Latest Odisha News

ତିନି ବର୍ଷରେ 3 ଲକ୍ଷ ଲୋକଙ୍କୁ କ୍ୟାନସର, ଋଷରୁ ଆସୁଛି ଟିକା !

ନୂଆଦିଲ୍ଲୀ: ଭାରତରେ କ୍ୟାନସର ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ୨୦୨୨ ମସିହାରେ କ୍ୟାନସରର ଆନୁମାନିକ ମାମଲା ସଂଖ୍ୟା ୧୪,୬୧,୪୨୭ ଥିବା ବେଳେ, ୨୦୨୩ରେ ଏହା ୧୪,୯୬,୯୭୨କୁ ଏବଂ ୨୦୨୪ରେ ୧୫,୩୩,୦୫୫କୁ ବୃଦ୍ଧି ପାଇଛି। ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର) ଅନୁସାରେ, କ୍ୟାନସର ମାମଲାରେ ଉତ୍ତର ପ୍ରଦେଶ ପ୍ରଥମ ସ୍ଥାନରେ ରହିଛି। ମହାରାଷ୍ଟ୍ର ଦ୍ୱିତୀୟ, ପଶ୍ଚିମବଙ୍ଗ ତୃତୀୟ, ବିହାର ଚତୁର୍ଥ ଏବଂ ତାମିଲନାଡୁ ପଞ୍ଚମ ସ୍ଥାନରେ ରହିଛି। ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଗୁଜରାଟ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ମଧ୍ୟ କ୍ୟାନସର ମାମଲାରେ ଆଗରେ ରହିଛନ୍ତି।

ରୁଷର ଏମଆରଏନଏ ଭ୍ୟାକସିନ ଉପରେ ନଜର
ମଙ୍ଗଳବାର ସଂସଦରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ, ରୁଷ ସମ୍ପ୍ରତି କ୍ୟାନସର ଚିକିତ୍ସା ପାଇଁ ଏମଆରଏନଏ (mRNA) ଭ୍ୟାକସିନ ବିକଶିତ କରିବାର ଘୋଷଣା କରିଛି। ଏହି ଭ୍ୟାକସିନ ବିଭିନ୍ନ ପ୍ରକାରର କ୍ୟାନସର ରୋଗୀଙ୍କ ପାଇଁ ଚିକିତ୍ସା ପ୍ରଦାନ କରିବାର ଲକ୍ଷ୍ୟ ରଖିଛି। ତେବେ, ଏହାର କ୍ଲିନିକାଲ ପରୀକ୍ଷଣ । ଭାରତ ସରକାର ଏହି ଉନ୍ନତ ଚିକିତ୍ସା ପଦ୍ଧତିର ସମ୍ଭାବନାକୁ ଅନୁଧ୍ୟାନ କରୁଛନ୍ତି ଏବଂ ଏହା ଭାରତୀୟ ରୋଗୀଙ୍କ ପାଇଁ କିପରି ଉପଯୋଗୀ ହୋଇପାରିବ, ତାହା ଉପରେ ନଜର ରଖିଛନ୍ତି ସରକାର।
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ) ଅଧୀନରେ ଏନପି-ଏନସିଡି ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ବିଭିନ୍ନ ସହାୟତା ଯୋଗାଇ ଦିଆଯାଉଛି। ଏହି କାର୍ଯ୍ୟକ୍ରମ ଅଧୀନରେ ୭୭୦ଟି ଜିଲ୍ଲା ହସ୍ପିଟାଲରେ ଏନସିଡି କ୍ଲିନିକ ଏବଂ ୬,୪୧୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଉଛି। ଏହା ସହିତ, କେମୋଥେରାପି ପାଇଁ ୩୭୨ଟି ଜିଲ୍ଲା ଡେ କେୟାର ସେଣ୍ଟର ମଧ୍ୟ ସ୍ଥାପନ କରାଯାଇଛି। ଏହି ସେଣ୍ଟରଗୁଡ଼ିକ ମାଧ୍ୟମରେ ରୋଗୀମାନଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦିଆଯାଉଛି।

ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (ଏଫଏସଏସଏଆଇ) ମାଧ୍ୟମରେ ‘ଇଟ୍ ରାଇଟ୍ ଇଣ୍ଡିଆ’ ଅଭିଯାନ ଚଳାଇ ସ୍ୱାସ୍ଥ୍ୟକର ଖାଦ୍ୟପେୟ ଅଭ୍ୟାସକୁ ପ୍ରୋତ୍ସାହିତ କରାଯାଉଛି। ଏହା କ୍ୟାନସର ଭଳି ରୋଗର ମୂଳ କାରଣ ଯଥା ଅସ୍ୱାସ୍ଥ୍ୟକର ଖାଦ୍ୟକୁ ରୋକିବାରେ ସହାୟକ ହେଉଛି। ସେହିପରି, ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ‘ଫିଟ୍ ଇଣ୍ଡିଆ’ ଅଭିଯାନ ଜାରି ରହିଛି, ଯାହା ଶାରୀରିକ ସୁସ୍ଥତାକୁ ବୃଦ୍ଧି କରୁଛି। ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଯୋଗ ଏବଂ ପାରମ୍ପାରିକ ଚିକିତ୍ସା ପଦ୍ଧତିକୁ ପ୍ରୋତ୍ସାହନ ଦିଆଯାଉଛି, ଯାହା ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟରେ ସୁଧାର ଆଣୁଛି।

ଆଇସିଏମଆରର ରିପୋର୍ଟ ଅନୁସାରେ, ତମାଖୁ ସେବନ, ଅସ୍ୱାସ୍ଥ୍ୟକର ଖାଦ୍ୟ, ମଦ୍ୟପାନ ଏବଂ ପ୍ରଦୂଷଣ କ୍ୟାନସରର ମୁଖ୍ୟ କାରଣ ଭାବେ ଚିହ୍ନଟ ହୋଇଛି। ପୁରୁଷମାନଙ୍କ ମଧ୍ୟରେ ମୁଖ, ଫୁସଫୁସ ଓ ପ୍ରୋଷ୍ଟେଟ କ୍ୟାନସର ଏବଂ ମହିଳାମାନଙ୍କ ମଧ୍ୟରେ ସ୍ତନ, ଗର୍ଭାଶୟ ଓ ଓଭାରି କ୍ୟାନସର ସର୍ବାଧିକ ଦେଖାଯାଉଛି। ଏହାର ପ୍ରତିକାର ପାଇଁ ସରକାର ସ୍କ୍ରିନିଂ, ଶୀଘ୍ର ଚିହ୍ନଟ ଏବଂ ଚିକିତ୍ସା ଉପରେ ଗୁରୁତ୍ୱ ଦେଉଛନ୍ତି।

 

Comments are closed.