ନୂଆଦିଲ୍ଲୀ: ଭାରତରେ ଡିଜିଟାଲ ପେମେଣ୍ଟର ମେରୁଦଣ୍ଡ ଭାବେ ୟୁପିଆଇ (UPI) ଉପରେ ସାମଗ୍ରୀ ଏବଂ ସେବା କର (GST) ଲାଗୁ ହେବ ବୋଲି ପ୍ରଥମେ କୁହାଯାଉଥିଲା । ହେଲେ ଏହି ଗୁଜବକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ । ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର UPI କାରବାର ଉପରେ GST ଲଗାଇବା ପାଇଁ ସରକାର କୌଣସି ଯୋଜନା କରୁନଥିବା ଅର୍ଥ ମନ୍ତ୍ରଣାଳୟ ଶୁକ୍ରବାର (୧୮ ଏପ୍ରିଲ ୨୦୨୫) ସ୍ପଷ୍ଟ କରିଛି। ଏହି ଘୋଷଣା ସାଧାରଣ ନାଗରିକ ଓ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଛି, ଯେଉଁମାନେ UPI ମାଧ୍ୟମରେ ଦୈନନ୍ଦିନ କାରବାର ଉପରେ ନିର୍ଭର କରନ୍ତି।
କାହିଁକି ଉଠିଥିଲା ଗୁଜବ?
ଗତ କିଛି ଦିନ ଧରି ସୋସିଆଲ ମିଡିଆ ଓ କେତେକ ରିପୋର୍ଟରେ ଦାବି କରାଯାଉଥିଲା ଯେ, ସରକାର ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର UPI କାରବାର ଉପରେ ୧୮% GST ଲାଗୁ କରିବାକୁ ଯୋଜନା କରୁଛନ୍ତି। ଏହା ସାଧାରଣ ଜନତା, ଛୋଟ ବ୍ୟବସାୟୀ ଓ ଫ୍ରିଲାନ୍ସରଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଥିଲା। କାରଣ, UPI ଭାରତରେ ସବୁଠାରୁ ଜନପ୍ରିୟ ଡିଜିଟାଲ ପେମେଣ୍ଟ ମାଧ୍ୟମ, ଯାହା ୨୦୨୪-୨୫ ଆର୍ଥିକ ବର୍ଷରେ ୨୬୦.୫୬ ଲକ୍ଷ କୋଟି ଟଙ୍କାର କାରବାର ପରିଚାଳନା କରିଛି।
ଅର୍ଥ ମନ୍ତ୍ରଣାଳୟ ଏକ ସରକାରୀ ବିବୃତିରେ କହିଛି, “୨,୦୦୦ ଟଙ୍କାରୁ ଅଧିକ UPI କାରବାର ଉପରେ GST ଲାଗୁ କରିବା ନେଇ ଯେଉଁ ଦାବି କରାଯାଉଛି, ତାହା ସମ୍ପୂର୍ଣ୍ଣ ମିଥ୍ୟା, ଭ୍ରମାତ୍ମକ ଏବଂ ଭିତ୍ତିହୀନ। ବର୍ତ୍ତମାନ ସରକାରଙ୍କ ପାଖରେ ଏପରି କୌଣସି ପ୍ରସ୍ତାବ ନାହିଁ।” ମନ୍ତ୍ରଣାଳୟ ଆହୁରି ସ୍ପଷ୍ଟ କରିଛି ଯେ, GST କେବଳ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ଭଳି ନିର୍ଦ୍ଦିଷ୍ଟ ପେମେଣ୍ଟ ସମ୍ବନ୍ଧୀୟ ଶୁଳ୍କ ଉପରେ ଲାଗୁ ହୁଏ। କିନ୍ତୁ ୨୦୨୦ ଜାନୁଆରୀରୁ ପର୍ସନ-ଟୁ-ମର୍ଚ୍ଚାଣ୍ଟ (P2M) UPI କାରବାର ଉପରେ MDR ହଟାଇ ଦିଆଯାଇଛି, ଯାହା ଫଳରେ ଏହି କାରବାର ଉପରେ GST ଲାଗୁ ହେଉନାହିଁ।
ଅର୍ଥ ମନ୍ତ୍ରଣାଳୟର ଏହି ସ୍ପଷ୍ଟୀକରଣ ସୂଚାଇଛି ଯେ, ସରକାର UPI ଭଳି ଡିଜିଟାଲ ପେମେଣ୍ଟ ସିଷ୍ଟମକୁ ଆହୁରି ସୁଦୃଢ଼ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ସରକାର ଏହା ମଧ୍ୟ କହିଛନ୍ତି ଯେ, UPI ମାଧ୍ୟମରେ କମ୍ ମୂଲ୍ୟର କାରବାରକୁ ପ୍ରୋତ୍ସାହନ ଦେବା ପାଇଁ ୨୦୨୫ ଆର୍ଥିକ ବର୍ଷରେ ୧,୫୦୦ କୋଟି ଟଙ୍କାର ବଜେଟ ବରାଦ କରାଯାଇଛି।
Comments are closed.