Latest Odisha News

BREAKING NEWS

ପ୍ରଧାମନ୍ତ୍ରୀଙ୍କୁ ଭେଟିପାରିବେ କି ସାଧାରଣ ନାଗରିକ ? ଜାଣନ୍ତୁ ଉପାୟ, ଆପଣ ବି ଭେଟି ପାରିବେ

ନୂଆଦିଲ୍ଲୀ: ଭାରତ ଏକ ଗଣତାନ୍ତ୍ରିକ ଦେଶ, ଯେଉଁଠାରେ ପ୍ରତ୍ୟେକ ନାଗରିକଙ୍କୁ ନିଜର କଥା ରଖିବାର ଅଧିକାର ରହିଛି । କିନ୍ତୁ ଅଧିକାଂଶ ସାଧାରଣ ଲୋକଙ୍କ ମନରେ ଏହି ପ୍ରଶ୍ନ ରହିଥାଏ ଯେ ସେମାନଙ୍କର ସ୍ୱର ଦେଶର ସର୍ବୋଚ୍ଚ ଆସନ ଯାଏ ପହଞ୍ଚି ପାରିବ କି ? ଜଣେ ସାଧାରଣ ନାଗରିକ କ’ଣ ପ୍ରଧାନମନ୍ତ୍ରୀଙ୍କ ଯାଏ ନିଜର ଅଭିଯୋଗ, ସମସ୍ୟା କିମ୍ବା ପରାମର୍ଶ ପହଞ୍ଚାଇ ପାରିବ ? ଅଧିକାଂଶ ଲୋକଙ୍କୁ ଲାଗେ ଯେ ସରକାର କିମ୍ବା ପ୍ରଧାନମନ୍ତ୍ରୀଙ୍କ ସହ ଯୋଗାଯୋଗ କରିବା କେବଳ ବଡ଼ ନେତା, ଅଧିକାରୀ କିମ୍ବା ବିଶେଷ ଲୋକଙ୍କ ପାଇଁ ହିଁ ସମ୍ଭବ । ସାଧାରଣ ଲୋକଙ୍କ କଥା ତ ଫାଇଲ୍‌ରେ ଦବି ରହିଯାଏ । କିନ୍ତୁ ଆଜିର ଡିଜିଟାଲ ଯୁଗରେ ଏହି ଧାରଣା ପୁରାପୁରି ବଦଳି ଯାଇଛି ।

ବର୍ତ୍ତମାନ ସରକାର ଏପରି ଅନେକ ରାସ୍ତା ଖୋଲି ଦେଇଛନ୍ତି, ଯାହା ଦ୍ୱାରା ଯେ କୌଣସି ନାଗରିକ ସିଧାସଳଖ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (PMO) ଯାଏ ନିଜର କଥା ପହଞ୍ଚାଇ ପାରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଅନେକ ଥର କହିଛନ୍ତି ଯେ ଜନତା ସହ ସଂବାଦ ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି କାରଣରୁ ସରକାର ଅନଲାଇନ୍ ପୋର୍ଟାଲ୍, ସୋସିଆଲ ମିଡିଆ ଏବଂ ଅନ୍ୟାନ୍ୟ ମାଧ୍ୟମ ଦ୍ୱାରା ସାଧାରଣ ଲୋକଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ ଯୋଡ଼ିବାର ବ୍ୟବସ୍ଥା କରିଛନ୍ତି । ତେବେ ଆସନ୍ତୁ ଜାଣିବା ସାଧାରଣ ବ୍ୟକ୍ତି ମଧ୍ୟ ପିଏମ୍‌ଙ୍କ ପାଖକୁ ନିଜର ସମସ୍ୟା ନେଇ ଯାଇ ପାରିବ କି ଏବଂ ପ୍ରଧାନମନ୍ତ୍ରୀଙ୍କ ସହ କିପରି ଭେଟ ହୋଇଥାଏ ।

ଭାରତରେ ସାଧାରଣ ନାଗରିକ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ନିଜର ଅଭିଯୋଗ, ପରାମର୍ଶ କିମ୍ବା ଚିନ୍ତାଧାରା ଅଂଶୀଦାର କରି ପାରିବେ, ଏବଂ ଏହା ପାଇଁ ଅନେକ ଉପାୟ ଉପଲବ୍ଧ ରହିଛି । ସବୁଠାରୁ ସହଜ ଉପାୟ ହେଉଛି ଅନଲାଇନ୍ ପୋର୍ଟାଲ୍ । ସରକାର pmindia.gov.in ନାମକ ଅଫିସିଆଲ ପୋର୍ଟାଲ୍ ତିଆରି କରିଛନ୍ତି, ଯେଉଁଠାରେ ଯାଇ Interact With PM ବିକଳ୍ପ ବାଛି ପାରିବେ । ଏହା ପାଇଁ ପ୍ରଥମେ ଆକାଉଣ୍ଟ ତିଆରି କରି ଲଗ୍‌ଇନ୍ କରି ନିଜର ସମସ୍ୟା, ପରାମର୍ଶ ଦେଇପାରିବେ । ଏହି ପୋର୍ଟାଲ୍‌ରେ ଆପଣ ସମ୍ପର୍କୀତ ଡକ୍ୟୁମେଣ୍ଟ୍‌ସ୍ ମଧ୍ୟ ଆଟାଚ୍ କରି ପାରିବେ ଏବଂ ପରେ Appeal Dashboard ଦ୍ୱାରା ନିଜର ଅଭିଯୋଗର ସ୍ଥିତି ଯାଞ୍ଚ କରି ପାରିବେ ।

ଏହା ଛଡ଼ା ଆପଣ ପିଏମ୍‌ଙ୍କୁ ଚିଠି ମାଧ୍ୟମରେ ମଧ୍ୟ ସିଧାସଳଖ ଲେଖି ପାରିବେ । ଏହା ସହିତ ଆପଣ ପିଏମ୍‌ଙ୍କୁ ଫୋନ୍‌ରେ ମଧ୍ୟ ଯୋଗାଯୋଗ କରି ପାରିବେ । ଫୋନ୍ ନମ୍ବର : +91-11-23012312, କିମ୍ବା ଫ୍ୟାକ୍ସ ଦ୍ୱାରା +91-11-23019545, 23016857 । ଆପଣ ଇମେଲ୍ ମାଧ୍ୟମରେ (narendramodi1234@gmail.com) କିମ୍ବା ସୋସିଆଲ ମିଡିଆ ପ୍ଲାଟଫର୍ମ ଯେମିତି ଟ୍ୱିଟର୍, ଫେସବୁକ୍ ଏବଂ ୟୁଟ୍ୟୁବ୍ ମାଧ୍ୟମରେ ମଧ୍ୟ ପିଏମ୍‌ଙ୍କ ଯାଏଁ ନିଜର କଥା ପହଞ୍ଚାଇ ପାରିବେ ।

ପ୍ରଧାନମନ୍ତ୍ରୀଙ୍କ ସହ କିପରି ଭେଟ ହୋଇଥାଏ ?
ପ୍ରଧାନମନ୍ତ୍ରୀଙ୍କ ସହ ଭେଟିବା ପାଇଁ ଯେ କୌଣସି ସାଧାରଣ ନାଗରିକଙ୍କୁ ଆପଏଣ୍ଟମେଣ୍ଟ ନେବା ଆବଶ୍ୟକ । ଏହା ପାଇଁ ପ୍ରଥମେ ନିଜ ଅଞ୍ଚଳର ସାଂସଦ, ବିଧାୟକ, ମୁଖ୍ୟମନ୍ତ୍ରୀ କିମ୍ବା ସମ୍ପର୍କୀତ ଅଧିକାରୀମାନଙ୍କ ସହ ଯୋଗାଯୋଗ କରିବା ଉଚିତ୍ । ଯଦି ଆପଣଙ୍କ ସମସ୍ୟାର ସମାଧାନ ସ୍ଥାନୀୟ ସ୍ତରରେ ନ ହୁଏ, ତେବେ ଆପଣ ସିଧାସଳଖ ପିଏମ୍ ଅଫିସ୍ (PMO)ରୁ ଆପଏଣ୍ଟମେଣ୍ଟ ପାଇଁ ଅନୁରୋଧ କରି ପାରିବେ । ଏହିଭଳି ସାଧାରଣ ନାଗରିକ ମଧ୍ୟ ନିଜର ପ୍ରସଙ୍ଗ କିମ୍ବା ପରାମର୍ଶକୁ ପ୍ରଧାନମନ୍ତ୍ରୀଙ୍କ ଯାଏ ପହଞ୍ଚାଇ ପାରିବେ ।

Leave A Reply

Your email address will not be published.