ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ତରଫରୁ ପ୍ରଦାନ କରାଯାଉଥିବା ବାର୍ଦ୍ଧକ୍ୟ ଏବଂ ବିଧବା ସହିତ ଅନ୍ୟାନ୍ୟ ଭତ୍ତା ବଣ୍ଟନରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ଦାୟିତ୍ବ ନେଇଥିବା ଘରୋଇ ସଂସ୍ଥା ପକ୍ଷରୁ ଭତ୍ତା ବଣ୍ଟନ ଦିଗରେ ନାନା ଅବହେଳା ଯୋଗୁ ହିତାଧିକାରୀମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଭତ୍ତା ନେବା ପାଇଁ ଦୁଇ ଦିନ ହେଲା ଜଗି ଜଗି ଶେଷରେ ନିରାଶ ହୋଇ ଫେରୁଛନ୍ତି। ବ୍ରହ୍ମପୁର ସହରରେ ଗତ ଦୁଇ ଦିନ ହେଲା ଏଭଳି ଅବ୍ୟବସ୍ଥା ଦେଖାଦେଇଥିବା ବେଳେ ହିତାଧିକାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ମହାନଗର ନିଗମ ପକ୍ଷରୁ କେଉଁ ତାରିଖରେ, କେଉଁ ୱାର୍ଡରେ ଭତ୍ତା ପ୍ରଦାନ କରାଯିବ, ତାହା ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ। ୱାର୍ଡ ଅନୁଯାୟୀ ତାରିଖ ପ୍ରଦାନ କରାଯାଇଥାଏ। ତେବେ ମହାନଗର ନିଗମ ପ୍ରତ୍ୟେକ୍ଷ ଭାବେ ଭତ୍ତା ବଣ୍ଟନ କରୁନାହିଁ। ଏଥିପାଇଁ ସରକାରଙ୍କ ତରଫରୁ ଏକ ଘରୋଇ ବ୍ୟାଙ୍କକୁ ଦାୟିତ୍ବ ଦିଆଯାଇଛି। ନିର୍ଦ୍ଧିଷ୍ଟ ଘରୋଇ ବ୍ୟାଙ୍କ ପୁଣି ଆଉ ସଂସ୍ଥାକୁ ଭତ୍ତା ବଣ୍ଟନ କାର୍ଯ୍ୟ ଆଉଟ୍ସୋର୍ସ କରିଦେଇଛନ୍ତି। ସଂପୃକ୍ତ ସଂସ୍ଥାର କର୍ମଚାରୀମାନେ ୱାର୍ଡକୁ ଯାଇ ଭତ୍ତା ବଣ୍ଟନ କରିଥାନ୍ତି। କିନ୍ତୁ ଉଭୟ ବ୍ୟାଙ୍କ ଏବଂ ଘରୋଇ ସଂସ୍ଥା ତରଫରୁ ଭତ୍ତା ବଣ୍ଟନରେ ପ୍ରଦାନରେ ଅବହେଳା କରୁଛନ୍ତି। ଶୁକ୍ରବାର ୱାର୍ଡ ନମ୍ବର ୧ ରୁ ୱାର୍ଡ ନମ୍ବର ୪ ପର୍ଯ୍ୟନ୍ତ ଭତ୍ତା ବଣ୍ଟନ ହେବାକୁ ଥିଲା। ହିତାଧିକାରୀମାନେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ଯାଇଥିଲେ। କିନ୍ତୁ ସଂପୃକ୍ତ ଘରୋଇ ସଂସ୍ଥାର କର୍ମଚାରୀଙ୍କୁ ଦେଖା ମିଳିନଥିଲା। ସକାଳ ୧୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହିତାଧିକାରୀମାନେ ଜଗି ଜଗି ନିରାଶରେ ଘରକୁ ଫେରିଥିଲେ। ତେବେ ଭତ୍ତା ବଣ୍ଟନ ହେବ କି ନାହିଁ, ସେନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନ ଥିଲା। ସେହିଭଳି ଶନିବାର ୱାର୍ଡ ନମ୍ବର ୫ ରୁ ୱାର୍ଡ ନମ୍ବର ୮ ପର୍ଯ୍ୟନ୍ତ ଭତ୍ତା ବଣ୍ଟନ ପାଇଁ ତାରିଖ ସ୍ଥିର ହୋଇଥିଲା। ଦ୍ବିତୀୟ ଦିନରେ ମଧ୍ୟ ଘରୋଇ ସଂସ୍ଥାର କର୍ମଚାରୀମାନେ ଆସିନଥିଲେ। କେବଳ ଏହି ୪ଟି ୱାର୍ଡ ନୁହଁ, ବରଂ ଶୁକ୍ରବାର ମଧ୍ୟ ଯେଉଁ ୱାର୍ଡର ହିତାଧିକାରୀମାନେ ଭତ୍ତା ପାଇନଥିଲେ, ସେମାନେ ମଧ୍ୟ ନିର୍ଦ୍ଧାରିତ ସ୍ଥାନରେ ଯାଇ ଅପେକ୍ଷା କରିଥିଲେ। ଅର୍ଥାତ ୮ଟି ୱାର୍ଡର ହିତାଧିକାରୀମାନେ ଭତ୍ତା ଆଶାରେ ଚାହିଁ ରହିଥିଲେ ମଧ୍ୟ କାହାରି ଦେଖା ମିଳିନଥିଲା। ଅନ୍ୟପଟେ ଗୋଷ୍ଠୀ ସଂଯୋଜିକା(ସିଓ)ମାନେ ବଣ୍ଟନ ବ୍ୟବସ୍ଥାର ତଦାରଖ କରିବା କଥା। ହିତାଧିକାରୀଙ୍କୁ ସଠିକ ସୂଚନା ଦେବା କଥା। ହେଲେ ସ୍ବଚ୍ଛ ସାଥୀଙ୍କ ଉପରେ ଦାୟିତ୍ବ ଲଦିଦେଇଥିଲେ। ଫଳରେ ହିତାଧିକାରୀମାନେ ନା’ ଘରୋଇ ସଂସ୍ଥା ତରଫରୁ ନା’ ମହାନଗର ନିଗମ ତରଫରୁ, ଭତ୍ତା ବଣ୍ଟନ ନେଇ କୌଣସି ସ୍ପଷ୍ଟ ସୂଚନା ପାଇପାରିନଥିଲେ। ୫ ନମ୍ବର ୱାର୍ଡର କର୍ପୋରେଟର ପଦ୍ମିନୀ ମିଶ୍ର କେତେକ ହିତାଧିକାରୀଙ୍କୁ ନେଇ ମହାନଗର ନିଗମ କାର୍ଯ୍ୟାଳୟକୁ ଯାଇଥିଲେ। ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ଦିଗରେ ପଦକ୍ଷେପ ନେଇଥିଲେ। ତେବେ ଅପରାହ୍ନରେ ଘରୋଇ ସଂସ୍ଥା ପକ୍ଷରୁ ଅଳ୍ପ କେତେକ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିବା ସୂଚନା ମିଳିଛି। ଆସନ୍ତା ୧୯ରୁ ୨୮ତାରିଖ ପର୍ଯ୍ୟନ୍ତ ସହରର ଅନ୍ୟାନ୍ୟ ୱାର୍ଡରେ ଭତ୍ତା ବଣ୍ଟନ କରାଯିବାକୁ ତାରିଖ ସ୍ଥିର ହୋଇଥିବା ବେଳେ ବଣ୍ଟନର ସୁବ୍ୟବସ୍ଥା ନେଇ ଆଶଙ୍କା ସୃଷ୍ଟି ହୋଇଛି।
ସୂଚନା ଯୋଗ୍ୟ ଯେ, ଏଭଳି ଅବ୍ୟବସ୍ଥାର ଏହା ପ୍ରଥମ ଘଟଣା ନୁହଁ। ବିଗତ ଦିନରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ଏପରିକି କର୍ପୋରେସନ ବୈଠକରେ କେତେକ କର୍ପୋରେଟର ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ କର୍ପୋରେସନ ବୈଠକରେ ପ୍ରବଳ ସମାଲୋଚନା ସହିତ ତାଗିଦ କରାଯାଇଥିଲା। ହିତାଧିକାରୀମାନେ ସମସ୍ୟାର ସମ୍ମୁଖିନ ହେଉଥିବା ଯୋଗୁ ଏହାର ଆଶୁ ସମାଧାନ ପାଇଁ ଜନପ୍ରତିନିଧିମାନେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ। ତଥାପି କୌଣସି ସୁଫଳ ମିଳିପାରି ନାହିଁ। ପ୍ରତି ମାସରେ ଏହି ସମସ୍ୟା ଭୋଗୁଛନ୍ତି ହିତାଧିକାରୀ। ଏନେଇ ମହାନଗର ନିଗମର ଆୟୁକ୍ତ ଜେ.ସୋନାଲଙ୍କ ସହ ଯୋଗାଯୋଗ କରାଯାଇଥିଲା। ହିତାଧିକାରୀଙ୍କୁ ଯେଉଁ ସମସ୍ୟା ରହିଛି, ତାହାକୁ ଗୁରୁତର ସହ ନିଆଯାଇ ସମାଧାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।
BREAKING NEWS
- Odisha’s new Governor:ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ବ୍ରଜମୋହନ;ଶପଥ ପାଠ କରାଇଲେ ହାଇକୋର୍ଟ ମୁଖ୍ୟ ବିଚାରପତି
- ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା!୪ କି.ମି.ଖଟିଆରେ ବୁହାହେଲେ ମା’ ଓ ନବଜାତ ଶିଶୁ
- France in flames: ଜଳୁଛି ଫ୍ରାନ୍ସ; ଦୁଇଟି ବିଶ୍ୱଯୁଦ୍ଧର ଝଡ଼ ସହିଥିଲା, ଦଙ୍ଗାର ନିଆଁରେ ଛାରଖାର ୧୪୩ ବର୍ଷର ଐତିହାସିକ ଟାଉନ୍ ହଲ୍!
- Odisha Durga Puja 2026: ମା’ ଦୁର୍ଗାଙ୍କ ଆରାଧନାରେ ଭକ୍ତିମୟ ପରିବେଶ..ଆଜି ମଣ୍ଡପରେ ମହାସପ୍ତମୀ ପୂଜା, ପୀଠରେ ମହାଷ୍ଟମୀ
- Gwalior Temple Tragedy:ମନ୍ଦିର କାନ୍ଥ ଭାଙ୍ଗି ଭିତରକୁ ପଶିଲା ଟ୍ରକ୍; ଚାପି ହୋଇ ୧୩ ଭକ୍ତଙ୍କ ମୃତ୍ୟୁ
- Chorbagan Sarbojanin Durga Pandal Stampede:ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି;ମୁଖ୍ୟମନ୍ତ୍ରୀଙ୍କ ଘୋଷଣା-ମୃତକଙ୍କ ପରିବାରକୁ ୨୫ ଲକ୍ଷର କ୍ଷତିପୂରଣ ଓ ସରକାରୀ ଚାକିରି
- ଫ୍ରାନ୍ସରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନକାରୀ ଓ ଛାତ୍ରଙ୍କ ଆନ୍ଦୋଳନ ସମୟରେ ହିଂସା ସହ ପୋଡ଼ାଜଳା
- Stampede at Durga Puja pandal:ଦୁର୍ଗାପୂଜାରେ ଦଳାଚକଟା; ୧୭ ମୃତ, ୪୦ଆହତ
- ଗର୍ଭବତୀ ସାମ୍ବାଦିକାଙ୍କୁ ଧକ୍କା ମାମଲା: ତେଜିଲା ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
- ଅନ୍ତର୍ଜାତୀୟ ବଡି ବିଲଡର ଜନ୍ମେଜୟ ମହାନ୍ତିଙ୍କ ପରଲୋକ

Comments are closed.