Latest Odisha News

ଦିଲ୍ଲୀ ରାଜନୀତିରେ ବଡ଼ ହଲଚଲ ! ପୁଣି ଅଡୁଆରେ ପଡ଼ିଲା ଆପ୍, ଘେରିଲା ବିଜେପି

ନୂଆଦିଲ୍ଲୀ : ଦିଲ୍ଲୀରେ ଜୋରଦାର ହେଉଛି ନିର୍ବାଚନୀ ପ୍ରଚାର। କଂଗ୍ରେସ, ବିଜେପି ଓ ଆମ ଆଦମୀ ପାର୍ଟି ଭିତରେ ଆରୋପ ପ୍ରତ୍ୟାରୋପ ବି ତୀବ୍ର ହେଉଛି। ହେଲେ ଏହାରି ଭିତରେ ଦିଲ୍ଲୀର ରାଜନୈତିକ ପାଣିପାଗକୁ ସରଗରମ କରିଦେଇଛି CAG ରିପୋର୍ଟ। ନିର୍ବାଚନୀ ପ୍ରଚାର ଭିତରେ ବହୁ ଚର୍ଚ୍ଚିତ ଅବକାରୀ ଦୁର୍ନୀତି ଉପରେ ଆସିଛି CAG ରିପୋର୍ଟ । ଏଥିର କୁହାଯାଇଛି, ଅବକାରୀ ଦୁର୍ନୀତି ପାଇଁ ରାଜକୋଷର ୨ ହଜାର ୨୬ କୋଟି ଟଙ୍କା କ୍ଷତି ହୋଇଛି । ଆଉ ଏହି ସିଏଜି ରିପୋର୍ଟକୁ ନେଇ ଦିଲ୍ଲୀର ଆପ୍ ସରକାରକୁ ଘେରିଛି ବିଜେପି ।

CAG ତାଙ୍କ ରିପୋର୍ଟରେ କହିଛନ୍ତି ଯେ, ଅବକାରୀ ଦୁର୍ନୀତି ପାଇଁ ଦିଲ୍ଲୀ ରୋଜକୋଷର ୨ ହଜାର ୨୬ କୋଟି ଟଙ୍କା କ୍ଷତି ହୋଇଛି । ଅବକାରୀ ଆଇନର ସଠିକ କାର୍ଯ୍ୟକାରୀତା ହୋଇ ନଥିବାରୁ ରାଜକୋଷର ଏହି କ୍ଷତି ହୋଇଛି । ଏବେ ବି କିଛି ଲାଇସେନ୍‌ସଧାରୀ କ୍ଷତି ସହୁଥିବା CAG କହିଛନ୍ତି । ଖାଲି ସେତିକି ନୁହେଁ, ଅବକାରୀ ଦୁର୍ନୀତି ପାଇଁ ଦିଲ୍ଲୀର କରଦାତା କ୍ଷତି ସହିଥିବା ବେଳେ ସରକାରର ନେତା ଓ ମନ୍ତ୍ରୀ ପ୍ରବଳ ଲାଞ୍ଚ ଖାଇଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି। ସିଏଜି ତାଙ୍କ ରିପୋର୍ଟରେ ଆହୁରି କହିଛନ୍ତି ଯେ ମନୀଷ ସିସୋଦିଆ ଅବକାରୀ ମନ୍ତ୍ରୀ ଥିବା ବେଳେ ଦୁର୍ନୀତି ସାମ୍ନାକୁ ଆସିଥିଲା । ବିଶେଷଜ୍ଞ ପ୍ୟାନେଲ୍ ଯେଉଁ ପ୍ରସ୍ତାବ ଦେଇଥିଲା, ତାହା କାର୍ଯ୍ୟକାରୀ କରି ନଥିଲେ ମନୀଷ ସିସୋଦିଆ ଏବଂ ତାଙ୍କ ମନ୍ତ୍ରାଳୟ । ଯେଉଁଥି ପାଇଁ ରାଜକୋଷକୁ ଏତେ ପରିମାଣର କ୍ଷତି ସହିବାକୁ ପଡ଼ିଲା ବୋଲି କହିଛନ୍ତି CAG ।

CAG ତାଙ୍କ ରିପୋର୍ଟରେ କହିଛନ୍ତି ଯେ, ଅବକାରୀ ଆଇନର ଉଲ୍ଲଂଘନ ବେଳେ ଦିଲ୍ଲୀ ସରକାରଙ୍କ କ୍ୟାବିନେଟ୍ କିମ୍ବା ଉପରାଜ୍ୟପାଳ ସଠିକ ପଦକ୍ଷେପ ନେଇ ନାହାନ୍ତି । ଅବକାରୀ ଆଇନରେ ଯେଉଁ ପରିବର୍ତ୍ତନ ଅଣା ଯାଇଥିଲା, ତାହା ମଧ୍ୟ ବିଧାନସଭାରେ ଉପସ୍ଥାପନ କରାଯାଇ ନଥିଲା । ଅବକାରୀ ଦୁର୍ନୀତିରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ଆପ୍ ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂହ ଏବଂ ଭାରତ ରାଷ୍ଟ୍ର ସମିତି ନେତ୍ରୀ କେ. କବିତାଙ୍କ ସମେତ କିଛି ବ୍ୟବସାୟୀ ଏବଂ ଆଉ କିଛି ନେତା ଗିରଫ ହୋଇଥିଲେ । ଏମାନେ ଏବେ ଜାମିନରେ ଅଛନ୍ତି । ଇଡି ଓ ସିବିଆଇ ଏମାନଙ୍କ ବାସଭବନ, ଅଫିସ ଆଦିରେ ଏକାଧିକ ଥର ଚଢ଼ାଉ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମନି ଟ୍ରେଲ୍‌-ର କୌଣସି ସୁରାକ ପାଇ ନାହାନ୍ତି । ତେବେ ଦିଲ୍ଲୀ ନିର୍ବାଚନ ପାଇଁ ବିଗୁଲ୍ ବାଜି ସାରିଥିବା ବେଳେ CAGଙ୍କ ଅବକାରୀ ଦୁର୍ନୀତି ସଂକ୍ରାନ୍ତ ରିପୋର୍ଟକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

Comments are closed.