Latest Odisha News

ଅକ୍ଟୋବର ମାସ ଆସିଲେ ଉପକୂଳିଆ ଲୋକଙ୍କୁ ଘାରୁଛି ବାତ୍ୟା ଭୟ

ଭୁବନେଶ୍ୱର: ପ୍ରତିବର୍ଷ ବାତ୍ୟା ଦେଖୁଛି ଓଡ଼ିଶା । କେବେ ମେ’ତ ଆଉ କେବେ ଅକ୍ଟୋବର ଓ ନଭେମ୍ବରରେ ଓଡ଼ିଶାରେ ତାଣ୍ଡବ ରଚୁଛି ସାମୁଦ୍ରିକ ଝଡ଼ । ପାଣିପାଗ ବିଭାଗର ତଥ୍ୟ ଅନୁସାରେ, ବଙ୍ଗୋପସାଗରରେ ୧୮୭୭-୨୦୦୫ ମସିହା ମଧ୍ୟରେ ବଢ଼ିଛି ବାତ୍ୟା ସଂଖ୍ୟା । ମୁଖ୍ୟତଃ ଏସବୁ ବାତ୍ୟା ମେ ମାସରୁ ନେଇ ନଭେମ୍ବର ମାସ ମଧ୍ୟରେ ଆସିଥାଏ । ଆଉ ନଭେମ୍ବରରେ ଆସୁଥିବା ବାତ୍ୟାର ପ୍ରଭାବ ଅଧିକ । ତଥ୍ୟ କହୁଛି ବଙ୍ଗୋପସାଗରରେ ବର୍ଷକୁ ୫ରୁ ୬ଟି ବାତ୍ୟା ଆସିଥାଏ । ଅଧିକାଂଶ ବାତ୍ୟା ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ଅକ୍ଟୋବର ଓ ନଭେମ୍ବରରେ ହୋଇଥାଏ ।

୫୦ ବର୍ଷ ଭିତରେ ଓଡ଼ିଶା ଅନେକ ବାତ୍ୟା ସାମ୍ନା କରିଛି । ୧୯୯୯ ମହାବାତ୍ୟା ପରେ ଓଡ଼ିଶାର ବାତ୍ୟା ମୁକାବିଲା ରଣକୌଶଳ ବଦଳିଥିବା ବେଳେ କମ୍ ଧନଜୀବନ କ୍ଷୟ ହେଉଛି । ତଥାପି ଅକ୍ଟୋବର ମାସ ଆସିଲେ ଉପକୂଳିଆ ଲୋକଙ୍କୁ ଘାରୁଛି ବାତ୍ୟା ଭୟ । ୧୯୯୯ ଅକ୍ଟୋବର ୨୯ରେ ପାରାଦୀପରେ ମାଡ଼ ହୋଇଥିଲା ମହାବାତ୍ୟା । ଦେଖୁ ଦେଖୁ ଚାଲି ଯାଇଥିଲା ୧୦ ହଜାରରୁ ଅଧିକ ଜୀବନ ।

Coastal Belt People Cyclone Fear Grips Coastal Odisha In October

ଏହାପରେ ବାତ୍ୟା ଆସିଛି, ଯାହାର ସଫଳ ମୁକାବିଲା କରିଛି ଓଡ଼ିଶା । ୨୦୧୩ ଓ ୨୦୧୪ ମସିହା ଅକ୍ଟୋବର ମାସରେ ଓଡ଼ିଶା ଲଗାତାର ୨ଟି ଅତି ଭୀଷଣ ବାତ୍ୟାକୁ ସଫଳତାର ସହ ସାମ୍ନା କରିଛି । ୨୦୧୩ ଅକ୍ଟୋବର ୧୨ ତାରିଖରେ ପାରାଦୀପରେ ମାଡ଼ ହୋଇଥିଲା ବାତ୍ୟା ଫାଇଲିନ୍ । ଘଣ୍ଟାପ୍ରତି ୨୧୫ କିଲୋମିଟର ବେଗରେ ବହିଥିଲା ପବନ । ବାତ୍ୟାରେ ୨୧ ଜଣଙ୍କ ଜୀବନ ଯାଇଥିବା ବେଳେ ୧.୩ କୋଟି ଲୋକ ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ପ୍ରଭାବିତ ହୋଇଥିଲେ ।

ସେହିଭଳି ୨୦୧୪ ଅକ୍ଟୋବର ୧୨ରେ ବିଶାଖପାଟ୍ଟଣମରେ ବାତ୍ୟା ହୁଡହୁଡ୍ ଉପକୂଳ ଛୁଇଁଥିଲା । ଘଣ୍ଟାପ୍ରତି ୧୮୫ କିଲୋମିଟର ବେଗରେ ବହିଥିଲା ପବନ । ୩ ଜଣଙ୍କ ପ୍ରାଣହାନି ହୋଇଥିଲା ।  ୨୦୧୮ ଅକ୍ଟୋବର ୧୧ରେ ପଲାସା ନିକଟରେ ଲ୍ୟାଣ୍ଡଫଲ୍ କରିଥିଲା ଅତି ଭୀଷଣ ବାତ୍ୟା ତିତଲି । ୧୫୦ କିଲୋମିଟର ବେଗରେ ପବନ ହୋଇଥିଲା । ୭୭ ଜଣଙ୍କ ଜୀବନ ଯିବା ସହ ୬୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ । ୨୦୧୮ ଗୋଟିଏ ବର୍ଷରେ ଓଡ଼ିଶା ସାମ୍ନା କରିଥିଲା ଦୁଇ ଦୁଇଟି ବାତ୍ୟାକୁ ।

Coastal Belt People Cyclone Fear Grips Coastal Odisha In October

ଏବେ ପୁଣି ଅକ୍ଟୋବରରେ ବାତ୍ୟା ଭୟ ଲୋକଙ୍କୁ ଘାରିଛି । ମୁଖ୍ୟ ଶାସନ ସଚିବ ବାତ୍ୟା ଋତୁ ପାଇଁ ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଗାମୀ ୧୫ ଦିନରେ ମଧ୍ୟରେ ବାତ୍ୟା ନେଇ କୌଣସି ଆଶଙ୍କା ନାହିଁ । ତଥାପି ବାତ୍ୟା ମୁକାବିଲାରେ ରୋଲ୍ ମଡେଲ୍ ସାଜିଥିବା ଓଡ଼ିଶା ବାତ୍ୟା ଋତୁ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଛି ।

Comments are closed.