ଗୀତ ସାଧନାର ମାନସ ପିତୃତ୍ରୟ (ରୁପକୁମାର ଜ୍ୟୋତିପ୍ରସାଦ ଅଗ୍ରୱାଲ, କଳାଗୁରୁ ବିଷ୍ଣୁପ୍ରସାଦ ରାଭା ଓ ସୁଧାକଣ୍ଠ ଭୂପେନ ହଜାରିକା) ଙ୍କ କୃତିର ମନଛୁଆଁ ଆଧୁନିକିକରଣ | ଯୋଉଠି ଆସାମର ଏଇ ଚିରସ୍ନେହୀ କଳାକାର ମାନଙ୍କ ଯାଦୁଗରୀ ସ୍ବପ୍ନ ସମ୍ଭାର ସହିତ ନିଜକୁ ମିଶେଇ ଦେବାର ଅନ୍ତରଙ୍ଗ ପ୍ରଚେଷ୍ଟା ର ଧାରା ସମ୍ପୂର୍ଣ ସ୍ୱତପ୍ରବୃତ୍ତ | ଆଜାନ ଫକୀର ଓ ରବୀନ୍ଦ୍ରନାଥ ଏପରିକି ବାଉଲ ଗାୟକ ମାନଙ୍କ ଙ୍କ କୃତିରେ ଅନନ୍ତର ମୃତ୍ୟୁସମ୍ଭାବୀ ସଂକେତକୁ ପ୍ରେମ ଆଉ ବିରହର ରୂପ ଦାନ, ଦିଗବଳୟ ଆରପାରିରୁ ହାତ ଠାରି ଡ଼ାକୁଥିବା ରହସ୍ୟାଚ୍ଛନ୍ନ ମୃତ୍ୟୁ ର ଆଭାସ କୁ ସୁଫିୟାନା ମାଦକତା ଦେଇ ପରିବେଷଣ କରିବାର ସଫଳ ପ୍ରୟାସ, ଏହା ସାଧାରଣ କବି ବା ଶିଳ୍ପୀ ଙ୍କ ହାତରେ କଦାପି ସମ୍ଭବପର ହେଇନଥାନ୍ତା |
ଜୁବିନଙ୍କୁ କିନ୍ତୁ ଵିଦ୍ରୋହୀ ଗୀତ ବା ବିରହି ରସର କଳାକାର କହିଲେ ଭୁଲ ହେବ | କହିବାକୁ ଗଲେ ଜୁବିନ ହେଲେ ନୂତନ ଯୁଗର ରସ କୁମାର |
ଶଙ୍କରଦେବ ତାଙ୍କ ଅମର ରଚନା ବଡଗୀତ ସବୁକୁ ସ୍ୱର ଓ ତାଳ ର ଆଦେଶାବଳୀ ଲିପିବଦ୍ଧ କରି ଯାଇଥିଲେ | ଚାରି ପାଞ୍ଚ ଶହ ବର୍ଷ ଧରି ଅସାମର ବୈଷ୍ଣବ ଗୁରୁ ମାନେ ସେଇ ପରମ୍ପରା କୁ ଯେଉ ବଳିଷ୍ଠ ରୂପ ଦେଇଥିଲେ ସେଥିରେ ସୁକ୍ଷ୍ମ କିନ୍ତୁ ନିଷ୍କପଟ ପରୀକ୍ଷା କରିଥିଲେ ଭୂପେନ ହଜାରିକା | ଭକ୍ତି ରସରେ ଆପ୍ଲୁତ ଶଙ୍କରଦେବଙ୍କ ବଡଗୀତ ‘ଶୁଣ ଶୁଣରେ ସୁର ବୈର ପ୍ରମାଣ’ କୁ ସାମାନ୍ୟ ଭାବରେ ହେଲେବି ବୀର ରସ ରେ ରସାଇ ଦେଇଥିଲେ ଭୂପେନ ହଜାରିକା | ତାକୁ ଆହୁରି ଆଗକୁ ବଢ଼ାଇଲେ ଜୁବିନ | ଗୁରୁଚରିତ ପ୍ରଥାରେ ଗୁରୁଭକ୍ତି ଓ କଳାକୁ କାଳଜୟୀ ରୂପ ଦେବାର ଅଦମ୍ୟ ଚେଷ୍ଟା ଏଯାବତ ଯାହା ଭୂପେନ କରିଥିଲେ ସେଇ ପ୍ରଚେଷ୍ଟା ର ଆଧୁନିକିକରଣ ରେ ଜୁବିନ ଙ୍କ ଭାଷା ବା ସଂଙ୍ଗୀତ ବ୍ୟାକରଣରେ କିଛି ଛଳନା ନାହିଁ, ଛନ୍ଦ ର ବିକୃତି ର ପ୍ରଶ୍ନ ନାହିଁ | ଏସବୁ ଦୂରରେ ଥାଉ, ପୁଣି ଥରେ ଭକ୍ତିର ଅମୃତ ଧାରା ବହିଯାଏ ଜୁବିନ ଙ୍କ ମୁକ୍ତକଣ୍ଠି ପ୍ରବାହ ରେ |
୫୨ ବର୍ଷ ବୟସ ରେ ଏହା କି ପ୍ରକାର ଶେଷ ଯାତ୍ରା? ******
ସିଙ୍ଗାପୁରରେ ଅକାଳ ମୃତ୍ୟୁ ବରଣ କରିଥିବା ଵିଦ୍ରୋହୀ କଳାକାର ରସକୁମାର ଯୁବସମ୍ରାଟ ଜୁବିନ ଗାର୍ଗ ଙ୍କ ନଶ୍ୱର ଦେହକୁ ପାଖରୁ ଚାହିଁବେ, କାଚ ବାକ୍ସ ବାହାରୁ ହେଲେବି ଟିକେ ଛୁଇଁବେ, ଶେଷ ଥର ପାଇଁ ସବୁ ଅଭିଯୋଗକୁ କୁ ଆଶୀର୍ବାଦ ର ଅଶ୍ରୁ ରେ ପରିଣତ କରି, ସେଇ ଅନ୍ତରଙ୍ଗ ଲୋକଟିକୁ ବିଦାୟ ଦେଲାବେଳେ ଫୁଲଟିଏ ବା ଉପଯୁକ୍ତ ଶବ୍ଦ ଟିଏ ଥିବ କି ନାହିଁ|
ଏମିତି ଠେଲାପେଲା କରୁଥିବା ଜଣସମୁଦ୍ର ଭିତରେ କୋହ ର ସୁନାମିପାଇଁ ଅପ୍ରସ୍ତୁତ ପୋଲିସ କର୍ମଚାରୀ ମାନଙ୍କ ଇଙ୍ଗିତ — ଜଲଦି ଜଲଦି କରନ୍ତୁ — କିଏ କଣ ଭାବୁଛି କେଜାଣି?
******
କାହିଁକି ସିଙ୍ଗାପୁର ଗଲୁ ଜୁବିନ, ସେଥିରେ ପୁଣି ସମୁଦ୍ରରେ ଓଲ୍ହାଇଲୁ କାହିଁକି? ତତେ ତ ପହଁରା ମନା ଥିଲା | ତୁ ପରା କହିଥିଲୁ ଆସନ୍ତା ବର୍ଷକୁ ଏକା ସାଙ୍ଗରେ ବାରଟା ମାସରେ ବାରଟା ବିହୁ ପାଳନ କରିବା ସାରା ଭାରତ ପାଇଁ | ଗୀତଟିଏ ଲେଖୁଥଲି ତୋରି ପାଇଁ | ଏବେ ଆଉ କାହାପାଇଁ ଲେଖିବି, ଗାଇବ କିଏ, ଶବ୍ଦ ବି ଗାଏବ ହେଲେଣି | ହଉ ଯା | ପ୍ରକୃତରେ ଯଦି ସେପାରି କିଛି ଥାଏ ସେଇଠି ଅପେକ୍ଷା କରିବୁ | ଦେଖାହବ | ସେଇଠି ହେବ ବିହୁ, ହେବ ଇଦ, ହେବ ହୋଲି, ଦଶହରା, ବଡଦିନ — ସବୁ ହେବ | ତୁ ଗାଇବୁ ପ୍ରେମ ଓ ଶ୍ରଦ୍ଧାର ଗୀତ | ଦେବଦୁତ ମାନଙ୍କ ସାଙ୍ଗରେ ତାଳଡେଇ ମୁଁ ନାଚିବି | ଥା ଜୁବିନ | ବୁଢାଟିଏ ହେଇଥା |
ଜୁବିନ ଦା ତମେ, ତମେ ଠକିଦେଲ ଜୁବିନ ଦା | ତମେ ପରା କହିଥିଲ ଯଦି ସବୁ ବିଷୟରେ ଭଲ ଭଲଭାବରେ ପାସ କରିବୁ, ଶତକଡା ୫୦ ଆଣିବୁ, ବଦମାସୀ କରିବୁ ନାହିଁ, ତୋ କଲେଜ ରେ … ଜୁବିନ ଦା … ତମେ … ତମେ ଠକିଦେଲ |
ବାବାଙ୍କୁ ସମ୍ଭାଳିବି, ତମ ପାଇଁ କାନ୍ଦିବି, ସିନ୍ଦୂର ପୋଛିବି କି ତମ ମୃତ୍ୟୁ ରେ କା‘ର ହାତ ଅଛି ଏକଥା ନେଇ ଧାଁ ଦୌଡ କରିବି?
ସମୁଦ୍ର ପାଣି ବତାସୀ ପବନ ଝଞ୍ଜାରେ କି ଖଞ୍ଜା ଲଗାଇଥିଲ ଜୁବିନ?
କେବଳ ଦେଇଗଲ | ଦେଇଚାଲିଲ | ନିଜ ଛାତି ଫାଟି ଯିବା ଯାଏଁ ଗାଇଲ ଆମରି ପାଇଁ | ଥରୁଟିଏ ଯଦି କହିଥା‘ନ୍ତ ଟିକେ ବିଶ୍ରାମ ଦିଅ | କଣ ଭାବିଲ ତମେ ଗୀତ ନ’ଗାଇଲେ (ଗାଇ ନପାରିଲେ) ଆମେ ତମକୁ ଭୁଲିଯିବୁ? ଅବଶ୍ୟ ଗାର୍ଗେୟ ତମେ | ପ୍ରଶଂସକ ଅନୁରାଗୀ ମାନଙ୍କ ମନ ଭିତରର ନିଭୃତତ୍ତମ କୋଣରେ ଲୁଚିଥିବା ଅପ୍ରିୟ ସତ କଥାଟି ଦେଖିଦେଲ କି ତମେ?
ଅନୁରାଗୀ ଜଣେ ଅକୃତଜ୍ଞ ହେବାକୁ କେତେବା ସମୟ ଲାଗେ?
ଟଙ୍କା ପଇସା ପୁରସ୍କାର କିଛିତ ମାଗିଲ ନାହିଁ? କିଏ କହୁଛି ତମେ ନୀଳକଣ୍ଠୀ ଶିବ | ତିରସ୍କାର ଆଉ ପୁରସ୍କାର ତମରି ପାଇଁ କିଛି ଅର୍ଥ ରଖେନାହିଁ? ଶକ୍ତି, ସତ୍ୟ ଓ ସାରସ୍ୱତ ସୌନ୍ଦର୍ଯ୍ୟ ତମେ ନିଜେ | କେଜାଣି |
ମୃତ୍ୟୁ ଆଉ ଉତ୍ତେଜନା ମଝିରେ ପୋଲ ତିଆରି କରିଥିଲ ’ୟା ଆଲି‘ ଗୀତ ଟି ଗାଇ | କଣ ସେଥିରେ ଥିଲା ତମର ଏଇ ଅନ୍ତିମ ଯାତ୍ରାର ସଂକେତ?
ଜୁବିନ ମାନେ ତ ଜୀବନ ର ମୁକ୍ତ ଧାରା | ତାହେଲେ?
କହିଥିଲ ବ୍ରହ୍ମପୁତ୍ରର ବିଶାଳ ବୁକୁରେ ମତେ ଭସାଇ ଦେବ |
ତମେ କଣ ପ୍ରତିମା ଯେ ପୂଜା ସରିଲା ପରେ ତମକୁ ଭସାଣି ଦେବୁ?
ସନ୍ଧ୍ୟା ତାରା ଗହଣରେ, ଆକାଶିତରା ରେ, ସବୁଠି ତମେ ହିଁ ତମେ | ତମୁକୁ ପୁଣି କଣ ଖୋଜିବି ?
Comments are closed.