ମୁମ୍ବାଇ: ଏଥର କେବଳ ଆଇଟମ ସଙ୍ଗରେ ନୁହେଁ, ବରଂ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ଚିତ୍ରାଙ୍ଗଦା ସିଂହ । ସବୁବେଳେ ମର୍ଡ଼ନ ଲୁକରେ ପରଦାରେ ଅଭିନୟ କରିଥିବା ଚିତ୍ରାଙ୍ଗଦା ଏବେ ଏକ ନୂଆ ଲୁକ୍ ଏବଂ ଚରିତ୍ର ସହିତ ନଜର ଆସିବେ । ଫିଲ୍ମ ‘ରାତ୍ ଅକେଲୀ ହୈ: ଦ ବନ୍ସଲ ମଡର୍ସ’ରେ ନଜର ଆସିବେ ଚିତ୍ରାଙ୍ଗଦା ସିଂହ। ଯାହାର ନିର୍ଦ୍ଦେଶନା ଦେଇଛନ୍ତି ହନି ଟ୍ରେହାନ। ପୂର୍ବରୁ ଫିଲ୍ମ ‘ରାତ୍ ଅକେଲୀ ହୈ’ର ପ୍ରଥମ ଭାଗର ଏକ ଗୀତରେ ଚିତ୍ରାଙ୍ଗଦା ସିଂହଙ୍କୁ ଦେଖିବାକୁ ମିଳିଥାନ୍ତା । କିନ୍ତୁ ଏହି ସୁଯୋଗ ତାଙ୍କୁ ମିଳିନଥିଲା । ହେଲେ ଫିଲ୍ମର ଦିତ୍ବୀୟ ଭାଗରେ ତାଙ୍କୁ ମିଳିଛି ମୂଖ୍ୟ ଭୁମିକା । ଯାହାକୁ ନେଇ ବେଶ୍ ଖୁସି ଅଛନ୍ତି ଅଭିନେତ୍ରୀ ।
ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ଚିତ୍ରାଙ୍ଗଦା କହିଛନ୍ତି, ଫିଲ୍ମର ପ୍ରଥମ ଭାଗରେ ଏକ ସ୍ୱତନ୍ତ୍ର ଗୀତ ପାଇଁ ତାଙ୍କୁ ଅନୁରୋଧ କରାଯାଇଥିଲା। ହନି ସିଂହ ଏହି ଗୀତ ପାଇଁ ତାଙ୍କ ସହ ଯୋଗାଯୋଗ କରିଥିଲେ । ଥିଏଟରରେ ମୁକ୍ତିଲାଭ କରିବା ପାଇଁ ଫିଲ୍ମରେ ଏକ ସ୍ୱତନ୍ତ୍ର ଗୀତ ରଖିବାକୁ ନିର୍ମାତା ଚାହୁଁଥିଲେ । କିନ୍ତୁ ଫିଲ୍ମ ଓଟିଟିରେ ମୁକ୍ତିଲାଭ କରିବାରୁ ଗୀତ ଯୋଜନା ବାତିଲ କରାଗଲା । ସିକ୍ୱେଲରେ ଚିତ୍ରାଙ୍ଗଦାଙ୍କୁ ଲିଡ୍ ଲେଡି ଭାବେ କାଷ୍ଟ୍ କରାଯିବା ତାଙ୍କ ପାଇଁ ବଡ଼ ସର୍ପ୍ରାଇଜ୍ ଥିଲା । ନୱାଜୁଦ୍ଦିନ ସିଦ୍ଦିକି ଓ ରାଧିକା ଆପ୍ଟେଙ୍କୁ ପୂର୍ବ ଭଳି ଏଥିରେ ମଧ୍ୟ ଦେଖିବାକୁ ମିଳିବ। ଫିଲ୍ମରେ ଚିତ୍ରାଙ୍ଗଦା ପୁଅକୁ ହରାଇଥିବା ଜଣେ ମା’ ଭୂମିକାରେ ଅଭିନୟ କରିଛନ୍ତି । ଏଥିରେ ଭରପୂର ଶାରୀରିକ ଓ ଭାବନାତ୍ମକ ସଂଯମତା ଆବଶ୍ୟକ ବୋଲି ସେ କହିଛନ୍ତି। ତେବେ ଚିତ୍ରାଙ୍ଗଦାଙ୍କ ଏହି ନୂଆ ଚରିତ୍ରକୁ ଦେଖିବା ପାଇଁ ଦର୍ଶକ ଅପେକ୍ଷା କରିଛନ୍ତି ।