Latest Odisha News

BREAKING NEWS

ଅପରେସନ ସିନ୍ଦୂର ପରେ ପ୍ରଥମ ଥର ମୋଦିଙ୍କୁ ଭେଟିବେ ଜିନପିଙ୍ଗ ! ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ: ପାକିସ୍ତାନ ସହ ନିକଟରେ ହୋଇଥିବା ଉତ୍ତେଜନା ଏବଂ ଚୀନର ପାକିସ୍ତାନକୁ ମିଳୁଥିବା ସାହାଯ୍ୟ ପରେ ମଧ୍ୟ ଭାରତ ଓ ଚୀନ ମଧ୍ୟରେ କୂଟନୈତିକକୁ ନେଇ ସକରାତ୍ମ ଭାବେ ଏକ ନୂଆ ସୁଯୋଗ ଦେଖାଦେଇଛି। ଆସନ୍ତା ଜୁଲାଇ ମାସରେ ବ୍ରାଜିଲର ରିଓ ଡି ଜାନେଇରୋରେ ଅନୁଷ୍ଠିତ ହେବାକୁ ଥିବା ୧୭ତମ ବିଆରଆଇସିଏସ ଶିଖର ସମ୍ମେଳନରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନର ରାଷ୍ଟ୍ରପତି ଶି ଜିନପିଙ୍ଗ ମଧ୍ୟରେ ଏକ ବୈଠକ ହୋଇପାରେ। ଗତ ବର୍ଷ ରୁଷିଆର କଜାନ ସହରରେ ଅନୁଷ୍ଠିତ ବିଆରଆଇସିଏସ ବୈଠକ ପରେ ଏହା ହେବ ଉଭୟ ନେତାଙ୍କ ମଧ୍ୟରେ ଦ୍ୱିତୀୟ ସମ୍ଭାବ୍ୟ ମୁହାଁମୁହିଁ। ଯାହାକୁ ଉଭୟ ଦେଶ ମଧ୍ୟରେ ସମ୍ପର୍କ ମଜବୁତ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚନା କରାଯାଉଛି।

ନିକଟ କିଛି ମାସ ମଧ୍ୟରେ ଚୀନ ପାକିସ୍ତାନକୁ ଅତ୍ୟାଧୁନିକ ସୈନ୍ୟ ପ୍ରଯୁକ୍ତି ଯୋଗାଣକୁ ତ୍ୱରାନ୍ୱିତ କରିଛି। ଏଥିରେ ଜେ-୩୫ଏ ଷ୍ଟେଲ୍ଥ ଯୁଦ୍ଧବିମାନ, ସାଟେଲାଇଟ ଯୋଗାଯୋଗ ସୁବିଧା ଏବଂ ପିଏଲ-୧୫ ଏୟାର ଟୁ ଏୟାର ମିସାଇଲ ସାମିଲ ରହିଛି।  ଯାହାକୁ ପାକିସ୍ତାନ ଭାରତ ବିରୁଦ୍ଧରେ ବ୍ୟବହାର କରିଛି। ଏସବୁ ସତ୍ତ୍ୱେ, ଭାରତ ଏହା ନିଶ୍ଚିତ କରିବାକୁ ଚାହୁଁଛି ଯେ ଆଞ୍ଚଳିକ ଉତ୍ତେଜନା ମଧ୍ୟରେ ମଧ୍ୟ ଭାରତ-ଚୀନ ସମ୍ପର୍କରେ ସ୍ଥିରତା ବଜାୟ ରହୁ।

ପହଲଗାମ ଆତଙ୍କବାଦୀ ହମଲା ଓ ତା’ପରେ ହୋଇଥିବା ସୈନ୍ୟ କାର୍ଯ୍ୟାନୁଷ୍ଠାନ ସମୟରେ ଭାରତ ବାରମ୍ବାର ଚୀନକୁ ନିଜର ଅବସ୍ଥାନ ବିଷୟରେ ଅବଗତ କରାଇଥିଲା ଏବଂ ଏହି ସଂଘର୍ଷ ଭାରତ-ଚୀନ ସମ୍ପର୍କକୁ ପ୍ରଭାବିତ ନ କରେ ବୋଲି ଚେଷ୍ଟା କରିଥିଲା। ଯଦିଓ ଚୀନ ପାକିସ୍ତାନର ସୈନ୍ୟ ସମର୍ଥନକୁ ଖୋଲାଖୋଲି ଗ୍ରହଣ କରିନାହିଁ, କିନ୍ତୁ କୂଟନୈତିକ ସ୍ତରରେ ପାକିସ୍ତାନକୁ ସମର୍ଥନ ଜାରି ରଖିଛି। ବିଶେଷକରି, ଚୀନ ପାକିସ୍ତାନକୁ “ସବୁଆବହାୱାର ସାଙ୍ଗ” ବୋଲି ଅଭିହିତ କରି ତା’ର “ସାର୍ବଭୌମତ୍ୱ ଓ ଆଞ୍ଚଳିକ ଅଖଣ୍ଡତା”ର ସୁରକ୍ଷାକୁ ସମର୍ଥନ କରିଛି। ଏହା ସହିତ, ଜାମ୍ମୁ-କାଶ୍ମୀରରେ ହୋଇଥିବା ହମଲାର ନିରପେକ୍ଷ ତଦନ୍ତ ପାଇଁ ପାକିସ୍ତାନର ଆହ୍ୱାନକୁ ମଧ୍ୟ ସମର୍ଥନ କରିଛି, ଯାହାକୁ ଭାରତ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି।

ଭାରତ ପାଇଁ ବିଆରଆଇସିଏସ ଶିଖର ସମ୍ମେଳନ ଏକ ଏଭଳି ମଞ୍ଚ, ଯେଉଁଠାରେ ଏହା ଚୀନ ସହ ସମ୍ପର୍କକୁ  ମଜବୁତ ରଖିବାକୁ ଚେଷ୍ଟା କରିବ। ପ୍ରଧାନମନ୍ତ୍ରୀ ମୋଦୀଙ୍କର ସମ୍ଭାବ୍ୟ ବୈଠକ ଏହା ସଂକେତ ଦେବ ଯେ ଭାରତ ଏହି ବହୁପାକ୍ଷିକ ସଂଗଠନକୁ ଏକ ବ୍ୟାପକ କୂଟନୈତିକ ସୁଯୋଗ ଭାବେ ଦେଖୁଛି। ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ରନ୍ଧୀର ଜୟସ୍ୱାଲ ନିକଟରେ କହିଥିଲେ ଯେ ଭାରତ-ଚୀନ ସମ୍ପର୍କ “ପାରସ୍ପରିକ ବିଶ୍ୱାସ, ସମ୍ମାନ ଓ ସମ୍ବେଦନଶୀଳତା” ଉପରେ ଆଧାରିତ ହେବା ଉଚିତ।

Comments are closed.