ବାରିପଦା: ମୁଗୁନି ପଥର ଏବଂ କଳା କାରୁକାର୍ଯ୍ୟ ଲାଗି ମୟୂରଭଞ୍ଜର ଖିଚିଂ ବେଶ୍ ପ୍ରସିଦ୍ଧି ଲାଭ କରିପାରିଛି । କଳା ମଚମଚ ମୁଗୁନି ପଥରରେ ନିର୍ମିତ ଖିଚିଂର କଳାକୃତିକୁ ଆମେ ଅତି ନିକଟରୁ ପରଖିପାରିବା ଯଦି କେବେ ଖିଚିଂ ବୁଲିଯିବା । ଏହି ଶୀତ ଦିନରେ ଖିଚିଂ ବୁଲିଆସିବା ଲାଗି ପ୍ରକୃଷ୍ଟ ସମୟ ।
କେମିତି ଯିବେ ଖିଚିଂ:
ଓଡ଼ିଶା ପ୍ରସିଦ୍ଧ ଗ୍ରାମଟି ଖିଚିଂ ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଶୁକ୍ରୁଳି ବ୍ଲକରେ ଅବସ୍ଥିତ । ଖିଚିଂ ଗ୍ରାମଟି କେନ୍ଦୁଝର ସହରଠାରୁ ୫୦ କିଲୋମିଟର ଏବଂ କରଞ୍ଜିଆ ଠାରୁ ମାତ୍ର ୨୪ କିମି ଦୂରରେ ଅବସ୍ଥିତ । ଆପଣ ବାରିପଦା ଯାଇ ଖିଚିଂ ଯାଇପାରିବେ କିମ୍ବା ସୁବିଧା ଅନୁଯାୟୀ କେନ୍ଦୁଝରରୁ ସିଧା ପହଞ୍ଚିଯିବେ ଖିଚିଂ । ଖିଚିଂକୁ ଯିବାକୁ ହେଲେ ଆପଣ କାର୍ କିମ୍ବା ବସର ସୁବିଧା ପାଇପାରିବେ । ମୟୂରଭଞ୍ଜ ଜିଲ୍ଲାର ସଦରମହକୁମା ବାରିପଦା ସହରଠାରୁ ଏହି ଖିଚିଂ ୧୩୦ କିଲୋମିଟର ଦୂର । ଶିଳ୍ପନଗରୀ ବାଲେଶ୍ୱରଠାରୁ ଖିଚିଂର ଦୂରତା ୧୯୦ କିଲୋମିଟର ।
ଖିଚିଂରେ ରହିଛି କ’ଣ?
ଆପଣ ଖିଚିଂ ଗଲେ କେବଳ ଏହି ଗ୍ରାମ ନୁହେଁ ବରଂ ଏହାର ଆଖପାଖକୁ ଲାଗିକି ରହିଥିବା ଶୁକ୍ରୁଳି, କେସନ, ନାଉପଣା, କଖାରୁପଣା, ଶାଳବଣ, ବିରାଟଗଡ଼, କିଚକଗଡ଼ ଏବଂ ସିଙ୍ଗଡ଼ା ଗ୍ରାମ ମଧ୍ୟ ବୁଲିପାରିବେ । ଖିଚିଂରେ ସାଧାରଣତଃ୍ୱ ମୁଗୁନି ପଥର ନିର୍ମିତ ପ୍ରାଚୀନ ମନ୍ଦିର ରହିଛି । ଖିଚିଂର ପ୍ରସିଦ୍ଧ କିଚକେଶ୍ୱରୀ ମନ୍ଦିରର ସୌନ୍ଦର୍ଯ୍ୟ ଭରା କଳାକୃତିକୁ ନିଜ ଆଖିରେ ନଦେଖିଲେ ଅନୁଭବ କରିପାରିବେ ନାହିଁ । ଏହି କିଚକେଶ୍ୱରୀ ମନ୍ଦିରଟି ହେଉଛି ଖିଚିଂର ମୁଖ୍ୟ ଆକର୍ଷଣ ।
ପ୍ରସିଦ୍ଧ କିଚକେଶ୍ୱରୀ ମନ୍ଦିର:
ଖିଚିଂର ପ୍ରସିଦ୍ଧ କିଚକେଶ୍ୱରୀ ମନ୍ଦିର ଏକ ପ୍ରାଚୀନ ମନ୍ଦିର । ମା କିଚକେଶ୍ୱରୀ ଏହି ମନ୍ଦିରରେ ରହି ପୂଜା ପାଇଆସୁଛନ୍ତି । ମୟୂରଭଞ୍ଜର ଭଞ୍ଜ ରାଜବଂଶର ଇଷ୍ଟଦେବୀ ହେଲେ ମାଆ କିଚକେଶ୍ୱରୀ । ମୟୂରଭଞ୍ଜର ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓ ୧୯୩୪ ମସିହାରେ ପୁନଃନିର୍ମାଣ କରିଥିଲେ । ତେବେ ପୂର୍ବରୁ ୧୯୨୨ ମସିହାରେ ମହରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ ଏଠାରେ ଏକ ମ୍ୟୁଜିୟମ ମଧ୍ୟ ନିର୍ମାଣ କରିଛନ୍ତି । ଏହି ସଂଗ୍ରହାଳୟରେ ଅନେକ ପ୍ରାଚୀନ କଳାକୃତି ତଥା ବିଭିନ୍ନ ବସ୍ତୁ ରହିଛି ଯାହାକୁ ପର୍ଯ୍ୟଟକମାନେ ବୁଲି ଦେଖିଥାଆନ୍ତି ।
ଏହି କିଚକେଶ୍ୱରୀ ମନ୍ଦିରର ଉଚ୍ଚତା ୧୦୦ ଫୁଟ । ମନ୍ଦିରଟି ୧୭୬୪ ବର୍ଗଫୁଟ ମଧ୍ୟରେ ସମ୍ପୂର୍ଣ୍ଣ ଭାବେ କଳା ମୁଗୁନି ପଥରରେ ନିର୍ମିତ । ମନ୍ଦିରର ସୂକ୍ଷ୍ମ କଳା କାରୁକାର୍ଯ୍ୟ ବେଶ୍ ମନଲୋଭା । ବଡ଼ ବଡ଼ ମୁଗୁନି ସ୍ଲାବରେ ମନ୍ଦିରଟି ତିଆରି ହୋଇଥିବା ଯୋଗୁଁ ନିର୍ମାଣ ଶୈଳୀ ଅଧିକ ଆକର୍ଷଣୀୟ ଲାଗୁଛି ।
ପୂର୍ବରୁ ଭଞ୍ଜ ରାଜବଂଶର ରାଜଧାନୀ ଥିଲା ଏହି ଖିଚିଂ । ପରବର୍ତ୍ତୀ ସମୟରେ ବାରିପଦା ରାଜଧାନୀ ଭାବେ ପରିଣତ ହୋଇଥିଲା । ସମଗ୍ର ଭାରତରେ ଏହିପରି କଳା ମୁଗୁନି ପଥରରେ ନିର୍ମିତ ପ୍ରକାଣ୍ଡ ମନ୍ଦିର ଦୃଶ୍ୟମାନ ହୁଏନାହିଁ । ତେଣୁ ଦେଶ ବିଦେଶର ଅନେକ ପର୍ଯ୍ୟଟକଙ୍କୁ ଏହି ବିରଳ ମନ୍ଦିରଟି ଆକର୍ଷିତ କରିଥାଏ ।
ଖିଚିଂର ଏହି ପ୍ରସିଦ୍ଧ ମନ୍ଦିରରେ ମାଆ କିଚକେଶ୍ୱରୀଙ୍କ ବ୍ୟତୀତ ଅନେକ ପାଶ୍ୱର୍ ଦେବାଦେବୀ ମଧ୍ୟ ରହିଛନ୍ତି । ଏହାବ୍ୟତୀତ ମୁଗୁନି ପଥରରେ ନିର୍ମିତ ନାଗ-ନାଗୁଣୀ, ଗଣେଶ ମୂର୍ତ୍ତି, କିର୍ତ୍ତୀମୁଖ, ଖାକରାମୁଣ୍ଡି ମୂର୍ତ୍ତିଗୁଡ଼ିକ ପ୍ରକୃତରେ ସୁନ୍ଦର କଳାକୃତିର ଶ୍ରେଷ୍ଠ ଉଦାହରଣ ।
ଖିଚିଂ ମ୍ୟୁଜିୟମରେ କ’ଣ ଦେଖିବେ:
ରାଜ୍ୟର ଦ୍ୱିତୀୟ ପୁରାତନ ସଂଗ୍ରହାଳୟ ଭାବେ ଖିଚିଂର ଏହି ମ୍ୟୁଜିୟମ ମଧ୍ୟ ପ୍ରସିଦ୍ଧି ଲାଭ କରିପାରିଛି । ମୟୂରଭଞ୍ଜର ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ ୧୯୨୨ ମସିହାରେ ଏହି ମ୍ୟୁଜିୟମ ନିର୍ମାଣ କରିଛନ୍ତି । ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ (ଏଏସଆଇ) ପକ୍ଷରୁ ଏଠାରେ ୧୯୦୮ ମସିହାରେ ଖନନ କରାଯିବା ପରେ ଅନେକ ବୌଦ୍ଧ କୀର୍ତ୍ତିରାଜି ଏଠାରୁ ମିଳିଥିଲା । ବାରିପଦାର ମହାରାଜା ଏଠାରେ ପରବର୍ତ୍ତୀ ସମୟରେ ଏକ ମ୍ୟୁଜିୟମ ନିର୍ମାଣ କରି ସେହି କଳାକୃତିଗୁଡ଼ିକୁ ଏଠାରେ ସଂଗ୍ରହ କରି ରଖିଛନ୍ତି । ଏହି ମ୍ୟୁଜିୟମରେ ମାଆ ଦୁର୍ଗା, ଶ୍ରୀଗଣେଶ, ପାଶ୍ୱର୍ନାଥ, ତାରା, ମାଆ ପାର୍ବତୀ, ଅର୍ଦ୍ଧନାଗେଶ୍ୱର, ବୈଷ୍ଣବୀ, ନନ୍ଦୀ, କାର୍ତ୍ତିକେୟ, ଅଭାଲୋକିଟେଶ୍ୱର, ଧ୍ୱନୀବୁଦ୍ଧ, ମହିଷାସୁରମର୍ଦ୍ଦିନୀ ମାଆ ଦୁର୍ଗା, ଉମା, ମହେଶ୍ୱର ଏବଂ ନର୍ତ୍ତକୀଙ୍କ ସୁନ୍ଦର ମୂର୍ତ୍ତି ରହିଛି ।
ଖାଲି ସେତିକି ନୁହେଁ ଏହି ସଂଗ୍ରହାଳୟଟି ମଧ୍ୟ ଅନେକ ସୂକ୍ଷ୍ମ କଳାକାରୁାକାର୍ଯ୍ୟ ଦ୍ୱାରା ନିର୍ମିତ ହୋଇଛି । ଏହାର କଳା କାରିଗରୀ ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ ।
Comments are closed.