ନୂଆଦିଲ୍ଲୀ: କରୋନା ଚାଲିଯିବା ପରେ ସାରା ବିଶ୍ବରେ ଲୋକେ ଏକପ୍ରକାର ଆଶ୍ବସ୍ତ ହୋଇଥିଲେ ଯେ ସବୁଠାରୁ ବଡ଼ ବିପଦ ଟଳିଗଲା । କିନ୍ତୁ ଏବେ ପୁଣି HMPV ଭାଇରସ୍ ଚିନ୍ତାର କାରଣ ହେଲାଣି । କୋଭିଡ ଭଳି ଏହି ଭାଇରସ ବି ଚୀନ୍ରୁ ଆସିଛି । ସବୁଠୁ ବଡ଼ ଚିନ୍ତାର ବିଷୟ ହେଉଛି ଏହି ଭାଇରସ୍ ୮ ବର୍ଷରୁ କମ୍ ଶିଶୁଙ୍କୁ ସଂକ୍ରମିତ ହେଉଛି । ଭାରତର କର୍ଣ୍ଣାଟକ ଓ ଗୁଜରାଟରେ ୩ ଜଣ ଶିଶୁ ବର୍ତ୍ତମାନ ପର୍ଯ୍ୟନ୍ତ ଆକ୍ରାନ୍ତ ହୋଇଥିବାର ଖବର ଆସିଛି ।ସବୁଠୁ ବଡ଼ ଚିନ୍ତାର କାରଣ ହେଉଛି ଏହି ଭାଇରସ୍ ଛୋଟପିଲାଙ୍କୁ ସଂକ୍ରମିତ ହେବାର ଅଧିକ ଆଶଙ୍କା ରହିଛି । କର୍ଣ୍ଣାଟକର ବେଙ୍ଗଳୁରୁରେ ଯେଉଁ ୨ ଜଣ ଶିଶୁ ଆକ୍ରାନ୍ତ ହୋଇଛନ୍ତି, ସେମାନଙ୍କ ମଧ୍ୟରେ ଜଣେ ୩ ମାସର ଶିଶୁକନ୍ୟା ଓ ଆଉ ଜଣେ ୬ ମାସର ପୁଅ ରହିଛି । ଏମାନଙ୍କୁ ଜ୍ବର ଓ ନିଶ୍ବାସ ନେବାରେ ଅସୁବିଧା କାରଣରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗୁଜରାଟରେ ଏକ ୨ ମାସର ଶିଶୁପୁତ୍ର ଦେହରେ ଏହି ଭାଇରସ ଚିହ୍ନଟ କରାଯାଇଛି ।
ଆମେରିକାର ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ ସଂସ୍ଥା କହିଛି, ଏହି ଭାଇରସ ଫୁସ୍ଫୁସ୍ର ଉପର ଓ ତଳ ଭାଗକୁ ଆକ୍ରାନ୍ତ କରୁଛି । ସାଧାରଣ ଥଣ୍ଡାରେ ଯେଉଁ ଲକ୍ଷଣ ସବୁ ଦେଖାଯାଏ, ଏହି ଭାଇରସ ସଂକ୍ରମିତ ହେଲେ, ସେହି ସବୁ ଲକ୍ଷଣ ଦେଖାଯିବାର ସମ୍ଭାବନା ରହିଛି । ଭାରତରେ ଚାଇନା ଭାଇରସ ପ୍ରବେଶ କରିବା ପରେ ଦିଲ୍ଲୀ ସରକାର, ସବୁ ହସ୍ପିଟାଲଗୁଡ଼ିକୁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଇଛନ୍ତି । ଦିଲ୍ଲୀ ସରକାର କହିଛନ୍ତି, ରୋଗୀଙ୍କ ସଂଖ୍ୟା ବଢ଼ିବାର ଯଥେଷ୍ଟ ଆଶଙ୍କା ରହିଛି । ଦିଲ୍ଲୀର ସ୍ବାସ୍ଥ୍ୟ ବିଭାଗକୁ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରାଳୟ ସହ ଯୋଗାଯୋଗରେ ରହିବା ପାଇଁ କୁହାଯାଇଛି । ଦିଲ୍ଲୀ ସରକାରଙ୍କ ସ୍ବାସ୍ଥ୍ୟ ସଚିବଙ୍କୁ ପ୍ରତ୍ୟେକ ଦିନ ୩ଟି ସରକାରୀ ହସ୍ପିଟାଲ ବୁଲିବା ପାଇଁ ନିର୍ଦେଶ ଦିଆଯାଇଛି ଏବଂ ହସ୍ପିଟାଲରେ କ’ଣ ବ୍ୟବସ୍ଥା ରହିଛି, ତା’ ଉପରେ ରିପୋର୍ଟ ଦେବାକୁ ନିର୍ଦେଶ ଦିଆଯାଇଛି ।
ଚୀନରେ ଏହି ଭାଇରସ ବର୍ତ୍ତମାନ ହୁହୁ ହୋଇ ବ୍ୟାପିଚାଲିଛି । ଫଳରେ ଚୀନ୍ର ଅନେକ ହସ୍ପିଟାଲରେ ଏଭଳି ଭିଡ଼ ଦେଖିବାକୁ ମିଳୁଛି । ମହୁ ସଂଖ୍ୟାରେ ରୋଗୀ ହସ୍ପିଟାଲଗୁଡ଼ିକରେ ଭିଡ଼ ଲଗାଇଛନ୍ତି । ଚୀନ ପରେ ମାଲେସିଆରେ ମଧ୍ୟ ଏହି ଭାଇରସ୍ ବ୍ୟାପିବାରେ ଲାଗିଛି । ମାଲେସିଆ ସରକାର ଏଥିପାଇଁ ଗାଇଡ୍ଲାଇନ୍ ଜାରି କରିଛନ୍ତି । ଭିଡ଼କୁ ନଯିବା, ମାସ୍କ ପିନ୍ଧିବା ଓ ବାରମ୍ବାର ହାତ ଧୋଇବା ପାଇଁ ମାଲେସିଆ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଗାଇଡଲାଇନ ଜାରି କରିଛି । ହ୍ୟୁମାନ ମେଟାନ୍ୟୁମୋ ଭାଇରସ ବା HMPV ଭାଇରସ୍ ମୁଖ୍ୟତଃ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଲେ ସଂକ୍ରମିତ ହୁଏ । ଯେଉଁ ବ୍ୟକ୍ତି ଦେହରେ ଏହି ଭାଇରସ ଥାଏ, ସେଇ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ ଏହି ଭାଇରସ ସଂକ୍ରମିତ ହେବାର ଆଶଙ୍କା ଥାଏ । କାଶିବା , ଛିଙ୍କିବା, ଚୁମ୍ବନ ଦେବା, ହାତ ମିଳାଇବା କିମ୍ବା ଆଲିଙ୍ଗନ କରିବା ସମୟରେ ଏହି ଭାଇରସ ବ୍ୟାପିବାର ଯଥେଷ୍ଟ ଆଶଙ୍କା ଥାଏ ।