Latest Odisha News

BREAKING NEWS

“ମୁଁ ମରି ନାହିଁ, ଆମ୍ୱୁଲାନ୍ସକୁ କଲ କର!”: ୧୨ ମହଲାରୁ ତଳକୁ ଖସିଲେ ମହିଳା, ସ୍ୱାମୀଙ୍କୁ ଲାଗିଲା ସବୁ ସରିଗଲା

ଭୁବନେଶ୍ୱର : କେହି ବଞ୍ଚିବା କିମ୍ବା ମରିବାର ତାରିଖ କେବଳ ଈଶ୍ୱର ହିଁ ନିର୍ଦ୍ଧାରଣ କରନ୍ତି। ଏହାର ପ୍ରମାଣ ମିଳେ ଯେତେବେଳେ କେହି ଦୁଇ ମହଲାରୁ ଖସି ପ୍ରାଣ ହରାନ୍ତି, ଆଉ କେହି ୧୨ ମହଲାରୁ ଖସି ମଧ୍ୟ ବଞ୍ଚି ଯାଆନ୍ତି। ଚୀନ୍‌ର ଜିଆଙ୍ଗସି ପ୍ରଦେଶରେ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ୪୪ ବର୍ଷୀୟ ପେଙ୍ଗ ହୁଇଫାଙ୍ଗ ନାମକ ଜଣେ ମହିଳା ୧୨ ମହଲା ଉଚ୍ଚତାରୁ ଖସି ମଧ୍ୟ ନା କେବଳ ବଞ୍ଚିଛନ୍ତି, ବରଂ ସେ ତଳେ ପଡ଼ିବା ପରେ ସ୍ୱାମୀଙ୍କୁ ଆମ୍ବୁଲାନ୍ସ ଡାକିବା ପାଇଁ ଚିତ୍କାର କରିଥିଲେ।

ସାଧାରଣତଃ କେହି ପଞ୍ଚମ କିମ୍ବା ଷଷ୍ଠ ମହଲାରୁ ଖସିଲେ ମଧ୍ୟ ବଞ୍ଚିବା କଷ୍ଟକର ହୁଏ, କିନ୍ତୁ ଏହି ମହିଳା ୧୨ ମହଲାରୁ ଖସି ମଧ୍ୟ ବଞ୍ଚିବା ସହ ନିଜେ ଆମ୍ବୁଲାନ୍ସ ଡାକିବା ପାଇଁ ଲୋକଙ୍କୁ କହିଥିଲେ। ଏହି ଘଟଣା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି, ଏବଂ ଲୋକେ ଏହାକୁ ଚମତ୍କାର ବୋଲି କହୁଛନ୍ତି।

ଗତ ୧୩ ମେ ୨୦୨୫ରେ ପେଙ୍ଗଙ୍କୁ ତାଙ୍କ ସ୍ୱାମୀଙ୍କଠାରୁ ଏକ ଫୋନ୍‌ ଆସିଥିଲା, ଯିଏ ବ୍ୟବସାୟ କରନ୍ତି। ସେ ଜଣେ ଗ୍ରାହକଙ୍କ ବାଲକୋନି ସିଲ୍‌ କରିବାରେ ସାହାଯ୍ୟ ମାଗିଥିଲେ। ପେଶାରେ ଜଣେ ଫ୍ୟାକ୍ଟ୍ରି କ୍ଲିନର ଥିବା ପେଙ୍ଗ ଭାବିଥିଲେ ଯେ ସେ ଘର ଭିତରେ ସୁରକ୍ଷିତ ଅଛନ୍ତି ଏବଂ ବାଲକୋନିଠାରୁ ଦୂରରେ ରହିଛନ୍ତି। ତେଣୁ ସେ ସୁରକ୍ଷା ରସି (ସେଫ୍ଟି ହାର୍ନେସ୍‌) ପିନ୍ଧି ନଥିଲେ। ସ୍ୱାମୀ-ସ୍ତ୍ରୀ ମିଶି ଏକ ଭାରୀ ଜିନିଷ, ଯାହାର ଓଜନ ଶହ ଶହ କିଲୋଗ୍ରାମ ଥିଲା, କ୍ରେନ୍‌ ସାହାଯ୍ୟରେ ୧୨ ମହଲାକୁ ଉଠାଉଥିଲେ। ହଠାତ୍‌ ଏହା ଏକ ଗଛର ଡାଳରେ ଫସିଗଲା ଓ ନିମିଷେକରେ ତଳକୁ ଖସି ପଡ଼ିଲା। ଏହା ସହିତ କ୍ରେନ୍‌ର ରିମୋଟ କଣ୍ଟ୍ରୋଲ ଧରିଥିବା ପେଙ୍ଗ ମଧ୍ୟ ୧୨ ମହଲା ତଳକୁ ଖସି ପଡ଼ିଲେ।

ପେଙ୍ଗ ସେହି ମୁହୂର୍ତ୍ତକୁ ମନେ ପକାଇ କହିଛନ୍ତି, “ମୋତେ ଲାଗୁଥିଲା ଯେ ମୁଁ ଏବେ ମରିଯିବି, ଏହି ଦୁନିଆକୁ ଚିରଦିନ ପାଇଁ ଛାଡ଼ି ଚାଲିଯିବି।” କିନ୍ତୁ ଭାଗ୍ୟରେ ଅନ୍ୟ କିଛି ଲେଖାଥିଲା। ତାଙ୍କ ଜୀବନ ରକ୍ଷା ହେଲା ଏକ ତାରପାଲିନ (ଆଉନିଂ) ଦ୍ୱାରା, ଯାହା ତଳେ ଥିଲା ଓ ତାଙ୍କ ଆଘାତକୁ ଅଧିକାଂଶ କମାଇ ଦେଇଥିଲା । ଏହା ପରେ ସେ ତଳେ ପଡ଼ିଥିଲେ। ତଳେ ପଡ଼ିବା ପରେ ପେଙ୍ଗ ଯନ୍ତ୍ରଣା ଅନୁଭବ କରି ନଥିଲେ, କିନ୍ତୁ ସେ ହଲଚଲ କରିପାରୁ ନଥିଲେ। ସ୍ୱାମୀ କିଛି ବୁଝି ପାରିବା ପୂର୍ବରୁ ପେଙ୍ଗ ଚିତ୍କାର କରି କହିଥିଲେ, “ମୁଁ ଏବେ ମରି ନାହିଁ, ୧୨୦ ନମ୍ବରକୁ କଲ କର!”

 

Comments are closed.