ନୂଆଦିଲ୍ଲୀ: ଭାରତର ‘ଆଇରନ ଲେଡି’ ଇନ୍ଦିରା ଗାନ୍ଧୀ ତାଙ୍କର ଦୃଢ଼ ନେତୃତ୍ୱ ଓ କୂଟନୈତିକ ଦକ୍ଷତା ପାଇଁ ଆଜି ଲୋକେ ତାଙ୍କୁ ପ୍ରସଂଶା କରନ୍ତି। ୧୯୭୧ରେ ପାକିସ୍ତାନକୁ ବିଭାଜିତ କରି ବାଂଲାଦେଶ ଗଠନରେ ତାଙ୍କର ନିର୍ଣ୍ଣାୟକ ଭୂମିକା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ। କିନ୍ତୁ ଏହାରି ଭିତରେ ଇନ୍ଦିରାଙ୍କ ଏମିତି କିଛି କାର୍ଯ୍ୟ ଥିଲା ଯାହା ସେତେବେଳେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଯୁଦ୍ଧର ମାତ୍ର ତିନି ବର୍ଷ ପରେ ଇନ୍ଦିରା ପାକିସ୍ତାନକୁ ଭାରତର ପରମାଣୁ ପ୍ରଯୁକ୍ତି ସେୟାର କରିବାକୁ ପ୍ରସ୍ତାବ ଦେଇଥିଲେ। ୨୦୧୩ରେ ଉଇକିଲିକ୍ସ ଦ୍ୱାରା ପ୍ରକାଶିତ ଆମେରିକୀୟ ଦୂତାବାସର ଗୁପ୍ତ ତାରସଂଦେଶ (କେବୁଲ୍ସ)ରୁ ଏହି ଚାଞ୍ଚଲ୍ୟକର ଖୁଲାସା ହୋଇଛି, ଯେଉଁଥିରେ ୨୨ ଜୁଲାଇ ୧୯୭୪ରେ ଇନ୍ଦିରାଙ୍କ ସଂସଦୀୟ ବୟାନର ଉଲ୍ଲେଖ ରହିଛି।
‘ସ୍ମାଇଲିଂ ବୁଦ୍ଧ’ ଓ ଇନ୍ଦିରାଙ୍କ ଅଭୂତପୂର୍ବ ପ୍ରସ୍ତାବ
୧୯୭୪ରେ ଭାରତ ‘ସ୍ମାଇଲିଂ ବୁଦ୍ଧ’ ନାମକ ପ୍ରଥମ ପରମାଣୁ ପରୀକ୍ଷଣ ସଫଳତାର ସହ ସମ୍ପନ୍ନ କରିଥିଲା। ଏହା ପରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏକ ଅପ୍ରତ୍ୟାଶିତ ପଦକ୍ଷେପ ଗ୍ରହଣ କରି ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜୁଲ୍ଫିକାର ଅଲୀ ଭୁଟ୍ଟୋଙ୍କୁ ଚିଠି ଲେଖି ଭାରତର ପରମାଣୁ ପ୍ରଯୁକ୍ତି ସେୟାର କରିବାକୁ ପ୍ରସ୍ତାବ ଦେଇଥିଲେ। ଉଇକିଲିକ୍ସ ରିପୋର୍ଟ ଅନୁଯାୟୀ, ଇନ୍ଦିରା ତାଙ୍କ ଚିଠିରେ ଏହି ପରୀକ୍ଷଣର ଶାନ୍ତିପୂର୍ଣ୍ଣ ଓ ଅର୍ଥନୈତିକ ଉଦ୍ଦେଶ୍ୟ ବ୍ୟାଖ୍ୟା କରି କହିଥିଲେ, “ଭାରତ ଅନ୍ୟ ଦେଶମାନଙ୍କ ସହ ଯେପରି ପରମାଣୁ ପ୍ରଯୁକ୍ତି ସେୟାର କରେ, ସେହିପରି ପାକିସ୍ତାନ ସହ ମଧ୍ୟ ଏହା କରିବାକୁ ପ୍ରସ୍ତୁତ।” ଏହି ପ୍ରସ୍ତାବ ଏକ ସାହସୀ କୂଟନୈତିକ ପଦକ୍ଷେପ ଥିଲା, କାରଣ ୧୯୭୧ର ଭାରତ-ପାକିସ୍ତାନ ଯୁଦ୍ଧ ପରେ ଉଭୟ ଦେଶ ମଧ୍ୟରେ ବିବାଦ ଚରମରେ ଥିଲା।
୧୯୭୧ ଯୁଦ୍ଧ ଓ କୂଟନୈତିକ ନିଷ୍ପତ୍ତିରେ ବିବାଦ
୧୯୭୧ରେ ବାଂଲାଦେଶ ମୁକ୍ତି ଯୁଦ୍ଧ ସମୟରେ ଭାରତ ପାକିସ୍ତାନର ୯୩,୦୦୦ ସୈନିକଙ୍କୁ ବନ୍ଦୀ କରିଥିଲା। ଇନ୍ଦିରା ଏହି ଯୁଦ୍ଧବନ୍ଦୀମାନଙ୍କୁ କୌଣସି ଦୃଢ଼ ଚୁକ୍ତି ବିନା ମୁକ୍ତ କରିଥିଲେ, ଯାହାକୁ ଅନେକେ ତାଙ୍କର କୂଟନୈତିକ ଦୁର୍ବଳତା ଭାବେ ବିବେଚନା କରିଥିଲେ। ଏହାର ତିନି ବର୍ଷ ପରେ, ୧୯୭୪ରେ ଇନ୍ଦିରାଙ୍କ ପରମାଣୁ ପ୍ରଯୁକ୍ତି ସେୟାର କରିବାର ପ୍ରସ୍ତାବ ଆହୁରି ଆଶ୍ଚର୍ଯ୍ୟ କରିଥିଲା।
ଇନ୍ଦିରାଙ୍କ ଏହି ପ୍ରସ୍ତାବ ସେତେବେଳେ ଅତ୍ୟନ୍ତ ବିବାଦୀୟ ଥିଲା, କାରଣ ପାକିସ୍ତାନ ସହ ଭାରତର ସମ୍ପର୍କ ବିଗିଡ଼ି ରହିଥିଲା। ଇନ୍ଦିରା ବିଶ୍ୱାସ କରୁଥିଲେ ଯେ, ‘ସ୍ମାଇଲିଂ ବୁଦ୍ଧ’ ପରୀକ୍ଷଣ ଶାନ୍ତିପୂର୍ଣ୍ଣ ଥିଲା ଏବଂ ଏହାର ଲକ୍ଷ୍ୟ ତେଲ ଓ ଗ୍ୟାସ ଭଣ୍ଡାର ଖୋଜିବା ଭଳି ଅର୍ଥନୈତିକ ଉଦ୍ଦେଶ୍ୟ ସାଧନ କରିବା ଥିଲା। ସେ ଭୁଟ୍ଟୋଙ୍କ ରେଡିଓଆକ୍ଟିଭ ଲିକେଜ ଅଭିଯୋଗକୁ ଖାରଜ କରି କହିଥିଲେ ଯେ, ପରୀକ୍ଷଣ ସମୟରେ ପବନର ଦିଗ ପାକିସ୍ତାନ ଆଡ଼କୁ ନଥିଲା। କିନ୍ତୁ ଭୁଟ୍ଟୋ ଇନ୍ଦିରାଙ୍କ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ।
ପାକିସ୍ତାନର ପରମାଣୁ ଶକ୍ତି ଓ ଭାରତକୁ ଧମକ
୧୯୯୮ରେ ପାକିସ୍ତାନ ନିଜର ପ୍ରଥମ ପରମାଣୁ ପରୀକ୍ଷଣ କରିଥିଲା, ଯାହା ଭାରତର ଦ୍ୱିତୀୟ ପରୀକ୍ଷଣର ମାତ୍ର ଦୁଇ ସପ୍ତାହ ପରେ ହୋଇଥିଲା। ପରମାଣୁ ଶକ୍ତି ସମ୍ପନ୍ନ ହେବା ପରେ ପାକିସ୍ତାନ ବାରମ୍ବାର ଭାରତକୁ ନିଜର ନ୍ୟୁକ୍ଲିୟର ଶକ୍ତିର ଧମକ ଦେଇ ଆସୁଛି। ଭାରତରେ ପ୍ରତ୍ୟେକ ବଡ଼ ଆକ୍ରମଣ ପରେ ଜନଗଣର ରୋଷ ପାକିସ୍ତାନ ବିରୁଦ୍ଧରେ ଉଠିଲେ, ପାକିସ୍ତାନ ତୁରନ୍ତ ଭାରତକୁ ପରମାଣୁ ଆକ୍ରମଣର ଧମକ ଦେଇଥାଏ। ଏପରି ପରିସ୍ଥିତିରେ ଇନ୍ଦିରାଙ୍କ ପ୍ରସ୍ତାବକୁ ଅନେକେ ଏକ ଐତିହାସିକ ଭୁଲ ଭାବେ କହିଥାନ୍ତି।
ଆନ୍ତର୍ଜାତୀୟ ପ୍ରତିବନ୍ଧକ ଓ NSGର ଗଠନ
୧୯୭୪ର ପରମାଣୁ ପରୀକ୍ଷଣ ପରେ ଭାରତ ଉପରେ କଠୋର ପ୍ରଯୁକ୍ତିଗତ ପ୍ରତିବନ୍ଧକ ଲାଗିଥିଲା। ନ୍ୟୁକ୍ଲିୟର ସପ୍ଲାୟର୍ସ ଗ୍ରୁପ (NSG)ର ଗଠନ ଭାରତ ଭଳି ଦେଶମାନଙ୍କୁ ରୋକିବା ପାଇଁ କରାଯାଇଥିଲା। ଏହି ପରୀକ୍ଷଣ ଭାରତକୁ ଆନ୍ତର୍ଜାତୀୟ ମଞ୍ଚରେ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ପ୍ରତିଷ୍ଠା କରିଥିଲେ ମଧ୍ୟ, ଏହା ଅନେକ କୂଟନୈତିକ ଚ୍ୟାଲେଞ୍ଜ ମଧ୍ୟ ଆଣିଥିଲା।
Comments are closed.