Latest Odisha News

ଆଗ୍ରେସିବ ମୋଡରେ ରାହୁଲ, ଦିଲ୍ଲୀ ରାଜନୀତିରେ ଓଲଟା ଫାଇଟ !

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ ଦୋସ୍ତି ଆଉ ଏବେ ବିଧାନସଭା ନିର୍ବାଚନରେ କୁସ୍ତି । ଏ ହେଉଛି ଦିଲ୍ଲୀରେ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ମଧ୍ୟରେ ରାଜନୈତିକ ସମ୍ପର୍କ । ଯେତେବେଳେ ଦୁର୍ନୀତି ପ୍ରସଙ୍ଗରେ ବିଜେପି ଶାସକ ଆମ୍ ଆଦମୀ ପାର୍ଟିକୁ ଘେରୁଥିଲା, ସେତେବେଳେ କଂଗ୍ରେସ ସଫ୍ଟ ପଲିଟିକ୍ସ କରୁଥିଲା । ହେଲେ ନିର୍ବାଚନ ଋତୁରେ କେବଳ ଆପ୍ ନୁହେଁ ବରଂ ଦଳର ମୁଖିଆ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ନିଶାନା କରିବାକୁ ଭୁଲି ନଥିଲେ । ରାହୁଲ କେଜ୍ରିଓ୍ବାଲଙ୍କ ପ୍ରତି ଏଭଳି ଶବ୍ଦ ବ୍ୟବହାର କରିଥିଲେ, ଯାହା ଦିଲ୍ଲୀ ରାଜନୀତିକୁ ବେଶ୍ ସରଗରମ କରିଛି । ଯେଉଁ ମଦ ଦୁର୍ନୀତିରେ ଆପ୍ ଛନ୍ଦି ହୋଇଥିଲା, ସେହି ଦୁର୍ନୀତି ପ୍ରସଙ୍ଗ ଉଠାଇ କେଜ୍ରିଓ୍ବାଲଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧି । ଏଥି ସହ ପ୍ରଦୂଷଣ, ବେରୋଜଗାର ପ୍ରସଙ୍ଗରେ ମନ ଇଛା ବର୍ଷିଛନ୍ତି । ସେହିଭଳି ବିଜେପି ଉଠାଉଥିବା ଆଲିସାନ ବଙ୍ଗଳା ପ୍ରସଙ୍ଗ ଉଠାଇ, କେଜ୍ରିଓ୍ବାଲଙ୍କୁ ଘେରିଥିଲେ ।

ପ୍ରଥମ ଥର ପାଇଁ କେଜ୍ରିଓ୍ବାଲଙ୍କୁ ସିଧା ସିଧା ଏଭଳି ନିଶାନା କରିଛନ୍ତି ରାହୁଲ ଗାନ୍ଧି । ଯାହାର ଜବାବ ରଖିଛି ଆପ୍ । ଦଳ କହିଛି, ବିଜେପି ମିଛ ମାମଲାରେ ଆପ୍ ନେତାଙ୍କୁ ଜେଲ ପଠାଇଥିଲା । ସମସ୍ତେ ଏବେ ବେଲରେ ଅଛନ୍ତି । ହେଲେ ରାହୁଲ ଓ ତାଙ୍କ ପରିବାର ନ୍ୟାଶନାଲ ହେରାଲ୍ଡ ମାମଲାରେ କାହିଁକି ଗିରଫ ହୋଇନାହାନ୍ତି ବୋଲି ଦଳ ପ୍ରଶ୍ନ କରିଛି । ଯଦି କଂଗ୍ରେସ ଦିଲ୍ଲୀରେ ୮ରୁ ୧୦ ଆସନ ଅକ୍ତିଆର କରେ । ଏହି ସମସ୍ତ ଆସନ ଆପ୍ ଖାତାରୁ ଖସେ , ତେବେ ବିଜେପିକୁ ସିଧାସଳଖ ଏହାର ଫାଇଦା ହେବ । ଏଭଳିକି ବିଜେପି ମ୍ୟାଜିକ ନମ୍ବର ଛୁଇଁବା ନେଇ ଆକଳନ କରୁଛନ୍ତି ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ । ଏଣୁ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟିର ଶୀର୍ଷ ନେତୃତ୍ବ ଉଭୟ ଉଭୟଙ୍କ ବିରୋଧରେ ମତ ନରଖି, ଏକ ହେବା ପାଇଁ ଉଦ୍ଧବ ଠାକେରଙ୍କ ଶିବସେନା ପରାମର୍ଶ ଦେଇଛି ।

ଦିଲ୍ଲୀରେ ସଂଖ୍ୟାଲଘୁ ଭୋଟ୍ ଉପରେ ରହିଛି ଉଭୟ କଂଗ୍ରେସ ଓ ଆପ୍‌ର ନଜର । କଂଗ୍ରେସ ଯଦି ଅଧିକରୁ ଅଧିକ ସଂଖ୍ୟାଲଘୁ ଭୋଟ୍ ହାତେଇବାରେ ସଫଳ ହୁଏ, ତେବେ ଆପ୍ ପାଇଁ ବିପଦ ସୃଷ୍ଟି ହୋଇପାରେ । ଯାହାର ଫାଇଦା ନେଇପାରେ ବିଜେପି । ଏଣୁ ଆଗାମୀ ଦିନରେ ଆପ୍ ପାଇଁ ଟିଏମସି ଓ ସମାଜବାଦୀ ପାର୍ଟି ନେତା ଦିଲ୍ଲୀରେ ପ୍ରଚାର କରିବା ପାଇଁ ଯୋଜନା ରହିଛି ।

Comments are closed.