Latest Odisha News

BREAKING NEWS

ଗଣତନ୍ତ୍ରର ତ୍ରାଣକର୍ତ୍ତା ହୋଟେଲ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’…

ମହାରାଷ୍ଟ୍ରରେ ରାତାରାତି ରାଷ୍ଟ୍ରପତି ଶାସନ ହଟାଯାଇ ସକାଳ ସାତଟା ବେଳକୁ ବିଜେପିର ଦେବେନ୍ଦ୍ର ଫଡ଼୍ନାଭିସ୍ ମୂଖ୍ୟମନ୍ତ୍ରୀ ଭାବେ ଓ ଏନ.ସି.ପି.ର ଅଜିତ୍ ପାୱାର ଉପ ମୂଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ । ହଇଚଇ ଖେଳିଗଲା ସାରା ଦେଶରେ । ସମସ୍ତେ ଆଶ୍ଚର୍ଯ୍ୟ ହେଉଥିଲେ, କେମିତି ଏତେ ଶୀଘ୍ର ହୋଇଗଲା ସବୁ । ଏହା ବିରୁଦ୍ଧରେ କଂଗ୍ରେସ୍, ଏନ୍.ସି.ପି ଓ ଶିବସେନା ସୁପ୍ରିମ୍ କୋର୍ଟ ଗଲେ । ସୁପ୍ରିମ୍ କୋର୍ଟ ଚବିଶ୍ ଘଂଟା ସମୟ ଧାର୍ଯ୍ୟ କଲେ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ପାଇଁ । ପରିଣତି ସ୍ୱରୁପ ଦେବେନ୍ଦ୍ର ଫଡ଼୍ନାଭିସ୍ ମୂଖ୍ୟମନ୍ତ୍ରୀ ପଦରୁ ଓ ଅଜିତ୍ ପାୱାର ଉପ ମୂଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ । ଏବେ ପୁଣିଥରେ ଶିବସେନା, ଏନ୍.ସି.ପି ଓ କଂଗ୍ରେସ୍ ମିଳିତ ଭାବେ ମହାରାଷ୍ଟ୍ରରେ ସରକାର ଗଠନ କରିଛନ୍ତି ଓ ଉଦ୍ଧବ ଠାକ୍ରେ ମୂଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏସବୁ ଘଟଣା ସମସ୍ତେ ଜାଣନ୍ତି । କିନ୍ତୁ ଏସବୁ ଘଟଣା ଗୁଡ଼ିକ ଭିତରେ ପ୍ରତି ମୂହୁର୍ତରେ ଯେପରି ଭାବେ ଗଣତନ୍ତ୍ର ଲଙ୍ଗଳା ହେଉଛି ଓ ଗଣତନ୍ତ୍ରର ଗଣଧର୍ଷଣ ହେଉଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ।

ମହାରାଷ୍ଟ୍ରର ମହାନାଟକ ଆମେ ଦେଖିଲେ । କିପରି ଭାବେ ଅଜିତ୍ ପାୱାର୍ କିଣାବିକା ହେଉଥିଲେ ଆମେ ବୁଝିଲେ । ପୁଣି ବି ଆମେ ଦେଖିଲେ ଶିବସେନା, କଂଗ୍ରେସ୍ ଓ ଏନ୍.ସି.ପି. ଦଳର ମାଲିକ ମାନେ କିପରି ଭାବେ ନିର୍ବାଚିତ ବିଧାୟକ ମାନଙ୍କୁ ନେଇ ହୋଟେଲ୍ରେ ବନ୍ଦୀ କରି ରଖିଥିଲେ । କାରଣ ସମସ୍ତଙ୍କ ମନରେ ଥିଲା ଗୋଟିଏ ଭୟ । କାଳେ ବିଧାୟକ ମାନଙ୍କୁ କିଏ କିଣି ନେଇଯିବ ଓ ତାଙ୍କ ଦଳର ସମର୍ଥନ ସଂଖ୍ୟା କମ୍ ହୋଇଯିବ! ସେଥିପାଇଁ ବିଧାୟକ ମାନଙ୍କୁ ଅଡ଼େଇ ଅଡ଼େଇ ନେଇ ହୋଟେଲ୍ରେ ବନ୍ଦ କରି ରଖାଯାଇଥିଲା । ସେମାନେ କ’ଣ ବିଧାୟକ ନା କୁକୁଡ଼ା, ଯାହାଙ୍କୁ କିଏ କିଣି ନେଇଯିବାର ଭୟ ଅଛି! ଛିଃ..ଏଇ କ’ଣ ଆମ ଗଣତନ୍ତ୍ର! ଏଇ କ’ଣ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ଅସଲି ସ୍ୱରୁପ!

ଦଳ ମୂଖିଆ ମାନଙ୍କର ଘୋଡ଼ା ବେପାରର ଭୟ ବି ଅମୂଳକ ନୁହେଁ । ନିକଟ ଅତୀତରେ ଆମେ ବାରମ୍ବାର ବିଧାୟକ କିଣା ବିକା ଦେଖି ଆସୁଛେ । କର୍ଣ୍ଣାଟକରେ ଜଳ ଜଳ ହୋଇ ଆମେ ଦେଖିଲେ । କଂଗେସ୍ ଓ ଜେ.ଡ଼ି.ଏସ୍.ର ବିଧାୟକ ମାନେ କିପରି ଭାବେ କିଣାବିକା ହୋଇ ସେଠାରୁ କଂଗ୍ରେସ୍ ଓ ଜେ.ଡ଼ି.ଏସ୍.ର ମେଂଟ ସରକାର ଭାଙ୍ଗିଲା ଓ ସେଠାରେ ଏବେ ବିଜେପିର ନୂଆ ସରକାର ସ୍ଥାପିତ ହୋଇଛି । ମହାରାଷ୍ଟ୍ରର ନାଟକ ପରି ବି ଏଇ କେଇ ମାସ ତଳେ କର୍ଣ୍ଣାଟକ ନାଟକ ବି ସମାନ ଭାବେ ଚାଲିଥିଲା । ସେଠାରେ ବି ବିଧାୟକ ମାନଙ୍କୁ ନେଇ ହୋଟେଲ୍ରେ ରଖାଯାଇଥିଲା । ଉଦ୍ଦେଶ୍ୟ ଥିଲା, କେହି କାଳେ ଆମ ବିଧାୟକ ମାନଙ୍କୁ କିଣି ନେଇ ନଯାଉ । ତାମିଲ୍ନାଡ଼ୁରେ ବି ଜୟଲଳିତାଙ୍କ ଦେହାନ୍ତ ପରେ ଠିକ୍ ସେମିତି ବିଧାୟକ ମାନଙ୍କୁ ହୋଟେଲ୍ରେ ଏକ ପ୍ରକାର ବନ୍ଦୀ କରିରଖାଯାଇଥିଲା । ସତରେ କୁଆଡ଼େ ଯାଉଛି ଆମ ଗଣତନ୍ତ୍ର!

ବିଧାୟକ ମାନଙ୍କୁ କିଣାବିକା କରି ସରକାରକୁ ଭାଙ୍ଗିବା ବା ନୂଆ ସରକାର ଗଠନ କରିବା ଖୁବ୍ ସାଧାରଣ କଥା ହୋଇଗଲାଣି ଆମ ଦେଶରେ । ଏମିତି ଘଟଣା କେବଳ ଗୋଟେ ଛୋଟ ଖବର ହୋଇ ହିଁ ରହିଯାଉଛି । ଏଥିରେ ଆମ ସାମୂହିକ ବିବେକ ବି ଆଉ ଚିନ୍ତିତ ହେଉନି । ଓଲଟି ଏପରି କରୁଥିବା ଲୋକକୁ କରିତ୍କର୍ମା କହି ତାର ଖୁବ୍ ଚର୍ଚ୍ଚା କରାଯାଉଛି । ତାକୁ ଗୌରବାନ୍ୱିତ କରାଯାଉଛି ।

ବିଧାୟକ ମାନେ ନିଜ ନିର୍ବାଚନ ମଣ୍ଡଳୀରେ ଲୋକଙ୍କୁ ମିଠା ମିଠା କଥା କହି ବିକାଶ କରିବାର ପ୍ରତିଶ୍ରୁତି ଦେଇ ଭୋଟ୍ ଜିତୁଛନ୍ତି । ଲୋକମାନେ ବି ଭୋଟ୍ ଦେଇ ଏକ ନିର୍ଦ୍ଦିଷ୍ଟ ବିଧାୟକଙ୍କୁ ବିଧାନସଭାକୁ ନିଜ ପ୍ରତିନିଧି ଭାବେ ପଠାଉଛନ୍ତି । କିନ୍ତୁ ଠିକ୍ ପରମୂହୁର୍ତରେ ସେହି ବିଧାୟକ ଟଙ୍କା ଓ କ୍ଷମତା ଲୋଭରେ ବିରୋଧୀ ଶିବିରରେ ଯୋଗ ଦେଉଛନ୍ତି । ସ୍ଥାପିତ ସରକାର ଭାଙ୍ଗୁଛନ୍ତି ଓ ନ୍ରୂଆ ସରକାର ଗଢ଼ୁଛନ୍ତି । ତାହେଲେ ଏଥିରେ ଲୋକଙ୍କର ଭୋଟ୍ର ମୂଲ୍ୟ ରହିଲା କେଉଁଠି? ଆମେ ଯେଉଁ ଲୋକମାନେ ଗର୍ବ କରୁଛେ ଯେ, ଆମେ ଭୋଟ୍ ଦେଇ ଆମ ପ୍ରତିନିଧୀ ଚୟନ କରୁଛୁ, ତାହା କ’ଣ ଏକ ଭ୍ରମାତ୍ମକ ଅବଧାରଣା ନୁହେଁ କି?

ଆମ ଦେଶର ଲୋକ ପ୍ରତିନିଧୀ ମାନଙ୍କର କିଣା ବିକାକୁ ରୋକିବାକୁ ଏବେ ହୋଟେଲ ହିଁ ମୂଖ୍ୟ ତୀର୍ଥସ୍ଥାନ ହୋଇ ଉଭା ହୋଇଛି । ଅନ୍ୟ ଅର୍ଥରେ କହିଲେ ଆଜି ହୋଟେଲ୍ ହିଁ ଆମ ତଥାକଥିତ ଗଣତନ୍ତ୍ରର ତ୍ରାଣକର୍ତା ସାଜିଛି । ନହେଲେ ଗଣତନ୍ତ୍ରର ଗଣଧର୍ଷଣ ଆହୁରି ବଢ଼ିଥାନ୍ତା ଓ ବିଧାୟକ କିଣାବିକା ଆହୁରି ଜୋର୍ରେ ଚାଲିଥାନ୍ତା । ଆମ ଦେଶରେ ବିଧାୟକ ମାନେ ବାହାରେ ବୁଲିଲେ, ଭୟ ରହୁଛି, କାଳେ ସେମାନେ କିଣାବିକା ହୋଇଯିବେ । ସତରେ କ’ଣ ଆମେ ନିଜ ଦେଶକୁ ଗଣତନ୍ତ୍ର କହିବାର ଯୋଗ୍ୟତା ରଖିଛେ!

ଭିରଙ୍ଗ, ତିରଣ, ଜଗତ୍ସିଂହପୁର-୭୫୪୧୩୮

Leave A Reply

Your email address will not be published.