ଦୁଷ୍କର୍ମ ଏକ ଅପରାଧ, ମାତ୍ର ଏହାକୁ କେବଳ ଅପରାଧ ବୋଲି ଭାବିବାର ସମୟ ଆଉ ନାହିଁ । ଏକ ନିର୍ଦ୍ଧିଷ୍ଟ ଲିଙ୍ଗ କିମ୍ବା ଗୋଷ୍ଠୀ ଉପରେ ହେଉଥିବା ଅପରାଧକୁ ଏକ ସାଧାରଣ ଅପରାଧ ବୋଲି ଭାବିବା ପ୍ରଯୁଯ୍ୟ ହେବନି । କହିବାର ଅର୍ଥ, ଯେମିତି ଅର୍ଥନୀତିକ ଠକେଇ କିମ୍ବା ଅର୍ଥ ସମ୍ବନ୍ଧୀତ ଯେକୌଣସି ଅପରାଧ ପାଇଁ ଏକ ସ୍ୱତନ୍ତ୍ର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗଠନ ହୋଇଛି, ସେହି ଅନୁରୂପ ଏକ ସ୍ୱତନ୍ତ୍ର ଓ ସ୍ୱୟଂଚାଳିତ ବ୍ୟବସ୍ଥା ଏବେ ଦେଶରେ ଆବଶ୍ୟକ ହେଲାଣି ।
ହାଇଦ୍ରାବାଦରେ ପ୍ରିୟଙ୍କା ରେଡ୍ଡୀଙ୍କ ସହ ହୋଇଥିବା ଘୃଣ୍ୟ ଓ ବିବଷ ଘଟଣାର ସମ୍ବେଦନଶୀଳତାକୁ ଦେଖି ଦେଶ ଏବେ ଏହିଭଳି ଏକ ସ୍ୱତନ୍ତ୍ର ପ୍ରଶାସନିକ ଓ ନ୍ୟାୟାଳୟ କଥା ମଧ୍ୟ ଚିନ୍ତା କରିବାର ସମୟ ଆସିଛି । ଅବଶ୍ୟ ଏବେ ଦେଶରେ ପ୍ରିୟଙ୍କା ରେଡ୍ଡୀଙ୍କ ସହାନୁଭୂତିରେ ଦେଖାଦେଇଥିବା ଭାବପ୍ରବଣତା ଯେଉଁ ଦାବି କରୁଛି, ତାହା ଏକରକମର ଅସମ୍ଭବ କଥା । ଉତ୍ତ୍ୟକ୍ତ ଲୋକେ ଚୀନ୍ ଓ ସାଉଦିଆରବ ଭଳି ଦେଶରେ ବଳାତ୍କାର ପାଇଁ ଥିବା ଆଇନ କାନୁନର ଦ୍ୱାହୀ ଦେଇ ବଲାତ୍କାରୀଙ୍କ ପାଇଁ ଫାଶୀର ଦାବି କରିବା ଭାରତ ଭଳି ଦେଶରେ ଏକ ଅସମ୍ଭବ ବ୍ୟାପାର ବୋଲି ବୁଝିବା କଷ୍ଟ ନୁହେଁ । କୋଟିଏ ଦିକୋଟିଏ ଲୋକଙ୍କୁ ଧରି ତିଆରି ହୋଇଥିବା ଦେଶରେ ଏସବୁ ହେବା ସମ୍ଭବ । ଭାରତରେ ନୁହେଁ । ବ୍ୟବସ୍ଥାରେ ଅପରାଧୀ କିମ୍ବା ଦୁର୍ବଳ ମାନସିକତାର ଲୋକ ରୁହନ୍ତି । ଏମାନଙ୍କ ପ୍ରତିଶତକୁ ଯଦି ଏକ ପ୍ରତିଶତରୁ କମ୍ ଧରାଯାଏ, ତେବେ ମଧ୍ୟ ଭାରତରେ ଏମାନଙ୍କ ସଂଖ୍ୟା ଏକ କୋଟି ୩୦ ଲକ୍ଷ ହେବ । ଏହି ସଂଖ୍ୟା ପ୍ରତିଶତରେ ଛୋଟ ଦେଖାଗଲେ ମଧ୍ୟ ଆକାରରେ ବିଶ୍ୱର ୫୦ରୁ ୬୦ ଦେଶଠାରୁ ବଡ଼ । ତା’ ଛଡ଼ା ଯେଉଁ ଦେଶର ଉଦାହରଣ ଦେଇ ଫାଶୀର ଦାବି କୁହୁଳୁଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଗଣତନ୍ତ୍ର ନୁହେଁ କିମ୍ବା ଗଣତନ୍ତ୍ରର ଖୋଳପା ପିନ୍ଧା ଏକଛତ୍ରବାଦରେ ବିଶ୍ୱାସ କରୁଥିବା ଦେଶ । ଏଣୁ ଗହଳିର କ୍ରୋଧ ଯୋଗୁଁ ଦେଶର ଆଇନ ପ୍ରଣିଧାନକାରମାନଙ୍କ ତରବରିଆ ନିଷ୍ପତ୍ତିର ଅପେକ୍ଷା ନରହିବା ଭଲ ।
ମାନବାଧିକାରର ବାର୍ତ୍ତାବହ ସାଜିଥିବା ଦେଶ ଯଦି ବଳାତ୍କାରୀଙ୍କ ପାଇଁ କେବଳ ଫାଶୀର ପ୍ରାବଧାନ ଯୋଡ଼ିବ ତେବେ ତାଲିବାନ ଓ ଭାରତ ଭିତରେ ପ୍ରଭେଦ ଖୋଜିବା କଷ୍ଟ ହେବ । ଅନ୍ୟପକ୍ଷରେ ଦେଶରେ ପ୍ରତିଦିନ ହେଉଥିବା ଦୁଷ୍କର୍ମକୁ ଯେତେ କଡ଼ା ଭାଷାରେ ନିନ୍ଦା କଲେ ମଧ୍ୟ କମ୍ ହେବ । କେବଳ ନିନ୍ଦା ଯେ ଏଭଳି ଘୃଣ୍ୟ କାର୍ଯ୍ୟକଳାପକୁ ରୋକିବାରେ ସମର୍ଥ ନୁହେଁ ତାହା କହିବାର ଆବଶ୍ୟକତା ମଧ୍ୟ ନାହିଁ । ସାରା ଦେଶର ରାଜନୈତିକ, ପ୍ରଶାସନିକ ଓ ନ୍ୟାୟାଳୟ ବ୍ୟବସ୍ଥା ଏକ ଭିନ୍ନ ଦିଗ ଦେବାକୁ ପଡ଼ିବ । ରାଜ୍ୟସଭାରେ ଉପ-ରାଷ୍ଟ୍ରପତି ଭେଙ୍କେୟା ନାୟୁଡ଼ୁଙ୍କ ମନ୍ତବ୍ୟ ଏକଦମ ବାସ୍ତବବାଦୀ ଥିଲା । ସେ କହଥିଲେ, ଆଇନକୁ ପରିବର୍ତ୍ତନ ନକରି ଦେଶର ପ୍ରଶାସନିକ ଓ ରାଜନୈତିକ ବ୍ୟବସ୍ଥାର ଇଚ୍ଚାଶକ୍ତିକୁ ଜାଗ୍ରତ କରିବାର ସମୟ ଆସିଛି । କଥାକୁ ହୃଦୟଙ୍ଗମ କରିବାକୁ ହେବ । ଯଦି ଉପ-ରାଷ୍ଟ୍ରପତିଙ୍କ କଥାରେ ଦେଶର ବ୍ୟବସ୍ଥାରେ ପରିବର୍ତ୍ତନ ଆସିପାରିଲା ତେବେ ମଧ୍ୟ ବଳାତ୍କାରକୁ ନେଇ ଥିବା ସମସ୍ୟା ଆପେ ଆପେ କମିଯିବ । ତେବେ ପ୍ରଶ୍ନ ଉଠେ କିଭଳି? ଆଜିର ସମସ୍ୟା ମଧ୍ୟ ତାହା । ଲୋକେ ପ୍ରଶ୍ନ ପଚାରିବାକୁ ଓ ଦାବି ଉପସ୍ଥାପନକୁ ପ୍ରାଥମିକତା ଦେଉଥିବା ବେଳେ ସମାଧାନର ନକ୍ସା ସମ୍ପର୍କରେ ଆଲୋଚନା କରନ୍ତିନି ।
ଦେଶରେ କ୍ରମାଗତ ଭାବେ ବଢ଼ୁଥିବା ଦୁଷ୍କର୍ମ ବିରୋଧରେ ଲଢ଼ିବାକୁ ହେଲେ କେଉଁ ରାସ୍ତା ଆପଣାଇବାକୁ ହେବେ ସେନେଇ ଖୁବ୍ ଆଲୋଚନା ହୁଏ । ସମାଧାନ ବିଷୟରେ ଚିନ୍ତା କଲା ବେଳେ ପ୍ରଥମ ପ୍ରସଙ୍ଗ ଯାହା କୁ ପ୍ରାଥମିକତା ମିଳିବା ଉଚିତ୍ ତାହା ହେଲା ପ୍ରଶାସନିକ ପ୍ରତିବଦ୍ଧତା । ଦେଶରେ କିଛି ସ୍ଥଳରେ ଏଭଳି ଉଦାହରଣ ଦେଖା ଦେଉଛି ଯେ ଦୁଷ୍କର୍ମ ଅଭିଯୋଗ ନେଇ ଥାନାକୁ ଗଲେ ପୁଲିସ ମାମଲା ଦାୟର କରିବାକୁ ମଧ୍ୟ ପ୍ରସ୍ତୁତ ହେଉନି । ଉତ୍ତରପ୍ରଦେଶ ଉନ୍ନାଓ ଘଟଣା ଏହାର ଏକ ଜ୍ୱଳନ୍ତ ଉଦାହରଣ ଥିଲା । ଜଣେ ମହିଳା କିମ୍ବା ନାବାଳିକା ଅଭିଯୋଗ ନେଇ ଥାନାକୁ ଗଲେ ତୁରନ୍ତ ମାମଲା ଦାୟର ହେବା ପରିବର୍ତ୍ତେ ତାଙ୍କୁ କୈଫତ୍ ମଗାଯାଉଛି । ଘଟଣାକୁ ଗଣମାଧ୍ୟମଠାରୁ ଲୁଚାଇ ରଖିବାକୁ ଉଦ୍ୟମ ହେଉଛି । ଅନ୍ୟ କିଛି ଘଟଣାରେ ରାଜନୀତିକ ଉଦ୍ଦେଶ୍ୟ ସାଧନ ପାଇଁ ମଧ୍ୟ ମାମଲା ଦାୟର ହେଉନି । ହଜାର ହଜାର ଦୁଷ୍କର୍ମ ଘଟଣା କେବଳ ମାମଲା ଦାୟର ନହୋଇ ଚାପି ହୋଇଯାଉଛି । ତେଣୁ ସରକାର ପ୍ରଶାସନିକ ବ୍ୟବସ୍ଥାରେ ସୁଧାର ଆଣନ୍ତୁ । ସ୍ୱତନ୍ତ୍ର ଥାନା କେବଳ ଦୁଷ୍କର୍ମ ଅଭିଯୋଗ ପାଇଁ ତିଆରି ହେଉ । ମହିଳାମାନଙ୍କ ସୁରକ୍ଷା ପାଇଁ ଦୁଷ୍କର୍ମ ବିରୋଧୀ କମିଶନ ନିର୍ମାଣ ହେଉ । ଏହା ମହିଳା କମିଶନଠାରୁ ସ୍ୱତନ୍ତ୍ର ହେଉ । ଅର୍ଥାତ୍ ଯୌନ ଶୋଷଣ କିମ୍ବା ପାରିବାରିକ ହିଂସା ଭିନ୍ନ କଥା, କେବଳ ଗଣଦୁଷ୍କର୍ମ କିମ୍ବା ଦୁଷ୍କର୍ମ ପାଇଁ ସ୍ୱତନ୍ତ୍ର କମିନ ହେଉ । କମିଶନକୁ ସାମ୍ବାଧାନିକ ଅଧିକାର ମିଳୁ । କମିଶନକୁ ନିଜସ୍ୱ ଭାବେ ପ୍ରାଥମିକ ତଦନ୍ତ କରିବାର ଦାୟିତ୍ୱ ଦେବା ଉପରେ ମଧ୍ୟ ବିଚାର କରାଯାଇପାରେ ।
ଦେଶର ପୁଲିସଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଉ । ଅତ୍ୟାଧୁନିକ ବୈଷୟିକ ପଦ୍ଧତିର ବ୍ୟବହାର ହେଉ । ପ୍ରତି ଜିଲ୍ଲା ସଦର ମହକୁମାରେ ଏକ ସ୍ୱତନ୍ତ୍ର ପୁଲିସ କମିଟି ରହୁ, ଯାହାଙ୍କ କାମ କେବଳ ଦୁଷ୍କର୍ମ ଅଭିଯୋଗ ସମ୍ବନ୍ଧୀତ ଦାୟର ହୋଇଥିବା ମାମଲା ଉପରେ ତର୍ଜମା କରିବା ହେଉ, ପୁଲିସ ବିଭାଗ ଉପରେ ଉଚ୍ଚସ୍ତରୀୟ ପ୍ରଶାସନର କଡ଼ା ନଜର ରହୁ । ସେହିଭଳି ପ୍ରଶାସନ ଉପରେ ନଜର ରଖିବା ପାଇଁ ଗଠିତ ସ୍ୱତନ୍ତ୍ର କମିଶନର ଭୂମିକା ରହୁ । ନ୍ୟାୟପାଳିକା ବ୍ୟବସ୍ଥାରେ ମଧ୍ୟ କିଛି ପ୍ରମୁଖ ବଦଳି କରିହେବ, ଏହା ମଧ୍ୟ ନିହାତି ଦରକାର । ଦୁଷ୍କର୍ମ ଅଭିଯୋଗର ନିଷ୍ପତ୍ତି ସର୍ବାଧିକ ତିନି ମାସ ମଧ୍ୟରେ ହେଉ । ଏହାକୁ ଏକ ସାମ୍ବିଧାନିକ ପ୍ରାବଧାନରେ ମଧ୍ୟ ପରିଣତ କରାଯାଉ । ଆମ ନ୍ୟାୟପାଳିକା ବ୍ୟବସ୍ଥାରେ ନ୍ୟାୟ ପାଇଁ ଯଥେଷ୍ଟ ସମୟ ଲାଗିଥାଏ, ତେଣୁ ଏକ ସ୍ୱତନ୍ତ୍ର କୋର୍ଟର ବ୍ୟବସ୍ଥା ହେଉ, ଯାହା ସିଧାସଳଖ ଭାବେ ସୁପ୍ରିମ୍ କୋର୍ଟ ପାଖରେ ଉତ୍ତରଦାୟୀ ରହୁ । ସାରା ଦେଶରେ ଯେକୌଣସି ସ୍ଥାନରେ ଘଟିଥିବା ଦୁଷ୍କର୍ମ ପାଇଁ କେବଳ ଗୋଟିଏ ନ୍ୟାୟପାଳିକା ପାଖରେ କର୍ତ୍ତୃତ୍ୱ ରହୁ । ରାଜ୍ୟରେ ଥିବା ହାଇକୋର୍ଟର ସିଧାସଳଖ ହସ୍ତକ୍ଷେପ ଦୁଷ୍କର୍ମ ମାମଲା ଉପରେ ନରହୁ । କେବଳ ସୁପ୍ରିମୋ କୋର୍ଟ ହିଁ ଏକମାତ୍ର ନ୍ୟାୟାଳୟ ହେଉ, ଯାହାଙ୍କ ପାଖରେ ଏହି ସ୍ୱତନ୍ତ୍ର କୋର୍ଟକୁ ପ୍ରଶ୍ନ ପଚାରିବାର କ୍ଷମତା ରହୁ, ମାତ୍ର ନିର୍ଦ୍ଧାରିତ ସମସସୀମା ମଧ୍ୟରେ ।
ଏବେ ଦେଶରେ ଏକ ଦୁଷ୍କର୍ମ ଘଟଣାରେ ନ୍ୟାୟ ମିଳିବାର ହାରାହାରି ସମୟ ସୀମା ୭ରୁ ୧୦ ବର୍ଷ । ଆମ ବ୍ୟବସ୍ଥାର ବିବଷତା ବଖାଣିବା ପାଇଁ ଏହି ତଥ୍ୟ ଯଥେଷ୍ଟ । ତେବେ ସାମାଧାନର ରାସ୍ତା ଖୋଜିଲା ବେଳେ ଆମକୁ ଏକ ସଭ୍ୟ ରାଷ୍ଟ୍ରର ନାଗରିକ ଭାବେ ଭାବିବାକୁ ପଡ଼ିବ । ଅପରାଧ ଓ ଅପରାଧୀର ଫରକ ବୁଝିବାକୁ ପଡ଼ିବ । ଅପରାଧ ରୋକିବାକୁ ପ୍ରାଥମିକତା ଦେଇ ଅପରାଧୀକୁ କ୍ଷମା କରିବାକୁ ପଡ଼ିବ । ଏତେ ବଡ଼ ଦେଶରେ ଯେତେ କମ୍ ପ୍ରତିଶତର ଦୁଷ୍କର୍ମ ହେଲେ ମଧ୍ୟ ଏହାର ସଂଖ୍ୟା ଯେ ନିହାତି ଭାବେ ଆଖିଦୃଶିଆ ହେବେ ସେଥିରେ ସନ୍ଦେହ ନାହିଁ । ଯଦି ସମସ୍ତଙ୍କୁ ଆମେ ଫାଶୀ ଶ୍ରେଣୀଭୁକ୍ତ କରିବା ଆରମ୍ଭ କରିବା ତେବେ ଫାଶୀଖୁଣ୍ଟକୁ ମଧ୍ୟ ଫୁରସତ୍ ମିଳିବନି ।
ଏଣୁ ଏକ ବିଚାରଯୋଗ୍ୟ ସମାଧାନ ପାଇଁ ଚିନ୍ତା ହେବା ଭଲ । ବ୍ୟବସ୍ଥା ଥିଲେ, ଖରାପ ଓ ଭଲ ଉଭୟ ରହିବେ । ଖରାପ ମଣିଷର ମାନସିକତାକୁ ମାରିବା ଏକ ରାଷ୍ଟ୍ରର କର୍ତ୍ତବ୍ୟ । ଅନ୍ୟପକ୍ଷରେ ମହିଳାଙ୍କ ସହ କ୍ରମାଗତ ଭାବେ ହେଉଥିବା ନିର୍ଯ୍ୟାତନା ବିରୋଧରେ ସରକାର ପ୍ରଶାସନିକ ଓ ନ୍ୟାୟପାଳିକା ବ୍ୟବସ୍ଥାରେ ଯଥାଶୀଘ୍ର ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିବା ଉଚିତ୍ ।
Comments are closed.