Latest Odisha News

BREAKING NEWS

Sanchar Saathi App :ସରକାର ବଦଳାଇଲେ ନିଜ ନିଷ୍ପତ୍ତି, ‘ସଞ୍ଚାର ସାଥୀ ଆପ୍‌’ ବାଧ୍ୟତାମୂଳକ ନୁହଁ…

ନୂଆଦିଲ୍ଲୀ: ଭାରତ ବଜାରରେ ବିକ୍ରି ପାଇଁ ଉପଲବ୍ଧ ପ୍ରତ୍ୟେକ ମୋବାଇଲରେ ସଞ୍ଚାର ସାଥୀ ଆପ୍‌କୁ ଆଗୁଆ ଇନଷ୍ଟଲ୍‌ କରିବାକୁ ସରକାର ଦେଇଥିବା ନିର୍ଦେଶକୁ ସରକାର ପ୍ରତ୍ୟାହାର କରିନେଇଛନ୍ତି। ସଞ୍ଚାର ସାଥୀର ବର୍ଦ୍ଧିତ ଗ୍ରହଣୀୟତାକୁ ଦୃଷ୍ଟିରେ ରଖି, ସରକାର ମୋବାଇଲ୍ ନିର୍ମାତାଙ୍କ ପାଇଁ ପ୍ରି-ଇନଷ୍ଟଲେସନକୁ ବାଧ୍ୟତାମୂଳକ ନକରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋମବାର କେନ୍ଦ୍ର ସରକାରଙ୍କ ଟେଲିକମ୍ ବିଭାଗ ଜାରି କରିଥିବା ନିର୍ଦେଶରେ ଭାରତ ବଜାରରେ ବିକ୍ରି ପାଇଁ ମୋବାଇଲ ହ୍ୟାଣ୍ଡସେଟ୍‌ ତିଆରି କରୁଥିବା କମ୍ପାନୀଗୁଡିକ ସଞ୍ଚାର ସାଥୀ ଆପ୍‌କୁ ଆଗୁଆ ଇନଷ୍ଟଲ୍ କରିବାକୁ ବାଧ୍ୟ ବୋଲି କୁହାଯାଇଥିଲା। ଏପରି କି ଆପ୍‌କୁ ଏପରି ଇନଷ୍ଟଲ୍ କରାଯିବ ଯେପରି କି ଏହାକୁ ଡିଲିଟ୍ ବା ଅନଇନଷ୍ଟଲ୍ କରିବାର ସୁବିଧା ନଥିବ। ସରକାରଙ୍କ ଏପରି ନିର୍ଦେଶକୁ ବିରୋଧୀ ରାଜନୈତିକ ଦଳଗୁଡିକ ସମାଲୋଚନା କରିଥିଲେ।

ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ବିରୋଧୀ ଦଳ ଗୁଡ଼ିକ କହିଥିଲେ  ଯେ ସରକାର ଗୁଇନ୍ଦାଗିରି କରିବା ଲାଗି ଏପରି ନିର୍ଦେଶ ଦେଇଛନ୍ତି। ପେଗାସସ୍‌ ଭଳି ଏହି ଆପ୍ ମାଧ୍ୟମରେ ସରକାର ବିରୋଧୀ ରାଜନେତାଙ୍କ ଗତିବିଧି ଉପରେ ନଜର ରଖିବାକୁ ଚାହୁଁଛନ୍ତି। ଏହାଦ୍ବାରା କେବଳ ବିରୋଧୀ ରାଜନେତା ନୁହେଁ ସାଧାରଣ ନାଗରିକଙ୍କ ଗୋପନୀୟତାର ଉଲ୍ଲଙ୍ଘନ ହେବ। ସରକାରଙ୍କ ନିର୍ଦେଶକୁ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ ପ୍ରମୁଖ ସମାଲୋଚନା କରିଥିଲେ।

 ତେବେ ବିରୋଧୀଙ୍କ ବିରୋଧ ପରେ ସରକାର କହିଥିଲେ ଯେ ସଞ୍ଚାର ସାଥୀ ଆପ୍ ମୋବାଇଲରେ ଆଗୁଆ ଇନଷ୍ଟଲ କରାଯିବ। ଆଉ ଏହି ଆପ୍‌କୁ ଯିଏ ଆବଶ୍ୟକ ମନେ କରୁ ନଥିବେ ସେମାନେ ଏହାକୁ ଡିଲିଟ୍ ବା ଅନ୍‌ଇନଷ୍ଟଲ କରିପାରିବେ।  ସରକାର କହିଛନ୍ତି ଯେ ସମସ୍ତଙ୍କୁ ସାଇବର ସୁରକ୍ଷା ଯୋଗାଇ ଦେବା ଲାଗି ସମସ୍ତ ସ୍ମାର୍ଟ ଫୋନରେ ସଞ୍ଚାର ସାଥୀ ଆପ୍ ଇନଷ୍ଟଲ କରିବାକୁ ନିର୍ଦେଶ ଦିଆଯାଇଥିଲା। ଏହି ଆପ୍ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ। ସାଇବର ଠକଙ୍କ କବଳରୁ ରକ୍ଷା କରିବା ଏହାର ଉଦ୍ଦେଶ୍ୟ।  ଏଥିରେ ଅନ୍ୟ କୌଣସି ମନ୍ଦ ଉଦ୍ଦେଶ୍ୟ ଲୁଚି ରହି ନାହିଁ। ସୂଚନା ମୁତାବକ ଦେଶର ୧.୪କୋଟି ମୋବାଇଲ ଉପଭୋକ୍ତା ଏହି ଆପ୍‌କୁ ଡାଉନଲୋଡ କରିସାରିଲେଣି।

Leave A Reply

Your email address will not be published.