ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉଦ୍ୟୋଗପତି ଏଲନ୍ ମସ୍କ କିଛି ଦିନ ତଳେ ପରସ୍ପର ସହ ନିକଟତର ଥିବା ଦେଖାଯାଉଥିଲା। ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାରରେ ମଧ୍ୟ ଏଲନ୍ ମସ୍କ ସବୁଆଡେ ଦେଖା ଦେଉଥିଲେ। କିନ୍ତୁ ଏବେ ପରିସ୍ଥିତି ବଦଳିଯାଇଛି ଏବଂ ଉଭୟଙ୍କ ମଧ୍ୟରେ ଥିବା ବିବାଦ ସମସ୍ତେ ଜାଣନ୍ତି । ବିବାଦ ଏତେ ଚରମ ସୀମାରେ ପହଞ୍ଚିଥିଲା ଯେ ଟ୍ରମ୍ପ ଓ ମସ୍କ ପରସ୍ପର ବିରୁଦ୍ଧରେ ବୟାନବାଜୀ କରିଆସୁଛନ୍ତି। ପରିସ୍ଥିତି ଏମିତି ହୋଇଥିଲା ଯେ ଟ୍ରମ୍ପ ମସ୍କଙ୍କୁ ଆମେରିକାରୁ ଡିପୋର୍ଟ କରିବା ପାଇଁ ଧମକ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ଆମେରିକାରେ ନାଗରିକତା ସମ୍ବନ୍ଧୀୟ ନିୟମ କ’ଣ? ଏବଂ କିପରି ଏଲନ୍ ମସ୍କ ଆମେରିକୀୟ ନାଗରିକ ହୋଇ ମଧ୍ୟ ଦେଶରୁ ବାହାର କରାଯାଇ ପାରିବେ?
ଆମେରିକା ସମ୍ୱିଧାନରେ ଏ ସମ୍ବନ୍ଧରେ କୌଣସି ନିୟମ ରହିଛି କି? ଆସନ୍ତୁ ଜାଣିବା ଏହି ପ୍ରଶ୍ନଗୁଡ଼ିକର ଉତ୍ତର।ପ୍ରଥମେ ଟ୍ରମ୍ପ ବିଷୟରେ ଜାଣନ୍ତୁ, ଟେସଲାର ମାଲିକ ତଥା ପ୍ରଖ୍ୟାତ ଉଦ୍ୟୋଗପତି ଏଲନ୍ ମସ୍କ ମୂଳତଃ ଦକ୍ଷିଣ ଆଫ୍ରିକାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଜନ୍ମ ପ୍ରିଟୋରିଆରେ ହୋଇଥିଲା, କିନ୍ତୁ ଜନ୍ମ ପରେ କିଛି ବର୍ଷ ମଧ୍ୟରେ ସେ ପ୍ରିଟୋରିଆରୁ କାନାଡା ଚାଲିଯାଇଥିଲେ। କାନାଡାରେ କିଛି ସମୟ ରହିବା ପରେ ସେ ଷ୍ଟୁଡେଣ୍ଟ ଭିସାରେ ଆମେରିକା ଆସିଥିଲେ, ଏହାପରେ ସେ ସେହିଠାରେ ରହିଗଲେ ଏବଂ ଆମେରିକୀୟ ନାଗରିକତା ଗ୍ରହଣ କରିଥିଲେ। ମିଡିଆ ରିପୋର୍ଟ ଅନୁସାରେ, ଏଲନ୍ ମସ୍କ ୨୦୦୨ ମସିହାରୁ ଆମେରିକୀୟ ନାଗରିକତା ଧାରଣ କରିଛନ୍ତି।
ଆମେରିକାରେ ନାଗରିକତାର ଦୁଇଟି ଆଧାର ରହିଛି। ପ୍ରଥମ ହେଉଛି ଜନ୍ମ ଦ୍ୱାରା ନାଗରିକତା, ଅର୍ଥାତ୍ ଯେଉଁ ବ୍ୟକ୍ତି ଆମେରିକାରେ ଜନ୍ମ ହୋଇଛି, ତାଙ୍କୁ ଜନ୍ମରୁ ଆମେରିକୀୟ ନାଗରିକ ବୋଲି ଗଣାଯାଏ, ତାଙ୍କ ପିତାମାତାଙ୍କ ନାଗରିକତା ଯାହା ହେଉ ନା କାହିଁକି। ଦ୍ୱିତୀୟରେ ହେଉଛି ନେଚୁରାଲାଇଜ୍ଡ ନାଗରିକତା। ଅର୍ଥାତ୍, ଆମେରିକାର ସ୍ଥାୟୀ ନିବାସୀ, ଯିଏ ଅନ୍ୟ କୌଣସି ଦେଶର ନାଗରିକ, ସେ ଆମେରିକୀୟ ନାଗରିକତା ପାଇଁ ଆବେଦନ କରିପାରେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି, ଆମେରିକାରେ କାହାର ନାଗରିକତା ରଦ୍ଦ କରାଯାଇ ପାରିବ କି? ଯଦି କୌଣସି ବ୍ୟକ୍ତି ଆମେରିକାରେ ଜନ୍ମ ହୋଇଛି, ତେବେ ତାଙ୍କ ନାଗରିକତାକୁ ଚ୍ୟାଲେଞ୍ଜ କରାଯାଇ ପାରିବ ନାହିଁ। କିନ୍ତୁ ଯଦି କେହି ନେଚୁରାଲାଇଜ୍ଡ ନାଗରିକତା ଗ୍ରହଣ କରିଛି, ତେବେ ତାଙ୍କ ନାଗରିକତା ରଦ୍ଦ କରିବା ପୂର୍ବରୁ ସରକାରଙ୍କୁ ପ୍ରମାଣ କରିବାକୁ ହେବ ଯେ ସମ୍ପୃକ୍ତ ବ୍ୟକ୍ତି ଆବଶ୍ୟକୀୟ ସୂଚନା କିମ୍ବା ଦସ୍ତାବିଜ ଲୁଚାଇ କିମ୍ବା ନକଲି ଦସ୍ତାବିଜ ଆଧାରରେ ନାଗରିକତା ହାସଲ କରିଛି। ଯଦି ଏହା ପ୍ରମାଣିତ ହୁଏ, ତେବେ ସେହି ବ୍ୟକ୍ତିର ଆମେରିକୀ ନାଗରିକତା ରଦ୍ଦ ହୋଇଯାଏ ଏବଂ ତାଙ୍କୁ ସେହି ଦେଶକୁ ଡିପୋର୍ଟ କରାଯାଇ ପାରେ, ଯେଉଁଠାରେ ସେ ମୂଳ ନାଗରିକ।
ଏଲନ୍ ମସ୍କଙ୍କ ମାମଲା ସମ୍ବନ୍ଧରେ, ଟ୍ରମ୍ପ ସରକାରଙ୍କୁ ତାଙ୍କ ନାଗରିକତା ରଦ୍ଦ କରିବା ପୂର୍ବରୁ ପ୍ରମାଣ କରିବାକୁ ହେବ ଯେ ମସ୍କ ଭୁଲ ଉପାୟରେ ଆମେରିକୀୟ ନାଗରିକତା ହାସଲ କରିଛନ୍ତି। ମିଡିଆ ରିପୋର୍ଟ ଅନୁସାରେ, ଏଲନ୍ ମସ୍କ ଦକ୍ଷିଣ ଆଫ୍ରିକାରୁ କାନାଡାକୁ ଯାଇ କାନାଡାର କିଙ୍ଗସ୍ ଇଉନିଭର୍ସିଟିରେ ପଢ଼ା ଆରମ୍ଭ କରିଥିଲେ। ଏହାପରେ ୧୯୯୨ରେ ସେ ଷ୍ଟୁଡେଣ୍ଟ ଭିସାରେ ଆମେରିକା ଆସିଥିଲେ। ଅଭିଯୋଗ ହେଉଛି ଯେ ଆମେରିକା ଆସିବା ପରେ ମସ୍କ ଷ୍ଟାନଫୋର୍ଡ ଇଉନିଭର୍ସିଟିରେ ପଢ଼ା ସମାପ୍ତ କରିବା ପରିବର୍ତ୍ତେ ତାଙ୍କର ପ୍ରଥମ କମ୍ପାନୀ Zip2 ଖୋଲି କାମ ଆରମ୍ଭ କରିଥିଲେ। ହେଲେ ଷ୍ଟୁଡେଣ୍ଟ ଭିସାଧାରୀଙ୍କୁ ଚାକିରି କରିବାର ଅନୁମତି ନାହିଁ। ପରେ ମସ୍କ ୧୯୯୭ରେ H-1B ଭିସା ହାସଲ କରିଥିଲେ, ଯାହା ନିର୍ଦ୍ଦିଷ୍ଟ ବ୍ୟବସାୟ ପାଇଁ ଅନୁମତି ଦେଇଥାଏ। ଏହାପରେ ୨୦୦୨ରେ ସେ ନେଚୁରାଲାଇଜେସନ ପ୍ରକ୍ରିୟା ମାଧ୍ୟମରେ ଆମେରିକୀୟ ନାଗରିକ ହୋଇଥିଲେ। ମସ୍କଙ୍କ ଉପରେ ଅଭିଯୋଗ ଅଛି ଯେ ସେ ୧୯୯୨ରେ ଷ୍ଟୁଡେଣ୍ଟ ଭିସାର ସର୍ତ୍ତ ଉଲ୍ଲଙ୍ଘନ କରିଥିଲେ ଏବଂ ୨୦୦୨ରେ ଆମେରିକୀୟ ନାଗରିକତା ହାସଲ କରିବା ସମୟରେ ଆବଶ୍ୟକୀୟ ସୂଚନା ଲୁଚାଇଥିଲେ। ଯଦି ଟ୍ରମ୍ପ ସରକାର ଏହାକୁ ପ୍ରମାଣ କରିବାରେ ସଫଳ ହୁଏ, ତେବେ ମସ୍କଙ୍କ ଆମେରିକୀୟ ନାଗରିକତା ରଦ୍ଦ ହୋଇପାରେ ।
Comments are closed.