ନୂଆଦିଲ୍ଲୀ: ବିହାରର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିକଟତର ହେଲାଣି । ହେଲେ ଟିକେଟ ବଣ୍ଟନକୁ ନେଇ ଏବେ ବି ଜାରି ରହିଛି ଟଣାଅଟରା । ପ୍ରଥମ ପର୍ଯ୍ୟାୟ ନାମାଙ୍କନର ଶେଷ ତାରିଖରେ ମାତ୍ର ୨୭ ଘଣ୍ଟା ବାକି ଅଛି, ତଥାପି କୌଣସି ଦଳ ସେମାନଙ୍କ ପୂରା ପ୍ରାର୍ଥୀ ତାଲିକା ଘୋଷଣା କରିନାହାନ୍ତି। ରାଜନୈତିକ ଗଲିଆରାରେ ଚର୍ଚ୍ଚା ହେଉଛି ଯେ ଆଭ୍ୟନ୍ତରୀଣ ଅସମ୍ମତି ତାଲିକା ଚୂଡ଼ାନ୍ତରେ ବାଧକ ସାଜୁଛି।
ମୁଖ୍ୟ ସହଯୋଗୀ ଆରଜେଡି, କଂଗ୍ରେସ ଏବଂ ବାମ ଦଳମାନେ ନିଜ-ନିଜ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ସିମ୍ୱଲ ଦେଇସାରିଛନ୍ତି,ହେଲେ ଆନୁଷ୍ଠାନିକ ଘୋଷଣା ହୋଇନାହିଁ। ଏହା ସହିତ, ବଛବାଡ଼ା ସିଟ୍ରେ ପରିସ୍ଥିତି ଆହୁରି ଜଟିଳ ହୋଇଛି। ଏଠାରେ ସିପିଆଇ ଏବଂ କଂଗ୍ରେସ ଉଭୟ ପ୍ରାର୍ଥୀଙ୍କୁ ନିଜ ସିମ୍ୱଲ ଦେଇଛନ୍ତି, ଯାହା ଆହୁରି ଦ୍ୱନ୍ଦ୍ୱ ବଢ଼ାଇଛି। ଏହା ସହିତ, ବିକାଶଶୀଳ ଇନ୍ସାନ୍ ପାର୍ଟି (ଭିଆଇପି) ଅଧ୍ୟକ୍ଷ ମୁକେଶ ସାହନୀ ମହାଗଠବନ୍ଧନଉପରେ ଅସନ୍ତୁଷ୍ଟ ଥିବା ଜଣାପଡ଼ୁଛି। ଏପରି ଦେଖିବାକୁ ଗଲେ ମହାଗଠବନ୍ଧନ ଭିତରେ ପ୍ରବଳ ଅସନ୍ତୋଷ ରହିଛି ।
ଅନ୍ୟପଟେ ଏନ୍ଡିଏ ପୂରା ଦମରେ ନିର୍ବାଚନୀ ମୈଦାନକୁ ଓହ୍ଲାଇଛି। ବର୍ତ୍ତମାନ ଯାଏ ୨୨୯ ସିଟ୍ରେ ପ୍ରାର୍ଥୀ ଘୋଷଣା କରିସାରିଛି ଦଳ। ବିଜେପି ଏବଂ ଜେଡିୟୁ ନେତାମାନେ ଜିଲ୍ଲାମାନଙ୍କରେ କାର୍ଯ୍ୟକର୍ତ୍ତାମାନଙ୍କ ସହିତ ବୈଠକ କରୁଛନ୍ତି ଏବଂ ପ୍ରଚାର ଅଭିଯାନକୁ ଜୋରଦାର କରୁଛନ୍ତି। ଯୋଗୀ ଆଦିତ୍ୟନାଥ ଆଜି ବିହାରରେ ନିଜର ପ୍ରଥମ ରାଲିରୁ ଏନ୍ଡିଏର ପ୍ରଚାର ଆରମ୍ଭ କରିଛନ୍ତି, ଏହା ସହିତ ଗୃହମନ୍ତ୍ରୀ ଅମିତ୍ ଶାହ୍ ମଧ୍ୟ ପଟନା ପହଞ୍ଚୁଛନ୍ତି।
ରାଜନୈତିକ ବିଶ୍ଲେଷକମାନଙ୍କ ମତ ଅନୁଯାୟୀ, ମହାଗଠବନ୍ଧନ ଭିତରେ ସମନ୍ୱୟର ଅଭାବ ଏନ୍ଡିଏକୁ ପ୍ରାରମ୍ଭିକ ଲାଭ ଦେଉଛି। ପ୍ରଥମ ପର୍ଯ୍ୟାୟର ମତଦାନକୁ ମାତ୍ର ୨୧ ଦିନ ବାକି ରହିଛି ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୨୬ ଦିନ ବାକି ରହିଛି । କିନ୍ତୁ ସିଟ୍ ଆବଣ୍ଚନକୁ ନେଇ ଚାଲିଥିବା ଟଣାଓଟରା ମହାଗଠବନ୍ଧନର ନିର୍ବାଚନୀ ଗତିକୁ ରୋକି ଦେଇଛି।
Comments are closed.