ନୂଆଦିଲ୍ଲୀ: ଟେକ୍ନୋଲୋଜି ଜଗତରେ ଏକ ନୂଆ ଇତିହାସ ରଚିବାକୁ ଯାଉଛି ଜାପାନ। ଟୋକିଓର ଏକ ବଡ଼ ଟେକ୍ କମ୍ପାନୀ ଏକ ଏଭଳି ଡ୍ରୋନ୍ ତିଆରି କରିଥିବା ଦାବି କରିଛି, ଯାହା ଆକାଶରୁ ବିଜୁଳି ଶୋଷି ନେବାରେ ସକ୍ଷମ ରଖିଛି। ଏହି ଡ୍ରୋନ୍ କେବଳ ବିଜୁଳିକୁ ଶୋଷିବା ସହ, ଏହାର ତୀବ୍ରତା ମଧ୍ୟ କମାଇବାର କ୍ଷମତା ରଖିଛି। କମ୍ପାନୀ ଦାବି କରିଛି ଯେ ଏହା ହେଉଛି ବିଶ୍ୱର ପ୍ରଥମ ଡ୍ରୋନ୍, ଯାହା ବଜ୍ରପାତ ମେଘ ତଳେ ଉଡ଼ି ବିଜୁଳିର ଝଲକକୁ ନିଜ ଆଡ଼କୁ ଟାଣିନେବ ଏବଂ ନିୟନ୍ତ୍ରିତ ଭାବେ ତାହାକୁ ପୃଥିବୀକୁ ପହଞ୍ଚାଇଥାଏ। ଏହି ଟେକ୍ନୋଲୋଜି ଏପର୍ଯ୍ୟନ୍ତ କୌଣସି ବୈଜ୍ଞାନିକ ଜର୍ଣ୍ଣାଲରେ ସମୀକ୍ଷା ହୋଇନାହିଁ। ଯଦି କମ୍ପାନୀର ଦାବି ସତ୍ୟ ହୁଏ, ତେବେ ଏହା ବିଶ୍ୱର ସହର ଓ ଗ୍ରାମାଞ୍ଚଳରେ ବିଜୁଳି ଜନିତ କ୍ଷତିରୁ ରକ୍ଷା କରିପାରିବ।
ପ୍ରତି ମିନିଟରେ ପ୍ରାୟ ୬,୦୦୦ ଥର ଆକାଶରୁ ବିଜୁଳି ପୃଥିବୀର କୌଣସି ନା କୌଣସି ସ୍ଥାନରେ ପଡ଼ିଥାଏ। ଗୋଟିଏ ବିଜୁଳି ଆଘାତରେ ଏତେ ଶକ୍ତି ଥାଏ ଯେ ତାହା ଜଙ୍ଗଲକୁ ଜାଳିଦେଇପାରେ, କଂକ୍ରିଟ ଭାଙ୍ଗିପାରେ, ଗଛରେ ବିସ୍ଫୋରଣ ଘଟାଇପାରେ ଏବଂ ଇଲେକ୍ଟ୍ରୋନିକ୍ ସିଷ୍ଟମକୁ ସମ୍ପୂର୍ଣ୍ଣ ବିଫଳ କରିପାରେ।
ବର୍ତ୍ତମାନ ବିଜୁଳିରୁ ରକ୍ଷା ପାଇଁ ବଡ଼ ବଡ଼ ଟାୱାର କୋଠାଘରଗୁଡ଼ିକରେ ଲାଇଟନିଂ ରଡ଼୍ ଲଗାଯାଉଛି। କିନ୍ତୁ ଜାପାନର ନିପ୍ପନ୍ ଟେଲିଗ୍ରାଫ୍ ଆଣ୍ଡ ଟେଲିଫୋନ୍ (ଏନ୍ଟିଟି) ଗ୍ରୁପ୍ ଏହାଠାରୁ ଉନ୍ନତ ସମାଧାନ ଖୋଜିବା ପାଇଁ ବର୍ଷ ବର୍ଷ ଧରି କାମ କରୁଛି। ସେମାନେ କହିଛନ୍ତି ଯେ ୨୦୨୪ ଡିସେମ୍ବରରେ ଜାପାନର ଶିମାନେ ଅଞ୍ଚଳର ଏକ ପାହାଡ଼ିଆ ଅଞ୍ଚଳରେ ଏହି ଡ୍ରୋନ୍ର ପରୀକ୍ଷଣ କରିଥିଲେ। ଯେତେବେଳେ ଏକ ଝଡ଼ ଆସିଲା, ଡ୍ରୋନ୍କୁ ୩୦୦ ମିଟର ଉଚ୍ଚତାକୁ ଉଡ଼ାଯାଇଥିଲା ଏବଂ ଏହା ସହ ଏକ କଣ୍ଡକ୍ଟିଭ୍ ୱାୟାର ଯୋଡ଼ାଯାଇଥିଲା, ଯାହା ତଳେ ମାଟିରେ ଲାଗିଥିବା ଏକ ସ୍ୱିଚ୍ ସହ ସଂଯୁକ୍ତ ଥିଲା।
ଯେତେବେଳେ ଏହି ସ୍ୱିଚ୍ ଅନ୍ କରାଗଲା, ଏକ ବିଦ୍ୟୁତ୍ ପ୍ରବାହ ୱାୟାର ମାଧ୍ୟମରେ ବହିଲା ଏବଂ ଡ୍ରୋନ୍ ଚାରିପାଖର ଇଲେକ୍ଟ୍ରିକ୍ ଫିଲ୍ଡ ବଢ଼ିଗଲା। ଏହାପରେ ଡ୍ରୋନ୍ ବିଜୁଳିକୁ ଆକର୍ଷଣ କଲା ଏବଂ ବିଜୁଳି ସିଧାସଳଖ ତା’ ଉପରେ ପଡ଼ିଲା। କମ୍ପାନୀ ଦାବି କରିଛି ଯେ ବିଜୁଳି ଡ୍ରୋନ ଉପରେ ପଡ଼ିଥିଲେ ମଧ୍ୟ ଆକାଶରେ ଉଡୁଥିଲା, ଯଦିଓ ତା’ର ବାହାର ଆବରଣ କିଛି ପରିମାଣରେ ତରଳି ଯାଇଥିଲା।
ଏଭଳି ପ୍ରୟାସ ପୂର୍ବରୁ ମଧ୍ୟ ହୋଇଛି। ନିକଟ ପରୀକ୍ଷଣରେ କିଛି ବୈଜ୍ଞାନିକ ଲେଜର ବ୍ୟବହାର କରି ବିଜୁଳିକୁ ଅନ୍ୟ ଦିଗରେ ମୋଡ଼ିବା ଟେକ୍ନୋଲୋଜି ଉପରେ କାମ କରିଛନ୍ତି। ଏହି ଚିନ୍ତାଧାରା ପ୍ରଥମେ ୧୯୭୪ରେ ସାମ୍ନାକୁ ଆସିଥିଲା, କିନ୍ତୁ ଦଶନ୍ଧି ଧରି ବିଫଳ ପରୀକ୍ଷଣ ପରେ ଏବେ କିଛି ସଫଳତା ମିଳିଛି।
ଏନ୍ଟିଟିର ଡ୍ରୋନ୍ ଲେଜରଠାରୁ ଭିନ୍ନ। ଏହାକୁ ଏକ ମେଟାଲ ‘ଫାରାଡେ କେଜ୍’ ଭିତରେ ରଖାଯାଇଛି, ଯାହା ବିଜୁଳିକୁ ଏହାର ଚାରିପାଖରୁ ବାହାର କରିଦେଇଥାଏ, ଯାହା ଫଳରେ ଭିତରେ ଥିବା ସମ୍ବେଦନଶୀଳ ଅଂଶଗୁଡ଼ିକ ସୁରକ୍ଷିତ ରହିଥାଏ। ଲ୍ୟାବରେ ଏହି ଡ୍ରୋନ୍କୁ କୃତ୍ରିମ ବିଜୁଳି ମାଧ୍ୟମରେ ଟେଷ୍ଟ କରାଯାଇଥିଲା, ଯାହା ବିଜୁଳିର ଶକ୍ତିଠାରୁ ପାଞ୍ଚ ଗୁଣ ଅଧିକ ଶକ୍ତିଶାଳୀ ଥିଲା। ତଥାପି ଏହା ସୁରକ୍ଷିତ ରହିଥିଲା।
ଏନ୍ଟିଟି ଗ୍ରୁପ୍ କହିଛି ଯେ ସେମାନଙ୍କର ଲକ୍ଷ୍ୟ କେବଳ ବିଜୁଳିରୁ ରକ୍ଷା ନୁହେଁ, ବରଂ ଭବିଷ୍ୟତରେ ବିଜୁଳିକୁ ସୁରକ୍ଷିତ ଭାବେ ପୃଥିବୀକୁ ଆଣି ସଞ୍ଚୟ କରିବା ମଧ୍ୟ ଏହାର ଲକ୍ଷ୍ୟ ରହିବ । ଯଦିଓ ଏହି ଚିନ୍ତାଧାରା ଏବେ ସମ୍ପୂର୍ଣ୍ଣ ତାତ୍ତ୍ୱିକ, କାରଣ ଏତେ ବିଶାଳ ଶକ୍ତି ସଞ୍ଚୟ କରିବା ପାଇଁ ବର୍ତ୍ତମାନର ବ୍ୟାଟେରୀଗୁଡ଼ିକ ପର୍ଯ୍ୟାପ୍ତ ନୁହେଁ। ଅନେକ ବୈଜ୍ଞାନିକ ଏହାକୁ ‘ଅସମ୍ଭବ’ ମଧ୍ୟ କହିଛନ୍ତି। ବର୍ତ୍ତମାନ ଏହି ଟେକ୍ନୋଲୋଜି ଉପରେ ପ୍ରଶ୍ନ ମଧ୍ୟ ରହିଛି, କାରଣ ଏହାର ବୈଜ୍ଞାନିକ ମୂଲ୍ୟାଙ୍କନ ଏବେ ବାକି ରହିଛି।
Comments are closed.