Latest Odisha News

BREAKING NEWS

RSS ମୁଖ୍ୟଙ୍କୁ କେଜ୍ରିୱାଲଙ୍କ ଚିଠି, ଜବାବ ଦେଲା ବିଜେପି

ନୂଆଦିଲ୍ଲୀ: ନୂଆବର୍ଷ ଆରମ୍ଭରୁ ଦିଲ୍ଲୀରେ ଜୋର୍ ଧରିଲା ଚିଠି ରାଜନୀତି । ଶାସକ ଆମ୍ ଆଦମୀ ପାର୍ଟି ଓ ବିରୋଧୀ ଭାରତୀୟ ଜନତା ପାର୍ଟି ମଧ୍ୟରେ ଆରମ୍ଭ ହୋଇଛି ଲେଟର୍ ଓ୍ବାର୍ । RSS ମୁଖ୍ୟ ମୋହନ ଭାଗବତଙ୍କୁ ଚିଠି ଲେଖିଛନ୍ତି ଆପ୍ ମୁଖ୍ୟ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଚିଠିରେ କେଜ୍ରିଓ୍ବାଲ କହିଛନ୍ତି, ଗଣମାଧ୍ୟମରେ ଖବର ପ୍ରସାରିତ ହେଉଛି, ଦିଲ୍ଲୀ ନିର୍ବାଚନରେ ବିଜେପି ପାଇଁ ଭୋଟ୍ ମାଗିବ RSS । କଣ ଏହା ସତ ? ଦିଲ୍ଲୀବାସୀ ଜାଣିବା ପାଇଁ ଚାହୁଁଛନ୍ତି, କିଛି ଦିନ ଧରି ବିଜେପି ଯେଉଁ ହରକତ କରିଛି, ଏହାକୁ କଣ RSS ସମର୍ଥନ କରୁଛି ? କେଜ୍ରିଓ୍ବାଲ ଆଗକୁ ଲେଖିଛନ୍ତି, ବିଜେପି ନେତା ଖୋଲାଖୋଲି ଟଙ୍କା ଦେଇ ଭୋଟ୍ ମାଗୁଛନ୍ତି । କଣ RSS ଏହାକୁ ସମର୍ଥନ କରୁଛି ? ଗରିବ, ପୂର୍ବାଞ୍ଚଳ ଲୋକଙ୍କ ଭୋଟ୍ କାଟିବା ପାଇଁ ପ୍ରୟାସ କରାଯାଉଛି, ଏହି ଲୋକମାନେ ବର୍ଷ ବର୍ଷ ଧରି ଦିଲ୍ଲୀରେ ରହି ଆସୁଛନ୍ତି ? କଣ ଏହା ଭାରତର ଗଣତନ୍ତ୍ର ପାଇଁ ଠିକ୍ ବୋଲି ପ୍ରଶ୍ନ କରିଛନ୍ତି କେଜ୍ରିଓ୍ବାଲ ।

ସେପଟେ କେଜ୍ରିଓ୍ବାଲଙ୍କୁ ଚିଠି ଲେଖି ୫ଟି ସଂକଳ୍ପ ନେବା ପାଇଁ ଅପିଲ୍ କରିଛି ବିଜେପି । ଦିଲ୍ଲୀ ବିଜେପି ମୁଖ୍ୟ ବିରେନ୍ଦ୍ର ସଚଦେବା କେଜ୍ରିଓ୍ବାଲଙ୍କୁ ସତ କହିବା ପାଇଁ ଅପିଲ କରିଛନ୍ତି । ସେ ଲେଖିଛନ୍ତି, ବିଶ୍ବାସ ରହିଛି ଆପଣ କେବେ ବି ଆପଣଙ୍କ ପିଲାଙ୍କ ରାଣ ଖାଇବେ ନାହିଁ । ଦିଲ୍ଲୀର ମହିଳା, ବୟସ୍କଙ୍କ ଭାବନା ସହ ନଖେଳିବା ପାଇଁ । ମଦର ପ୍ରମୋସନ ପାଇଁ ଦିଲ୍ଲୀବାସୀଙ୍କୁ କ୍ଷମା ମାଗିବା ଜରୁରୀ । ଯମୁନା ନଦୀର ସଫାରେ ଯେଉଁ ଦୁର୍ନୀତି ହୋଇଛି, ସେଥି ପାଇଁ କ୍ଷମା ମାଗନ୍ତୁ । ରାଜନୈତିକ ସ୍ବାର୍ଥ ପାଇଁ ଦେଶ ବିରୋଧୀ ଶକ୍ତି ସହ ହାତ ନମିଳାଇବା ପାଇଁ ଅପିଲ୍ । ନୂଆବର୍ଷରେ ଏହି ୫ଟି ସଂକଳ୍ପ ନେବା ସହ ଏଥିରେ ସୁଧାର ଆଣିବା ପାଇଁ ଅପିଲ୍ କରିଛି ବିଜେପି ।

ଏପଟେ ପ୍ରେସମିଟ କରି ଆମ୍ ଆଦମୀ ପାର୍ଟିକୁ ଘେରିଛି ବିଜେପି । ଦଳୀୟ ସାଂସଦ ସୁଧାଂଶୁ ତ୍ରିବେଦୀ କହିଛନ୍ତି, ଆପ୍ ସବୁବେଳେ ଦୁର୍ନୀତିକୁ ଆଶ୍ରୟ ଦେଇ ଆସିଛି । ଏଥି ପାଇଁ ଦଳର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସହ ସାଂସଦ ବି ଜେଲରୁ ଫେରିଛନ୍ତି । ଆସନ୍ତା ମାସ ଦିଲ୍ଲୀ ବିଧାନସଭା ନିର୍ବାଚନ । କିଛି ଦିନ ପରେ ଘୋଷଣା ହେବ ନିର୍ବାଚନ ତାରିଖ । ଆଉ ଏହା ପୂର୍ବରୁ ଦିଲ୍ଲୀରେ ଜୋର୍ ଧରିଛି ଆରୋପ-ପ୍ରତ୍ୟାରୋପ ରାଜନୀତି । ଏଥର ଦିଲ୍ଲୀରେ ଆପ୍ ଓ ବିଜେପି ମଧ୍ୟରେ କାଣ୍ଟେ କି ଟକ୍କର ହେବାକୁ ଯାଉଛି ।

Comments are closed.