ନୂଆଦିଲ୍ଲୀ: ବର୍ତ୍ତମାନ ଆଇସିଏସଇ ଓ ଆଇଏସସି ପରୀକ୍ଷାଗୁଡ଼ିକ ଭାରତ ପରିଚାଳନା କରୁଛି, କିନ୍ତୁ ଏକ ସମୟ ଥିଲା ଯେତେବେଳେ ଏହାର ପରିଚାଳନା ସମ୍ପୂର୍ଣ୍ଣ ବ୍ରିଟିଶ ବ୍ୟବସ୍ଥା ଅଧୀନରେ ଥିଲା। ସ୍ୱାଧୀନତା ପ୍ରାପ୍ତିର ଦୁଇ ଦଶନ୍ଧି ପରେ ମଧ୍ୟ, ପରୀକ୍ଷାର ପ୍ରଶ୍ନପତ୍ର ଇଂଲଣ୍ଡରେ ପ୍ରସ୍ତୁତ ହେଉଥିଲା ଏବଂ ଉତ୍ତରଗୁଡ଼ିକ ସେହିଠାରେ ହିଁ ଯାଞ୍ଚ କରାଯାଉଥିଲା। ୧୯୭୦ ଦଶକ ପର୍ଯ୍ୟନ୍ତ, ଭାରତୀୟ ସ୍କୁଲଗୁଡ଼ିକରେ ଆଇସିଏସଇ ପରୀକ୍ଷାର ଅଧିକାଂଶ ପ୍ରଶ୍ନପତ୍ର, ଭାରତୀୟ ଭାଷାଗୁଡ଼ିକ ବ୍ୟତୀତ ଆଉ ସବୁ ଇଂଲଣ୍ଡରୁ ଆସୁଥିଲା। ପରୀକ୍ଷା ପରେ, ଛାତ୍ରଛାତ୍ରୀଙ୍କ ଉତ୍ତରପୁସ୍ତିକାଗୁଡ଼ିକ ପୁଣି ଇଂଲଣ୍ଡକୁ ପଠାଯାଉଥିଲା।
ପ୍ରସିଦ୍ଧ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା, ଯିଏ ୧୯୭୦ରେ ନିଜର ଆଇଏସସି ପରୀକ୍ଷା ଦେଇଥିଲେ, ଏହି ପ୍ରକ୍ରିୟାକୁ ‘ଅବିଶ୍ୱସନୀୟ’ ବୋଲି କରିଛନ୍ତି। ସେ କହିଛନ୍ତି, ଆମ ପରୀକ୍ଷାର ଯାଞ୍ଚ ଭାରତରେ ହୋଇପାରିବ ନାହିଁ ବୋଲି ଚିନ୍ତା ଆମ ଆତ୍ମବିଶ୍ୱାସକୁ ଦୁର୍ବଳ କରୁଥିଲା। ଏହା ଆମକୁ ପରୋକ୍ଷ ଭାବେ ଏହି ସନ୍ଦେଶ ଦେଉଥିଲା ଯେ ଆମେ ଭାରତୀୟମାନେ ଏତେ ସକ୍ଷମ ନୁହେଁ।
୧୯୬୦ ଦଶକରୁ ଏହି ବ୍ୟବସ୍ଥାରେ ପରିବର୍ତ୍ତନର ଆରମ୍ଭ ହୋଇଥିଲା। ୧୯୬୩ରେ, ଏହାର ନାମ ‘ଓଭରସିଜ୍ ସାର୍ଟିଫିକେଟ ଏଗ୍ଜାମିନେସନ୍’ରୁ ବଦଳାଇ ‘ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍’ କରାଯାଇଥିଲା। ୧୯୭୦ରେ ପ୍ରଥମ ଥର ପାଇଁ ଆଇସିଏସଇ ପରୀକ୍ଷା ଭାରତରେ ଆୟୋଜିତ ହୋଇଥିଲା। ୧୯୭୬ରେ ସମସ୍ତ ପ୍ରଶ୍ନପତ୍ର ଭାରତରେ ପ୍ରସ୍ତୁତ ଏବଂ ଯାଞ୍ଚ କରାଯାଇଥିଲା। ଏହାପରେ, ୧୯୭୫-୭୬ରେ, ଦ୍ୱାଦଶ ଶ୍ରେଣୀ ପାଇଁ ଆଇଏସସି ପରୀକ୍ଷାର ଆରମ୍ଭ ହୋଇଥିଲା, ଯାହା ପୂରାପୂରି ଭାରତୀୟ ବ୍ୟବସ୍ଥା ଉପରେ ଆଧାରିତ ଥିଲା। ବର୍ତ୍ତମାନ ସିଆଇଏସସିଇ ଏକ ସ୍ୱାୟତ୍ତ ବୋର୍ଡ ଭାବେ ଭାରତରେ ନିଜର ପରୀକ୍ଷାଗୁଡ଼ିକୁ ପରିଚାଳନା କରୁଛି।
Comments are closed.