ନୂଆଦିଲ୍ଲୀ : ନିର୍ବାଚନ ଯେତେ ପାଖେଇ ଆସୁଛି ଦିଲ୍ଲୀ ରାଜନୀତି ସେତେ ସରଗରମ ହେଉଛି । କେତେବେଳେ ଟିକେଟ ବଣ୍ଟକୁ ନେଇ ଅସନ୍ତୋଷ ଆଉ କେତେବେଳେ ନେତାଙ୍କ ବୟାନକୁ ନେଇ ବିବାଦ । ଆଉ ଏ ସବୁ ଭିତରେ କିଏ କେଉଁଠୁ ନିର୍ବାଚନ ଲଢ଼ିବ ସେନେଇ ବି ଉତ୍ସୁକତା ବଢୁଛି । ଏବେ ଦିଲ୍ଲୀ ରାଜନୀତିରେ ସବୁଠାରୁ ବଡ଼ ଖବର ହେଉଛି ଯେ ଖୋଦ୍ ଦିଲ୍ଲୀ ବିଜେପି ସଭାପତି ନିର୍ବାଚନ ନ ଲଢ଼ିବା । ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚ୍ଚଦେବା ନିର୍ବାଚନ ଲଢ଼ିବେନି ବୋଲି ଜଣାପଡ଼ିଛି । ଆଉ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି ।
ଆସନ୍ତା ମାସରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତାରିଖ ଘୋଷଣା ହୋଇ ନଥିଲେ ମଧ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ସମସ୍ତ ୭୦ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । କଂଗ୍ରେସ ୫୦ରୁ ୬୦ ପ୍ରତିଶତ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ପ୍ରକାଶ କରି ସାରିଥିବା ବେଳେ ଏଯାଏଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିନି ବିଜେପି । ଦିଲ୍ଲୀରେ ଗତ ଦୁଇଟି ଟର୍ମ ଧରି ଆମ୍ ଆଦମୀ ପାର୍ଟି ନିରଙ୍କୁଶ ସଂଖ୍ୟା ଗରିଷ୍ଠତାରେ ସରକାର ଗଢ଼ିଛି । ୨୦୧୫ ଓ ୨୦୨୦ରେ ଆମ୍ ଆଦମୀ ପାର୍ଟିକୁ ମିଳିଥିଲା ବିପୁଳ ଜନ ସମର୍ଥନ । ତେବେ ୨୦୧୪ରୁ କିନ୍ତୁ ଗୋଟେ ବି ଲୋକସଭା ଆସନ ଜିତିପାରିନି କେଜ୍ରିୱାଲଙ୍କ ପାର୍ଟି । ଦୁଇଟିଯାକ ଟର୍ମରେ ୭ଟିଯାକ ଆସନ ବିଜେପି ଖାତାକୁ ଯାଇଛି । ଚତୁର୍ଥ ଥର ପାଇଁ ଦିଲ୍ଲୀରେ ବିଜେପି କ୍ଷମତାସୀନ ହେବାକୁ ଆଶା ବାନ୍ଧିଛି ।
ସେପଟେ ଦୀର୍ଘ ୨୭ ବର୍ଷ ଧରି ଦିଲ୍ଲୀରେ କ୍ଷମତାରୁ ବାହାରେ ରହିଛି ବିଜେପି । ତାରିଖ ଘୋଷଣା ହୋଇ ନଥିଲେ ମଧ୍ୟ ଆପ୍ ଓ ବିଜେପି ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜୋର ହେଲାଣି । ଭୋଟର ତାଲିକାକୁ ନେଇ ଦୁଇ ଦଳ ମୁହାଁମୁହିଁ ହେଉଛନ୍ତି । ଏଥି ସହିତ ପୋଷ୍ଟର ୱାର୍ ମଧ୍ୟ ସୀମା ଟପିଲାଣି । ପ୍ରାୟ ଅଧିକାଂଶ ସମୟ ସାମ୍ବାଦିକ ସମ୍ମିଳନୀ କରି ଆପ୍ ବିରୋଧରେ ବିଷୋଦଗାର କରୁଛନ୍ତି ବୀରେନ୍ଦ୍ର ସଚ୍ଚଦେବା । କିନ୍ତୁ କାହିଁକି ସେ ନିର୍ବାଚନ ଲଢ଼ିବେନି, ସେନେଇ ବିଜେପି ପକ୍ଷରୁ କିଛି କୁହାଯାଇନି । ସେପଟେ ହରିୟାଣା ଓ ମହାରାଷ୍ଟ୍ର ନିର୍ବାଚନରେ ବିଜେପି କୁଳଗୁରୁ ଆରଏସଏସର ଭୂମିକାକୁ ନେଇ ଦିଲ୍ଲୀରେ ଆଶଙ୍କାୟିତ ଅବସ୍ଥାରେ କେଜ୍ରିୱାଲ । ଦିଲ୍ଲୀରେ ବିଜେପି ପାଇଁ ଆରଏସଏସ ପ୍ରଚାର କରିବ କି ବୋଲି ଜାଣିବାକୁ ଚାହିଁଛନ୍ତି କେଜ୍ରିୱାଲ । ଏନେଇ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ପତ୍ର ଲେଖିଛନ୍ତି କେଜ୍ରିୱାଲ ।