Latest Odisha News

ବର୍ଷା ହେଲେ ବନ୍ଦ ହୋଇଯାଉଛି ଶବଦାହ

ବ୍ରହ୍ମପୁର: ବ୍ରହ୍ମପୁର ସହର ଶ୍ରୀରାମ ନଗର ବାସିନ୍ଦା ଶବଦାହ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। କିଛିଦିନର ବର୍ଷା ଯୋଗୁ ସାହିରେ ଥିବା ଏକମାତ୍ର ଶ୍ମଶାନ କାଦୁଅରେ ଭର୍ତ୍ତି ହୋଇଯାଇଛି । ବର୍ଷା ପାଣି ଜମି ରହିବାରୁ ଶବଦାହ ସମ୍ଭବ ହେଉନି । ବର୍ତ୍ତମାନ ବାସିନ୍ଦାଙ୍କୁ ପ୍ରାୟ ୩ କିମି ଦୂର ନୀଳକଣ୍ଠେଶ୍ବର ଶ୍ମଶାନକୁ ଯିବାକୁ ପଡ଼ୁଛି । ଏହାକୁ ନେଇ ସାହିବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତ କିଛିବର୍ଷ ହେଲା ଏଭଳି ସମସ୍ୟା ଲାଗି ରହିଛି। ଅନେକ ଥର ବ୍ରହ୍ମପୁର ମହାନଗର ନିଗମ ନିକଟରେ ଅଭିଯୋଗ କରାଯାଇଛି । ହେଲେ କର୍ତ୍ତୃପକ୍ଷ ସବୁ ଦେଖି ଯେମିତି ଅଞ୍ଚଳବାସୀଙ୍କୁ ଯନ୍ତ୍ରଣା ଭିତରକୁ ଠେଲି ଦେଇଛନ୍ତି।

 


ମହାନଗର ନିଗମର ୬ ନମ୍ବର ୱାର୍ଡରେ ରହିଛି ଶ୍ରୀରାମ ନଗର ଶ୍ମଶାନ। ଏହି ଶ୍ମଶାନ ଉପରେ ଶ୍ରୀରାମ ନଗର ମୁଖ୍ୟ ରାସ୍ତା, ଶ୍ରୀରାମ ନଗର ପ୍ରଥମ ସାରେଣୀ ଠାରୁ ଆରମ୍ଭ କରି ତୃତୀୟ ସାରେଣୀ, ଆପାରାଓ କଲୋନୀ, ଲିଆରି ସାହି, ମହାରଣା ସାହି, ପନ୍ଦରା ସାହି, ଧାନମେରା ସାହି, ଆଦର୍ଶ ମାର୍ଗ ପ୍ରଥମ ଓ ଦ୍ବିତୀୟ, ଦଶଘରିଆ ଲେନ, ରଥ ସାହି, ଶାନ୍ତି ମାର୍ଗ ପ୍ରଥମରୁ ପଞ୍ଚମ ସାରେଣୀ, ପନ୍ଦରାବାଡ଼ ସାହି, ଆନନ୍ଦ ନଗର, ବ୍ରଜରାଜନଗର ପ୍ରଥମରୁ ପଞ୍ଚମ ସାରେଣୀ ଏବଂ ନୂଆ ରଜା ସାହିର ବାସିନ୍ଦାମାନେ ଶବ ସତ୍କାର ପାଇଁ ନିର୍ଭର କରୁଛନ୍ତି। ପୂର୍ବରୁ ଏହି ଶ୍ମଶାନଟି କେବଳ ପଡ଼ିଆ ଥିଲା । ଏହାର ଉନ୍ନତିକରଣ ଦିଗରେ ବିଶେଷ ଧ୍ୟାନ ଦିଆଯାଇନଥିଲା । ଯାହାଫଳରେ ଶ୍ମଶାନର ଅବସ୍ଥା ଖରାପରୁ ଅତି ଖରାପ ଆଡ଼କୁ ଚାଲିଗଲା। ଶବଦାହ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଖୋଲା ଆକାଶ ତଳେ ଅନ୍ତିମ ସଂସ୍କାର କରାଯାଉଛି। ଅନ୍ୟପଟେ ଅଞ୍ଚଳର ସଫେଇ କର୍ମଚାରୀମାନେ ଆବର୍ଜନା ନେଇ ଶ୍ମଶାନରେ ଗଦା କରିଦେଉଛନ୍ତି। ଶ୍ମଶାନ ଅଞ୍ଚଳ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଯାଇଛି। ଶବଦାହ ବେଳେ ବର୍ଷା କିମ୍ବା ଖରାରୁ ରକ୍ଷା ପାଇଁ ସୁବିଧା ନାହିଁ। ଶ୍ମଶାନର ଉନ୍ନତିକରଣ ପାଇଁ ସାହିବାସୀ ପୂର୍ବରୁ ବହୁବାର ମହାନଗର ନିଗମ ପାଖରେ ଦାବି ରଖିଥିଲେ ।
ଗତ ୨୦୨୧ ଜୁନ୍‌ ୨୫ ତାରିଖରେ ମହାନଗର ନିଗମର ବାର୍ଷିକ ବଜେଟ୍‌ରେ ଏନେଇ ଆଲୋଚନା ହୋଇଥିଲା । ଶ୍ମଶାନକୁ ସ୍ମାର୍ଟ ଶ୍ମଶାନରେ ପରିଣତ କରିବା ପାଇଁ ଏକ କୋଟି ଟଙ୍କାର ବ୍ୟୟ ଅଟକଳକୁ ମଞ୍ଜୁର ହୋଇଥିଲା। ଏହା ଭିତରେ ଏକ ବର୍ଷରୁ ଅଧିକ ସମୟ ହୋଇଯାଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ମହାନଗର ନିଗମର ଅପରାଗତାରୁ ଶବଦାହ ପାଇଁ ଦହଗଞ୍ଜ ଅବସ୍ଥା ଲାଗି ରହିଛି । ଗତ କିଛି ଦିନର ବର୍ଷା ଏହି ସମସ୍ୟାକୁ ଆହୁରି ଗୁରୁତର କରିଛି। ବର୍ଷା ଯୋଗୁ ଶ୍ମଶାନରେ ପାଣି ଜମି ଯାଇଛି। ଗୋଟିଏ ପଟେ ଆବର୍ଜନା ଏବଂ ଅନ୍ୟପଟେ ବର୍ଷା ଜଳ ଜମି ରହିବା ଯୋଗୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ପାଦ ପକାଇବାକୁ ଜାଗା ନାହିଁ। ଏଠାରେ ଶବଦାହ ବନ୍ଦ ରହିଥିବା ଯୋଗୁ ସାହିବାସୀ ବର୍ତ୍ତମାନ ନୀଳକଣ୍ଠେଶ୍ବର ଶ୍ମଶାନକୁ ଯାଉଛନ୍ତି। ଯାହା ପ୍ରାୟ ୩ କିମି ଦୂରରେ ରହିଛି। ଏତେଦୂର ଶବ ନେବାକୁ ସାହିବାସୀ ଅସୁବିଧାର ସମ୍ମୁଖିନ ହେଉଥିଲେ ମଧ୍ୟ ଗୁହାରି ଶୁଣିବାକୁ କେହି ନାହାନ୍ତି । ଏନେଇ କର୍ପୋରେଟର ସ୍ବେତାରେଖା ତ୍ରିପାଠୀଙ୍କ କହିବାନୁଯାୟୀ, ଶ୍ମଶାନର ଉନ୍ନତିକରଣ ପାଇଁ ଏକ ପ୍ରସ୍ତାବ ସରକାରଙ୍କ ପାଖକୁ ଯାଇଛି । ତେବେ ଅନ୍ତଃତ ସେଡ୍‌ ଏବଂ ଅନ୍ୟାନ୍ୟ ମୌଳସିକ ସୁବିଧା ଯୋଗାଇଦେବା ପାଇଁ ମହାନଗର ନିଗମ ନିକଟରେ ଦାବି ରଖାଯାଇଛି । ହେଲେ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।

Comments are closed.