Latest Odisha News

ସୁରା ପାଣ୍ଠିରେ କରୋନା ଲଢ଼େଇ !

ସୋମେଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ସାମ୍ପ୍ରତିକୀ

ବିନାଶକାରୀ କୋଭିଡ ସଂକ୍ରମଣର ମୁକାବିଲା ପାଇଁ ଏବେ ବିପୁଳ ପାଣ୍ଠି ଆବଶ୍ୟକ ପଡୁଛି| ଜି-୨୦ ଭଳି ବିଭିନ୍ନ ବହୁରାଷ୍ଟ୍ରିୟ ସଙ୍ଗଠନ ସଦସ୍ୟଭୂକ୍ତ ଦେଶଗୁଡ଼ିକୁ ଜରୁରୀ ସହାୟତାଦେବା ଲାଗି ଅର୍ଥବ୍ୟବସ୍ଥା କରୁଥିବା ବେଳେ ବିଶ୍ବରେ ଜାତୀୟ ତଥା ପ୍ରାଦେଶିକ ସ୍ତରରେ ମଧ୍ୟ ପାଣ୍ଠି ଯୋଗାଡ଼କରିବାରେ ସରକାରମାନେ ଗଳଦଘର୍ମ ପ୍ରୟାସ କରୁଛନ୍ତି| ଅନୁରୂପ ଭାବେ ଏହି ଅଭାବନୀୟ ସମସ୍ୟାର ସମ୍ମୁଖୀନହେବା ସକାଶେ ଭାରତ ସରକାର ନାନା ସୂତ୍ରରୁ ଦାନ ଏକାଠିକରିବା ଉଦ୍ଦେଶ୍ୟରେ ଗଠନକରିଛନ୍ତି ‘ପିଏମକେୟାରସ୍’ ବା ‘ପ୍ରାଇମମିନିଷ୍ଟର’ସ୍ ସିଟିଜେନ୍ ଆସିଷ୍ଟାନ୍ସ ଆଣ୍ଡ ରିଲିଫ୍ ଇନ୍ ଏମର୍ଜେନ୍ସୀ ସିଚୁଏସନ୍ସ’ ଫଣ୍ଡ| ତେବେ ବର୍ତ୍ତମାନ ସମୟରେ ପ୍ରଭାବିତ ରାଜ୍ୟଗୁଡ଼ିକରେ ରାଜସ୍ବ ଆଦାୟର ସବୁବାଟ ବନ୍ଦ ହୋଇଯାଇଥିବାରୁ ଉପସ୍ଥିତ ସରକାରମାନେ ସଙ୍କଟରେ ପଡ଼ିଛନ୍ତି| ତେଣୁ ସେମାନଙ୍କ ପକ୍ଷରୁ ପ୍ରଶାସନକୁ ସଚଳରଖିବା ପାଇଁ ଆବଶ୍ୟକ ଦୈନନ୍ଦିନ ଖର୍ଚ୍ଚ ସମେତ ଅତିରିକ୍ତ ଖର୍ଚ୍ଚ ତୁଲାଇବା ନିମିତ୍ତ କେନ୍ଦ୍ର ସରକାରଙ୍କ ନିକଟରେ ଦାବୀ ଜୋର୍ ଧରିଥିବା ବେଳେ ନିଶାପାନୀୟ ଉପରେ ବଳବତ୍ତର ଥିବା କଟକଣାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଦେଖାଦେଇଛି ତୀବ୍ର ବିବାଦ |

ପ୍ରଧାନମନ୍ତ୍ରୀ ମୋଦି ନିଶା ନିବାରଣର ଜଣେ ବଡ଼ ପ୍ରବକ୍ତା ହୋଇଥିବାରୁ ଦେଶରେ ଲକ୍ ଡାଉନ୍ ପର ଠାରୁ ମଦବିକ୍ରି ଉପରେ ନିଷେଧାଦେଶ ଜାରିକରାଯାଇଛି| ଫଳରେ ରାଜ୍ୟମାନେ ଏଥିରୁ ଯେଉଁ ପ୍ରତ୍ୟକ୍ଷ ଟିକସ ପାଉଥିଲେ ତାହା ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି| ମାତ୍ର ବର୍ତ୍ତମାନ ପରିସ୍ଥିତିରେ କରୋନା ମୁକାବିଲା ଲାଗି ସ୍ବାସ୍ଥ୍ୟ ଭିତ୍ତିଭୂମି ସୃଷ୍ଟିକରିବା ସହିତ ରୋଜଗାର ହରାଇଥିବା ଲକ୍ଷଲକ୍ଷ ଗରିବ ତଥା ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ଯୋଗାଇଦେବା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ ହୋଇଥିବାରୁ ଏଥିପାଇଁ ପ୍ରଚୁର ଅର୍ଥ ଲୋଡ଼ା ପଡ଼ୁଛି| ହିସାବରୁ ଜଣାପଡ଼ିଛି, ମଦିରା ବିକ୍ରିରେ କଟକଣା ଲାଗିଥିବାରୁ ଦୈନିକ ୭୦୦କୋଟି ଟଙ୍କାର ରାଜସ୍ବ ହାନି ହେଉଛି|

ଏହି ପରିପ୍ରେକ୍ଷୀରେ ଗତ ସପ୍ତାହରେ ପ୍ରଥମେ ପଞ୍ଜାବ ସରକାରଙ୍କ ପକ୍ଷରୁ ନିଷେଧାଦେଶ ତୁରନ୍ତ ଉଠାଇଦେବାକୁ କେନ୍ଦ୍ର ନିକଟରେ ଦୃଢ଼ ଦାବୀ କରାଯାଇଛି| ସେଠାରେ ଶାସନ କ୍ଷମତାରେ ଥିବା କଂଗ୍ରେସ ଦଳର ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂ ଯୁକ୍ତି ଦର୍ଶାଇଛନ୍ତି ଯେ, ମଦବିକ୍ରିରୁ ଆସୁଥିବା ଅର୍ଥ ରାଜସ୍ବର ପ୍ରମୁଖ ଉତ୍ସ ହୋଇଥିବା ଦୃଷ୍ଟିରୁ ଏହି ଅଭାବକୁ ପୁରାକରିବା ଅସମ୍ଭବ ବ୍ୟାପାର|

ଦିଲ୍ଲୀରେ ବସିଥିବା ଭାରତ ସରକାର ଏଯାଏଁ ଟଙ୍କାଟିଏ ସହାୟତା ଦେଇନଥିବା ବେଳେ ଏହି କ୍ଷତି ଭରଣା କରିବ ଲାଗି କି ପଦକ୍ଷେପ ନେଉଛନ୍ତି?

ବିଭିନ୍ନ ରାଜ୍ୟରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୩୧ହଜାରରୁ ଟପିଛି ଓ ୧ହଜାରରୁ ଅଧିକ ପ୍ରାଣହାନି ଘଟିଲାଣି| ପୁନଶ୍ଚ ସଂକ୍ରମଣ ଧାରା ଅବ୍ୟାହତ ରହିଛି ଯାହାକୁ ନିୟନ୍ତ୍ରଣକରିବା ରାଜ୍ୟମାନଙ୍କର ସାମ୍ବିଧାନିକ ଦାୟିତ୍ବ| କିନ୍ତୁ ଦେଖାଯାଉଛି, ଆଗାମୀ ଦିନରେ ରୋଗୀମାନଙ୍କର ବୋଝ ସମ୍ଭାଳିବା ଲାଗି ଆୟର ସୂତ୍ର ବଢ଼ିବା ବଦଳରେ କମିକମି ଯାଉଛି| ଏହି ପରିପ୍ରେକ୍ଷୀରେ ବିରୋଧି ରାଜନେତାମାନଙ୍କ ଅଭିଯୋଗ ହେଲା, ପ୍ରଧାନମନ୍ତ୍ରୀ ଭାବେ ମୋଦି ପୂର୍ବରୁ ଯେଉଁ ସହଯୋଗମୂଳକ ସଙ୍ଘୀୟ ବ୍ୟବସ୍ଥା ବା କୋଅପରେଟିଭ୍ ଫେଡେରାଲିଜିମ୍ ଆଧାରିତ ମତାଦର୍ଶକୁ ପ୍ରାଧାନ୍ୟ ଦେଉଥିଲେ ଦ୍ବିତୀୟ ପାଳିରେ ତାହା ସମ୍ପୂର୍ଣ୍ଣ ରୂପେ ବିସର୍ଜି ଦେଇଛନ୍ତି| ରାଜ୍ୟଗୁଡ଼ିକ କେନ୍ଦ୍ରୀୟ ଟିକସର ଭାଗ ଠିକ୍ ସମୟରେ ପାଉନାହାଁନ୍ତି|

କେରଳ ଓ ପଞ୍ଜାବର ମୁଖ୍ୟମନ୍ତ୍ରୀ ଏହି ଆର୍ଥିକ ସହଯୋଗର ଅଭାବ ନେଇ ସେମାନଙ୍କ ଅସନ୍ତୋଷ ବ୍ୟକ୍ତ କରିଛନ୍ତି| ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଛନ୍ତି, ୨.୮ କୋଟି ଜନସଂଖ୍ୟାବିଶିଷ୍ଟ ପ୍ରଦେଶକୁ କେନ୍ଦ୍ର ସରକାର କୋଭିଡ ମୁକାବିଲା ଲାଗି କେବଳ ୯.୩ ନିୟୁତ ଡଲାର ସହାୟତା ଦେଇଛନ୍ତି ଯାହା ଜଣପିଛା ମାତ୍ର ୩ଡଲାର ହିସାବରେ ପଡୁଛି| ଅର୍ଥନୈତିକ କାର୍ଯ୍ୟକଳାପ ସ୍ଥାଣୁ ଅବସ୍ଥାରେ ଥିବାରୁ ନିଶାପାନୀୟରୁ ଟିକସ ବ୍ୟତୀତ ତୈଳ ଓ ରିଅଲ୍ ଇଷ୍ଟେଟ୍ ରୁ ଆସୁଥିବା ଟିକସ-ସ୍ରୋତ ବି ଶୁଖିଯାଇଛି| ଉତ୍ପନ୍ନ ହୋଇଥିବା ଏହି ଦୁସ୍ଥିତିର ଅନୁଶୀଳନକରି ସରକାରଙ୍କ ପ୍ରାକ୍ତନ ଅର୍ଥନୈତିକ ଉପଦେଷ୍ଟା ଏମ୍.ଗୋବିନ୍ଦ ରାଓ କହିଛନ୍ତି, ଚଳିତ ଆର୍ଥିକ ବର୍ଷରେ ଟିକସ ନିଅଣ୍ଟ ପରିମାଣ ୨.୯ଲକ୍ଷ କୋଟି ହେବାର ଆଶଙ୍କା ରହିଛି|

ଏହା ରାଜ୍ୟମାନଙ୍କ ସକାଶେ ଗୁରୁତର ଅବସ୍ଥା ସୃଷ୍ଟିକରିବ| ଏତବ୍ୟତୀତ କେତେକ ରାଜ୍ୟ କେନ୍ଦ୍ର ସରକାରଙ୍କ ଦ୍ବାରା କୋଭିଡ ଚିକିତ୍ସାରେ ବ୍ୟବହାର ଲାଗି ମେଡିକାଲ ଉପକରଣ କ୍ରୟକୁ କଟୂ ସମାଲୋଚନାକରି ଏହାକୁ ବିକେନ୍ଦ୍ରିତ କରାଯିବା ଉପରେ ଗୁରୁତ୍ବ ଦେଇଛନ୍ତି|

ଅଧିକ ପଢନ୍ତୁ: ମହାମାରୀ ସଙ୍କଟରେ କେତେଦୂର ସଫଳ ହେବ ଦୂରଶିକ୍ଷା ?

କାରଣ ରାଜ୍ୟମାନଙ୍କୁ ଅର୍ଥ ମିଳିଲେ ସେମାନେ ସୁରକ୍ଷା ଉପକରଣସବୁ ବଜାର ଦରରେ ଶସ୍ତାରେ କିଣିପାରନ୍ତେ, ଯାହା କେନ୍ଦ୍ର ସରକାରଙ୍କ ଧାର୍ଯ୍ୟଦର ଠାରୁ କମ୍ ରହିବ| ଆଉଏକ ବିଶେଷ ପ୍ରସଙ୍ଗରେ ମଧ୍ୟ କିଛି ରାଜ୍ୟ ପ୍ରଶ୍ନ ଉଠାଇଛନ୍ତି| ତାହା ହେଲା, କେନ୍ଦ୍ର ସରକାର ତାଙ୍କ କ୍ଷମତାର ପ୍ରୟୋଗକରି ଜରୁରିକାଳୀନ ପିଏମକେୟାରସ୍ ଫଣ୍ଡ ମାଧ୍ୟମରେ ବିପୁଳ ଅର୍ଥ ସଂଗ୍ରହ କରୁଥିଲା ବେଳେ ତାହା କିପରି ଖର୍ଚ୍ଚ କରାଯିବ ଓ ଏଥିରୁ ରାଜ୍ୟମାନଙ୍କୁ କେତେ ଅଂଶ ମିଳିବ ତାହା ଅସ୍ପଷ୍ଟ|

ଏକ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି, ଏହି କୋଭିଡ ଫଣ୍ଡ ସୃଷ୍ଟିକରାଯିବାର ପ୍ରଥମ ସପ୍ତାହରେ ୬,୫୦୦ କୋଟି ଟଙ୍କା ଦାନ ଆକାରରେ ସଂଗୃହୀତ ହୋଇଛି| ବୈଦେଶିକ ଦାନ ଗ୍ରହଣ ସମେତ କର୍ପୋରେଟ ଉଦ୍ୟୋଗଗୁଡ଼ିକର ବାର୍ଷିକ ଲାଭର ୨% ଜନକଲ୍ୟାଣ ଉଦ୍ଦେଶ୍ୟରେ ଥିବା ବାଧ୍ୟତାମୂଳକ ବ୍ୟୟକୁ ଏଥିରେ ସାମିଲ କରାଯାଇଛି, ଯାହାକୁ ଅତ୍ୟନ୍ତ ଆକର୍ଷଣୀୟ ସୁବିଧା ଦେବାକୁ ନୀତିଗତ ବ୍ୟବସ୍ଥା କରାଯାଇଛି| ସେହିପରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ଏହି ଫଣ୍ଡକୁ ୬୬ ନିୟୁତ ଡଲାର ଦେଇସାରିଥିବା ବେଳେ ଗୁଜରାଟ ଓ ମହାରାଷ୍ଟ୍ରକୁ ୬୫,୬୨୬ଡଲାର ଲେଖାଏଁ କୋଭିଡ ମୁକାବିଲା ଲାଗି ପ୍ରଦାନକରିଛି| ବେଦାନ୍ତ, ଆଦିତ୍ୟ ବିରଳା ଏବଂ ଆଦାନି ଗ୍ରୁପ୍ ମିଳିତ ଭାବେ ୧୩ ନିୟୁତ ଡଲାର ଦେବେ ବୋଲି ଘୋଷଣା କରିଛନ୍ତି|

ଏତଦବ୍ୟତୀତ ଉକ୍ତ ନୂତନ ପାଣ୍ଠିରେ ଋଷିଆର ସରକାରୀ ସାମରିକ ଉପକରଣ ରପ୍ତାନୀ କମ୍ପାନୀ ‘ରୋସୋବୋରୋନଏକ୍ସପୋର୍ଟ’ ୨ ନିୟୁତ ଡଲାର ଦାନଦେବାକୁ ପ୍ରତିଶ୍ରୁତି ଦେଇଛି| ତେବେ ଏହା ଲୋକାର୍ପିତ ହେବା ଦିନ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ, ମହାମାରୀର ମୁକାବିଲା ଲାଗି ଦାନଦେବାକୁ ଅନେକ ବଦାନ୍ୟ ବ୍ୟକ୍ତିଙ୍କ ଅନୁରୋଧକ୍ରମେ ଏହି ପାଣ୍ଠି ସୃଷ୍ଟି କରାଯାଇଛି| ଏଥିରେ ଜମା ହେଉଥିବା ଅର୍ଥକୁ ବିପର୍ଯ୍ୟୟ ପରିଚାଳନାରେ ସାମର୍ଥ୍ୟ ବୃଦ୍ଧିକରିବା ସହିତ ଜନସାଧାରଣଙ୍କ ସୁରକ୍ଷା ପାଇଁ ମହତ୍ତ୍ବପୂର୍ଣ୍ଣ ଗବେଷଣାରେ ବିନିଯୋଗ କରାଯିବ|

କିନ୍ତୁ ଏହି ଘୋଷଣା ସେମାନଙ୍କୁ ସନ୍ତୁଷ୍ଟ କରିପାରିନଥିବା ଜଣାପଡୁଛି| ଏପ୍ରକାର କେନ୍ଦ୍ର-ରାଜ୍ୟ ସମ୍ପର୍କର ଢାଞ୍ଚାରେ ରାଜ୍ୟମାନେ ଅଧିକାର ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ହୋଇପଡୁଥିବା କହିଛନ୍ତି, ଦିଲ୍ଲୀସ୍ଥିତ ସେଣ୍ଟର ଫର୍ ପଲିସୀ ରିସର୍ଚ୍ଚର ଗବେଷକ ରାହୁଳ ବର୍ମା|

ଅନ୍ୟପକ୍ଷରେ ସାସଂଦ ପାଣ୍ଠିକୁ ପ୍ରତ୍ୟେକ ପାର୍ଲ୍ୟାମେଣ୍ଟ ପ୍ରତିନିଧି ଆସନ୍ତା ୨ବର୍ଷ ଧରି କୋଭିଡ ନିୟନ୍ତ୍ରଣ ଓ ପୁନର୍ଗଠନ କାର୍ଯ୍ୟର ବିନିଯୋଗ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି| ଏହାସହିତ ସେମାନଙ୍କ ଦରମାର ଏକ ତୃତୀୟାଂଶ କାଟି ଜରୁରୀ ପରିସ୍ଥିତି ପାଣ୍ଠିରେ ରଖାଯିବା ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ବିବୃତି ଦେଇଛନ୍ତି ଯାହାର ପରିମାଣ ହେଉଛି ୭୮୪୦ କୋଟି ଟଙ୍କା|

ଏହି ପୃଷ୍ଠଭୂମିରେ ରାଜ୍ୟମାନେ କେନ୍ଦ୍ର ଠାରୁ ଆର୍ଥିକ ସହାୟତା ପାଇଁ ଦାବୀକରିବା ସ୍ବାଭାବିକ| ନଚେତ୍ ସଂକ୍ରମଣ ଯୋଗୁ ଉପୁଜିଥିବା ପରିସ୍ଥିତିକୁ ରାଜ୍ୟ ସରକାରଗୁଡ଼ିକ ଦୈନିକ ନିଶେଃଷ ହୋଇଯାଉଥିବା ସ୍ବଳ୍ପ ସମ୍ବଳରେ ପରିଚାଳନା କରିବା ସମ୍ଭବ ହେବନାହିଁ, ଯାହା ପରିଶେଷରେ ସମଗ୍ର ଦେଶ ପାଇଁ କାଳ ହେବ| ତେଣୁ ଏହି ଜଟିଳ ଅବସ୍ଥା ସହିତ ଯୁଝିବା ପାଇଁ ପିଏମକେୟାରସ୍ ପାଣ୍ଠିର ସୁବିନିଯୋଗହେବା ଦରକାର ଏବଂ ଏଥିପାଇଁ ବିସ୍ତୃତ ରୋଡମ୍ୟାପ୍ ର ଆବଶ୍ୟକତା ରହିଛି| ଏହା ହୋଇନପାରିଲେ ପରବର୍ତ୍ତୀ କାଳରେ କେନ୍ଦ୍ର-ରାଜ୍ୟ ସମ୍ପର୍କ ଯେ ଆହୁରି ବିଗିଡ଼ିଯିବ ଏଥିରେ ସନ୍ଦେହ ନାହିଁ| 

( ସ୍ତମ୍ଭକାର ଜଣେ ବରିଷ୍ଠ ସାମ୍ବାଦିକ )

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Comments are closed.