ନୂଆଦିଲ୍ଲୀ: ବହୁବିବାହ ଉପରେ ରୋକ୍ ଲଗାଇ ଦେଶର ଉତ୍ତରପୂର୍ବାଞ୍ଚଳୀୟ ରାଜ୍ୟ ଅସାମ ଐତିହାସିକ ପଦକ୍ଷେପ ନେଇଛି। ଅସାମ ବିଧାନସଭାରେ ଗତ ମଙ୍ଗଳବାର ଅସାମ ବହୁବିବାହ ନିଷେଧ ବିଧେୟକ, ୨୦୨୫ ପାସ୍ ହୋଇଯାଇଛି। ଏହାପରେ ରାଜ୍ୟରେ ଏକାଧିକ ବିବାହ କରିବା ସମ୍ପୂର୍ଣ୍ଣ ଅବୈଧ ହୋଇଛି। ବଡ଼ କଥା ହେଲା, ଏହି ଆଇନ୍ ସବୁ ଧର୍ମର ଲୋକଙ୍କ ଉପରେ ସମାନ ଭାବେ ଲାଗୁ ହେବ। ଅର୍ଥାତ୍ ଅସାମରେ ରହୁଥିବା ମୁସଲମାନମାନେ ମଧ୍ୟ ଏବେ ଇସଲାମିକ୍ ଆଇନ୍ ଅନୁଯାୟୀ ଏକାଧିକ ବିବାହ କରିପାରିବେ ନାହିଁ।
ଅସାମ ବିଧାନସଭାରେ ପାସ୍ ହୋଇଥିବା ବିଧେୟକରେ ପ୍ରଥମ ପତ୍ନୀ ଜୀବିତ ଥାଇ ଦ୍ୱିତୀୟ ବିବାହ କରିବା ଉପରେ ଜେଲ୍ ଠାରୁ ଆରମ୍ଭ କରି ଜୋରିମାନା ପର୍ଯ୍ୟନ୍ତ ଦଣ୍ଡର ବ୍ୟବସ୍ଥା ରହିଛି। ଏତିକି ନୁହେଁ, ଏପରି ବ୍ୟକ୍ତିଙ୍କୁ ସରକାରୀ ଯୋଜନା ଓ ସରକାରୀ ଚାକିରିରୁ ମଧ୍ୟ ବଞ୍ଚିତ କରାଯିବ। ଅସାମରେ ବହୁବିବାହ ଉପରେ ରୋକ୍ ଲଗାଇବା ଲାଗି ପାସ୍ ହୋଇଥିବା ଏହି ବିଧେୟକ ପରେ ଲୋକଙ୍କ ପ୍ରଶ୍ନ ଉଠୁଛି ଯେ, ଯେଉଁମାନେ ପୂର୍ବରୁ ଦୁଇ କିମ୍ବା ତହିଁରୁ ଅଧିକ ବିବାହ କରିସାରିଛନ୍ତି, ସେମାନଙ୍କର କ’ଣ ହେବ? ସେମାନଙ୍କ ପାଇଁ ମଧ୍ୟ କିଛି ବ୍ୟବସ୍ଥା ଅଛି କି? ଆସନ୍ତୁ ଜାଣିବା…
ନୂଆ ବିଲ୍ରେ କ’ଣ ଅଛି?
ଅସାମ ବିଧାନସଭାରେ ଆଣିଥିବା ବିଲ୍ ଅନୁଯାୟୀ, ପ୍ରଥମ ବିବାହ ଆଇନ୍ଗତ ଭାବେ ବଳବତ୍ତର ଥାଇ ଦ୍ୱିତୀୟ ବିବାହ କରିବା ସିଧାସଳଖ ଅପରାଧ ବୋଲି ଗଣାଯିବ। ଏପରି ବ୍ୟକ୍ତିଙ୍କୁ ୭ ବର୍ଷ ଜେଲ୍ ଓ ଜୋରିମାନା ହେବ। ଯଦି କେହି ପ୍ରଥମ ବିବାହକୁ ଲୁଚାଇ ଦ୍ୱିତୀୟ ବିବାହ କରେ, ତେବେ ସେପରି ମାମଲାରେ ଦଣ୍ଡ ୧୦ ବର୍ଷ ଜେଲ୍ ଏବଂ ବହୁତ ଅଧିକ ଜୋରିମାନା। ଯଦି ଏପରି କାମ ବାରମ୍ବାର କରାଯାଏ, ତେବେ ଦଣ୍ଡ ଦୁଇଗୁଣ ହୋଇପାରିବ।
ସରକାରୀ ଚାକିରି ମଧ୍ୟ ମିଳିବ ନାହିଁ
ପାରିତ ହୋଇଥିବା ବିଲ୍ ଅନୁଯାୟୀ, ଏକାଧିକ ବିବାହ କରିଥିବା ବ୍ୟକ୍ତି ସରକାରୀ ଚାକିରି ପାଇଁ ଯୋଗ୍ୟ ହେବେ ନାହିଁ ଏବଂ ସରକାରଙ୍କ କୌଣସି ଯୋଜନାର ଲାଭ ମଧ୍ୟ ପାଇବେ ନାହିଁ। ସେ କୌଣସି ନିର୍ବାଚନ ଲଢ଼ି ପାରିବେ ନାହିଁ। ଏହା ସହିତ କାହାରି ଦ୍ୱିତୀୟ ବିବାହକୁ ଲୁଚାଇବା ଓ ପ୍ରୋତ୍ସାହିତ କରିବା ଭଳି ଗାଁ ମୁଣ୍ଡା, କାଜୀ, ପୁଜାରୀ, ଅଭିଭାବକ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ମଧ୍ୟ ଦୋଷୀ ହେବେ। ସେପରି ହେଲେ ତାଙ୍କୁ ୨ ବର୍ଷ ଜେଲ୍ ଓ ଜୋରିମାନା ହୋଇପାରିବ।
ପୂର୍ବରୁ ବିବାହ କରିସାରିଥିବା ଲୋକଙ୍କର କ’ଣ ହେବ?
ଏବେ ଆସନ୍ତୁ ମୁଖ୍ୟ ପ୍ରଶ୍ନ ଉପରେ… ଅସାମ ବିଧାନସଭାରେ ପାସ୍ ହୋଇଥିବା ଏହି ବିଧେୟକ ଭବିଷ୍ୟତରେ ଏକାଧିକ ବିବାହ ଉପରେ ରୋକ୍ ଲଗାଉଛି। ବିଲ୍ରେ ପୂର୍ବରୁ ଏକାଧିକ ବିବାହ କରିସାରିଥିବା ଲୋକଙ୍କ ବିଷୟରେ କୌଣସି ବ୍ୟବସ୍ଥା ରଖାଯାଇ ନାହିଁ। ତେଣୁ ସ୍ପଷ୍ଟ ଯେ, ଏହି ବିଲ୍ ଲାଗୁ ହେବା ପରେ ଏକାଧିକ ବିବାହ କରୁଥିବା ଅଭିଯୁକ୍ତମାନଙ୍କ ଉପରେ ଏହା ଲାଗୁ ହେବ। ପୂର୍ବରୁ ହୋଇଥିବା ବିବାହଗୁଡ଼ିକ ବୈଧ ରହିବ।
Comments are closed.