ନୂଆଦିଲ୍ଲୀ: ଯଦି ଆପଣଙ୍କ କମ୍ପାନି କୌଣସି ଏକ ଉତ୍ସବରେ ୧୫ କୋଟି ଟଙ୍କା ବନସ ଭାବେ ଆପଣଙ୍କ ସାମ୍ନାରେ ରଖେ ତେବେ ଆପଣ କ’ଣ କରିବେ ? ଚୀନରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ସେଠାକାର ଏକ କମ୍ପାନି ବନସ ଭାବେ କର୍ମଚାରୀଙ୍କୁ ୭୦ କୋଟି ଟଙ୍କା ଏକ ଟେବୁଲ ଉପରେ ରଖିଥିଲା। ଆଉ କମ୍ପାନି ପକ୍ଷରୁ କୁହାଯାଇଥିଲା ଯେ ଯିଏ ଯେତେ ପାରିବ ଟଙ୍କା ଗଣି ନେଇ ପାରିବେ । ହେଲେ ଏଥିରେ ଗୋଟିଏ ସର୍ତ୍ତ ରହିଥିଲା । କେବଳ ୧୫ ମିନିଟ ଭିତରେ ହିଁ ଟଙ୍କା ଗଣି ନେଇ ପାରିବେ । ଏପରି ବନସ ଦେଇଛି ଚୀନର ହେନାନ ମାଇନିଂ କ୍ରେନ୍ କମ୍ପାନି ଲିମିଟେଡ୍ । କମ୍ପାନି ଟେବୁଲ ଉପରେ ନଗଦ ଟଙ୍କା ରଖିଥିଲା ଏବଂ କର୍ମଚାରୀମାନଙ୍କୁ ୧୫ ମିନିଟ ଭିତରେ ଯେତେ ଟଙ୍କା ନେଇ ପାରିବେ ନେଇ ଯାଆନ୍ତୁ ବୋଲି କମ୍ପାନି ପକ୍ଷରୁ କୁହାଯାଇଥିଲା ।
ଏନେଇ କମ୍ପାନି ଏକ ଭିଡିଓ ମଧ୍ୟ ସେୟାର କରିଛି। ଯେଉଁଥିରେ ୭୦ କୋଟି ଟଙ୍କା କମ୍ପାନିର କର୍ମଚାରୀଙ୍କ ସାମ୍ନାରେ ରଖାଯାଇଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଭିଡିଓରେ ଅନେକ ନଗଦ ଟଙ୍କା ଏକ ବଡ ଟେବୁଲରେ ରଖାଯାଇଛି ଆଉ କର୍ମଚାରୀମାନେ ଯଥାସମ୍ଭବ ଟଙ୍କା ନେଇଥିବା ଦେଖିବାକୁ ମିଳିଛି । ଜଣେ କର୍ମଚାରୀ ଏହି ସମୟରେ ପ୍ରାୟ ୧୨.୦୭ ଲକ୍ଷ ଟଙ୍କା ଜମା କରିଥିବା ଦେଖିବାକୁ ମିଳିଛି।
କମ୍ପାନି ପକ୍ଷରୁ ଭିଡିଓ ସେୟାର କରାଯିବା ସହ ଲେଖା ହୋଇଥିଲା ଯେ “ହେନାନ କମ୍ପାନି ଲକ୍ଷ ଲକ୍ଷ ଡଲାର ମୂଲ୍ୟରେ ବର୍ଷ ଶେଷ ବୋନସ ଦେଉଛି। କର୍ମଚାରୀମାନେ ଯେତିକି ନଗଦ ଟଙ୍କା ନେଇ ଘରକୁ ଆଣିପାରିବେ।” ତେବେ ଏହା ପ୍ରଥମ ନୁହେଁ, ପୂର୍ବରୁ ମଧ୍ୟ ୨୦୨୩ ମସିହାରେ, କମ୍ପାନି ବାର୍ଷିକ ରାତ୍ରୀ ଭୋଜନ ସମୟରେ କର୍ମଚାରୀମାନଙ୍କୁ ବହୁ ପରିମାଣର ନଗଦ ବଣ୍ଟନ କରିଥିଲା ।
Comments are closed.