Latest Odisha News

ନିର୍ବାଚନୀ ବର୍ଷରେ ଉଗ୍ର ହୋଇଛି ଛାତ୍ର ଆନ୍ଦୋଳନ, ଜଳୁଛି ବିହାର

ନୂଆଦିଲ୍ଲୀ : ବିହାରରେ ଉଗ୍ର ହୋଇଛି ଛାତ୍ର ଆନ୍ଦୋଳନ । ବିପିଏସସି (BPSC) ପରୀକ୍ଷାରେ ଘୋର ଅନିୟମିତତା ହୋଇଥିବା ଅଭିଯୋଗ କରି ରାସ୍ତାରେ ହଜାର ହଜାର ଆଶାୟୀ । ପୋଲିସ ସେମାନଙ୍କ ଉପରେ ଯେତେ କାର୍ଯ୍ୟାନୁଷ୍ଠାନ ନେଉଥିଲେ ବି ନିୟନ୍ତ୍ରଣକୁ ଆସୁନି ଆନ୍ଦୋଳନ । ପ୍ରିଲିମିନାରି ପରୀକ୍ଷା ନର୍ମାଲାଇଜେସନକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସାନି ପରୀକ୍ଷା ଦାବି କରୁଛନ୍ତି ଆଶାୟୀ ଛାତ୍ରଛାତ୍ରୀ

ବିହାର ପବ୍ଲିକ୍ ସର୍ଭିସ କମିଶନ ବା BPSC ଦ୍ବାରା ଆୟୋଜିତ ପରୀକ୍ଷାରେ ହୋଇଥିବା ଅନିୟମିତତା ପ୍ରତିବାଦରେ ହଜାର ହଜାର ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇଥିବା ବେଳେ ପୋଲିସର ଦମନଲୀଳା ସବୁ ସୀମା ଟପି ଯାଇଛି । ମାଡ଼ମାରି ପିଲାଙ୍କ ମୁହଁ ବନ୍ଦ କରିଦେବାକୁ ଚେଷ୍ଟା କରିଛି ପୋଲିସ, ହେଲେ ଏମାନେ ଏମିତି-ସେମିତି ଛାତ୍ରଛାତ୍ରୀ ନୁହଁନ୍ତି, ଏମାନେ ଏମିତି-ସେମିତି ପରୀକ୍ଷାର ସାନି ପରୀକ୍ଷା ପାଇଁ ଦାବି କରୁ ନାହାନ୍ତି । ଆଉ ଏମାନଙ୍କ କାରଣ ଓ ଦାବି ମଧ୍ୟ ଏମିତି-ସେମିତି ନୁହେଁ । ସେମାନଙ୍କ କହିବା କଥା ଆମେ ରାଜନୀତିର ଶିକାର ହେବାକୁ ଚାହୁଁନୁ । ଆମେ ଛାତ୍ର, ଆମର ଭବିଷ୍ୟତ ଅଛି । ଆମମାନଙ୍କ ଭବିଷ୍ୟତ ସହ ଖେଳା ନଯାଉ । ଆମେ ଚାହୁଁଛୁ, କେବଳ ପୁନଃପରୀକ୍ଷା । BPSC ଆଶାୟୀ ପ୍ରାର୍ଥୀଙ୍କର ଏ ହେଉଛି ଏକମାତ୍ର ଦାବି । ଶହେ କି ଦୁଇ ଶହ ନୁହେଁ, ଲକ୍ଷାଧିକ ଛାତ୍ରଛାତ୍ରୀ ଏମିତି ଦାବି କରୁଛନ୍ତି । ଏବେ ପ୍ରଶ୍ନ ଉଠୁଛି ସେମାନଙ୍କର ଏହି ଦାବି ପଛରେ କେହି ରାଜନୀତିର ଗୋଟି ଚଳାଇ ନାହାନ୍ତି ତ ! ଛାତ୍ରଛାତ୍ରୀଙ୍କ ଆନ୍ଦୋଳନରୁ କେହି ରାଜନୈତିକ ଫାଇଦା ଉଠାଇବାକୁ ଚାହୁଁ ନାହାନ୍ତି ତ ?

ଆନ୍ଦୋଳନକାରୀ ଛାତ୍ରଙ୍କ ଉପରେ ପୋଲିସର ଏଭଳି ଦମନଲୀଳାକୁ ନିନ୍ଦା କରିଛନ୍ତି ବିହାର ବିଧାନସଭାର ବିରୋଧୀ ଦଳ ନେତା ତଥା ଆରଜେଡି ନେତା ତେଜସ୍ବୀ ଯାଦବ । ସେପଟେ କାହିଁକି ପୋଲିସ ଛାତ୍ରଙ୍କୁ ପିଟିଲା ତାର ଜବାବ ରଖିଛନ୍ତି ପାଟନା ସିଟି ଏସପି । ସୂଚନା ଥାଉକି, ୭୦ତମ BPSC କମ୍ବାଇନ୍‌ଡ ପ୍ରିଲିମିନାରି ଏକଜାମିନେସନ୍ ପାଇଁ ଗତ ସେପ୍‌ଟେମ୍ବରରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୨ ହଜାର ୩୧ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆବେଦନ କରିଥିଲେ ୪ ଲକ୍ଷ ୮୩ ହଜାର ଛାତ୍ରଛାତ୍ରୀ । ଗତ ଡିସେମ୍ବର ୧୩ ତାରିଖରେ, ମଧ୍ୟାହ୍ନ ୧୨ଟା ଏବଂ ଅପରାହ୍ନ ୨ଟା ଏମିଚି ଦୁଇଟି ସିପ୍ଟରେ ହୋଇଥି ପ୍ରିଲିମିନାରି ପରୀକ୍ଷା । ୩ ଲକ୍ଷ ୨୫ ହଜାର ଆଶାୟୀ ପରୀକ୍ଷା ଦେଇଛନ୍ତି । ଦୁଇଟି ଯାକ ସିପ୍‌ଟରେ ଆଶାୟୀମାନେ ୧୫୦ ମାର୍କର ଜେନେରାଲ୍ ନଲେଜ୍ ବା ସାଧାରଣ ଜ୍ଞାନ ପରୀକ୍ଷା ଦେଇଛନ୍ତି । ଏହା ପରେ ହେବ ମେନ୍ ବା ମୁଖ୍ୟ ପରୀକ୍ଷା । କିନ୍ତୁ ପ୍ରଲିମିନାରି ପରୀକ୍ଷାରେ ହୋଇଥିବା ନର୍ମାଲାଇଜେସନକୁ ନେଇ ବାହାରିଛି କେଁ ।

Comments are closed.