ନୂଆଦିଲ୍ଲୀ : ବାଜିଲା ଦିଲ୍ଲୀ ନିର୍ବାଚନର ବିଗୁଲ । ଆସନ୍ତା ଫେବ୍ରୁଆରି ୫ ତାରିଖରେ ହେବ ନିର୍ବାଚନ । ହେଲେ ଏହାରି ଭିତରେ ଆରମ୍ଭ ହୋଇଛି ଭିନ୍ନ ଭିନ୍ନ ଆକଳନ । ଏଥର କାହା ସପକ୍ଷରେ ରହିଛି ଦିଲ୍ଲୀ ଭୋଟ ? ୨୦୧୫ରୁ ଏଠି ଆମ୍ ଆଦମୀ ପାର୍ଟିର ସରକାର ଚାଲିଥିବା ବେଳେ ୨୭ ବର୍ଷ ପରେ ଦିଲ୍ଲୀ ଦଖଲ କରିବାକୁ ଚେଷ୍ଟା ଆରମ୍ଭ କରି ଦେଇଛି ଭାରତୀୟ ଜନତା ପାର୍ଟି । ସେପଟେ ୧୧ ବର୍ଷ ପରେ କମ୍ ବ୍ୟାକ୍ କରିବାକୁ ଆଶା ବାନ୍ଧିଛି କଂଗ୍ରେସ । ତାରିଖ ଘୋଷଣା ହେବା ପରେ ସବୁ ରାଜନୈତିକ ଦଳର ନେତା ଉତ୍ସାହିତ ।
ଦିଲ୍ଲୀ ରାଜନୀତିରେ ଏଥର ଦେଖିବାକୁ ମିଳିଛି ଜୋରଦାର ଫାଇଟ । ରାଜ୍ୟରେ ପ୍ରମୁଖ ତିନି ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରି ଫୁଲ୍ ଦମରେ ମୈଦାନକୁ ଓହ୍ଲାଇଛନ୍ତି । ଏକ ସମୟରେ ଦିଲ୍ଲୀରେ ସୁପ୍ତ ହୋଇ ରହିଥିବା କଂଗ୍ରେସ ଏଥର କିନ୍ତୁ ପୂରା ଜୋସ୍ରେ ରହିଛି । ବିଭିନ୍ନ ପ୍ରସଙ୍ଗରେ ଦଳ ଆପ୍ ସରକାରକୁ ଘେରିବା ସହ ବିଜେପିକୁ ବି ଟାର୍ଗେଟ କରୁଛି । ଗୋଟିଏ ସମୟରେ ଇଣ୍ଡିଆ ମେଣ୍ଟରେ ଥିବା ଏହି ଦୁଇ ଦଳ ଏବେ କିନ୍ତୁ ସାମ୍ନା ସାମ୍ନି ହୋଇଛନ୍ତି । ଗତ ଲୋକସଭା ନିର୍ବାଚନରେ ଦିଲ୍ଲୀରେ ଏକାଠି ନିର୍ବାଚନ ଲଢ଼ିଥିଲେ କଂଗ୍ରେସ ଓ ଆପ୍ । ଯେଉଁଥିରେ କଂଗ୍ରେସ ୪ଟି ଓ ଆପ୍ ୩ଟି ଆସନ ଲଢ଼ିଥିଲେ । କିନ୍ତୁ ୭ଟି ଯାକ ବିଜେପି ଖାତାକୁ ଯାଇଥିଲା। ନିକଟରେ ଶେଷ ହୋଇଥିବା ହରିୟାଣା ବିଧାନସଭା ନିର୍ବାଚନରେ ମଧ୍ୟ ଦୁଇ ଦଳ ମଧ୍ୟରେ ଆସନ ବୁଝାମଣା ହୋଇପାରି ନଥିଲା । ଆଉ ଏବେ ଦିଲ୍ଲୀ ବିଧାନସଭା ନିର୍ବାଚନ ଦୁଇ ଦଳ ମଧ୍ୟରେ ହେଉଛି କଡ଼ା ଟକ୍କର । କଂଗ୍ରେସ କେଜ୍ରିୱାଲଙ୍କ ବିରୋଧରେ ସନ୍ଦୀପ ଦୀକ୍ଷିତଙ୍କୁ ପ୍ରାର୍ଥୀ କରିଛି । ଏଥିରୁ ସ୍ପଷ୍ଟ ହେଉଛି ଯେ କଂଗ୍ରେସ ମଧ୍ୟ ଏଥର ନିର୍ବାଚନରେ ପୂରା ଦମ୍ରେ ମୈଦାନକୁ ଓହ୍ଲାଇଛି ।
ଅନ୍ୟପଟେ ଦିଲ୍ଲୀରେ କଂଗ୍ରେସ ଯଦି ଅଧିକ ମଜବୁତ ହେଉଛି ତେବେ ଏହା କାହାକୁ ଅଧିକ ଫାଇଦା ଦେବ ? ଏନେଇ ମଧ୍ୟ ଆକଳନ ଆରମ୍ଭ ହେଲାଣି । ଦିଲ୍ଲୀରେ ୨୦୧୫ରୁ ଆପ ଶାସନ କ୍ଷମତାରେ ରହିଆସିଛି। ୨୦୧୩ ନିର୍ବାଚନ ପରେ ଆପ୍ ସରକାରକୁ ଆସିଲା। ହେଲେ ଏହି ସରକାର ମାତ୍ର ୪୯ ଦିନ ରହିଥିଲା। ଲଗାତାର ୧୦ ବର୍ଷର ଆଣ୍ଟି ଇନକମ୍ୱେନ୍ସି ପରେ କୌଣସି ଦଳ ପାଇଁ ଏହାକୁ ଚ୍ୟାଲେଞ୍ଜ କରିବା ଏତେଟା ସହଜ ହୁଏ ନାହିଁ । ଏଥିପାଇଁ ସରକାରରେ ଥିବା ଦଳ ସବୁବେଳେ ଚାହେଁ ନିର୍ବାଚନୀ ମୈଦାନରେ ଅଧିକରୁ ଅଧିକ ଦଳ ଆସୁ। ଏହା ପଛର ରଣନୀତି ହେଉଛି ଆଣ୍ଟି ଇନକମ୍ୱେନ୍ସି ଭୋଟ ଭାଗ ଭାଗ ହେବା। ନିକଟରେ ହରିଆଣାରେ ମଧ୍ୟ ଏମିତି ହୋଇଥିଲା। ବହୁକୋଣୀୟ ମୁକାବିଲାରେ ଆଣ୍ଟି ଇନକମ୍ୱେନ୍ସି ଭୋଟ ଭାଗ ଭାଗ ହେବା ଫଳରେ ବିଜେପି ପୁଣି ସରକାରକୁ ଆସିଥିଲା। ଏହି କ୍ରମରେ ଦିଲ୍ଲୀରେ ଯଦି ଆଣ୍ଟି ଇନକମ୍ୱେନ୍ସି ଭୋଟ ଭାଗ ଭାଗ ହୁଏ ତେବେ ଏହାର ଫାଇଦା ଆପକୁ ମିଳିବ ବୋଲି ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି।
ସୂଚନାଥାଉକି, ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ଫେବୃଆରୀ ୫ରେ ଏକା ଥରକେ ସରିବ ସମସ୍ତ ୭୦ ବିଧାନସଭା ଆସନରେ ଭୋଟିଂ । ସେହିପରି ୮ ତାରିଖରେ ଗଣତି ସହ ସ୍ପଷ୍ଟ ହୋଇଯିବ, ଆଗାମୀ ୫ ବର୍ଷ ପାଇଁ ଦିଲ୍ଲୀ କାହାର ହେବ । ଆସନ୍ତା ଜାନୁଆରୀ ୧୦ ତାରିଖରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ୧୭ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ହୋଇଥିବା ବେଳେ ୧୮ ତାରିଖରେ ହେବ ପ୍ରାର୍ଥିପତ୍ର ଯାଞ୍ଚ । ୨୦ ତାରିଖ ରହିଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ।