ନୂଆଦିଲ୍ଲୀ: ଗତ କିଛି ବର୍ଷ ଧରି ସୁନା ଦର ନିବେଶକଙ୍କୁ ନିଜ ଆଡ଼କୁ ବେଶ୍ ଜୋର୍ରେ ଟାଣୁଛି। ଗତ ଚାରି-ପାଞ୍ଚ ବର୍ଷର ରେକର୍ଡ ଦେଖିଲେ ସୁନାର ମୂଲ୍ୟ ୧.୫୦ ଲକ୍ଷ ଟଙ୍କା ଆଖପାଖରେ ପହଞ୍ଚି ସାରିଛି ଏବଂ ଏହାର ଦର ବୃଦ୍ଧି ଏବେ ବି ଜାରି ରହିଛି। ଆଜିର ଦର କଥା କହିବା ତ ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧,୨୫,୯୯୦ ଟଙ୍କା (ପ୍ରତି ୧୦ ଗ୍ରାମ୍)। ଗତକାଲି ଅର୍ଥାତ୍ ୨୨ ନଭେମ୍ବରରେ ଏହି ଦର ଥିଲା ୧,୨୪,୧୨୦ ଟଙ୍କା। ଅର୍ଥାତ୍ ଗୋଟିଏ ଦିନରେ ପ୍ରାୟ ୧,୮୭୦ ଟଙ୍କାର ଦର ହ୍ରାସ ପାଇଛି !
ବିଶ୍ୱ ଓ ଦେଶୀୟ ପରିସ୍ଥିତି ବଦଳୁଥିବାରୁ ସୁନା ପ୍ରତି ନିବେଶକଙ୍କ ଆକର୍ଷଣ ବଢ଼ିଚାଲିଛି। ଏହି ପରିପ୍ରେକ୍ଷୀରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି – ଯଦି ଆଜି ସୁନାରେ ନିବେଶ କରୁଛନ୍ତି, ଆଗାମୀ ୪ରୁ ୫ ବର୍ଷ ମଧ୍ୟରେ କେତେ ରିଟର୍ଣ୍ଣ ମିଳିପାରିବ ?
ଭାରତ ଭଳି ଦେଶରେ ସୁନା କେବଳ ନିବେଶର ମାଧ୍ୟମ ନୁହେଁ, ଏହା ଆମର ସନାତନ ପରମ୍ପରାର ଅବିଚ୍ଛେଦ୍ୟ ଅଂଶ। ବାହାଘର ଓ ଅନ୍ୟାନ୍ୟ ରୀତିନୀତିରେ ସୁନା ଗହଣା ଅପରିହାର୍ଯ୍ୟ। ଖରାପ ଆର୍ଥିକ ପରିସ୍ଥିତିରେ ମଧ୍ୟ ସୁନା ସାହାଯ୍ୟ କରିଥାଏ। ଏହାର ସବୁଠାରୁ ବଡ଼ କାରଣ ହେଉଛି ସୁନାର ଦର ଦୀର୍ଘକାଳୀନ ଭାବେ ବଢ଼ି ଚାଲିଛି। ୨୦୦୦ ଠାରୁ ୨୦୨୫ ପର୍ଯ୍ୟନ୍ତ ସୁନାର ଚକ୍ରବୃଦ୍ଧି ବାର୍ଷିକ ବୃଦ୍ଧି ହାର (CAGR) ପ୍ରାୟ ୧୪ ପ୍ରତିଶତ ରହିଛି। ଏହି ୨୫ ବର୍ଷ ମଧ୍ୟରେ ମାତ୍ର ତିନୋଟି ବର୍ଷ (୨୦୧୩, ୨୦୧୫ ଓ ୨୦୨୧) ସୁନା ନେଗେଟିଭ୍ ରିଟର୍ଣ୍ଣ ଦେଇଛି।
ପ୍ରତିବର୍ଷ ବଢ଼ିଚାଲିଛି ଦର
୨୫ ବର୍ଷ ତଳେ ଅର୍ଥାତ୍ ୨୦୦୦ ମସିହାରେ ୨୪ କ୍ୟାରେଟ୍ ସୁନାର ଦର ଥିଲା ମାତ୍ର ୪,୪୦୦ ଟଙ୍କା (ପ୍ରତି ୧୦ ଗ୍ରାମ୍), ଆଜି ତାହା ୧.୨୫ ଲକ୍ଷ ଟଙ୍କା ଛୁଇଁଛି। ଏହି ଅବଧିରେ ପ୍ରାୟତଃ ପ୍ରତିବର୍ଷ ୨୫ରୁ ୩୫ ପ୍ରତିଶତ ପର୍ଯ୍ୟନ୍ତ ରିଟର୍ଣ୍ଣ ମିଳିଛି। ବିଶେଷଜ୍ଞମାନେ ଆଗାମୀ ବର୍ଷଗୁଡ଼ିକରେ ମଧ୍ୟ ସୁନାରୁ ଭଲ ରିଟର୍ଣ୍ଣ ମିଳିବ ବୋଲି ଆଶା କରୁଛନ୍ତି।
୨୦୩୦ ସୁଦ୍ଧା ସୁନା ଦର କେତେ ହୋଇପାରେ ?
ସୁନା ଦର ଉପରେ ନଜର ରଖୁଥିବା ବିଶେଷଜ୍ଞ ଓ ବିଭିନ୍ନ ରିପୋର୍ଟ ଆଗାମୀ ଦିନରେ ମଧ୍ୟ ସୁନାରୁ ଭଲ ରିଟର୍ଣ୍ଣ ମିଳିବ ବୋଲି କହୁଛନ୍ତି। ବଢ଼ୁଥିବା ମୁଦ୍ରାସ୍ଫୀତି ଓ ଆର୍ଥିକ ଅନିଶ୍ଚିତତା ଯୋଗୁ ବିଶ୍ୱ ଓ ଦେଶୀୟ ବଜାରରେ ସୁନାର ଚାହିଦା ଆହୁରି ବଢ଼ିବ ଏବଂ ଦର ମଧ୍ୟ ଉପରମୁହାଁ ହେବ। ଅନେକ ରିପୋର୍ଟ ଅନୁଯାୟୀ, ଯଦି ଏହି ଗତିରେ ଦର ବୃଦ୍ଧି ଜାରି ରହିଲା, ତେବେ ୨୦୩୦ ସୁଦ୍ଧା ୧୦ ଗ୍ରାମ ସୁନାର ଦର ୨.୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ। କେତେକ ରିପୋର୍ଟ ତ ୭ ଲକ୍ଷରୁ ୭.୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିବାର ଆକଳନ କରିଛନ୍ତି।
ତେଣୁ ଯଦି ଆଜି ୫ ଲକ୍ଷ ଟଙ୍କାର ସୁନା କିଣନ୍ତି, ତେବେ ୨୦୩୦ ସୁଦ୍ଧା ତାହା ଦୁଇଗୁଣରୁ ମଧ୍ୟ ଅଧିକ ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ସୁନା ସବୁବେଳେ ନିରାପଦ ନିବେଶ ରହିଆସିଛି। ଆପଣ ମଧ୍ୟ ଏହି ସୁଯୋଗର ଲାଭ ଉଠାଇପାରିବେ !
Comments are closed.