ନୂଆଦିଲ୍ଲୀ: ସେପ୍ଟେମ୍ବର 2୦୨୫ରେ ଆକାଶରେ ଆହୁରି ବିରଳ ଘଟଣା ଦେଖିବାକୁ ମିଳିବ। ୭ ଓ ୮ ସେପ୍ଟେମ୍ବର ରାତିରେ ଭାରତ ସହ ଦୁନିଆର ଅନେକ ଅଞ୍ଚଳରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ (Full Lunar Eclipse) ଘଟିବ। ଏହି ସମୟରେ ଚନ୍ଦ୍ରମା ଲାଲ ରଙ୍ଗରେ ଝଟ୍କିବ, ଯାହାକୁ ବ୍ଲଡ୍ ମୁନ୍ (Blood Moon) କୁହାଯାଏ। ଜହ୍ନ ଏପରି ନଜରେ ଆସିବ ଯେ ଯେମିତି ରକ୍ତ ରଞ୍ଜିତ ହୋଇଯାଇଛି, ଅର୍ଥାତ୍ ଜହ୍ନର ରଙ୍ଗ ଏକଦମ ରକ୍ତ ପରି ଲାଲ ହୋଇଯିବ। ଯାହା ଭୟଙ୍କର ନୁହେଁ, ବରଂ ବହୁତ ସୁନ୍ଦର ଏବଂ ଭିନ୍ନ ଲାଗିବ। ଏହା ୨୦୨୫ର ଦ୍ୱିତୀୟ ଏବଂ ଶେଷ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ, ଏବଂ ଖାସ କଥା ହେଲା ଏହା ଭାରତରେ ବହୁତ ଭଲ ଭାବେ ଦେଖାଯାଇପାରିବ।
୭ ସେପ୍ଟେମ୍ବର ରାତିରୁ ୮ ସେପ୍ଟେମ୍ବର ସକାଳ ଯାଏ ଭାରତରେ ଏକ ସୁନ୍ଦର ବିରଳ ଘଟଣା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖାଯିବ, ଯାହାକୁ ସାଧାରଣତଃ ବ୍ଲଡ୍ ମୁନ୍ କୁହାଯାଏ। ଏହି ସମୟରେ ଚନ୍ଦ୍ରମା ପ୍ରାୟ ୮୨ ମିନିଟ୍ ଯାଏ ପୂର୍ଣ୍ଣ ରୂପେ ଗାଢ଼ ଲାଲ ରଙ୍ଗରେ ଦେଖାଯିବ। ଏହି ଚନ୍ଦ୍ରଗ୍ରହଣ ମୋଟ ୫ ଘଣ୍ଟା ଯାଏ ଚାଲିବ। ଭାରତୀୟ ସମୟ (IST) ଅନୁସାରେ, ଗ୍ରହଣ ୭ ସେପ୍ଟେମ୍ବର ରାତି ୮:୫୮ ରେ ଆରମ୍ଭ ହୋଇ ୮ ସେପ୍ଟେମ୍ବର ସକାଳ ୧:୨୫ ରେ ଶେଷ ହୋଇଯିବ। ଚନ୍ଦ୍ରଗ୍ରହଣର ସବୁଠୁ ବିଶେଷ ଅଂଶ, ଯେଉଁଠାରେ ବ୍ଲଡ୍ ମୁନ୍’ର ଶୀର୍ଷକାଳ ରାତି ୧୧:୦୦ରୁ ୧୨:୨୨ ଯାଏ ରହିବ । ଯେଉଁଠାରେ ଚନ୍ଦ୍ରମାର ସବୁଠୁ ଗାଢ଼ ଲାଲ ରଙ୍ଗ ରାତି ୧୧:୪୧ ପାଖାପାଖି ଦେଖାଯିବ। ଏହି ଘଟଣା ଭାରତର ସମଗ୍ର ଅଞ୍ଚଳରେ ଦେଖାଯିବ। ଖାସକରି ଦିଲ୍ଲୀ, ମୁମ୍ବାଇ, କୋଲକାତା, ଲକ୍ଷ୍ନୌ, ହାଉଦ୍ରାବାଦ, ପୁଣେ, ଚଣ୍ଡିଗଡ଼ ଭଳି ସହରଗୁଡ଼ିକରେ ବ୍ଲଡ୍ ମୁନ୍’ର ନଜାରା ସ୍ପଷ୍ଟ ଭାବେ ଦେଖାଯିବ। ଏହି ନଜାରା ଦେଖିବା ପାଇଁ କୌଣସି ବିଶେଷ ଉପକରଣର ଆବଶ୍ୟକତା ନାହିଁ। ଆପଣ ଏହାକୁ ନିଜ ଘରର ଛାତ, ଖୋଲା ମୈଦାନ କିମ୍ବା କୌଣସି ଉଚ୍ଚ ସ୍ଥାନରୁ ମଧ୍ୟ ଦେଖିପାରିବେ। ଯଦି ଆପଣଙ୍କର ପାଖରେ ଦୂରବୀଣ କିମ୍ବା ଟେଲିସ୍କୋପ୍ ଅଛି, ତେବେ ଚନ୍ଦ୍ରମାର ସ୍ତର ଏବଂ ଲାଲିମା ଅଧିକ ସ୍ପଷ୍ଟ ଦେଖାଯିବ।
ବ୍ଲଡ୍ ମୁନ୍ କୌଣସି ଜାଦୁଗରୀ ନୁହେଁ, ବରଂ ଏହା ଏକ ବୈଜ୍ଞାନିତ ପ୍ରକ୍ରିୟାର ଫଳ ଅଟେ। ଯେତେବେଳେ ପୃଥିବୀ, ସୂର୍ଯ୍ୟ ଏବଂ ଚନ୍ଦ୍ରମା ଏକ ସିଧା ରେଖାରେ ଆସିଯାଏ, ତେବେ ପୃଥିବୀର ଛାୟା ଚନ୍ଦ୍ରମା ଉପରେ ପଡ଼େ ଏବଂ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଘଟେ। କିନ୍ତୁ ଚନ୍ଦ୍ରମା ପୂର୍ଣ୍ଣ ରୂପେ କଳା ହୋଇନଥାଏ, ବରଂ ଲାଲ ଦେଖାଯାଏ। କାରଣ ପୃଥିବୀର ବାୟୁମଣ୍ଡଳ ସୂର୍ଯ୍ୟର ପ୍ରକାଶକୁ ଛାଣି କରି ତା’ମଧ୍ୟରୁ ଲାଲ ଏବଂ ନାରଙ୍ଗୀ ରଙ୍ଗର କିରଣଗୁଡ଼ିକୁ ଚନ୍ଦ୍ରମା ଯାଏଁ ପହଞ୍ଚାଇଥାଏ। ଏହି ପ୍ରକ୍ରିୟାକୁ ରେଲି ସ୍କାଟେରିଂ (Rayleigh Scattering) କୁହାଯାଏ।
Comments are closed.